Unknown

 

 

 

 

 

 

 

 

 

 

 

କୌତୁକ କୁଞ୍ଜ

ପଣ୍ଡିତ ଶ୍ରୀ ଜଗନ୍ନାଥ ରଥ

 

ସୂଚୀପତ୍ର

 

୧.

କଥା କହିଲେ

୨.

ନାଥେ ଜାଣନ୍ତି, କି ହାଥେ ଜାଣନ୍ତି

୩.

ସାଆନ୍ତଙ୍କ ମହତ୍ତ୍ଵ

୪.

ୟେ ତୁମ ଗାତର ଗୁଣ

୫.

ଚାରି ବେହ୍ୟା

୬.

ପଣା ହେଲାଣି

୭.

ନବାବଙ୍କ ନାତି

୮.

ସବୁ ଯାଉ, ମହତ୍ତ୍ଵ ଥାଉ

୯.

ଜାକି ଥା

୧୦.

ଶଙ୍ଖ ଫୁଙ୍କା

୧୧.

ପୃଥିବୀ ନାସଦାନୀ ପରି ଗୋଲ୍

୧୨.

ପଣ୍ଡିତଙ୍କ ପୁରାଣପଢ଼ା

୧୩.

ବେଳରୁ କୁଟୁତୁଣୀଘର ଝିଅ

୧୪.

ଓସବ ଭଁଏସା ଗାଣ୍ଡ ମେ ଗୟା

୧୫.

ଦାରୀ ବୟସ ବୈରାଗୀରେ ଭରଣା

୧୬.

ପରପୁଅ ଲାଗି ଯୋଗିଆ କାନ୍ଦେ

୧୭.

ମାଂ ବିଦ୍ଧି ଯମଦୂତକଂ

୧୮.

ଆଳୁ ଦୋଷ

୧୯.

ଯବ ଯାଉଁ, ତବ ବାଗ ନ ଯାଉଁ

୨୦.

ହେ, ହେ, ମୋ ରାଣଟି, ଖଣ୍ଡେ ହେଲେ ପେଟିମାଛ ଖାଆ

୨୧.

ଦୁଇ ଅଳସୁଆ

୨୨.

ପଣ୍ଡିଆଣୀ ଲୋ ମୋ କର୍ଣ୍ଣ ଗଲା

୨୩.

ଯଖନ ଯେମନ, ତଖନ ତେମନ

୨୪.

ଆରେ ସତ ତ, ତତେ ଖାଇବାକୁ, ମୋର ତ କାହିଁକି ମନ ହଉଚି

୨୫.

ସନା ବୋପା ଦନା ସିଇଁ, ଠୋଲା ଠୋଲା କରି ପିଠା ପିଇ

୨୬.

ଚୋରକୁ ହାତକାମୁଡ଼ା ଶିଖେଇବା

୨୭.

ଭଗବାନ ଭୂତତାଂ ଗତଃ

୨୮.

ସାହେବଙ୍କ ଓଡ଼ିଆ ବକ୍ତୃତା

୨୯.

ବେହେରାଙ୍କ ଅକଲ

୩୦.

କାଜି ବିଚାର

୩୧.

ଶ୍ରାଦ୍ଧଠଉଁ ସଞ୍ଜାଦିଆ ଟାଣ

୩୨.

ଘରଜୋଇଁ ବଡ଼ ନାକରା ଜାତି

୩୩.

ଦିଶୁ

୩୪.

ଜୋଇଁଙ୍କ ସନ୍ଧ୍ୟା

୩୫.

ତନ୍ତୀଙ୍କ କୀର୍ତ୍ତନ

୩୬.

କାଜି ବିଚାର (୨)

୩୭.

ଆଛା, ଆପଣଙ୍କ ସ୍ତ୍ରୀ ମତେ ଛାଡ଼ି ଆଉ କାହାକୁ ବିବାହ କରିପାରେ କି ?

୩୮.

ଭାଗ ଗୋଦାମ

୩୯.

ବୋହୂ ବାବାଜି

୪୦.

ଚଷାର କରଣମର୍ଯ୍ୟାଦା

୪୧.

ସ୍ଵର୍ଗ ଏଣ୍ଡୁରି

୪୨.

ଠକ ପରମାର୍ଥୀ

୪୩.

ପାନ ଆଣ, ପାନ ଦେ

୪୪.

କାହିଁ, ଭାର୍ଯ୍ୟା ହେବାକୁ ତ କେହି କହିଲେ ନାହିଁ !

୪୫.

ଖୋଦା ବଡ଼ା ସିଆନା

୪୬.

ଦେଖ, ହରି କରେ କି ?

୪୭.

ପଣ୍ଡିତଙ୍କ ଚଣ୍ଡୀପାଠ

୪୮.

ଆପଣ ତ ଆଗୁଆ କାମ କରିବାକୁ କହିଥିଲେ

୪୯.

ବାବାଜିଙ୍କ ପୋଷା ବିଲେଇ

୫୦.

ଶ୍ରାଦ୍ଧ କୁକ୍କୁରୀ

୫୧.

ମୋହନବାବୁଙ୍କ କୋଳିଖିଆ

୫୨.

କେଉଟଙ୍କ ନିଜ ଉପାୟ

୫୩.

ମୁଁ ଜାଣେ, ଆପଣ ଦେବାନଙ୍କ ଗାଈ ନୁହନ୍ତି

୫୪.

ଆମେ ତ ଇମିତି ଇମିତି

୫୫.

ରଜାଙ୍କ ଘୋଡ଼ାର ଦୁଧଖିଆ

୫୬.

ଈଶ୍ଵର ଯାହା କରନ୍ତି, ମଙ୍ଗଳ ପାଇଁ

୫୭.

ଆଲୋ, ମୋ ଗମ୍ୟତାଂ କ’ଣ ହୋଇଯାଉଚି ଲୋ !

୫୮.

ବୃଦ୍ଧା ବେଶ୍ୟା ତପସ୍ଵିନୀ

୫୯.

ପୁରୋହିତଙ୍କ ଆଣ୍ଠୁଲଛା

୬୦.

ହେଣ୍ଡି ଲୋ, କାଣୀଝିଅ ଦେଲି ଭଣ୍ଡି ଲୋ

୬୧.

ମୋ ପୁଅ ସୁନାଥାଳିରେ ଖାଇବାର ମୁଁ ଦେଖିବି

୬୨.

ଯେବଣ ଘରକୁ ତେବଣ ଋଷି

୬୩.

ବିଷ୍ଣାୟ ନମଃ

୬୪.

ଚୋରି ମୋର ଅଭ୍ୟାସ

୬୫.

ତ୍ରିଫଳା ବୈଦ୍ୟ

୬୬.

ଖଡ଼ା ବଡି ଥୋଡ଼

୬୭.

ମାତରଃ ପିତରଃ କ୍ଵାଗୁଃ

୬୮.

ଛାମୁଙ୍କର ତେବେ ବିଲେଇଟିଏ ଯୋଗାଣ ହୋଇଛି

୬୯.

ଦବୁ, ମାଗିବୁ ନାହିଁ

୭୦.

ମିଠାଇଖିଆ

୭୧.

ଆରେ, ଗାଧାକା ମେମ ସାହେବ ଲାଓ

୭୨.

କଖାରୁ ଚୋରି

୭୩.

ରାମୋ ଲକ୍ଷ୍ମଣମବ୍ରବୀତ

୭୪.

ତା ଧିନି ଧିନି ଧିନି

୭୫.

ସାତ ଚକଟା ପୋଢ଼ୁଅ ଘଣ୍ଟା

୭୬.

ଶାଳିନେ ବନମାଳିନେ

୭୭.

ମା ଡାହାଣୀ, ପୁଅ ମଦୁଆ

୭୮.

କାଖ ଟେକି ଟେକି ନାଚରେ ବାବା

୭୯.

ଖୋଦା ଏତନା ବଖତ କ୍ୟା କରତେ ହେଁ ?

୮୦.

ଇସିମେ ଚିଡ଼ିଆ ହେ

୮୧.

ବସ୍ତ୍ରାଭାବେ ସୂତ୍ର ଦଦ୍ୟାତ୍

񤦬񤦬񤦬

 

ସୂଚନା

 

ଆମ ଦେଶରେ କଥା କହୁ କହୁ ବହୁତଗୁଡ଼ିଏ କଥା ଗୋଟିଏ ଗୋଟିଏ ପ୍ରବଚନରେ ପ୍ରକାଶ କରିଥାନ୍ତି ଏବଂ ଅନେକ ଅବୋଧ୍ୟ ବିଷୟ ଗୋଟିଏ ଗୋଟିଏ ଗଳ୍ପ ସାହାଯ୍ୟରେ ବିଶଦ କରିଥାନ୍ତି । ଏତଦ ବ୍ୟତୀତ ମନବିନୋଦନ ନିମନ୍ତେ ବହୁ ରହସ୍ୟପୂର୍ଣ୍ଣ କଥା ମଧ୍ୟ କହିଥାନ୍ତି । ସେଗୁଡ଼ିକ ଯେ ମନୁଷ୍ୟ ପକ୍ଷରେ ଅନେକ ସମୟରେ ଲୋଡ଼ା, ଏହା କହିବା ବାହୁଲ୍ୟ ମାତ୍ର । ଏହା ଆମ ଦେଶରେ ବିରଳ ନୁହେଁ । କିନ୍ତୁ ସେ ସବୁ ସମସ୍ତଙ୍କ ପକ୍ଷରେ ସୁଲଭ ନୁହେ । ସୂତରାଂ କେତେ ଗୁଡ଼ିଏ କୌତୁକ କାହାଣୀର ସମାବେଶରେ ନିର୍ମିତ ଏହି ‘କୌତୁକ-କୁଞ୍ଜ’ ପୁସ୍ତକର ପ୍ରକାଶ ସମୀଚୀନ ବୋଧହେଲା । ବିଶ୍ୱାସ ହୁଏ–ଏହାର ପାଠକ-ପାଠିକା ହସ, ରସ, କୌତୁକ ଲାଭ କରି କିଞ୍ଚିତ ଉପକୃତ ହୋଇପାରିବେ ।

 

ବଡ଼ମ୍ବା ନିବାସୀ ପୁରୀଜିଲ୍ଲା ସ୍କୁଲସମୂହର ଅବସରପ୍ରାପ୍ତ ଇନ୍ସପେକ୍ଟର ଶ୍ରୀଯୁକ୍ତ ଲୋକନାଥ ପଟ୍ଟନାୟକ ମହାଶୟ ଓଡ଼ିଶାରେ ସୁପରିଚିତ । ତାଙ୍କର ଆଚାର, ବ୍ୟବହାର ଏବଂ କଥା ବା କାର୍ଯ୍ୟରେ ଯାହାର ଥରେମାତ୍ର ସମ୍ପର୍କ ହୋଇପାରିଛି, ସେ ତାଙ୍କୁ ଭୁଲିପାରିବ ନାହିଁ । ସେ ମହାଶୟ ରହସ୍ୟମୟ ନୀତିପୂର୍ଣ୍ଣ ଢଗଢ଼ମାଳି ଏବଂ କଥାକାହାଣୀର ଏକପ୍ରକାର ଭଣ୍ଡାର । ସେଥିଯୋଗୁଁ ଆଧୁନିକ ଶିକ୍ଷିତ ସମାଜର ତାଙ୍କ ପ୍ରତି ଆଗ୍ରହ ଏବଂ ଆକର୍ଷଣ ହୋଇଥାଏ । ସୌଭାଗ୍ୟବଶତଃ ମୁଁ ସେ ମହୋଦୟଙ୍କର ସମ୍ପର୍କରେ ଆସି ତାଙ୍କଠାରୁ ଯେଉଁ କେତେକ କଥା କାହାଣୀ ଶୁଣିଥିଲି, ଆଜି ତାହାରି ଯୋଗେ ଏ କୌତୁକ-କୁଞ୍ଜ ଗଢ଼ିପାରିଛି । ସୁତରାଂ ସେ ମହୋଦୟଙ୍କ ନିକଟରେ କୃତଜ୍ଞତା ଜ୍ଞାପନ କରୁଅଛି ।

 

ପରିଶେଷରେ ‘ସମାଜ’ ସମ୍ପାଦକ ସ୍ୱର୍ଗତ ପଣ୍ଡିତ ଲିଙ୍ଗରାଜ ମିଶ୍ର ଏବଂ ଓଡ଼ିଶାର ବିକାଶ ବିଭାଗ ମନ୍ତ୍ରୀ ଶ୍ରୀଯୁକ୍ତ ରାଧାନାଥ ରଥ ଏହି ପୁସ୍ତକ ପ୍ରକାଶରେ ଆଗ୍ରହ ପ୍ରଦର୍ଶନ କରି ଗୋପବନ୍ଧୁ ସାହିତ୍ୟ ମନ୍ଦିର ପକ୍ଷରୁ ମୁଦ୍ରଣର ସୁବିଧା କରିଦେଇଥିବାରୁ ମୁଁ ସେ ଦୁହିଁଙ୍କ ନିକଟରେ ଧନ୍ୟବାଦ ସହ କୃତଜ୍ଞତା ଜ୍ଞାପନ କରୁଅଛି । ଇତି ।

 

ପ୍ରଣେତା

񤦬񤦬񤦬

 

କଥା କହିଲେ

 

ମନୁଆ ରାଜାଙ୍କର ମେହେନ୍ତର । ତା’ର କାମ ପାଇଖାନା ସଫା କରିବା । ରାଜାଙ୍କୁ ଚାହିଁଲା ବେଳକୁ ସେ କେତେ ତଳର ଲୋକ । ରଜା ତ କେଡ଼େ କେଡ଼େ ଲୋକଙ୍କୁ କଥା କହନ୍ତି ନାହିଁ । ମନୁଆକୁ ବା କିପରି କହିବେ ? କିନ୍ତୁ ମନୁଆ ଦେଖୁଛି କେତେ କେତେ ଲୋକ ରଜା ପାଖକୁ ଆସୁଛନ୍ତି, କେତେ କ’ଣ କଥାବାର୍ତ୍ତା କରୁଚନ୍ତି । ୟା ଦେଖି ତା’ ମନ ଭାରି ଅମୁର୍ଛୁକ । ଏଦଶା ଲେଉଟିବ ବୋଲି ତା’ ମନରେ ନ ଥାଏ । ଇମିତି କେତେକାଳ ଯିବାରେ ମନୁଆର ଦଶା ଲେଉଟିଲା, ଦିନେ କ’ଣ ହେଇଚିନା, ସେ ପାଇଖାନା ଖଟି ଦେଇ ପାଇଖାନା ବାଟଟିରେ ଠିଆହୋଇ କ’ଣ ଭାବୁଚି । ଏଥି ମଧ୍ୟରେ ରଜା ପାଇଖାନା ଯିବାକୁ ପଛରୁ ଆସି ହାବୁଡ଼ିଲେଣି । ରଜାଙ୍କୁ ପୁଣି ଅତର୍ଛ ଝାଡ଼ା । ମନୁଆ ତ କ’ଣ ଗୋଟେ ଭାବୁଚି । ସେଇଥିରୁ ସେ ରଜା ଆସିବା କଥା ଜାଣିପାରିଲା ନାହିଁ । ସେଇମିତି ଖୁଣ୍ଟଟା ପରି ଠିଆ ହୋଇଥାଏ । ଏଣେ ଅତର୍ଛ ଝାଡ଼ା, ସେଥିରେ ପୁଣି ବାଟରେ ମନୁଆ । ଏଥିରେ ରଜାଙ୍କର ଯେତେ ରାଗ ହୋଇପାରେ । ରଜା ରାଗରେ ଗରଗର ହୋଇ କହିଲେ– “କିବେ ଶଳା ! ଆମେ ବିଜେ କରୁଚୁ, କ’ଣ ଶଳାକୁ ଦିଶୁନାଇଁ-?” ଆବେ ଶଳା ! ବାଟରୁ ଯାଉଚୁ ଟିକି ? କିଏ ଅଛରେ, ଶଳାକୁ ବଜେଇବଟି । ମନୁଆ ରଜାଙ୍କୁ ଚାହିଁଦେଇ ଜିଭ କାମୁଡ଼ି ଦଶ ହାତ ଦୂରକୁ ଡେଇଁପଡ଼ି ଲମ୍ବ ହୋଇ ପା ପଡ଼ି କହିଲା– “ମଣିମା-! ମୋ ସତାବନ ପୁରୁଷରେ କେହି ଛାମୁଙ୍କ ଶ୍ରୀମୁଖରୁ ପଦେହେଲେ ଶୁଣିନଥିଲା । ଆଜି ମୁଁ ଶ୍ରୀଛାମୁଙ୍କ କଥା ଶୁଣି ନିସ୍ତରିଗଲି, ମୋ ଜାତି ନିସ୍ତରି ଗଲା । ଆହାହା, ଆଜି ମୋର କେଡ଼େ ଭାଗ୍ୟ !” ମନୁଆ ଏହିପରି ଗୁଡ଼ାଏ କହି କୃତାର୍ଥ ହଉଥାଏ । ରାଜା ପାଇଖାନା ଗଲେ । ତା’ପରେ ମନୁଆ ସାଇକି ଗଲା । ସେଦିନ ମନୁଆର ଆନନ୍ଦର ସୀମା ନାହିଁ । କାରଣ ଜାଣିବାକୁ ସାଇଲୋକେ ମନୁଆ ପାଖରେ ରୁଣ୍ଡ ହେଲେ । ସମସ୍ତେ ପଚାରିଲେ– “କିରେ କଅଣ ହେଲା, କଅଣ ହେଲା ?” ମନୁଆ କହିଲା– “ଆଉ ନହେଲା କଅଣ ? ଯାହା ସତାବନ ପୁରୁଷରେ ନ ହୋଇଥିଲା, ଆଜି ତାହା ହେଲା ।’’ ଲୋକେ କହିଲେ– “ହଉ, କଅଣ ହେଲା କହ । ମନୁଆ କହିଲା– “କ’ଣ ହେଲାକି, ରଜା ମହାପ୍ରଭୁ କଥା କହିଲେ ।“ ‘କିରେ କି କଥା’ ? ସେ କହିଲା– ରଜା ଶୂଳେଇକି ବିଜେ ହଉଚନ୍ତି; ମୁଁ ବାଟଟାରେ ଠିଆ ହୋଇଚି, ମତେ ଜଣା ନାହିଁ । ରଜା ! ୟା ଦେଖି ରାଗିଯାଇ କହିଲେ– କିବେ ଶଳା ! ଆମେ ବିଜେ କରୁଚୁ, ଶଳାକୁ ଜଣାପଡ଼ୁ ନାହିଁ ? ଶଳା ବାଟରୁ ଯାଉଚୁ ଟିକି ? ଭାଇ ! ଏଇତକରେ ସବୁ ମିଳିଗଲା ନାହିଁକି ? ଆମର ୟାଠୁଁ ବଳି ବଡ଼ କଥା କଅଣ ଅଛି ? ରଜାଙ୍କ ମୁହଁରୁ କଥା ଶୁଣିବା କଅଣ ସହଜ କଥା ? ଭାଗ୍ୟରେ ଥିଲେ ମିଳେ-। ସମସ୍ତେ କହିଲେ ସତ କଥା । ସାବାସ ମନୁଆ । ତୁ ଏକା ଆମ ଜାତିରେ ପୁଅ । ସାବାସ ସାବାସ କହି ସମସ୍ତେ ଘରକୁ ଗଲେ । ସେହିଦିନଠାରୁ ମନୁଆର ମାନ ମହତ୍ତ୍ଵ ବଢ଼ିଗଲା-

 

କାହିଁକିନା, ରଜା କଥା କହିଲେ ।

񤦬񤦬񤦬

 

ନାଥେ ଜାଣନ୍ତି, କି, ହାଥେ ଜାଣନ୍ତି

 

ଗୋଟିଏ ଦେଶରେ ଜଣେ ରଜା ଥିଲେ । ସେ ବଡ଼ ନିର୍ବୁଦ୍ଧିଆ, ବଡ଼ ଓଲୁ । ଦିନେ ଚୋରି କିମିତି କରନ୍ତି, ଏହା ଜାଣିବାକୁ ତାଙ୍କର ମନହେଲା । ଦେଖିଲେ ଯେ ୟେ ତ ଦିନ ବେଳୁଟା, ରାତି ନ ହେଲେ ତ ହବ ନାହିଁ । ରାତି ହେଲା, ଉଆସ ଲୋକେ ଖାଇପିଇ ଯେ ଯୁଆଡ଼େ ନିଘୋଡ଼ ନିଦରେ ଶୋଇଲେ । ରଜା ରାଣୀ ରାଣୀହଂସପୁରକୁ ପହଡ଼ିବାକୁ ଗଲେ । ଶୋଇଲେ ସିନା, ରଜାଙ୍କୁ ନିଦ ହଉନଥାଏ । ତାଙ୍କର ତ ଚୋରି କରିବାକୁ ମନ ଲାଗିଚି । ସେ ଖାଲି ଚାହିଁଚନ୍ତି ରାଣୀଙ୍କ ନିଦକୁ । ରାଣୀଙ୍କି ନିଦ ହୋଇଗଲେ ସେ କିମିତି ଖସିବେ । ଦେଖୁ ଦେଖୁ ରାଣୀଙ୍କି ନିଘୋଡ଼ ନିଦ ହୋଇଗଲ । ରାଣୀ ଶୋଇପଡ଼ିବାରୁ ରଜା କିଛି ଖୁଡ଼ ଧୁଡ଼ ନ ହୋଇ ଧୀରି ଧୀରି ହୋଇ ଉଆସରୁ ପଦାକୁ ବାହାରିପଡ଼ିଲେ । ବାହାରିପଡ଼ିଲେ ସିନା, ରଜାପୁଅ ଲୋକ, ଚୋରି କିମିତି ଜାଣନ୍ତି ନାହିଁ । ସେଥିରେ ପୁଣି କିଟିକିଟି ଅନ୍ଧାର, ମୁହଁକୁ ମୁହଁ ଦିଶୁ ନାହିଁ,ଦାଣ୍ଡରେ ଜନପ୍ରାଣୀ, କେହି ନାହାନ୍ତି । ଏକାବେଳକେ ସବୁ ଶୂନ୍ୟ । ୟା ଦେଖି ଭୟ ମାଡ଼ୁଥାଏ । କଅଣ କରିବେ, ଚୋରିରେ ତ ମନ ଲାଗିଥାଏ । ସେଇ ଅନ୍ଧାରରେ ଝୁଣ୍ଟି ଝୁଣ୍ଟି ସାତ କଚଡ଼ା ପଡ଼ି କେତେ ବାଟ ଗଲେ । ଯାଉଁ ଯାଉଁ ଭାବିଲେ– କାହା ଘରେ ପଶିବି ? ବଡ଼ଲୋକଙ୍କ ଘରେ ତ ପଶିହେବ ନାହିଁ । ଗଡ଼ ମୁଣ୍ଡରେ ଗୋଟେ ଯୋଗୀ ଘର ଥିଲା । ସେ ଘରଖଣ୍ଡି ଟୁଙ୍ଗୀଘର । ସେ ଯୋଗୀର ସଂଜ୍ଞା ନାଥ । ନାଥ ଦିନ ଭିକାରି । ରୋଜ ଯାହା ଭିକ ପାଏ, ସେଇଥିରେ ଚଳେ । ଆଉ ବାସି ଓଳିକି ଦାନା ନ ଥାଏ । ରଜା ଦରାଣ୍ଡି ଦରାଣ୍ଡି ତା’ର ଦାଣ୍ଡଦୁଆରେ ପହଞ୍ଚିଲେ । ଦୁଆର ହୋଇ ଖଣ୍ଡେ ବାଉଁଶ ତାଟି । ତାଟିଟି ଖଣ୍ଡିଏ ଦଉଡ଼ିରେ ବନ୍ଧା ହୋଇଥାଏ । ରଜା ସେ ଦଉଡ଼ିଟି ଫିଟାଇ ତା’ ଘରେ ପଶିଲେ । ପଶିଲେ ସିନା, କିଛି ଦିଶୁନଥାଏ । ଖାଲି ତା’ କାନ୍ଥ ବାଡ଼ ଦରାଣ୍ଡିଲେ । ଦରାଣ୍ଡୁ ଦରାଣ୍ଡୁ କାନ୍ଥ କିଳାରେ ଗୋଟେ ଲାଉ ତୁମ୍ବା ଉକୁଚା ହୋଇଥିଲା । ସେଇଟା ହାତକୁ ବାଜିଲା । ତୁମ୍ବାଟା ହାତିଆ ଲାଉ ତୁମ୍ବା । ସେଇଟା ହାତେ କି ପାଞ୍ଚପା ଲମ୍ବା । ଯୋଗୀ ସେଇ ତମ୍ବା ଧରି ନିତି ଭିକ ମାଗିଯାଏ । ରଜା ବିଚାରିଲେ–ୟାର ଭିତରେ ନିଶ୍ଚେ ଟଙ୍କାକଉଡ଼ି, ସୁନାରୂପା ଥିବ-। ୟା ବିଚାରି ତା’ର ଭିତରେ ହାତ ପୂରେଇଲେ । ହାତ ପୂରାଇବାରେ ଖଡ଼ଧଡ଼ ଶବ୍ଦ ହବାରୁ ଯୋଗୀର ଚାଉଁକିନା ନିଦ ଭାଙ୍ଗିଗଲା । ସେ କିଏରେ, କିଏରେ ବୋଲି ପାଟି କଲା । ରଜା ତା’ ପାଟି ଶୁଣି ଅତର୍ଛରେ ପଳାଇବାକୁ ବାହାରିଲେ; କିନ୍ତୁ ଯାଉଚନ୍ତି କେତେକେ ? ଥାଳରୁ ହାତ ବାହାରିଲେ ତ ଯିବେ ! ସେ ହାତକୁ ଯେତେ ଯେତେ ଭିଡ଼ୁଛନ୍ତି, ହାତ ବାହାରୁନାହିଁ । ହାତିଆ ଲାଉ କିନା ? ତା’ ମୁହଁଟା ସରୁ । ହାତ କାଢ଼ିଲା ବେଳକୁ ହାତର ସୁନା ଖଡ଼ୁଆ ଅଟକୁଛି । ବହୁତ ଭିଡ଼ା ଓଟରା କରିବାରେ ଭଉଁରିଟା କିମିତି ଖସିଯିବାରୁ ଖଡ଼ୁ ପଟକ ଥାଳ ଭିତରେ ରହିଗଲା, ହାତଟା ବାହାରିପଡ଼ିଲା । ଯାହା ହେଲା ହେଲା, ଆଉ ଖଡ଼ୁ କଥା ପଚାରୁଛି କିଏ ? ଯୋଗୀ ଭୟରେ ରଜା ପ୍ରାଣ ଘେନି ଚମ୍ପଟ । ରଜା ଚୋରି କରି ଯାହା ପାଇଲେ ତ ପାଇଲେ ଏବେ ରାଣୀ ନ ଜାଣିଲେ ରକ୍ଷା । ଏଇ କଥା ବିଚାରି ବିଚାରି ସେଇ ଅନ୍ଧାରରେ ପଡ଼ିଉଠି ଯାଇ ତୁନିହୋଇ ଶୋଇପଡ଼ିଲେ । ଶୋଇପଡ଼ିଲେ ସିନା, ନିଦହେଲା ନାହିଁ । ଖାଲି ବିଚାରୁଥାନ୍ତି–ରାତିରେ ସିନା ରାଣୀ ଖଡ଼ୁ କଥା ଜାଣିପାରିବେ ନାହିଁ, ଦିନ ହେଲେ ତ କଥାଟା ଧରାପଡ଼ିବ । ସେଥିକି ଉପାୟ କଅଣ ? କିଛି ଠିକଣା କରିପାରିଲେ ନାହିଁ । ଇମିତି ହଉ ହଉ ରାତି ପାହିଲା । ଆଲୁଅ ହେଲା । ରଜା ରାଣୀ ଶେଯରୁ ଉଠିଲେ । ରାଣୀ ଚାହିଁଦିଅନ୍ତି ତ ରଜାଙ୍କ ହସ୍ତରେ ଖଡ଼ୁ ନାହିଁ । ରାଣୀ ପଚାରିଲେ– ଆଜ୍ଞା, ଶ୍ରୀହସ୍ତରୁ ଖଡ଼ୁ କୁଆଡ଼େ ଗଲା ? ରଜା ଜାଣିଲା ପରି ଚୋରଙ୍କ ପରି ଏଣିକି ତେଣିକ ଚାହିଁ କହିଲେ– ସତେ, ଖଡ଼ୁ କୁଆଡ଼େ ଗଲା ? ତୁମେ ରଖିନାହଁ ତ ? ରାଣୀ କହିଲେ– ମୁଁ ଖଡ଼ୁ ରଖି ଛାମୁକୁ ଟାପରା କରୁଚି ? ରଜା କହିଲେ– ଆଉ କଅଣ ହେଲା ? ଦେଖିବଟି, ତୁମର ସବୁ ଅଳଙ୍କାର ଅଛି ତ ? ରାଣୀ ରଜାଙ୍କର ଏପରି କଥା ଶୁଣି କହିଲେ– ଛାମୁ ଏପରି କଅଣ କହୁଚନ୍ତି-? ଆଜି ଗୁରୁବାର ସଂକ୍ରାନ୍ତି, ସୁନା ହଜିଲେ ଦୋଷ । ଶ୍ରୀହସ୍ତରୁ ରତ୍ନ ଖଡ଼ୁ ଯାଇଚି । ଖଡ଼ୁ କଅଣ ହେଲା କୁହନ୍ତୁ । ରଜା କହିଲେ– ଆୟେ କଅଣ ହୋଇଥିବ । ସେଇ କଥା, ସେଇ କଥା, କେତେ ପଚାରୁଚ ? ରାଣୀ କହିଲେ– ଆଜ୍ଞା, ପଚାରିବି ନାହିଁ ? ସୁନା ହଜିଲେ ଦୋଷ । କଅଣ ହେଲା କହନ୍ତୁ । ନହେଲେ ପ୍ରାୟଶ୍ଚିତ୍ତ ହେରିକା କରିବା । ମୋ ରାଣ ଅଛି, ଖଡ଼ୁ କଅଣ ହେଲା କହି ଆଜ୍ଞା ହୁଅନ୍ତୁ । ରଜା ବିରକ୍ତ ହୋଇ କହିଲେ ମତେ ଆଉ ବିରକ୍ତ କରନାହିଁ । ଖଡ଼ୁ କଥା ନାଥେ ଜାଣନ୍ତି, କି, ହାଥେ ଜାଣନ୍ତି । ରାଣି କିଛି ବୁଝିନପାରି ଆବାକାବା ହୋଇ ପଚାରିଲେ– ଆଜ୍ଞା ! ନାଥେ କଅଣ, ହାଥେ କଅଣ, ମୁଁ ତ କିଛି ବୁଝିପାରୁନାହିଁ । ରଜା ବିରକ୍ତ ହୋଇ ପୁଣି କହିଲେ– ନ ବୁଝିଲେ ନାହିଁ, ମତେ ବିରକ୍ତ କରନାହିଁ । ରାଣୀ ସେତିକ ତୁନି ନହୋଇ କଥାଟା ଜାଣିବାକୁ ବହୁତ ରାଣ ନିୟମ ପକାଇଲେ । କେଉଁ କୀର୍ତ୍ତି କଥା ଯେ ରଜା ସବୁ ଫିଟାଇ କହିଦେବେ ? ରାଣୀ ବହୁତ କୁହାବୋଲା କରିବାରେ ରଜା ବାଧ୍ୟହୋଇ ଚୋରି କରିବାକୁ କାହିଁକି ମନ ହେଲା, ଅନ୍ଧାର ରାତିରେ କିପରି ଗଲେ, କିପରି ଯୋଗୀଘରେ ପଶିଲେ, ଲାଉ ଥାଳରେ କାହିଁକି ହାତ ପୂରେଇଲେ, ଯୋଗୀ ପାଟି କରିବାରୁ ଥାଳରୁ ହାତ କାଢ଼ୁ କାଢ଼ୁ ଥାଳ ଭିତରେ ସୁନାଖଡ଼ୁ କିପରି ଅଟକି ରହିଲା, ଏସବୁ କଥା ଖିନ୍ନଭିନ୍ନ କରି ବୁଝାଇ କହିଲେ । ରାଣୀ ଆଉ କ’ଣ କହିବେ ? ମନେମନେ ଗୁଡ଼େ ହାରାମ ହେଲେ । ସୁନା ହାତରୁ ଯିବାରୁ ଗୁଡ଼ାଏ ବ୍ୟସ୍ତ ହେଲେ । ଦୋଷ କଟାଇବାକୁ ବହୃତ ଦାନପୁଣ୍ୟ କଲେ ।

 

ଚୋରି କରି ରଜା ଯାହା ପାଇଲେ ତ ପାଇଲେ ।

 

ସେଇ କାଳୁ କଥା ରହିଲା– ନାଥେ ଜାଣନ୍ତି, କି, ହାଥେ ଜାଣନ୍ତି ।

 

ଯେ ଅସତ୍ ଉପାୟ କରି କ୍ଷତିରେ ପଡ଼ି ଧରାପଡ଼େ ତାକୁ ପଚାରିଲେ ସେ ଲାଜରେ ସବୁ କଥା କହିନପାରି କହେ–“ନାଥେ ଜାଣନ୍ତି, କି, ହାଥେ ଜାଣନ୍ତି ।’’ ଆଉ ମତେ କିଛି ପଚାରନା-

񤦬񤦬񤦬

 

ସାଆନ୍ତଙ୍କ ମହତ୍ତ୍ଵ

 

ରଜାଙ୍କ କୁଟୁମ୍ବୀ ଭାଇକି ସାଆନ୍ତ କହନ୍ତି । ସାଆନ୍ତମାନେ ରଜାଘର ଭଳି ବିଧି ବେଭାର, ମହତ୍ତ୍ଵ ମର୍ଯ୍ୟଦା କରନ୍ତି । ତା’ କଲେ ସେମାନଙ୍କୁ ସୁନ୍ଦର, ନ କଲେ ଅସୁନ୍ଦର । କୁଟୁମ୍ବରୁ ଊଣା ଜ୍ଞାତିମାନଙ୍କୁ ଭାଇପୁଅ କହନ୍ତି । ଏମାନେ ମଧ୍ୟ ରଜାଘର ଢଙ୍ଗଧରଣ ଦେଖେଇହୁଅନ୍ତି । ଥୋକେ ପୋଇଲୀ ଆଡ଼ର ପୁଅ ଥାଆନ୍ତି । ସେମାନେ ସାଆନ୍ତ ନୁହନ୍ତି; କି, ଭାଇପୁଅ ନୁହନ୍ତି । ସେମାନଙ୍କୁ ଅନ୍ତର କହନ୍ତି । ସେ ଅନ୍ତରରୁ ପୋଇଲିପୁଅ ହୋଇ ପ୍ରତ୍ୟନ୍ତର ହୁଅନ୍ତି । ଏହିପରି ସାତ ଅନ୍ତର ହେଲେ ମଧ୍ୟ ଯାହାଠାରେ ରଜାଘର ଆଞ୍ଚ ଲାଗିଥାଏ, ସେ ନିଜକୁ ସାଆନ୍ତ ବୋଲାଇବାକୁ ରଜାଘର ଢଙ୍ଗ ଧରଣ, ଚାଲିଚଳଣ, ଡକାହକା ନିଜ ଘରେ ଚଳାଇଥାଏ । କିନ୍ତୁ ସାଆନ୍ତ ବା ଭାଇପୁଅ ପରି ସମସ୍ତଙ୍କର ରଜାଘର ଖଞ୍ଜାବାଡ଼ି ନ ଥାଏ । ସେହି ହେତୁରୁ ସେମାନଙ୍କର ଅବସ୍ଥା ଖରାପ । କେବଳ ରଜାଘର ପରି ଯିବାକୁ ବିଜେ କରିବା, ଖାଇବାକୁ ମଣୋହି କରିବା, ଦାନ୍ତଘଷାକୁ କାଠି ଲାଗି ହେବା, ଝାଡ଼ା ଯିବାକୁ ଶୁଳେଇକି ବିଜେ କରିବା, ଶୋଇବାକୁ ପହଡ଼ କରିବା ଏହିପରି ଗୁଡ଼ିଏ ରଜାଘରିଆ କଥା ବ୍ୟବହାର କରନ୍ତି ।

 

ଗୋଟିଏ ଗାଁରେ ଜଣେ ପ୍ରତ୍ୟନ୍ତର ସାଆନ୍ତ ଥିଲେ । ତାଙ୍କ ଘରେ ସାତ ଆଠଜଣ କୁଟୁମ୍ବ । ତା’ ଛଡ଼ା ରଜାଘରିଆ ମହତ୍ତ୍ଵ ରଖିବାକୁ ପୋଇଲୀଟିଏ ରଖିଥାନ୍ତି । ତା’ ନାଁ ମରୁଆ । ଏଥିକି ଜମିବାଡ଼ି, ଟଙ୍କା କଉଡ଼ି, କିଛି ନ ଥାଏ । ଦିନେ ଦିନେ ଦାନା ଅଭାବରୁ ଖନ୍ଦା ମଧ୍ୟ ହୋଇପାରେ ନାହିଁ । ସବୁବେଳେ ଋଣ କରଜ କରିବାକୁ ପଡ଼େ ।
 

ସେ ଗାଁରେ ରଜାଙ୍କର ଗୋଟେ ବଡ଼ ଖମାର ଥାଏ । ଜ୍ୟେଷ୍ଠ ଆଷାଢ଼ ମାସରେ ସେଥିରୁ କେତେ ଧାନ ବିକାଯାଏ, କେତେ ଧାନ କରଜ ଲାଗେ । ଆମଦାନୀ ବେଳେ ସବୁ ବର୍ଷ କରଜ ଧାନ ଅସୁଲ ହୁଏ । ଧାନ ହିସାବକୁ ଜଣେ ବେବର୍ତ୍ତା ଥାଆନ୍ତି ।

 

କରଜ ଫିଟିଲା ବେଳକୁ ସମସ୍ତେ କରଜ ନିଅନ୍ତି । ଭାଇ-ପୁଅଙ୍କର ତ ସବୁଦିନେ ନିୟଣ୍ଟିଆ । ସେ ମଧ୍ୟ କରଜ ନିଅନ୍ତି; ମାତ୍ର ଦେଲାବେଳକୁ ବୁହେ ଘୋଷରା ଓଟରା ହୋଇ ବେମହତ୍ତ୍ଵ ହୁଅନ୍ତି ।

 

ବର୍ଷେ ଧାନ ଅମଳ ବେଳେ ଧାନ ଅସୁଲ ହେଉଚି । ବୈବର୍ତ୍ତା ଜଣ ଜଣ କରି ତଲବ କରୁଛନ୍ତି । କିଏ ଅବା ପୂରା ଅସୁଲ ଦେଇଯାଉଚି, କିଏ ଅବା ଗାଈ, ବଳଦ ବିକି ଧାନ ଭରଣାକୁ ଟଙ୍କା ଦେଇଯାଉଚି, କିଏ ଅଧାଅଧି ପଇଠ ଦେଇ ବାକିତକ ପାଇଁ କୁହାପୋଛା କରି କିଛି ଦିନକୁ ଛାଡ଼ ନଉଚି । ସବୁ ଖାତକ ନିଜ ନିଜ ଅଡ଼ୁଆ ଏହିପରି ତୁଟାଇ ଦେଇଯାଉଛନ୍ତି; ମାତ୍ର ଭାଇ ପୁଅ ସାଆନ୍ତ କିଛି ହେଲେ ପଇଠ ଦେଲେ ନାହିଁ, କି ହାଜର ସୁଦ୍ଧା ହେଲେନାହିଁ; ଓଲଟି ପିଆଦାକୁ ତେରିମେରି ଦେଖେଇଲେ ।

 

ପିଆଦା ଭାଇପୁଅ ସାଆନ୍ତଙ୍କ ତମ୍ବୁ ତୋଫାନ ସବୁ ବେବର୍ତ୍ତାଙ୍କ ପାଖରେ ବୟାନ କରିବାରୁ ବେବର୍ତ୍ତା ରାଗି ମାଗି ପିଆଦାକୁ ହୁକୁମ ଦେଲେ––ସେ ସେଥିରେ ଫଳିବ ନାହିଁ, ଚୁଟିଧରି ଟେକିଆଣ । ପିଆଦା ବେବର୍ତ୍ତାଙ୍କ କଡ଼ା ହୁକୁମରେ ସାଆନ୍ତଙ୍କ ଘରେ ପହଞ୍ଚିଲା ବେଳକୁ ସାଆନ୍ତ ଦିହପାଣିକୀ ବିଜେ ହବାକୁ ମର୍ଦ୍ଦନ ବଢ଼ାଉଥାନ୍ତି । ମର୍ଦ୍ଦନ ଆଉ କିଛି ନୁହେଁ, ଟିକିଏ କାଣ୍ଟି ଜଡ଼ା ତେଲ ଶ୍ରୀଅଙ୍ଗରେ ଲଗାଉଥିଲେ । ପିଆଦା ତାଙ୍କୁ ଯେମିତ ଦେଖିଛି, ସେଇମିତି ଆଗ ତେରିମେରି ଆରମ୍ଭ କଲା । ସାଆନ୍ତ କି ଡରିଯିବା ପୁଅ ? ସେ ମଧ୍ୟ ଗୁଡ଼େ ଗାଲୁମାଲୁ କଲେ । ପିଆଦା ତ କଡ଼ା ହୁକୁମ ପାଇଛି, ସାଆନ୍ତଙ୍କୁ ମଧ୍ୟ ଚିହ୍ନିଚି, ସେ କିଆଁ ଟିକିଏ ଡରିବ ? ସାଙ୍ଗେ ସାଙ୍ଗେ ସାଆନ୍ତଙ୍କୁ ଚୁଟିଧରି ଘୋଷାରିଲା ।

 

ସାଆନ୍ତଙ୍କ ପୋଇଲୀ ମରୁଆ ସାଆନ୍ତଙ୍କ ପାଟି ତୁଣ୍ଡ ଶୁଣି ଦୌଡ଼ିଆସି ଦେଖେ ତ ସାଆନ୍ତଙ୍କ ଚୁଟି ଧରାରେ ଘୋଷରା ହୋଇଯାଉଛନ୍ତି । ୟା ଦେଖି ସେ ଅତର୍ଛାରେ ଡାକ ପକାଇଲା––ଆଗୋ ଦେଖ ଗୋ ! ଦେଖ ଗୋ !

 

ସାଆନ୍ତାଣୀ ଚଉରୀ ଭିତରେ ମରୁଆର ଅତର୍ଛ ଡାକ ଶୁଣି କହିଲେ କିଲୋ ! କ’ଣ ହେଲା ଲୋ ମରୁଆ !

 

ମରୁଆ କହିଲା– ମଣିମା, ମଣିମା, ଧାଇଁ ବିଜେ କର, ଧାଇଁ ବିଜେ କର । ଦେଖି ଆଜ୍ଞା ହୁଅନ୍ତୁ ବାହାରଗଡ଼ିଆ, ମୁଣ୍ଡ-କଟା, ମଲା ମୁଣ୍ଡିଆ, ନିମୁଣ୍ଡିଆର କେଡ଼େ ବଡ଼େଇ ! ସାଆନ୍ତଙ୍କ ଗଭା ଧରି ନଉଚି ଯେ ପାଦ ଭୂଇଁରେ ଲାଗୁ ନାହିଁ, କି ଅଧରରୁ କଥା ବାହାରୁ ନାହିଁ ।

 

ସାଆନ୍ତାଣୀ ଶୁଣିଲେ ସିନା, କଅଣ କରିବେ ? ଖାଲି ମୁଣ୍ଡ କୋଡ଼ି ହେଲେ । ବାକି ଦାଣ୍ଡରେ ଯେ ଶୁଣିଲେ, ଦେଖିଲେ, ସେ ସବୁ କହିଲେ– ସତ ତ, ସାଆନ୍ତଙ୍କ ପା ତ ଭୂଇଁରେ ଲାଗୁ ନାହିଁ, ଅଧର ତ ଫିଟୁ ନାହିଁ । ଆହା, ଶ୍ରୀଅଙ୍ଗକୁ କେଡ଼େ ବାଧା ହଉଥିବ ?

 

(ଏଇ କଅଣ ସାଆନ୍ତଙ୍କ ମହତ୍ତ୍ଵ ?)

񤦬񤦬񤦬

 

ୟେ ତୁମ ଗାତର ଗୁଣ

 

ଗୋଟେ ଆମ୍ବ ତୋଟାରେ ଖଣ୍ଡ ପାଣି ଚବକା ଥାଏ । ସେଥିରେ ଖରାଦିନରେ ମଧ୍ୟ ବଳାଗଣ୍ଠିଏ ପାଣି ରହେ । ସେଥିରେ କଉ, ମାଗୁର, ରତା, ଗଡ଼ିଶା, ତୋଡ଼ି ହୋଇ ମାଛଗୁଡ଼ିଏ ମଧ୍ୟ ରହନ୍ତି । ଏସବୁ ମାଛ ତ ପଙ୍କୁଆ ମାଛ; ତେଣୁ ବିବର କରି ରହନ୍ତି । କେହି ଜଣେ ମାଛୁଆ ଏସବୁ ମାଛ ଥିବାର ଉଣ୍ଡି ଦିନେ ମାଛ ଧରିବାକୁ ଗଲା । ବିବରରେ ହାତ ନ ପୂରେଇଲେ ତ ମାଛ ଧରାପଡ଼ିବ ନାହିଁ; ତେଣୁ ସେ ବିବର ଉଣ୍ଡି ହାତ ପୂରେଇ ମାଛ ଧଇଲା । କେଉଁଠୁ ତୋଡ଼ି, କେଉଁଠୁ କଉ, କେଉଁଠୁ ଗଡ଼ିଶା, ଏହିପରି ଯେଉଁଠୁ ଯାହା ପାଏ, ତାକୁ ଧରି ଅଣ୍ଟିରେ ପୂରାଏ । ଗୋଟେ ଗୋଟେ ବିବରରେ ଧଣ୍ଡ ମଧ୍ୟ ଥାଆନ୍ତି । ହାତ ପୂରେଇ ମାଛ ବୋଲି ଧରି ଆଣି ଯେତେବେଳେ ଦେଖେ ଧଣ୍ଡଟେ, ସେତେବେଳେ ସେ ଉଲୋ ବୋଲି ପାଟି କରି ଛାଟି ଫିଙ୍ଗିଦେବାରେ ଧଣ୍ଡଟାମାନ ପାଏ ପାଏ ଦୂରରେ ପିଟି ହୋଇ ପଡ଼ନ୍ତି । ଧଣ୍ଡ ବୋଲି ସମ୍ଭାଳ ହେଲା, ନ ହେଲେ ମା’ ଛୁଆର ମାଛଖିଆ ସୁଆଦ ବାହାରି ପଡ଼ିଥାନ୍ତା । ଇମିତି କେତେ ଧଣ୍ଡ ଧରି ସେ ଫିଙ୍ଗିଲା । ମାଛ ତକ ଧରି ଘରକୁ ଗଲା ।

 

ସେ ଚବକା ପାଖରେ ଗୋଟେ ଖାତ ଥିଲା । ସେଥିରେ ଗୋଟେ ପୁରୁଣା ତମ୍ପ ଥିଲା । ସେ ଧଣ୍ଡମାନଙ୍କର ଏ ଦୁର୍ଦ୍ଦଶା ଦେଖି ଗୋଟେ ଧଣ୍ଡକୁ କହିଲା ତୁମେ ସିମିତି ସାପ ବୋଲି ତୁମର ଇମିତି ଅବସ୍ଥା ନ ହୋଇ ଆଉ କଅଣ ହୁଅନ୍ତା ? ଆମେ ହୋଇଥିଲେ ଦେଖିଥାନ୍ତ–କଅଣ ହୋଇଥାନ୍ତା । ସେ ପୁଣି ଆମକୁ ଫିଙ୍ଗିବା ଯାଏ ଯାଇଥାନ୍ତା ?

 

ଧଣ୍ଡ କହିଲା– ଆମେ କଅଣ କରିବୁ ? ଆମ ମୁଣ୍ଡଟି ମାନ ତ ସରୁ, ଧରିପକାଇଲେ ତ କାବୁ କିଛି ନାହିଁ । ନ ହେଲେ କଅଣ ଆମ କଥା ଆମେ କରିନଥାନ୍ତୁ ?

 

ଏହା ଶୁଣି ତମ୍ପ କହିଲା– ଆଚ୍ଛା, କାଲିକି ତୁମେ ଆମ ଗାତରେ ରହ, ଆମେ ତୁମ ଗାତରେ ରହିବା । ଦେଖିବ ଆମେ କଅଣ କରିବୁ । ଧଣ୍ଡ ସେଥିରେ ରାଜି ହବାରୁ ତମ୍ପ ଧଣ୍ଡ ଗାତରେ ରହିଲା ।

 

ମାଛୁଆର ତ ମନ ଲାଗିଛି । ତହିଁ ଆର ଦିନ ମଧ୍ୟ ସେ ଚବକାକୁ ମାଛମାରି ଗଲା । ସେହିପରି ହାତ ପୂରେଇ ମାଛ ଧଇଲା । ମାଛ ଧରୁ ଧରୁ ତମ୍ପ ଥିବା ଗାତରେ ହାତ ପୂରେଇଲା । ଧଣ୍ଡ ପରି ତମ୍ପ ମୁଣ୍ଡ ମଧ୍ୟ ତା’ ହାତରେ ପଡ଼ିଲା । ଯେତେ ବଡ଼ ସାପ ହଉ, ମୁଣ୍ଡଟା ହାତମୁଠାରେ ରହିଲେ ସେତିକିରେ ସାପପଣିଆ ଶେଷ । ମୁଣ୍ଡଟି ହାତମୁଠାରେ ରହିବାରୁ ତମ୍ପ ଆଉ କିଛି କରି ନ ପାରନ୍ତି ।

 

ମାଛୁଆ ଗାତ ଭିତରୁ ହାତ ଭିଡ଼ିଆଣି ଦେଖେ ତ ତମ୍ପୁଟେ । ଯିମିତି ତମ୍ପୁଟେ ବୋଲି ଜାଣିଚି, ସିମିତି ଦେଲା ଛାଟି ଯେ ତମ୍ପୁଟା ଶହେ କି ଦି ଶହ ହାତ : ଦୂରରେ ପଡ଼ି ଅଧାପ୍ରାଣ ।

 

ମାଛୁଆ ତ ମାଛ ଘେନି ଘରକୁ ଗଲା । ଧଣ୍ଡ ତମ୍ପର ଏ ଦଶା ଦେଖି କହିଲା– କିଓ ଭାଇ ! ତୁମର କଅଣ ଆମରି ପରି ଦଶା ହେଲା ? କେଡ଼େ ପ୍ରତିଜ୍ଞା କରୁଥିଲ । ଅଧିକଟା କଅଣ କରି ପକାଇଲ ?

 

ଧଣ୍ଡ କଥାରେ ଲାଜରେ ତମ୍ପ ମୁହଁ ଢଳିଗଲା । ଆଉ କହିବି କଅଣ ? କହିଲ–ଭାଇ ! ମୁଁ ଆଉ କହିବି କଅଣ ? ୟେ ତମ ଗାତର ଗୁଣ ।

 

ଧଣ୍ଡ କହିଲା–ହଉ, ହଉ, ପାରିବାର ପଣିଆ ତ ଜଣାଗଲା । ଏବେ ତୁମ ଗାତକୁ ତୁମେ ଆସ ।

 

ତମ୍ପ କହିଲା–ଭାଇ ! ମୁଁ ତ ସେୟା କହିଥାନ୍ତି ।

 

କଥାରେ କ’ଣ ମହତ୍ତ୍ଵ ରହେ ?

񤦬񤦬񤦬

 

ଚାରି ବେହ୍ୟା

 

ଗୋଟେ ଦେଶରେ ଜଣେ ରଜା ଥିଲେ । ରଜାଟି ମହାମୂର୍ଖ । ପାଠର ନାଁ ସୁଦ୍ଧା ଧରନ୍ତି ନାହିଁ । ଖାଲି ବସି ବସି ଦିନ କଟାନ୍ତି । ଯେତେବେଳେ ଯାହା ଖିଆଲ ହୁଏ, ସେୟା କରନ୍ତି ।

 

ତାଙ୍କର ଜଣେ ବୁଦ୍ଧିଆ ମନ୍ତ୍ରୀ ଥିଲେ । ଦିନେ ମନ୍ତ୍ରୀ ରଜାଙ୍କୁ ମଜୁରା କଲାବେଳକୁ ରଜାଙ୍କର କଅଣ ଗୋଟେ ଖିଆଲ ହେଲା । ସେ କହିଲେ– ମନ୍ତ୍ରୀ ! କାଲିକି ଆମର ଚାରିଜଣ ବେହ୍ୟା ଦରକାର । ନ ଆଣିପାରିଲେ ତୁମର ମନ୍ତ୍ରୀପଦ ଯିବ, ଆମକୁ ଆଉ ଦୋଷ ଦବ ନାହିଁ ।

 

ମନ୍ତ୍ରୀ ବୁଦ୍ଧିମାନ୍ । ସେ ରଜାଙ୍କର ଏ ଅଡ଼ୁଆ ହୁକୁମ ଶୁଣି କାବା ହୋଇଗଲେ । କିନ୍ତୁ ହୁକୁମ ପାଳିବାକୁ ହେବ, ନ ହେଲେ ତ ଚାକିରି ଯିବ । ଏହା ଭାବି ସେ ଆଉ କିଛି ନ କହି କହିଲେ– ଆଜ୍ଞା, ହୁକୁମ ଶିରୋଧାର୍ଯ୍ୟ । ଯାହା ପାରିବି, ତାହା ଅବଶ୍ୟ କରିବି କହି ଘରକୁ ଗଲେ ।

 

ମନ୍ତ୍ରୀଙ୍କର ଆଉ ଖିଆପିଆରେ ମନ ନାହିଁ । କାଲିକି ଚାରିଟା ବେହ୍ୟା କେମିତି ରଜାଙ୍କୁ ଦେବେ, ଖାଲି ଏଇ ଚିନ୍ତାରେ ବ୍ୟସ୍ତ ହେଲେ ।

 

ରାତି ପାହିଲା । ସକାଳୁ ମନ୍ତ୍ରୀ ବେହ୍ୟା ଖୋଜି ବାହାରିଲେ । ତାଙ୍କ ଭାଗ୍ୟ ଭଲ । ଖଣ୍ଡେ ଦୂର ଯାଇଛନ୍ତି, ଦେଖିଲେ ଜଣେ ଘାସ ଗୋଛାଟିଏ ମୁଣ୍ଡରେ ମୁଣ୍ଡାଇ ଗୋଟିଏ ଘୋଡ଼ାରେ ବସି ଯାଉଛି । ମନ୍ତ୍ରୀ ତାକୁ ଡାକି ପଚାରିଲେ–କିଓ, ଏ କଅଣ ? ଘାସ ଗୋଛାଟିଏ ମୁଣ୍ଡାଇଚ କାହିଁକି, ଘୋଡ଼ାପିଠିରେ ଥୋଇଦଉ ନାହଁ ?

 

ସେ କହିଲା– ଆଜ୍ଞା, କହିଲ ଯେ, କଥାଟି ବିଚାର କରି କହିଲ ନାହିଁ ? ଘୋଡ଼ା ପଶୁ ହେଲେ କଅଣ ତା’ ଜୀବନ ଜୀବନ ନୁହେଁ । ଆମେ ଚାଲିପାରିବା ନାହିଁ ବୋଲି ତା’ ଉପରେ ବସିବା, ତା’ ଉପରେ ପୁଣି ଘାସଗୋଛାଟିଏ ଲଦିବା ? ଏଇଟା କଅଣ ଅଧର୍ମ ହବ ନାହିଁ ?

 

ମନ୍ତ୍ରୀ ଦେଖିଲେ ଯେ ଏଇଟାର ବୁଦ୍ଧିଶୁଦ୍ଧି କିଛି ନାହିଁ । ଘାସଗୋଛାଟିଏ ମୁଣ୍ଡେଇ କରି ବସିଲେ ପୁଣି ଘୋଡ଼ାର ଭାର କମିଯିବ । ବା, ଭଲ ବୁଦ୍ଧିଆ । ପୁଣି ଘୋଡ଼ାରେ ବସି ଘାସ ଗୋଛାଟିଏ ମୁଣ୍ଡେଇଚି । ୟାଠଉଁ ବଳି ବେହ୍ୟାଗିରି କଅଣ ଅଛି ? ୟାକୁ ରଜା ପାଖକୁ ନେଇଗଲେ ଗୋଟିଏ ବେହ୍ୟାରୁ ଖଲାସ ମିଳିବ । ମନ୍ତ୍ରୀ ତାକୁ କହିଲେ– ତୁମରି ଭଳିଆ ଜଣେ ଲୋକ ରଜାଙ୍କର ଦରକାର । ତୁମେ ମୋ ସାଙ୍ଗେ ସାଙ୍ଗେ ଟିକିଏ ରଜାଙ୍କ ପାଖକୁ ଆସ । ବିଚାରା ମନ୍ତ୍ରୀଙ୍କ ହୁକୁମରେ ସେହିପରି ଘାସଗୋଛା ମୁଣ୍ଡାଇ ଘୋଡ଼ାରେ ବସି ବାହାରିଲା ।

 

ମନ୍ତ୍ରୀ ଯାଉ ଯାଉ ବାଟରେ ଆଉ ତିନୋଟି ବେହ୍ୟା ପାଇଁ ଏଣେତେଣେ ଚାହୁଁଥାନ୍ତି । ଦେଖୁ ଦେଖୁ ଭାଗ୍ୟକୁ ଜଣେ କଞ୍ଚା ବେହ୍ୟା ହାବୁଡ଼େ ପଡ଼ିଗଲା ।

 

ସେ ଲୋକ କରିଚି କଅଣ ନା–ଗୁଡ଼ିଏ ବାଇଗଣ, ଗୁଡ଼ିଏ ହଳଦୀ, ଯାଉଁଳ କରି କାନ୍ଧରେ ରଖି ତେଲ ଘଡ଼ିଟିଏ ହାତରେ ଧରି ଏକମୁହାଁ ହୋଇ ଭିଡ଼ିଚି । ତାକୁ ଦେଖି ମନ୍ତ୍ରୀ ପଚାରିଲେ– କିଓ, ତୁମେ ଇମିତି ଲସରପସର ହୋଇ କୁଆଡ଼େ ଧାଇଁଚ ?

 

ସେ କହିଲା– କ’ଣ କି ଆଜ୍ଞା, ମୋ ଭାର୍ଯ୍ୟାକୁ ଜଣେ ଲୋକ ସୟା କରି ନେଇ ତା’ ଘରେ ରଖିଲା । ମୁଁ ଯେତେ ଯୋଗାଡ଼ ଯତ୍ନ କଲି, ସେ ଆଉ ମୋ ପାଖକୁ ଫେରିଲା ନାହିଁ । ସେ ଏବେ ତା’ର ଘରେ ଅଛି । ଏବେ ପୁଣି ତା’ର ଆଡ଼ୁ ପୁଅଟିଏ ହୋଇଚି । ଏସବୁ ତ ଆଖିଆଗରେ ଦେଖୁଚି, ସମ୍ଭାଳି ହେବି କେତେକେ ? ମନ ଥୟ ନ ହବାରୁ ତା’ରି ପଥିପାଇଁ ବାଇଗଣ ଦିଟା, ପିଲାଟା ପାଇଁ ତେଲ ହଳଦୀ ଟିକିଏ ନେଇକରି ଯାଉଚି । ତା’ର ପଥି ବେଳ ହୋଇଗଲାଣି, ସେଇଥିପାଇଁ ଦଉଡ଼ିଚି ।

 

ମନ୍ତ୍ରୀ ଦେଖିଲେ ଯେ ୟେ ଗୋଟିଏ କଞ୍ଚା ବେହ୍ୟା । ୟାକୁ ଦେଖିଲେ ରଜା ଥଣ୍ଡା ହୋଇଯିବେ । ତାକୁ କହିଲେ– ବୁଝିଲ ତୁମ କଥା ସବୁ ଶୁଣିଲି । ତୁମକୁ ଆଗ ରଜାଙ୍କ ପାଖକୁ ଯିବାକୁ ହେବ । ଦରକାର ଅଛି । ରଜାଙ୍କ ସାଙ୍ଗେ ଦେଖା ହୋଇସାରିଲେ ଭାର୍ଯ୍ୟା ଏବଂ ପୁଅ କଥା ବୁଝିବ । ବିଚରା ବାଧ୍ୟହୋଇ ସେଇ ସଜରେ ମନ୍ତ୍ରୀଙ୍କ ସାଙ୍ଗରେ ରଜାଙ୍କ ପାଖକୁ ବାହାରିଲା ।

 

ମନ୍ତ୍ରୀ ଆଉ ବେହ୍ୟା ନ ପାଇ ସେଇ ଦୁଇଜଣ ବେହ୍ୟାଙ୍କୁ ନେଇ ରଜାଙ୍କ ପାଖେ ହାଜର ହେଲେ । ରଜା ପଚାରିଲେ– କିଓ ମନ୍ତ୍ରୀ ! ବେହ୍ୟା କାହାନ୍ତି ? ମନ୍ତ୍ରୀ ଘୋଡ଼ାରେ ବସିଥିବା ଲୋକକୁ ଦେଖେଇଦେଇ କହିଲେ– ଆଜ୍ଞା ! ୟେ ଗୋଟିଏ ବେହ୍ୟା ।

 

ରଜା କହିଲେ– ସେ ବେହ୍ୟା ବୋଲି କିମିତି ଜାଣିଲ ?

 

ମନ୍ତ୍ରୀ କହିଲେ– ଆଜ୍ଞା ! ଘାସଗୋଛା ମୁଣ୍ଡେଇ କେହି ଘୋଡ଼ାରେ ବସି ଯାଏ ? ପଚାରିବାରୁ କହୁଚି କଅଣ ନା–ଘୋଡ଼ାରେ ବସିବା, ତା’ ଉପରେ ପୁଣି ଘାସ ଲଦିବା ଏଥିରେ ଅଧର୍ମ ହବ ନାହିଁ ? ବୁଦ୍ଧି ଇମିତି, ବେଭାର ତ ଦେଖୁଚନ୍ତି । ଆଉ ବେହ୍ୟା କିମିତି ବୋଲି ପଚାରୁଚନ୍ତି ?

 

ରଜା କହିଲେ–ହଉ, ଗୋଟିଏ ସିନା ବେହ୍ୟା ହେଲା, ଆଉ କାହାନ୍ତି ?

 

ମନ୍ତ୍ରୀ କହିଲେ– ଆଜ୍ଞା ! ଏ ଯେଉଁ ଲୋକଟି ଯାଉଁଳି ପକାଇ ତେଲଘଡ଼ି ଧରିଛି, ତାକୁ ପଚାରନ୍ତୁ ସେ କଅଣ ନଉଚି, କୁଆଡ଼େ ନଉଚି ?

 

ରଜା ପଚାରିବାରୁ ସେ ଲୋକ ମନ୍ତ୍ରୀଙ୍କୁ ଯାହା କହିଥିଲା, ରଜାଙ୍କୁ ସେୟା କହିଲା । ରଜା ଶୁଣି ଠୋ ଠୋ ହସିଲେ ।

 

କହିଲେ– ସାବାସ ମନ୍ତ୍ରୀ ! ଅସଲ ବେହ୍ୟାଟିଏ ଆଣିଚ । ୟେ ତ ଦୁଇ ଗଲେ, ବାକି ଦୁଇ ?

 

ମନ୍ତ୍ରୀ କହିଲେ– ଆଜ୍ଞା, ଛାମୁ ଜଣେ ବେହ୍ୟା ।

 

ରଜା କହିଲେ– କିଓ ! ଆମେ କିମିତି ବେହ୍ୟା ହେଲୁ ? ମନ୍ତ୍ରୀ କହିଲେ– ଛାମୁ ବେହ୍ୟା ନୁହନ୍ତି ? ଛାମୁ ତ ଅସଲ ବେହ୍ୟା । ଛାମୁ ରଜା ହୋଇ ରାଜକାର୍ଯ୍ୟ ବୁଝନ୍ତେ କଅଣ ତାହା ନ କରି ପାଠଶାଠ ଚର୍ଚ୍ଚା ନକରି ମନ୍ତ୍ରୀକି ବେହ୍ୟା ଖୋଜିବାରେ ଯେତେବେଳେ ଲଗାଇଲେ, ସେତେବେଳେ ଛାମୁ ବେହ୍ୟା ନ ହୋଇ ଆଉ କଅଣ ହେବେ ?

 

ରଜା କହିଲେ– ସତ କଥା । ଆଚ୍ଛା, ଆମେ କ’ଣ ବେହ୍ୟା ହେଲୁ । ପୁଣି ଆଉ ଜଣେ ତ ଦରକାର, ସେ କାହିଁ ?

 

ମନ୍ତ୍ରୀ କହିଲେ– ଆଜ୍ଞା, ଆର ବେହ୍ୟା ମୁଁ ।

 

ରଜା କହିଲେ– ତୁମେ କିମିତି ବେହ୍ୟା ହେଲ ?

 

ମନ୍ତ୍ରୀ କହିଲେ– ମୁଁ ବେହ୍ୟା କି ସବୁଠୁ ବଳକା ବେହ୍ୟା । ଯେତେବେଳେ ମୁଁ ରାଜ୍ୟ ଗୋଟାକର ମନ୍ତ୍ରୀଟିଏ ହୋଇ ସବୁ ଛାଡ଼ିଦେଇ ଛାମୁଙ୍କ କଥାରେ ବେହ୍ୟା ଖୋଜି ବୁଲିଲି, ସେତେବେଳେ ମୋଠଉଁ ବଳି ବେହ୍ୟା କିଏ ଅଛି ?

 

ରଜା କହିଲେ– ଠିକ୍ କହିଛ । ନୋହିଲେ କି ମନ୍ତ୍ରୀ :ଆଜିଠାରୁ ମୋର ଗୁରୁ ହେଲ । ଆଉ ବେହ୍ୟା ଖୋଜା ଦରକାର ନାହିଁ । ଏବେ ଯିମିତି ପରାମର୍ଶ ଦେବ, ସିମିତି ରାଜ କାର୍ଯ୍ୟ ହେବ-। ସେହିଦିନଠାରୁ ମନ୍ତ୍ରୀଙ୍କ ପରାମର୍ଶରେ ରାଜ୍ୟରେ ଭଲ ବୁଝାମଣା ହେଲା । ସେ ରାଜ୍ୟରେ ଆଉ ବେହ୍ୟା ରହିଲେ ନାହିଁ ।

񤦬񤦬񤦬

 

ପଣା ହେଲାଣି

 

ଆମ ଦେଶରେ କରଣମାନେ ମହତ୍ତ୍ଵକୁ ଭାରି ଜଗନ୍ତି । ଯାହାର ଖାଇବାକୁ ଦାନା, ପିନ୍ଧିବାକୁ କନା ନାହିଁ, ସେ ମଧ୍ୟ ମହତ୍ତ୍ଵ ଛାଡ଼େନାହିଁ । ଗୋଟିଏ ଗାଁରେ ଜଣେ କରଣସାନ୍ତ ଥିଲେ । ତାଙ୍କ ବାପା, ବଡ଼ବାପା ବଡ଼ ଘରକଲା ଲୋକ ଥିଲେ । ସେତେବେଳେ ଜମିବାଡ଼ି, ଟଙ୍କା କଉଡ଼ିର ଅଭାବ ନ ଥିଲା । ଭୋକୀ, ଶୋଷୀ କେହି ଦୁଆରୁ ଫେରୁନଥିଲା । ଦାଣ୍ଡରେ ସେ ଘରର ଭାରି ଖାତିରି ଥିଲା । କାଳ ମାତ୍ରେ ଜମିବାଡ଼ି ବିକ୍ରି ହୋଇଗଲା, ଟଙ୍କା କଉଡ଼ି ସବୁ ସରିଗଲା । ପଛକୁ ଇମିତ ହେଲା ଯେ, ପେଟ ପୂରାଇ ମୁଠେ ଖାଇବାକୁ ମିଳିଲା ନାହିଁ । ଦିନେ ଦିନେ ମଧ୍ୟ ଓପାସ ରହିବାକୁ ହେଲା । ତଥାପି ପଟ୍ଟନାୟକେ ଦିନେହେଲେ ବେମହତ୍ତ୍ଵ ହୋଇନାହାନ୍ତି ।

 

ପଟ୍ଟନାୟକଙ୍କ ଘରେ ତାଙ୍କର ସ୍ତ୍ରୀ, ଆଉ ପୁଅଟିଏ । ଏହି ତିନିପ୍ରାଣୀ କୌଣସି ପ୍ରକାରେ ଦୁଃଖେ ସୁଖେ ଚଳନ୍ତି ।

 

ନିଜର ସାମାନ୍ୟ ଧାନ ଆଦାୟ ହୁଏ । ତାକୁ କୁଟା ଦେବେ କ’ଣ, ନିଜେ ନିଜେ କୁଟି ଖାନ୍ତି । ପୁଅଟି ନିତାନ୍ତ ଛୋଟ । ତେଣୁ ସବୁଦିନ ଭାର୍ଯ୍ୟା କୁଟନ୍ତି, ବର ଶୁଖାଇ ଦିଅନ୍ତି । ଏହିପରି ଚଳୁଥାନ୍ତି ।

 

ଦିନେ ପଟ୍ଟନାୟକଙ୍କ ଭାର୍ଯ୍ୟା କୁଟିବ ବୋଲି ଢିଙ୍କିମୁଣ୍ଡରେ ଧାନ ପଣି ଦେବା ବେଳକୁ ଦାଣ୍ଡ ଦୁଆରେ ଜଣେ କିଏ ଭଦ୍ରଲୋକ ପଟ୍ଟନାୟକଙ୍କୁ ଡାକିଲେ । ପଟ୍ଟନାୟକ କଥାବାର୍ତ୍ତା କରିବାକୁ ଦାଣ୍ଡକୁ ଗଲେ । ଗୁଡ଼ାଏ କଥାବାର୍ତ୍ତା ହବାରୁ ପଟ୍ଟନାୟକେ ବହୁ କାଳ ସେଠାରେ ଅଟକି ଗଲେ । ଏଣେ ଭାର୍ଯ୍ୟା ଧାନପଣି ଦେଇ ପଟ୍ଟନାୟକଙ୍କୁ ଚାହିଁ ରହିଛନ୍ତି । ଜଣେ କିଏ ଶୁଖାଇ ଦେଲେ ସିନା କୁଟା ହୁଅନ୍ତା । ବେଳ ପୁଣି ବୁଡ଼ିଯାଉଚି । ତାଙ୍କ ଗପ ସରୁନାହିଁ, ପଟ୍ଟନାୟକିଆଣୀ ମହା ବ୍ୟସ୍ତ । ପୁଅକୁ ପଠାଇଦେଇ ଅବା ଡାକନ୍ତେ । ମାତ୍ର ଧାନ ଶୁଖା କଥା ଶୁଣିଲେ ଭଦ୍ରଲୋକ ଦିକଡ଼ାର କରିଦେବେ । ଏହା ଆଶଙ୍କାରେ ପୁଅକୁ ପଠାଇ ପାରୁନଥାନ୍ତି । ଯେଉଁଠଉଁ ବେଶି ବିଳମ୍ବ ହେଲା, ତହୁଁ ଗୋଟେ ବୁଦ୍ଧି ପାଞ୍ଚିଲେ; କ’ଣ କଲେ କି ? ଧାନ ପଣା ହେଲାଣି କହିଲେ ସିନା ମହତ୍ତ୍ଵ ଯିବ, ଖାଲି ପଣା ହେଲାଣି କହିଲେ, ମହତ୍ତ୍ଵକୁ ମହତ୍ତ୍ଵ ରହିବ, କାମକୁ କାମ ହବ । ଏହା ସ୍ଥିରକରି ପୁଅକୁ ଡାକି କହିଲେ–ଆରେ ପୁଅ ! ତୁ ଯିବୁ କି, ବାପାଙ୍କୁ କହିବୁ ପଣା ହେଲାଣି, ବେଗେ ଘରକୁ ଆସ । ଧାନ ପଣା ହେଲା ବୋଲି କହିବୁ ନାହିଁ ।

 

ପୁଅ ମାଆଙ୍କ କଥା ଅନୁସାରେ ଯାଇ କହିଲା– ବାପା ! ମା’ କହିଲେ ପଣା ହେଲାଣି, ବେଗେ ଆସ । ବାପା କହିଲେ, ମୁଁ ଯାଉଚି, ତୁ ଯା ।

 

ଭଦ୍ରଲୋକ ଏ ପଣା କଥା ଶୁଣି ଭାବିଲେ– ୟେ ତ ପୁଣି ବେଳରେ ବଡ଼ ଘରର ପୁଅ ଥିଲେ, ୟାଙ୍କର ବୋଧହୁଏ ସବୁଦିନ ପଣା ଟିକିଏ ଟିକିଏ ହଉଥିବ । ଏହାଭାବି ସେ କହିଲେ ଆପଣଙ୍କର କ’ଣ ସବୁଦିନ ପଣା ହୁଏ ?

 

ସେ କହିଲେ– ସବୁଦିନ ପଣା ନ ହେଲେ କ’ଣ ଚଳିବ ?

 

ଭଦ୍ରଲୋକ କହିଲେ– ଯେବେ ପଣା ହୋଇଗଲାଣି, ତେବେ ଯାନ୍ତୁ, ଯାନ୍ତୁ । ଆଉ ବିଳମ୍ବ କରିବା ଉଚିତ ନୁହେଁ । ଭଦ୍ରଲୋକ ପଣାକୁ ମିଶ୍ରିପଣା ବୁଝିଲେ । କିନ୍ତୁ ପଟ୍ଟନାୟକ ଧାନ ପଣା ହେବା ବୁଝିଲେ ।

 

ପଟ୍ଟନାୟକିଆଣୀ କେଡ଼େ ଚତୁର ? କଥାଟି କହି ଜାଣିଲେ ବୋଲି ସିନା ମହତ୍ତ୍ଵକୁ ମହତ୍ତ୍ଵ ରହିଲା, କାମକୁ କାମ ହେଲା; ନହେଲେ ମହତ୍ତ୍ଵ ଯାଇଥିଲା ତ ?

 

ଧନ୍ୟ ଚତୁରତା !

񤦬񤦬񤦬

 

ନବାବଙ୍କ ନାତି

 

ଆମ ଦେଶରେ ନବାବ କହିଲେ କଥା ସରିଚି । ତାଙ୍କର ଯିମିତି ଧନଦୌଲତ, ସିମିତି ଆଡ଼ାଚୌଡ଼ା, ନବାବଙ୍କ ଭୋଗଠୁଁ ବଳି ଭୋଗ ନାହିଁ ।

 

ଚାକରବାକର ପଣପଣ, କଥା ପଦକୁ ହଜାରହଜାର ଟଙ୍କା ଖରଚ । ଇମିତି ଜଣେ ନବାବ ଥିଲେ । ବାପ ଅଜା ଚୌଦପୁରୁଷ ଧରି ମାନ ମହତ୍ତ୍ଵ ରଖି ଚଳିଆସିଲେ ।

 

ବସି ଖାଇଲେ ନଈବାଲି ସରେ । ଧନ ସରିବାର ଖରଚ ଗୋଟିଏ ବାଟ । ନବାବୀ ଖରଚରେ ସେ ଧନ ଆଉ କେତେ କାଳ ରହନ୍ତା ? ଧନ ସବୁ ସରିଗଲା, ନବାବ ଖଖଡ଼ ହୋଇଗଲେ । ପଛକୁ ପେଜ ସାଙ୍ଗକୁ ଲୁଣ ଟିକିଏ ମିଳିଲା ନାହିଁ ।

 

ଧନ ସିନା ସରିଗଲା, ଦାଣ୍ଡରେ ଯେ ହେଲେ କହିବ ତ ନବାବଙ୍କ ନାତି । ଏ କ’ଣ କମ୍ ମହତ୍ତ୍ଵ ? ନବାବ ଯେଡ଼େ ଗରିବ ହେଲେ ମଧ୍ୟ ଏ ମହତ୍ତ୍ଵଟିକ ଛାଡ଼ନ୍ତି ନାହିଁ । ବୁଝିଲା ବେଳକୁ ଯାହାଙ୍କ ବାପା ବଡ଼ବାପା ଘିଅ ଶାକରକୁ ଥୁଥୁ କରୁଥିଲେ, ଆଜି ତାଙ୍କ ନାତିକି ବାସି ଓଳିକି ଦାନା ମିଳୁନାହିଁ ।

 

ନବାବଙ୍କ ନାତି ଖାଆନ୍ତି କ’ଣ ନା, ଗଣ୍ଡେ ପଖାଳ ଭାତ, ତା’ ସାଙ୍ଗକୁ ମାଛ ନୁହେଁ, ମାଂସ ନୁହେଁ, ଦିକଡ଼ା କଉଡ଼ିର ଦିଖଣ୍ଡ କୋଚିଆପୋଡ଼ା ତରକାରୀ ।

 

ଦିନେ କ’ଣ ହେଲାନା, ନବାବଙ୍କ ନାତିର ଖାନା ଖାଇବା ବେଳ ହୋଇଗଲାଣି, ତେତିକି ବେଳକୁ ହୋଇ ଜଣେ କିଏ ଭଦ୍ରଲୋକ ଦୁଆରେ ଡାକ ପକାଇଲେ । ନବାବ ଆଉ ଖାଇବେ କ’ଣ, ସାଙ୍ଗେ ସାଙ୍ଗେ ଗଲେ ଭଦ୍ରଲୋକଙ୍କ ପାଖକୁ ।

ନବାବଙ୍କର ଏକମାତ୍ର ତରକାରୀ କୋଚିଆପୋଡ଼ା ଶିକାରେ ଥିଲା । ବିରାଡ଼ି କାହୁଁ ବାସେନା ବାରି ଝାମ୍ପ ମାରି ସେ ସବୁତକ ଖାଇଦେଲା । ନବାବଙ୍କ ଘରେ ସେଇ ପୁରୁଣା କାଳର ବବୁର୍‌ଚି ବୁଢ଼ାଟିଏ ଥାଏ । ସେ ଦେଖିଲେ ଯେ କୋଚିଆତକ ବିରାଡ଼ି ଖାଇଲା, ନବାବ ଖାଇବେ କ’ଣ ? ସେ କିଛି ଠିକଣା କରିନପାରି ନବାବଙ୍କୁ ଜଣାଇବାକୁ ଗଲା । ଦେଖିଲା– ନବାବ ଜଣେ ଭଦ୍ରଲୋକଙ୍କ ସାଙ୍ଗେ କଥାବାର୍ତ୍ତା କରୁଛନ୍ତି । ଏ ଛୋଟକଥା ବା ଜଣାଇବ କିପରି ? ଜଣାଇଲେ ତ ମହତ୍ତ୍ଵ ମର୍ଯ୍ୟାଦା ପଦାରେ ପଡ଼ିଯିବ । ନ ଜଣାଇଲେ ତ ନ ଚଳେ । ବୁଢ଼ା ତ ପୁରୁଣାକାଳିଆ ଲୋକ, ସେ ଗୁମର ନ ଖୋଲି ଅକଳରେ କହିଲା– ହଜୁର ! ବିଲ୍ ବାହାଦୁର କୁଞ୍ଚ ମାହାଲ ଲୁଟ୍ କରଲିଆ । ଏଥିରୁ ନବାବ ବିରାଡ଼ି କୋଚିଆ ଖାଇବା କଥା ବୁଝିନେଲେ । କିନ୍ତୁ ଭଦ୍ରଲୋକ ବୁଝିଲେ– ଏ ତ ନବାବ ଘର, ୟା’ଙ୍କର ତ କେତେ କ’ଣ ମାହାଲ ଥିଲା । କେତେ କେତେ ସର୍ଦ୍ଦାର ସେନାପତି ବା ନଥିଲା । ବୋଧହୁଏ କୁଞ୍ଚ ମାହାଲ ବୋଲି ଖଣ୍ଡେ ମାହାଲ ରହି ଯାଇଥିଲା । ବିଲ ବାହାଦୁର ବୋଲି କେହି ସର୍ଦ୍ଦାର ତାହା ଲୁଟି କରିନେଲା ।

ନବାବ ପୁଣି ନିଜର ଇଜ୍ଜତ ରଖିବାକୁ ବବୁର୍‌ଚିକି କହିଲେ– ଓ ମାହାଲ ଲାଖ ରୋପେୟା ମେ ଖରିଦା ହୁଆ ଥା ନା ? ବବୁର୍‌ଚି କହିଲା– ଜୀ ! ନବାବ କହିଲେ– ବଡ଼ା ଅବଶୋଷ କା ବାତ ହେ ।

ଭଦ୍ରଲୋକ କିଆଁ ବୁଝିବେ ଦି କଡ଼ା କଉଡ଼ିରେ କୋଚିଆ କିଣା ହୋଇଥିଲା ବୋଲି । ସେ ବୁଝିଲେ–ମାହାଲଟା ! ତେବେ ଦିଲକ୍ଷ ଟଙ୍କାରୁ କମ୍ ନୁହେଁ ତ ।

ନବାବ କହିଲେ– ଆଛା, ସିକନ୍ଦର ଖାଁ ନେହିଁ ଥା ? ଅର୍ଥାତ ସେ କ’ଣ ସିକାରେ ନ ଥିଲା ?

ବବୁର୍‌ଚି କହିଲା– ହଜୁର ଥା । ଲେକିନ ଟିକନ୍ଦର ଖାଁ ବେହିମାନ କିଆ, ଔର ଗେଟମ ଖାଁ ଉସକୁ ମଦଦ ଦିଆ । ଅର୍ଥାତ ସେ ସିକାରେ ଥିଲା । ବିରାଡ଼ି ଗେଟମ ଖାଁ ବୋଇଲେ ଓଳିଆ ସାହାଯ୍ୟରେ ଟିକନ୍ଦର ଖାଁ ଅର୍ଥାତ ତିକାଠିଆରେ ଚଢ଼ି କୋଚିଆତକ ଖାଇଗଲା । ଏହା ସିନା ନବାବ ବୁଝିଲେ । କିନ୍ତୁ ଭଦ୍ରଲଲୋକ ବୁଝିଲେ– ସିକନ୍ଦର ଖାଁ, ଗେଟମ୍ ଖାଁ, ଟିକନ୍ଦର ଖାଁ,ଏମାନେ ନିଶ୍ଚୟ ଜଣେ ଜଣେ ସର୍ଦ୍ଦାର । ଏସବୁ ମାହାଲ ଲୁଟିକରି ନିମକ ହାରାମି କରିଛନ୍ତି ।

ନବାବ ପୁଣି ପଚାରିଲେ– କ୍ୟା, ଢାକେ ଖାଁ କ୍ୟା ନହିଁ ଥା । ? ଅର୍ଥାତ ସେଥିରେ କ’ଣ ଢାଙ୍କୁଣୀ ନଥିଲା ?

ବବୁର୍‌ଚି କହିଲା– ହଜୁର ! ଓ ତ ପହିଲା ଲଢ଼େଇ ସେ ଭାଗ ଗୟା । ଅର୍ଥାତ ବିରାଡ଼ିର ପ୍ରଥମ ଝାମ୍ପରେ ତାହା ତଳେ ପଡ଼ିଗଲା ।

ଭଦ୍ରଲୋକ ବୁଝିଲେ– ଢାକେ ଖାଁ କେହି ନିମକସଚ୍ଚା ସର୍ଦ୍ଦାର ପହିଲା ଯୁଦ୍ଧରେ ନିଶ୍ଚୟ ହାରିଗଲା ।

ନବାବ କହିଲେ– ଆଚ୍ଛା, ଠେଙ୍ଗମ ଖାଁ କୁଛ ନେହିଁ କ୍ୟା ? ଅର୍ଥାତ ଠେଙ୍ଗାରେ କିଛି ହେଲା ନାହିଁ ?

ବବୁର୍ଚି କହିଲା– ଖୁଣ୍ଟମ୍ ଖାଁ ଉସକୁ । ଅର୍ଥାତ୍ ଖୁଣ୍ଟରେ ଠେଙ୍ଗା ବାଜି ରୋକି ହୋଇଗଲା ।

ନବାବ– ଆଛା, ଜାନେ ଦୋ, ମସୁର ଖାଁ ହେଏ ତ ? ଯବ୍ ହେ, ତବ୍ ଉସକୋ ଲେକେ କାମ ଚଲାଓ, ହାମ ଯାତେ ହେଁ । ଅର୍ଥାତ ଯେବେ ମସୁର ଡାଲି ଅଛି, ତେବେ ସେଥିରେ କାମ ଚଳାଅ । ମୁଁ ଯାଉଚି ।

ବବୁର୍ଚି ଜୀ ବୋଲି କହି ସଲାମ କରି ଭିତରକୁ ଗଲା ।

ଭଦ୍ରଲୋକ ସେହିପରି ଠେଙ୍ଗମ୍ ଖାଁ, ଖୁଣ୍ଟମ୍ ଖାଁ, ମସୁର ଖାଁକୁ ଜଣେ ଜଣେ ସର୍ଦ୍ଦାର ବିଚାରିଲେ । କିନ୍ତୁ ଏତେଗୁଡ଼ିଏ ସର୍ଦ୍ଦାର ନିମକହାରମି କରିବାର କାଣି କହିଲେ ତୋବା ତୋବା, ନୌକର ଲୋକ ବିଲକୁଲ୍ ନିମକ ହରାମ ବନଗୟା, ଇସକୋ କ୍ୟା ହୋଗା, ଖୋଦା କୋ ମାଲୁମ୍-। ଏହା କହି ସଲାମ କରି ଘରକୁ ଗଲେ । ନବାବଙ୍କ ନାତି ଘରକୁ ଆସି ମସୁର ଡାଲିରେ ପଖାଳ ତକ ଖାଇ ସେଦିନକ ଚଳାଇଲେ ।

ନବାବ ଆଉ ବବୁର୍‌ଚିର ଭୋପାଙ୍ଗିରେ କିପରି ଇଜ୍ଜତ ରହିଲା, ଭଦ୍ରଲୋକ କିପରି ହେଙ୍ଗୁ, ଶୁଙ୍ଘିଲେ, ଦେଖିଲ ତ ?

񤦬񤦬񤦬

 

ସବୁ ଯାଉ, ମହତ୍ତ୍ ଥାଉ

 

ଜଣେ ଭଦ୍ରଲୋକ ଥିଲେ । ସେ ଜନ୍ମରୁ ଦରିଦ୍ର । ଦିନେହେଲେ ଖୁଦଜାଉ ଛଡ଼ା ଭାତ ଖାଇନାହାନ୍ତି । ବାସନ ମଧ୍ୟରେ ଥିଲା ଏକମାତ୍ର ବାସନ ଖଣ୍ଡିଏ କୁଣ୍ଡା ପଥୁରି ।

 

ଦିନେ ସେ ପିଣ୍ଡାରେ ବସି ଜଣେ ଭଦ୍ରଲଲୋକଙ୍କ ସାଙ୍ଗେ ଗପସପ କରୁଛନ୍ତି, ଭାର୍ଯ୍ୟା ଏ କଥା ଜାଣେନାହିଁ । ଖାଇବାବେଳ ହେବାରୁ କୁଣ୍ଡାପଥୁରିରେ ଜାଉତକ ବାଢ଼ିଦେଇ ବାପାଙ୍କୁ ଡାକିଦବାକୁ ପୁଅକୁ ପଠାଇଲା । ପୁଅ ବଡ଼ ଚତୁର ପିଲା । ସେ ଦେଖିଲା, ଜଣେ ଭଦ୍ରଲୋକ ବସିଛନ୍ତି ଖୁଦଜାଉ କଥା କିପରି କହିବ ? କହିଲେ ଦାଣ୍ଡରେ ମହତ୍ତ୍ଵଟା ଦିକଡ଼ାର ହେବ । ତେଣୁ କହିଲା,-ବାପା ! ଖୁଦଗଡ଼ ସାନ୍ତ ପଥରଗଡ଼ରେ ହାଜର । ବାପା ପ୍ରକୃତ କଥା ଜାଣିପାରି ତରକାରୀ କଅଣ ହେଇଚି ଜାଣିବାକୁ ପଚାରିଲେ-ଆଚ୍ଛା, ତାଙ୍କ ସାଙ୍ଗରେ କିଏ ?

 

ପୁଅ ଖଡ଼ା ଓ ଖଡ଼ା ଶାଗ କଥା ନ କହି କହିଲା–ଖାଡ଼େଙ୍ଗା । ବାପ ପୁଏ । ବାପା ଠିକ୍ ବୁଝିନେଲେ ।

 

କିନ୍ତୁ ଭଦ୍ରଲୋକ ବୁଝିଲେ ଖୁଦଗଡ଼ ଗୋଟାଏ କୌଣସି ଜାଗା ହୋଇଥିବ । ତାହାର ସାନ୍ତ କେହି ୟାଙ୍କର ବନ୍ଧୁ ବାନ୍ଧବ ହୋଇଥିବେ । ଖାଡ଼େଙ୍ଗା ବୋଲି ଜଣେ କେହି ବୋଧହୁଏ ସେହି ସାନ୍ତଙ୍କର ପୁରୋହିତ । ପଥରଗଡ଼ ବୋଧହୁଏ ୟାଙ୍କର ଇଲାକା । ଖୁଦଗଡ଼ ସାନ୍ତ ନିଜର ପୁରୋହିତ ଖାଡ଼େଙ୍ଗା ଏବଂ ଖାଡ଼େଙ୍ଗାଙ୍କ ପୁଅକୁ ସାଙ୍ଗରେ ଧରି ୟାଙ୍କ ଇଲାକା ପଥରଗଡ଼ରେ ପହଞ୍ଚିଛନ୍ତି । ଭଦ୍ରଲୋକ ଅନୁମାନରେ ଏହାହିଁ ବୁଝି ନିଜ ଘରକୁ ଗଲେ । ଘର-ମାଲିକ ଘରକୁ ଆସି ଖଡ଼ା ଓ ଖଡ଼ାଶାଗ ଲଗାଇ କୁଣ୍ଡିକ ଖୁଦଜାଉ ଖାଇ ମଉଜରେ ରହିଲେ ।

 

ପିଲାଟି କଥା କହି ଜାଣିଲା ବୋଲି ସିନା ମହତ୍ତ୍ଵ ରହିଲା । ନହେଲେ ତ ଯାଇଥିଲା !

񤦬񤦬񤦬

 

ଜାକି ଥା

 

ଜଣେ ଜମିଦାରଙ୍କ ପୁଅର ଏକୋଇଶିଆ ହେଲା । ଉତ୍ସବ ପାଇଁ ବହୁତ ଆୟୋଜନ ହେଲା । ବହୁତ ଲୋକ ରୁଣ୍ଡ ହେଲେ । ରାମଲୀଳା, ଗୋଟିପୁଅ, ବୋହୂ ସୁଆଙ୍ଗ, ଶବର-ଶବରୁଣୀ–ଏହିପରି କେତେ କଅଣ ନାଟବାଲା ଆସିଲେ । ବଛାହୋଇ ବାଦୀପାଲାଦଳଟିଏ ମଧ୍ୟ ଆସିଲା । ଜମିଦାରେ ସାଙ୍ଗସାଥୀ, ଅମଲାଅମଲି ସାଙ୍ଗରେ ଧରି ଗୋଟିକ ପରେ ଗୋଟିଏ ନାଟ ତାମସା ଦେଖୁଥାନ୍ତି । ଶେଷକୁ ଯାଇ ପାଲାବାଲାଙ୍କ ପାଖରେ ପହଞ୍ଚିଲେ । ମାଲିକ ଆସିବାରୁ ପାଲାବାଲା ଜୋରସୋରରେ ଚଲାଇଲେ । ଇମିତି ଘମାଘୋଟିଆ ପାଲା ହେଲା ଯେ ଦେଖଣାହାରୀ ସେଥିରେ ମଜିଗଲେ ।

 

ପାଲା ଦଳରେ ଜଣେ ଶ୍ରୀଗାୟକ, ଜଣେ ଡାହାଣ ପାଳିଆ, ଜଣେ ଖୋଳ ବାୟକ, ତା’ ଛଡ଼ା କେତେଜଣ ଝାଞ୍ଜିଆ ଥାଆନ୍ତି । ଜମିଦାର ଘର ଉତ୍ସବ, ଖାଇବା ପିଇବାର ଅଭାବ ନାହିଁ । ଯାହାର ଯେତେ ଇଚ୍ଛା, ସେ ସେତେ ଖାଉଛି । ପାଲାବାଲା ଜାଲିପୁରା ଭୋଜନ ମାରୁଥାନ୍ତି । ଶ୍ରୀଗାୟକ ଟିକିଏ ହରଡ଼ଡାଲି ପ୍ରିୟ । କେଉଁ ଗଣ୍ଡିରୁ ପଇସା ଖରଚ ହବ ଯେ ମନମୁର୍ଚ୍ଛା ନ ଖାଇବ-? ଆଉ ଯାହା ଯିମିତି ଖାଇଲା, ସେଇ ହରଡ଼ ଡାଲିରୁ ମନଇଚ୍ଛା ଗ୍ରାସେ ମାରିଦେଇଥାଏ । ଖାଲି ଖାଇଦେଲେ ତ ହେବ ନାହିଁ, ତାକୁପା’ର କଲେ ସିନା ହବ । ସେ ତ କାନପୁରୀ କଞ୍ଚା ହରଡ଼ ଡାଲି-। ସେଥିରୁ ପେଟେ ମାରିଦେଇ ଯିମିତି ପାଲାରେ ଠିଆହୋଇ ଗୁଡ଼ାଏ ଡିଆଁ ଡେଇଁ କଲା, ସିମିତି ଘିଡ଼କିନା ପେଟ ଚାଲିଲା । ଯେତେ ଯାହା ଉପାୟ କଲା, ସମ୍ଭାଳି ହେଲା ନାହିଁ । ଏଣେ ପୁଣି ଜମିଦାରେ ଠିଆ ହୋଇଛନ୍ତି । ବିଚରା ଯାଏ କୁଆଡ଼େ ? ଯାଇପାରୁ ନାହିଁ କି ରହିପାରୁ ନାହିଁ-। ବଡ଼ ସଂକଟରେ ପଡ଼ିଲା । ଦୋ ଘାଇରେ ପଡ଼ି ପଛକୁ ପାଲା ସ୍ଵରରେ ଗାଇଲା–

 

ହରଡ଼ ଡାଲି ଖାଇୟା ପେଟ ଘଡ଼ଘଡ଼ ହଇଲ ।

 

ବାୟକ ବଡ଼ ଚାଲାକ । ସେ ଖୋଳ ବଜା ବନ୍ଦ ନ କରି ଆହୁରି ତାନରେ ଖୋଳ ବଜାଇ ମୁହଁରେ କହୁଥାଏ– ଜାକିଥା, ଜାକିଥା ।

 

ଶ୍ରୀଗାୟକ କଅଣ ଜାକି ନାହିଁ କି ? ସେ ଯେତେ ଜାକିବାର ଜାକିଲା । ଅସମ୍ଭାଳ ଝାଡ଼ା, ତାକୁ ଜାକିବି କଅଣ ?

 

ଇମିତି ହଉହଉ ଲୁଗା ମାରୁ ହେବାରୁ ପୁଣି ଗାଇଲା–

 

‘ଜାକିଆ ଜାକିଆ ଏବେ ଗଳିଆଁ ପଡ଼ିଲା’ ।

 

ବାୟକ ତା’ ଶୁଣି ପୁଣି କୋରରେ ବଜାଇ କହିଲା–

 

‘ଧାଆଁ କଟକଟ ପୋଖରୀ ନିକଟ ଧାଇଁ ଯା, ଧୋଇ ଆ’ ।

 

ଏଣେ ଶ୍ରୀଗାୟକର ଗଳିଆଁ ପଡ଼ିବାରେ ଦେଖଣାହାରୀ ମୁହଁରେ ଲୁଗା ଦେଲେଣି । କି ଗନ୍ଧ, କି ଗନ୍ଧ ବୋଲି ସମସ୍ତେ କହିହେଲେଣି; କିନ୍ତୁ କଛି ଠିକଣା କରିପାରୁନାହାନ୍ତି । ଶେଷକୁ ଧାଇଁ ଯା, ଧୋଇ ଆ’ରୁ ସବୁ ବୁଝିପାରି କହିଲେ–

 

“ଆରେ ମଠ ମାରା କଲେରେ, ମଠ ମାରା କଲେ ।”

 

ଏତିକିରେ ପାଲା ଶେଷ ।

񤦬񤦬񤦬

 

ଶଙ୍ଖ ଫୁଙ୍କା

 

ଆମର ଯେତେ ଦିଅଁଦେବତା ଅଛନ୍ତି, ସବୁଠୁଁ ମହାଦେବ ବେଗରେ ବର ଦିଅନ୍ତି । ସେଥିଯୋଗୁଁ ରୋଗବ୍ୟାଧି ହେଲେ ଲେକେ ମହାଦେବ ସେବା କରନ୍ତି । ପୁଣି ପୂଜାପୂଜିରେ ଯାହା ନ ହେବ, ସନ୍ଧ୍ୟାବେଳେ ମହାଦେବଙ୍କ ପାଖେ ଶଙ୍ଖ ଫୁଙ୍କିଲେ ତାହା ହେବ ।

 

ଜଣେ ଲୋକର ପେଟରେ ଗୋଟେ ଅସାଧ୍ୟ ବେମାରି ହେଲା । ଯେତେ ଯାହା ଔଷଧି ମହୌଷଧି କଲା, କିଛି ଫଳ ହେଲାନାହିଁ । ବେଳକୁବେଳ ବଡ଼ କଷ୍ଟ ପାଇଲା । ତା’ କଷ୍ଟ ଦେଖି ଜଣେ କହିଲା–

 

ଆରେ ! ନିତି ସନ୍ଧ୍ୟାବେଳେ ମହାଦେବଙ୍କ ବେଢ଼ାରେ ଶଙ୍ଖ ଫୁଙ୍କିଲୁ, ବ୍ୟାଧି କିମିତି ନ ଯିବ, ଦେଖିବା ! ସେ ଲୋକ ତା’ କଥାରେ ବିଶ୍ୱାସ କରି ରୋଜ ସନ୍ଧ୍ୟାରେ ଶଙ୍ଖ ଫୁଙ୍କିଲା ।

 

କିନ୍ତୁ କାହିଁ, ମାସ ମାସ ଧରି ତ ଶଙ୍ଖ ଫୁଙ୍କିଲା; ଟିକିଏ ହେଲେ ତ ଊଣା ହେଲା ନାହିଁ । ବରଂ ରୋଗ ପୁରୁଣା ହେବାରୁ ଦିନକୁଦିନ ବେଦନା ବଢ଼ିଲା । ସେ ରୋଗରେ କଲବଲ ହୋଇ ଦିନେ ଭାବିଲା, ଟାଣୁଆ କରି ଶଙ୍ଖ ଫୁଙ୍କିଦେଲେ ମହାଦେବ ନ ଶୁଣିବେ କିମିତି, ଦେଖିବା । ୟା ବିଚାରି ଦମ୍ ନ ରଖି କଷି କରି ଶଙ୍ଖ ବଜାଇ ଦେବାରୁ ମଳଦ୍ଵାରରୁ ପଦ୍ମ ଘରାଟି ବାହାରକୁ ବାହାରିପଡ଼ିଲା । ୟା ଦେଖି ବିଚରାର ହାଲୁକ ଶୁଖିଗଲା । ବିଚରା ଯାଏ କୁଆଡ଼େ ଆଉ କ’ଣ ସେ ରୋଗ କଥା ମନରେ ଅଛି ? ଏବେ ପଦ୍ମଘରା କିମିତି ଭିତରକୁ ଯିବ, ଏଥିରେ ବଡ଼ ବ୍ୟସ୍ତ । ତେଣୁ କହିଲା–

 

“ହର, ବର ନ ମାଗଇ ଆଉ,

ଶଙ୍ଖ ଫୁଙ୍କୁ ଫୁଙ୍କୁ ପଦ୍ମ ବାହାରିଲା,

ପଦ୍ମ ମୋ ଭିତର ଯାଉ ।”

 

ପଦ୍ମ ଭିତରକୁ ଗଲା କି ନ ଗଲା, ତାକୁ ପଚାର ।

񤦬񤦬񤦬

 

ପୃଥିବୀ ନାସଦାନୀ ପରି ଗୋଲ

 

ଗୋଟିଏ ବ୍ରାହ୍ମଣ ଶାସନରେ ଗୋଟିଏ ପ୍ରାଇମେରୀ ସ୍କୁଲ୍ ଥାଏ । ସେ କାଳର ଜଣେ ପଣ୍ଡିତ ସେ ସ୍କୁଲର ମାଷ୍ଟର ଥିଲେ । ପଣ୍ଡିତେ ସାହିତ୍ୟ, ଅଙ୍କ, ଇତିହାସ, ଭୂଗୋଳ, ସବୁ ପଢ଼ାନ୍ତି । ଭୂଗୋଳରେ ପ୍ରଥମରୁ ପୃଥିବୀର ଆକାର କିପରି, ପଢ଼ିବାକୁ ହୁଏ । ପୃଥିବୀର ଆକାର ଗୋଲ୍, ଏହା ଜାଣିବାପାଇଁ ମାଷ୍ଟରମାନେ ପିଲାମାନଙ୍କୁ ନାନା ଗୋଲ ଦେଖାଇଥାନ୍ତି । ଏ ସ୍କୁଲର ପଣ୍ଡିତଙ୍କୁ ଆଉ ଗୋଲ୍ ଜିନିଷ ଖୋଜିବାକୁ ହେଲା ନାହିଁ । କାହିଁକିନା ପଣ୍ଡିତେ ଜଣେ ନାସ ସୁଙ୍ଘାଳୀ-। ସେଥିଯୋଗୁଁ ସବୁବେଳେ ଅଣ୍ଟାରେ ଗୋଟେ ନାସଦାନୀ ଖୋସିଥାନ୍ତି । ସେ ଦାନୀ ରଣଗୁଆରେ ତିଆରି ରଣଗୁଆଗୁଡ଼ାକ ଗୋଲ୍ । ପୃଥିବୀର ଆକାର ଗୋଲ୍ ବୋଲି ବୁଝାଇଲା ବେଳକୁ ପଣ୍ଡିତେ ରଟକିନା ନାସଦାନୀଟା କାଢ଼ି ପିଲାଙ୍କୁ ଦେଖାଇଦେଇ କହନ୍ତି– ବୁଝିଲ ପିଲେ ! ପୃଥବୀ ଠିକ୍ ମୋରି ନାସଦାନୀ ପରି ଗୋଲ୍ । ପିଲାଏ ବୁଝିଲେ–ପଣ୍ଡିତଙ୍କ ନାସଦାନୀ ଯିମିତି, ପୃଥିବୀ ସିମିତି-

 

ପଣ୍ଡିତଙ୍କର ଆଉ ଗୋଟିଏ ଦାନୀ ଥାଏ । ସେଇଟି ବାଉଁଶ ଗଣ୍ଠିରେ ତିଆରି ଏବଂ ଦେଖିବାକୁ ଲମ୍ବା । ପଣ୍ଡିତେ କୁଆଡ଼େ ଭୋଜି ମଉଜକୁ ଗଲେ ସଉକିରେ ସେ ଦାନୀଟି: ସାଙ୍ଗରେ ନିଅନ୍ତି । ସଭାରେ ବସି ଗପସପ କଲାବେଳେ ମଧ୍ୟ ସେଇ ଦାନୀରୁ ନାସ କାଢ଼ି ସୁଙ୍ଘନ୍ତି ! ଇସ୍କୁଲ ପିଲାଏ ମଧ୍ୟ ସେକଥା ଦେଖିଛନ୍ତି ।

 

ଥରେ ସ୍କୁଲବାବୁ ସ୍କୁଲ ପରିକ୍ଷା କରିବାକୁ ଆସିଲେ । ଦୈବାତ ସେ ବାବୁ ପଚାରିଲେ- ‘ପୃଥିବୀର ଆକାର କିପରି ?’

 

ପିଲାମାନେ ପଣ୍ଡିତଙ୍କଠାରୁ ତ ଜ୍ଞାନ ପାଇଛନ୍ତି । ସେ ତ ଜାଣିଛନ୍ତି–ପୃଥିବୀ ପଣ୍ଡିତଙ୍କ ନାସଦାନୀ ପରି । ପୁଣି ଦେଖିଛନ୍ତି ପଣ୍ଡିତଙ୍କ ଦାନୀ ସ୍କୁଲରେ ଗୋଲ୍, ସଭା ସମିତିରେ ଲମ୍ବା । ତେଣୁ ସାଙ୍ଗେ ସାଙ୍ଗେ କହିଲେ–ପୃଥିବୀ ନାସଦାନୀ ପରି ସ୍କୁଲରେ ଗୋଲ୍, ସଭାସମିତିରେ ଲମ୍ବା ।

 

ବାବୁ ଏ କଥା ବୁଝିନପାରି ପଣ୍ଡିତଙ୍କୁ ପଚାରିଲେ–ପିଲାମାନେ ଏପରି କ’ଣ କହୁଛନ୍ତି ?

 

ପଣ୍ଡିତେ କହିଲେ କାରଣ ଆଉ କଛି ନାହିଁ । ମୁଁ ମୋର ନାସଦାନୀ ଦେଖାଇ କହିଥିଲି–ପୃଥିବୀ ମୋରି ଦାନୀ ପରି ଗୋଲ୍ । ମୋର ପୁଣି ଆଉ ଗୋଟିଏ ଲମ୍ବା ଦାନୀ ଅଛି । ମୁଁ ତାହା ସଭାସମିତିରେ ବ୍ୟବହାର କରେ । ତାହା ମଧ୍ୟ ପିଲାଏ ଦେଖିଛନ୍ତି । ସେ ତ ବୁଝିଛନ୍ତି–ପୃଥିବୀ ମୋରି ନାସଦାନୀ ପରି ଗୋଲ୍ । ତେଣୁ ଦୁଇପ୍ରକାର ଦାନୀ ଦେଖି ଏପରି କହୁଛନ୍ତି ।

 

ବାବୁ କହିଲେ– ଯାହା ସବୁବେଳେ ଗୋଲ୍, ଆପଣ ସେପରି ଜିନିଷଟିଏ କହିଥାନ୍ତେ ସିନା ! ନାସଦାନୀଟିଏ କହିଲେ ଯେ, ତାହା କ'ଣ ଗୋଟିଏ ପ୍ରକାରର ? ତାହା ଲମ୍ବା, ଗୋଲ୍, ତିନିକୋଣିଆ, ଚାରିକୋଣିଆ । ଏହିପରି କେତେ ପ୍ରକାରର ହୋଇପାରେ । ଭାଗ୍ୟକୁ ଆପଣ ଦୁଇପ୍ରକାର ଦାନୀ ବ୍ୟବହାର କରନ୍ତି । ନହେଲେ ପୃଥିବୀର ଆକାର ଆଉ କେତେ ପ୍ରକାର କହିଥାନ୍ତେ !

 

ପଣ୍ଡିତ ବିଚରା ଚୁପ୍ । ଏତିକି ଉତ୍ତର କଅଣ ଅଛି ?

񤦬񤦬񤦬

 

ପଣ୍ଡିତଙ୍କ ପୁରାଣପଢ଼ା

 

ଜଣେ ଭଦ୍ରଲୋକର ବାଲ୍ମୀକି ରାମାୟଣ ଶୁଣିବାକୁ ମନହେଲା । ସେ ସେଥିପାଇଁ ଜଣେ ପଣ୍ଡିତ ଖୋଜିଲେ । ମାତ୍ର ସେ ଗାଁରେ ଭଲ ସଂସ୍କୃତ ଜାଣିବା ପଣ୍ଡିତ ନ ଥିଲେ । ଦୈବାତ ଜଣେ ଦରପାଠୁଆ ପଣ୍ଡିତ ଜୁଟିଲେ । ସେ ଭଲ ସଂସ୍କୃତ ଜାଣିନାହାନ୍ତି , କି ଦିନେ ବାଲ୍ମୀକି ରାମାୟଣ ଛୁଇଁନାହାଁନ୍ତି । ଭଦ୍ରଲୋକ କହିବାରୁ ପୁରାଣ ପଢ଼ିବାକୁ ସେ ହଁ ଭରିଦେଲେ । ପୁଣି ଆରମ୍ଭହେଲା । ଦଶ ପାଞ୍ଚଜଣ ଶ୍ରୋତା ମଧ୍ୟ ଜମିଲେ । ପଣ୍ଡିତ ତାଡ଼ି ତାଡ଼ି ପୁରାଣ ପଢ଼ୁଥାନ୍ତି । ଦିନେ ଗୋଟିଏ ଶ୍ଳୋକ ଏପରି ପଢ଼ିଲେ ଯେ ସେଥିର ଅର୍ଥ କିଛି ହେଲାନାହିଁ ।

 

ସେ ଥିଲା–

 

‘ଦଶ ରାମ ଶରାଃ ପେତୁ ରାବଣସ୍ୟ’ ।

 

ଅର୍ଥାତ ରାମଙ୍କର ଦଶୋଟି ଶର ରାବଣର ରଥଉପରେ ପଡ଼ିଲା ପଣ୍ଡିତେ ତ ସଂସ୍କୃତ ପଢ଼ିବାକୁ ରମ୍ଭା, ସେ ପଢ଼ିଲେ–

 

‘ଦଶରା, ମସରା, ପେତୁରା, ବଣସାର, ଥୋପରି’ ।

 

ଶ୍ରୋତାମାନେ ଏହା ଶୁଣି ଠୋ ଠୋ ହସିଲେ । ବିଚରା ପଣ୍ଡିତ ଲାଜରେ ଚୋର ପରି ହେଲା । ଆଉ ଉପାୟ କ’ଣ ?

 

ପାଠ ନ ଥିଲେ ଲୋକର ଏହିପରି ଦଶା ହୁଏ ।

񤦬񤦬񤦬

 

ବେଳରୁ କୁଟୁତୁଣୀଘର ଝିଅ

 

ଗୋଟିଏ ଗାଁରେ ରାଣ୍ଡ ମାଇପିଟିଏ ଥାଏ । ସେ ବଡ଼ ଗରିବ, ବାସି ଓଳିକି ଦାନା ନ ଥାଏ । ୟାର ତା’ର ଧାନ କୁଟା ଆଣି କଷ୍ଟେମଷ୍ଟେ ଚଳେ । ତା’ର ଗୋଟିଏ ଝିଅ ଥିଲା । ଝିଅଟି ଗୋଟିଏ ଚାଉଳରେ ଗଢ଼ା । ଚାଲି ଚଳଣୀରେ ଚତୁର । ତା’ର ବିବାହ ବୟସ ହେଲା । ଜୋଇଁଟିଏ କରିବ ବୋଲି ମା’ କେତେ ଖୋଜିଲା । କୁଟୁତୁଣୀଘର ବୋଲି ସମସ୍ତେ ନାକ ଟେକିଲେ । ଗୋଟିଏ ଦୂର ଗାଁର ଜଣେ ଧନୀଲୋକର ପୁଅ ପାଇଁ କନ୍ୟା ଖୋଜା ଲାଗିଥାଏ । ସେ ଏ ପିଲାଟିକି ଡୌଲ ଡାଉଲ ଦେଖି ଆଉ କିଛି ନ ବୁଝି ତା’ ସାଙ୍ଗରେ ପୁଅଟିକି ବିଭାଦେଲା । କୁଟୁତୁଣୀ ଝିଅ ବୋଲି ଜାଣିଥିଲେ କେବେହେଲେ ତାକୁ ବୋହୂ କରିନଥାନ୍ତା । ଭାଗ୍ୟକୁ ସେ ଏହା ଜାଣିନାହିଁ ।

 

ବୋହୂ ଶାଶୁଘରକୁ ଗଲା, ଦେଖିଲା–ଶାଶୁଘରେ ଅଚଳାଚଳ ସମ୍ପତ୍ତି । ସେ ଏତେ ସମ୍ପତ୍ତି କେବେ ଦେଖିନଥିଲା । ସେପର୍ଯ୍ୟନ୍ତ ଶାଶୁଘରେ ତାକୁ କୁଟୁତୁଣୀ ଝିଅ ବୋଲି କେହି ଜାଣିନଥିଲେ ।

 

କାଳେ କିଏ ଜାଣିଯିବ, ସେଥିପାଇଁ ବଡ଼ ସାବଧାନ ଥାଏ । ଦେଖିଲା–ଶାଶୁଘରେ ମଧ୍ୟ ଗୋଟିଏ ଢିଙ୍କି ଅଛି । ତା’ ଦେଖି ମା’ ଘର କଥା ମନେପଡ଼ୁଥାଏ ।

 

ଦିନେ ଶାଶୁ ଢିଙ୍କିଶାଳରେ ଠିଆ ହୋଇଥାନ୍ତି । ବୋହୂ ଏହା ଜାଣିପାରି ନ ଜାଣିଲା ପରି ହୋଇ ଢିଙ୍କି ଶାଳକୁ ଗଲା । ଢିଙ୍କିକି ଆଙ୍ଗୁଠି ଦେଖାଇ ଶାଶୁଙ୍କୁ କହିଲା–ମା’ ହେ ! ତୁମ ଘରେ ଏଇଟା କ’ଣ ?

 

ଶାଶୁ ବୋହୂ କଥା ଶୁଣି କାବା ହୋଇଗଲେ । ଭାବିଲେ କେତେ ବଡ଼ ବଡ଼ ଘରେ ତ ମାଇପେ ଧାନ କୁଟନ୍ତି । ୟେ ଇମିତି କେଡ଼େ ଘର ଝିଅ ଯେ ଢିଙ୍କି ଦେଖିନାହିଁ । ଏହା ଭାବି ଶାଶୁ କହିଲେ-ଆଲୋ ! ସେ ପରା ଢିଙ୍କି ତୁମ ଘରେ କଅଣ ଢିଙ୍କି ନାହିଁ ?

 

ବୋହୂ କହିଲା ସେ ଥିଲେ ମୁଁ ଚିହ୍ନିପାରିନଥାନ୍ତି ଶୁଣିଚି–ଢିଙ୍କିବୋଲି ଗୋଟେ କ’ଣ ଅଛି-? ସେ ଢିଙ୍କି ତେବେ ଏଇଆ ?

 

ଶାଶୁ କହିଲେ– ଆଲୋ କହନା, କହନା । ଲୋକେ ଶୁଣିଲେ ହସିବେ । ଏଇ କଥାରୁ ଲୋକେ କହନ୍ତି–ବେଳରୁ କୁଟୁତୁଣୀ ଘର ଝିଅ, ଢିଙ୍କି ଦେଖିଲେ କହେ-ଏଇଟା କଅଣ ?

񤦬񤦬񤦬

 

ଓସବ ଭଏଁସା ଗାଣ୍ଡ ମେ ଗୟା

 

ଜଣେ ଦରଜୀ ଜଣେ ଗୌଡ଼ଠାରୁ ଲାଗୁଆ କରି କେତେ ଦିନ ଦୁଧ ଖାଇଲା । କିନ୍ତୁ ସୁରୁଖୁରୁରେ ପଇସା ତକ ଦେଲା ନାହିଁ । ବାକି ତୁଟାଇ ଦେବାକୁ ଗଉଡ଼ ବହୁତଥର କହିଲା, ଦରଜୀଟା ଭଲ ଲୋକ ନୁହେଁ, ନିପଟ ଜାଲିଆଟେ । ଖାଲି ହାଁଜି ହାଁଜି କଲା, କିଛି ଦେଲାନାହିଁ । ଖାଲି ସେତିକି ନୁହେଁ, ଚାଲାକି କରି ଓଲଟି ଗଉଡ଼ ନାଁରେ ଗୋଟେ ମିଛ ମକଦ୍ଦମା କରିଦେଲା ।

 

ସେତେବେଳେ କାଜି ଅମଳ । କାଜି ବୁଝାମଣା ସୃଷ୍ଟି ବାହାର ବୁଝାମଣା । କାଜି ଯୁଆଡ଼ୁ, ମେଞ୍ଚେ ପାନ୍ତି, ଧର୍ମ ବୁଝାମଣା ସେଆଡ଼କୁ ହୁଏ । ଏ କଥା ସମସ୍ତେ ଜାଣନ୍ତି ।

 

ତାରିଖକୁ ତାରିଖ, ଇମିତି କେତେ ତାରିଖ ହେଲା, ମକଦ୍ଦମା ଛିଣ୍ଡିଲା ନାହିଁ । ୟା ଦେଖି ଦରଜି ଗୋଟେ ଫିକର କଲା । କଅଣ କଲା ନା, ଭଲକରି ଗୋଟେ ପଗଡ଼ି ତିଆରି କରି କାଜିଙ୍କ ପାଖକୁ ଯାଇ ଲମ୍ବା ଚଉଡ଼ା ସଲାମଟେ କରି ସେଉଟି କାଜିଙ୍କୁ ଭେଟିଲା । ପଗଡ଼ିଟି ଜରିରେ ତିଆରି, ଚକ ଚକ ହୋଇ ସୁନ୍ଦର ଦିଶୁଥାଏ । କାଜି ତାହା ଦେଖି ଲୋଭ ଛାଡ଼ିପାରିଲେ ନାହିଁ । ସେଇଟି ନେଇ ମୁଣ୍ଡରେ ପିନ୍ଧିଲେ । ଦରଜୀ ଏହା ଦେଖି ଡିଗିରିରେ ସନ୍ଦେହ ନ ରଖି ନିଶ୍ଚୟ ହୋଇ ଘରେ ରହିଲା ।

 

କାଜି ଦରଜୀଠାରୁ ପଗଡ଼ି ନେବା କଥା ଗଉଡ଼ ଜାଣିଲା, ଆଉ ଲୋକେ ମଧ୍ୟ ଜାଣିଲେ-। ଲୋକେ ଗଉଡ଼କୁ କହିଲେ– କି ରେ ! ଦରଜି ତ ପଗଡ଼ି ଦେଇ କାଜିକି ହାତ କରିନେଲା, ତୁ ନାହିଁରେ ତେଲ ପକାଇ ବସିଛୁ କ’ଣ ?

 

ଗଉଡ଼ କହିଲା– ମୁଁ ଆଉ କରିବି କ’ଣ ? ତା’ର ସିନା ପଗଡ଼ି ଥିଲା ବୋଲି ଦେଲା ? ମୋର ତ କିଛି ନାହିଁ, ମୁଁ ଦେବି କ’ଣ ? ମୋର ସମ୍ପତ୍ତି ହୋଇ ଏଇ ମଇଁଷିଟି । ସେ ୟାକୁ ନେବ ନାହିଁ, କି, ଦେଲେ ମୁଁ ବଞ୍ଚିପାରିବି ନାହିଁ । ଆଉ ଦେବି କଅଣ ?

 

ଲୋକେ କହିଲେ– ତୁ ଆଗ ମଇଁଷିକି କାଜିପାଖକୁ ନେ, ତା’ ଆଖି ପଡ଼ିଲେ ସିନା ନେବା ନ ନବା କଥା ଜଣାପଡ଼ିବ । କିଛି ନ କରି ଇମିତି କହିଲେ କ’ଣ ହେବ ?

 

ଗଉଡ଼ ଲୋକଙ୍କ କଥାରେ ତାରିଖ ଦିନ ମଇଁଷିକି ପଘାରେ ବାନ୍ଧି କଚିରିକି ନେଇଗଲା-। କଚିରି ଆଗରେ ଗୋଟେ ଖୁଣ୍ଟ ପୋତି ତାକୁ ବାନ୍ଧିଦେଲା । କାଜି ଦରଜୀ ପଗଡ଼ି ପିନ୍ଧି କଚିରି କରିବାକୁ ଆସିଲା । ଦେଖିଲା-ଗୋଟେ ମଇଁଷି ବନ୍ଧା ହେଇଚି । ପଚାରିଲା–ଏ ମଇଁଷି କାହାର-?

 

ଗଉଡ଼ ଏତକ ଶୁଣିବାରୁ କାଜି ପାଖକୁ ଯାଇ ଲମ୍ବା ସଲାମ ପକାଇ କହିଲା– ହଜୁର, ମଇଁଷି ମୋର ।

 

କାଜି ପଚାରିଲା– ଏଠାକୁ କାହିଁକି ଆଣିଚୁ ? ସେ କହିଲା, ହଜୁରଙ୍କୁ ଦବାକୁ ! କାଜି ଖୁସିହୋଇ କହିଲା–ଦୁଧ ଦଉଚିନା ? ସେ କହିଲା– ହଜୁର, ଦଉଚି । ଗଉଡ଼ ଏଥିରେ ମନେମନେ ଖୁସିହୋଇ ଭାବିଲା– ଏଥର ଦରଜୀ ଯାଏ କୁଆଡ଼େ ! ଦେଖିବା ପଗଡ଼ି ବଡ଼, କି, ମୋ ମଇଁଷି ବଡ଼-?

 

ଏହାପରେ ନଥି ଆସିଲା, କାଜି ବିଚାର କରିବସିଲେ । ଦରଜୀ ସେତେବେଳେ କାନ ପାଖକୁ ଯାଇ ଲମ୍ବା ସଲାମ ପକାଇ କହିଲା-– ହଜୁର ! ଦେଖିଏ ଜେରା ଶିରକୋ ତକା କର ମେରା ମକଦ୍ଦମା ଫଏସଲ କର ଦେଜିଏ ।” ଅର୍ଥାତ ମୋର ଯେଉଁ ପଗଡ଼ି ମୁଣ୍ଡରେ ପିନ୍ଧିଚ, ତାକୁ ଚାହିଁ ମୋତେ ଡିଗ୍ରୀ ଦିଅନ୍ତୁ ।

 

କାଜି ଏହା ଶୁଣି କହିଲା– “ଯାଓ, ଭାଗୋ, ଓ ଭଏଁସା ଗାଣ୍ଡମେ ଗୟା । ଅର୍ଥାତ ତୋ ପଗଡ଼ି ମଇଁଷିଠାରୁ ଅକାମୀ ହେଲା । କାରଣ ମଇଁଷିରୁ ଯାହା ଲାଭ, ପଗଡ଼ିରୁ ତାହା ନୁହେଁ ।

 

ଦରଜିର ପଗଡ଼ିକି ପଗଡ଼ି ଗଲା, ମକଦ୍ଦମା ମାଡ଼ ଖାଇଲା । ଗଉଡ଼ ବିଚରା ମିଛ ମକଦ୍ଦମାରୁ ଖଲାସ ହୋଇ ଖୁସିରେ ଘରକୁ ଗଲା । ଧର୍ମାବତାର କାଜି ହାକିମ ମଇଁଷି ଦୁଧ ଖାଇ ବଦନ କମାଇ ପଗଡ଼ି ପିନ୍ଧି ବେଶ ସଜାଇଲେ ।

 

ଏଇ କଥାରୁ କଥା ପଡ଼ିଲେ ଲୋକେ କହନ୍ତି– ଓ ଭଏଁସା ଗାଣ୍ଡମେ, ଗୟା ।

񤦬񤦬񤦬

 

ଦାରୀ ବୟସ ବୈରାଗୀରେ ଭରଣା

 

ଦାରୀମାନେ ବୟସ ଥିବାବେଳେ ଯେତେ ଆଦର ପାନ୍ତି, ବୟସ ଗଲେ ଆଉ ତାହା ହୁଏ ନାହିଁ, ଏକଥା ସବୁ ଦାରୀ ଜାଣନ୍ତି । ସେଇଥିପାଇଁ ବୟସ କଥା ପଡ଼ିଲେ, ସେମାନେ ନିଜ ବୟସକୁ ଊଣା କରି କହନ୍ତି । ନହେଲେ ଲୋକେ ବୟସ ବେଶି ଜାଣିଲେ ଆଉ ପାଖମାଡ଼ିବେ ନାହିଁ-। ଏ ଗଲା ଦାରୀ କଥା; କିନ୍ତୁ ବୈରାଗୀ କଥା ଏଥିରୁ ଅଲଗା ।

 

ବୁଢ଼ା ବୈରାଗୀକି ଲୋକେ ଯେତେ ଭକ୍ତି କରନ୍ତି, ପିଲା ବୈରାଗୀକି ତେତେ ନୁହେଁ, ଏ କଥା ବୈରାଗୀମାନେ ଜାଣନ୍ତି । ସେଇଥିପାଇଁ ବୈରାଗୀମାନେ ପ୍ରକୃତ ବୟସ ନ କହି ଅଧିକ କରି କହନ୍ତି । କାରଣ ଅଳ୍ପ ବୟସ କହିଲେ ଲୋକଙ୍କଠାରୁ ଅଳ୍ପ ଭକ୍ତି ମିଳିବ ?

 

ଏଣେ ଦାରୀ ଯେତେ ବୟସ କମାଏ, ତେଣେ ବୈରାଗୀ ତେତେ ବୟସ ବଢ଼ାଏ ।

 

କଥା ପଡ଼ିଲେ ଲୋକେ କହନ୍ତି–ଦାରୀ ବୟସ ବେରାଗୀରେ ଭରଣା ।

񤦬񤦬񤦬

 

ପରପୁଅ ଲାଗି ଯୋଗିଆ କାନ୍ଦେ

 

ଗୋଟିଏ ଗାଁରେ ସ୍ଵାମୀ ସ୍ତ୍ରୀ ଦୁଇଜଣ ଥିଲେ । ସେ ଦୁହିଁଙ୍କ ଛଡ଼ା ତାଙ୍କ ଘରେ ଆଉ କେହିନଥିଲେ । ସ୍ଵାମୀଟି ଅନେକ ସମୟରେ ବିଦେଶ ଯାଉଥିଲା । ସେ ଚାରି ମାସରେ, ଛ ମାସରେ ଘରକୁ ଆସେ । ସ୍ଵାମୀ ନ ଥିଲାବେଳେ ସ୍ତ୍ରୀ ଏକୁଟିଆ ଥାଏ ।

 

ଜଣେ ପର ପୁରୁଷଟେ ସହ ତା’ର ଭାବ ଲାଭ ହେଲା । ସ୍ୱାମୀ ଏହାର ସୁରାକ କିଛି ଜାଣେ ନାହିଁ । ସ୍ଵାମୀ ଘରେ ଥିଲାବେଳେ ସେ ଦୁହିଙ୍କି ବଡ଼ ଅଡ଼ୁଆ ହୁଏ । ଥରେ ସ୍ଵାମୀ କିଛିଦିନ ଘରେ ରହିବାରେ ତା’ ସ୍ତ୍ରୀର ବଡ଼ ଅସୁବିଧା ହେଲା । ସେ ଆଉ ତା’ର ପ୍ରିୟ ବନ୍ଧୁଙ୍କ ସାଙ୍ଗେ ବସିଉଠିପାରିଲା ନାହିଁ । ଏପରି ହେବାରୁ ସେ ସ୍ତ୍ରୀଲୋକଟି ଭାବିଲା–ସ୍ଵାମୀ ଥିବାରୁ ସିନା ଅଡ଼ୁଆ ହଉଚି, ୟାକୁ ମୂଳରୁ ମାରିଦେଲେ ତ କଣ୍ଟା ତୁଟିଯିବ ! ୟା ଭାବି ଦିନେ ସ୍ଵାମୀ ପାଇଁ ବିଷ ଗୋଳାଇ କିଛି ଚକୁଳି କଲା । ସ୍ଵାମୀ ଖାଇବା ପାଇଁ ତାହାର ଶୋଇବା ଘରେ ଘୋଡ଼ାଇ ରଖିଦେଲା । ତାହାର ପ୍ରିୟ ବନ୍ଧୁ ଓର ଉଣ୍ଡୁ ଥିଲା । ଦୈବାତ ସେଦିନ ତାହାର ସ୍ଵାମୀ ଠାଏ ଗପସପରେ ଲାଗିଗଲା । ପ୍ରିୟ ବନ୍ଧୁ ଏହା ଦେଖି ସେତିକିବେଳେ ଚୁପ୍‍ଚାପ୍ ତା’ ଘରେ ପଶିଲା । ସେ ହଠାତ ଶୋଇବା ଘରେ ପଶି ଦେଖିଲା–ଗୁଡ଼ିଏ ପିଠା ଘୋଡ଼ିଆ ହୋଇ ଥୁଆହୋଇଚି । ସେ ଭାବିଲା–ମୋରି ପାଇଁ ନିଶ୍ଚେ ୟେ ପିଠା ଥୁଆ ହୋଇଚି । ତେବେ ଆଗେ ଏତକ ଖାଇଦିଏ, ତାପରେ ଦେଖାସାକ୍ଷାତ ହେବ । ଏହା ଭାବି ପିଠାତକ ଖାଇଦେଲା । ଖାଇଦେଲା ସିନା, ଯାଏ କୁଆଡ଼େ ? ସାଙ୍ଗେ ସାଙ୍ଗେ ସେଇଠାରେ ନାରାୟଣ ପାଇଗଲା ।

 

କେତେ ସମୟ ପରେ ସେ ସ୍ତ୍ରୀଲୋକଟି ସେ ଘରକୁ ଆସି ଦେଖେ ତ ସର୍ବନାଶ । ସ୍ଵାମୀ ଏହା ଦେଖିଲେ ବାକି ରଖିବ ନାହିଁ, ଜାଣି । ମୁର୍ଦ୍ଦାରଟାକୁ ଘୋଷାରି ଘୋଷାରି ନେଇ ବାଡ଼ିଆଡ଼େ ଫିଙ୍ଗିଦେଇ ଆସିଲେ । ଏହା ପରେ କେତେବେଳେ ଉତ୍ତାରୁ ସ୍ଵାମୀ ଘରକୁ ଆସିଲା । ତାକୁ କାହିଁକି ହଠାତ ଝାଡ଼ା ତଲବ ଦେଲା । ସେ ସାଙ୍ଗେ-ସାଙ୍ଗେ ବାଡ଼ିଆଡକୁ ଝାଡ଼ା ଗଲା । ବାଡ଼ି କବାଟ ଫିଟାଇଦେଇ ଦେଖେ ତ ମୁର୍ଦ୍ଦାରଟେ ପଡ଼ିଚି । ସେ ଆଉ ଝାଡ଼ା ଫେରିବ କ’ଣ ? ସାଙ୍ଗେ ସାଙ୍ଗେ ଘରକୁ ଆସି ମୁର୍ଦ୍ଦାର ପଡ଼ିଥିବା କଥା କହିଲା । ସ୍ତ୍ରୀ ନ ଜାଣିଲା ପରି ହୋଇ କହିଲା– କିଏ କେଉଁଠୁ ଆସି ମରି ପଡ଼ିଚି, ଆମେ କ’ଣ କରିବା ?

 

ସ୍ଵାମୀ କହିଲା– ଇମିତି କହିଦେଲେ ହବ ? ଟିକିଏ ବୁଝି ବିଚାରି କହିଲେ ହେବ ସିନା ! ବୁଝୁ ନାହିଁ, ମୁର୍ଦ୍ଦାରଟା ଯେତେବେଳେ ଆମ ଦୁଆରେ ପଡ଼ିଚି, ସକାଳେ ପୁଲିସ ଆସିଲେ ଆଗ ଆମକୁ ଧରିବ । ସେଥିପାଇଁ କହୁଚି–ଏତିକିବେଳୁ ଉପାୟ କରିବା ଦରକାର । ମୋ ବିଚାରରେ ଚାଲ ଦିହେଁ ଘୋଷାରିନେଇ ବଣରେ ଫିଙ୍ଗିଦେଇ ଆସିବା । ନହେଲେ ଆମ ଅବସ୍ଥା ଗାଆଣି ଗାଇବ ନାହିଁ ।

 

ସ୍ତ୍ରୀ ସେଥିରେ ରାଜି ହେବାରୁ ଦୁହେଁ ଯାଇ ସେୟା କଲେ । ଯୋଗକୁ ଯେଉଁଠାରେ ମୁର୍ଦ୍ଦାର ପକାଇଲେ, ଦେଖିଲେ ସେଠାରେ ଗୋଟିଏ ମିରିଗ ମରି ପଡ଼ିଚି । ତା’ ଦେଖି ଦିହେଁ ଆନନ୍ଦରେ ସେ ମିରିଗଟାକୁ ଘରକୁ ଆଣି ରନ୍ଧାବଢ଼ା କରି ମଉଜ କଲେ ।

 

ତେଣେ କ’ଣ ହୋଇଚି ନା, ଜଣେ ବାଣୁଆ ସେଇ ରାତିରେ ସେଇ ବଣରେ ଶିକାର କରୁଥଲା । ତାରି ଗୁଳିରେ ସେ ମିରିଗଟା ଜୀବନ କଲବଲରେ ଦଉଡ଼ିଆସି ସେଇଠେଇଁ ମରି ପଡ଼ିଥିଲା । ବାଣୁଆ ତା’ ଶିକାର ମିରିଗକୁ ଖୋଜୁଥିଲା । ଖୋଜି ଖୋଜି ମୁର୍ଦ୍ଦାର ପଡ଼ିଥିବା ଜାଗାରେ ପହଞ୍ଚିଲା । ଦେଖିଲା-ଗୋଟିଏ ମଣିଷ ମରି ପଡ଼ିଚି । ସେ ଭାବିଲା–ମୋ ଗୁଳିରେ ମିରିଗ ନ ମରି ଏ ମଣିଷଟା ମରିଚି । ଯେବେ ପୁଲିସ ଏ କଥା ଜାଣିବ, ତେବେ ମୋ କଥା ଶେଷ-। ତେବେ ଏତିକିବେଳୁ ଉପାୟ କରିବା ଦରକାର ।

 

ଗୋଟିଏ ଚଉପାଢ଼ୀରେ ଗୁଡ଼ାଏ ବାବାଜି କିଏ କେଉଁଆଡ଼ୁ ଆସି ପଡ଼ିଥାନ୍ତି । ତାଙ୍କ ଭିତରେ କେହି କାହାର ଚିହ୍ନା ନୁହେଁ । ସେଥିମଧ୍ୟରୁ କିଏ କେତେବେଳେ ଚାଲିଯାଉଛି, ପୁଣି କିଏ ନୂଆ ଆସୁଛି, ତା’ର କିଛି ଠିକଣା ନାହିଁ । ବାଣୁଆ ଏହା ଜାଣିଥିଲା । ସେ ଦେଖିଲା–ଏ ନିଶାରାତିରେ ବାବାଜିଯାକ ନିଶ୍ଚେ ନିଘୋଡ଼ ନିଦରେ ଶୋଇଥିବେ । ସେ ଭାବିଲା–ଏ ମୁର୍ଦ୍ଦାରଟାକୁ ତାଙ୍କରି ଭିତରେ ଶୁଆଇଦେଇ ଆସିଲେ ତଣ୍ଟା ତୁଟିଯାନ୍ତା । ଏହା ଠିକ୍ କରି କଷ୍ଟେ ମଷ୍ଟେ ମୁର୍ଦ୍ଦାରକୁ ଘୋଷାରି ଘୋଷାରି ନେଇ ବାବାଜୀଙ୍କ ଭିତରେ ଶୁଆଇଦେଇ ଆସିଲା ।

 

ରାତି ପାହିଲା, ବାବାଜି ସବୁ ଉଠିଲେ । ଉଠି ଦେଖନ୍ତି ତ ତାଙ୍କ ଭିତରେ ଜଣେ କିଏ ମରି ଶୋଇଚି । ତାକୁ ଦାହ ନ କରିବେ କିମିତି ? ନ କଲେ ତ ଅଧର୍ମ ହେବ; ତେଣୁ ପାଞ୍ଚ ସାତଜଣ ବାବାଜି ମୁର୍ଦ୍ଦାରକୁ କୋକେଇରେ କାନ୍ଧେଇ ମଶାଣିକି ନେଲେ ।

 

ମୁର୍ଦ୍ଦାର ନେଲାବେଳେ ତ ମଡ଼ା ସାଙ୍ଗୀ ‘ରାମନାମ ସତ୍ୟ ହେ’ ବୋଲି ଡାକି ମାରି ମାରି ଯାଉଥାନ୍ତି । ସେ ସ୍ତ୍ରୀଲୋକଟି ରାମନାମ ସତ୍ୟ ହେ ଏ ଡାକ ଶୁଣି ମୁର୍ଦ୍ଦାରକୁ ଚାହିଁଦେଇ କହିଲା–

 

କି ହଉ ହଉ କି ହୋଇଲା,

କା ପାଇଁ ରଖିଲି କିଏ ଖାଇଲା,

କାହାର ହରିଣୀ, କେ ନେଇ ରାନ୍ଧେ,

ପରପୁଅ ଲାଗି ଯୋଗିଆ କାନ୍ଦେ ।

 

ସତ, କଥା, ସ୍ଵାମୀର ବିଷ ପିଠା ଖାଇଲା ପରପୁରୁଷ । ମିରିଗ ମାଇଲା ଜଣେ, ଖାଇଲା ଅନ୍ୟ । ଯେ ମଣିଷ ମାଇଲା, ତା’ର ନାମ-ଗନ୍ଧ ନାହିଁ । ଶେଷକୁ ମୁର୍ଦ୍ଦାର ପୋଡ଼ିଲେ ବାବାଜି ।

 

ସଂସାରରେ ଏହିପରି ଭଣ୍ଡାମି ବହୁତ ଘଟେ ।

񤦬񤦬񤦬

 

ମା’ ବିଦ୍ଧି ଯମଦୂତକ

 

ଜଣେ ବିଧବା ଯୁବତୀ ଥିଲା । ତା’ର ଗୋଟିଏ ମାତ୍ର ପୁଅ । ତା’ ଛଡ଼ା ତା’ର ଆଉ କେହିନଥିଲେ । ପୁଅ ପିଲା ନୁହେଁ, ଭେଣ୍ଡା; ପୁଣି ପଣ୍ଡିତ ନୁହେଁ, ଅଳ୍ପ ପାଠୁଆ । କେବେହେଲେ କୁଟା-ଖିଅକ ଦିଖଣ୍ଡ କରେନାହିଁ । ସବୁବେଳେ ବଜାରିଙ୍କ ମେଳରେ ହେଁ ହେଁ, ଫେଁଫେଁରେ, ଦିନ କଟାଏ । କେବଳ ଖାଇଲା ବେଳକୁ ଘରକୁ ଆସେ । ଦିନେ ଦିନେ ଘରେ ଶୁଏ । ନହେଲେ ଆଠକାଳ ବାରମାସି ମା’ଟି ସବୁବେଳେ ଏକୁଟିଆ ରହେ ।

 

ଦିନେ ଜଣେ ବାବାଜି ଭିକ୍ଷା କରିବାକୁ ଆସିଲେ । ସେ ବିଧବା ଘରେ ଯେତେବେଳେ ଭିକ ମାଗିଲେ, ଭିକ ଦେଲାବେଳେ ବାବାଜିଙ୍କର ସେ ବିଧବା ଉପରେ ନଜର ପଡ଼ିଗଲା । ସେତିକିରେ ବାବାଜି ତା’ ଉପରେ ଲୋଭେଇଗଲେ । ସେ ଆଉ ଭିକ ନେବାକୁ ତରତର ନ ହୋଇ ସେ ବିଧବା ସାଙ୍ଗରେ ବହୁତ ତତ୍ତ୍ଵ କଥା କଥାବାର୍ତ୍ତା ହେଲେ । ବିଧବା ବାବାଜି କଥାରେ ଭୁଲିଯାଇ ତାଙ୍କୁ ଗୁରୁ କରିବାକୁ କହିଲା । ଏବେ ମଳୁ ଯାହା ଖୋଜୁଥିଲା; ବଇଦ ସେଇୟା କହିଦେଲା । ବାବାଜି ଭେଖ ଦେବାକୁ ସାଙ୍ଗେ ସାଙ୍ଗେ ରାଜି ହୋଇଗଲେ । ଭେଖ ନେବା ପାଇଁ ଦିନ ବାର ଠିକଣା ହେଲା । ବାବାଜି ଆଡ଼ମ୍ବରରେ ପୂଜା ଝୁଜା କରି ମନ୍ତ୍ର ଦେଲେ । ଦୀକ୍ଷା ଦେବା ପରେ ବିଧବା ବାବାଜିଙ୍କର ଶିଷ୍ୟା ହେଲା । ଶିଷ୍ୟ ଅତି ଭକ୍ତିରେ ଗୁରୁଙ୍କର ଖାଇବା ଶୋଇବା ସବୁ ବୁଝିଲା । ଏମିତି ହେବାରୁ ବାବାଜିଙ୍କର ଆଉ କୁଆଡ଼େ ଯିବା ଦରକାର ହେଲାନାହିଁ । ବାବାଜି ଖାଇପିଇ ଚିକଣ ଚାକଣ ହୋଇଗଲେ । ସେଠାରେ ରାଜଭୋଗରେ ରହିଲେ ।

 

ବିଧବାର ପୁଅ ଦେଖିଲା–ଏ ତ ବାବାଜି ଲୋକ, ପୁଣି ମା’ର ଗୁରୁ । ଏଥିରେ ଭାବିବାର କଥା କଅଣ ଅଛି ? ତେଣୁ ସେ କୌଣସି ଆଶଙ୍କା ନ ରଖି ତା’ ବେଳରେ ଆସି ମୁଠିଏ ଖାଇଦେଇ ଯୁଆଡ଼େ ଇଚ୍ଛା ସେଆଡ଼େ ଚାଲିଯାଏ ।

 

ବାବାଜି କିଛି ଦିନ ଶିଷ୍ୟା ଘରେ ରହିବାରେ ସେ ଘରର ହାଲହଇକତ ବୁଝିବାରେ କିଛି ବାକି ରହିଲା ନାହିଁ । ଦେଖିଲେ ଯେ ଏଠାରେ ବାଧାବିଘ୍ନ କଛି ନାହିଁ । ସବୁ କାମ ନିରାପଦରେ ଫତେ ହୋଇପାରିବ । ଏହି ବିଶ୍ୱାସ ହେବାରୁ ଦିନେ ଶିଷ୍ୟାକୁ ଡାକି କହିଲେ ଦେଖ, ଖାଲି ଦୀକ୍ଷା ନେଲେ ତ ହେବନାହିଁ, ତାକୁ ଚାହିଁ ସାଧନା କରିବା ଦରକାର ।

 

ଶିଷ୍ୟା କହିଲା– ଆପଣ ଯେଉଁ ସାଧନା କହିବେ, ମୁଁ କ’ଣ ତା’ କରିବାକୁ ନାରାଜ ଅଛି-?

 

ଏଥିରେ ବାବାଜୀଙ୍କର ମନ ଖୁସି ହୋଇଗଲା । କହିଲେ– ପ୍ରଥମେ ଗୁରୁଙ୍କର ସେବା ଦରକାର । ଗୁରୁ ସନ୍ତୁଷ୍ଟ ହୋଇଗଲେ ସାଧନାର ବାଟ ଆପେ ଆପେ ଫିଟିଯିବ । ଶିଷ୍ୟା ସେଥିରେ ରାଜିହେବାରୁ ଗୁରୁ ଯେତେବେଳେ ଯାହା କହିଲେ, ଶିଷ୍ୟା ତାହା ସବୁ ପାଳିଲେ । ଏପରି ହେବାରେ ଗୁରୁଙ୍କର ଭୋଗରେ ଆଉ ବାକି କିଛି ରହିଲା ନାହିଁ । ଶିଷ୍ୟା ତ ଯୁବତୀ, ଗୁରୁଙ୍କର ମଧ୍ୟ ଚୁଙ୍ଗା ବୟସ । ତେଣୁ ରାତି ଦିନ ଗୁରୁ ସେବା ଚାଲିଲା ।

 

ସେବା ଏତେ ହେଲା ଯେ ଦାଣ୍ଡରେ ଲୋକେ ବାସନା ବାରି ଟୁପ୍‍ଟାପ୍ ହେଲେ । ପୁଅ ମନରେ ମଧ୍ୟ ଆଶଙ୍କା ହେଲା । କଥାଟା ସତ କି ମିଛ ଜାଣିବାପାଇଁ ପୁଅ ଦିନେ ପରୀକ୍ଷା କରିବାକୁ ବସିଲା । ସେ ଦିନେ ସଞ୍ଜ ଲଗୁ ଲଗୁ ଘରକୁ ଆସି ମା’କୁ କହିଲା–ମା’ ! ମତେ ବେଗେ ଗଣ୍ଡେ ଖାଇବାକୁ ଦେଲେ ମୁଁ ଯାତ୍ରା ଦେଖି ଯିବି । ଏହା ଶୁଣି ମା’ ମନେମନେ ଖୁସିହେଲା । କାହିଁକିନା, ପୁଅ ଯେତେଶୀଘ୍ର ଯାଏ, ମା’ର ତେତେ ଭଲ । ବାବାଜି ମଧ୍ୟ ଖୁସିହୋଇ କହିଲେ–ହଁ, ପିଲାଟା ଯାତ୍ରା ଦେଖିଯିବ, ଆଉ ସବୁ କାମ ନ କରି ଆଗ ତା’ ଖାଇବା କଥା ବୁଝ ।

 

ମା ଆଖି ପିଛୁଳାକେ ରନ୍ଧାବଢ଼ା କରି ପୁଅକୁ ଖାଇବାକୁ ଦେଲେ । ସେତେବେଳକୁ ରାତି ହେଲାଣି ଦି’ଘଡ଼ି । ପୁଅ ଭୋଜନ ସାରି ମା’, ମୁଁ ଯାଉଛି ବୋଲି କହି ମା’ ଶୋଇବା ଘରେ ଖଟତଳେ ଠେଙ୍ଗାଟିଏ ପାଖରେ ରଖି ଲୁଚିକରି ରହିଲା । ଏ କଥା ମା’ ଜାଣନ୍ତି ନାହିଁ, କି, ବାବାଜି ଜାଣନ୍ତି ନାହିଁ । ପୁଅ ଦାଣ୍ଡକୁ ଗଲା ବୋଲି ତାଙ୍କର ପୂରା ବିଶ୍ଵାସ ।

 

ଗୁରୁ ଏବଂ ଶିଷ୍ୟା ଦିହେଁ ଚିକ୍କଣ କରି ଖିଆପିଆ ସାରି ଶୋଇବା ଘରକୁ ଶୋଇବାକୁ ଗଲେ । ଦିହିଙ୍କ ଭିତରେ ଆଗ ବହୁତ ହସ, ରସ, କୌତୁକ ଲାଗି ରହିଲା । ପୁଅ ଖଟତଳେ ରହି ଏସବୁ ପାଲା ଦେଖି ରାଗରେ ଗୋଟାକ ସାତଟା ହେଲାଣି । ସେତିକିବେଳକୁ ପୁଣି ବାବାଜିଙ୍କର ସେବା ଆରମ୍ଭ ହେଲା । ବାବାଜୀ ଭୋଳ ହୋଇ କହିଲେ–

 

ଗୃହଂ ବୃନ୍ଦାବନଂ ବିଦ୍ଧି,

ମାଂ ବିଦ୍ଧି ଯଦୁନନ୍ଦନଂ

ଆତ୍ମନଂ ରାଧିକାଂ ବିଦ୍ଧି ।

 

ଅର୍ଥାତ ଘରକୁ ବୃନ୍ଦାବନ ବୋଲି ଜାଣ । ମୋତେ ଯଦୁନନ୍ଦନ କି ଶ୍ରୀକୃଷ୍ଣ ବୋଲି ଏବଂ ନିଜକୁ ରାଧିକା ବୋଲି ବିଚାର । ଗୁରୁ ଏହି ତିନି ପଦ କହିଦେବା ସଙ୍ଗେ ସଙ୍ଗେ ପୁଅ ସମ୍ଭାଳି ହୋଇ ନ ପାରି ଖଟତଳୁ ଭୁସକିନା ବାହାରି ତମ୍ପ ପରି ଗର୍ଜନ କରି ‘ମାଂ ବିଦ୍ଧି ଯମଦୁତଂ‘ ଅର୍ଥାତ୍ ମୋତେ ଯମଦୂତ ବୋଲି ଜାଣ କହି ଗୁରୁଙ୍କ ବ୍ରହ୍ମତାଳୁରେ ଠେଙ୍ଗାରେ ନିର୍ଦ୍ଧୂମ ପାହାରଟିଏ ଦେଇଛି, ସେତିକିରେ ଗୁରୁ ନାରାୟଣ ପାଇଲେ । ମା’ ପ୍ରାଣ ବିକଳରେ କୁଆଡ଼େ ଚମ୍ପଟ କଲା ।

 

ଏତିକିରେ ବୃନ୍ଦାବନ-ଲୀଳାଶେଷ ।

񤦬񤦬񤦬

 

ଆଳୁ ଦୋଷ

 

ଜଣେ ବାବୁଙ୍କର ଚାକର ନ ଥିଲା । ସେ ବଡ଼ ହଇରାଣ ହେଉଥିଲେ । କେତେ ଖୋଜିଲେଣି, ଚାକରଟିଏ ପାଉନାହାନ୍ତି । ଦିନେ ଦୈବାତ ଗୋଟିଏ ଭଣ୍ଡାରି ଟୋକା ଆସି ଜୁଟିଲା । ବାବୁ ତାକୁ ପାଇ ଖୁସିହୋଇ ଚାକିରି ରହିବା କଥା ପଚାରିଲେ । ସେ ଟୋକା କହିଲା ମୁଁ ଚାକିରି ରହିବି ଯେ, ମୋର ଟିକିଏ ଆଳୁ ଦୋଷ ଅଛି । ତା’ ଯେବେ ନ ଧରିବ, ତେବେ ରହିବି ।

 

ବାବୁ ଶୁଣି କହିଲେ– ଆବେ, ଆଳୁ ଦୋଷ କ’ଣ ?

 

ବାରିକ ଟୋକା କହିଲା– ଆଜ୍ଞା, ମୋର ତ ସେତକ ଅଛି । ଲୁଚାଇବି କାହିଁକି ?

 

ବାବୁ ତ ଚାକର ନ ପାଇ ବ୍ୟସ୍ତ ହେଉଥିଲେ, ଆଳୁ ଦୋଷ କ’ଣ ଚୋରି ଡକାୟତି ତ ନୁହେଁ । ସେ ଆଉ କିଛି ନ ବୁଝି କହିଲେ–ହଉ ହେଲା । ତୁ ଆଗ ରହିଯା, ଆଳୁ ଦୋଷ କଥା ପରେ ବୁଝିବା । ଦରମା ପତ୍ର କଥା ଛିଣ୍ଡିଲା । ଚାକର ରହିଲା । ବାବୁ ଚାକର–ଚିନ୍ତାରୁ ଖଲାସ ପାଇଲେ । ନୂଆ ଚାକର, ପୁଣି ଟୋକା ଲୋକ । ଗୁଡ଼ାଏ କାମ ଦେଲେ ବିଗିଡ଼ିଯିବ ଭାବି ଦୁଇ ଚାରିଦିନ ସେ ଯେତିକି ପାରିଲା, ସେତିକି କଲା । କେହି କିଛି କହିଲେ ନାହିଁ । ବିଚରା କୁଣିଆ ଭଳି ଭୋଜନ ମାରି ଦୁଇ ଚାରିଦିନ ବେଶ୍ ମଜାରେ ରହିଲା ।

 

ଦିନେ ରାତିରେ ବଜାରରୁ ଘିଅ କିଣି ଆଣିବାକୁ ବାବୁ ତାକୁ କହିଲେ । ସେ କହିଲା–ଆଜ୍ଞା, ଅନ୍ଧାର ରାତି, ବାଟରେ କୁକୁର ବୁଲୁଚନ୍ତି ଗଣ୍ଡା ଗଣ୍ଡା । ମୁଁ ପୁଣି ମହାଭୟାଳୁ । ଏଥିରେ କେମିତି ଯିବି ? ରାତିରେ ଯିବାଆସିବା ମୋ ଦେଇ ହୋଇପାରିବ ନାହିଁ । ଏହା ଶୁଣି ବାବୁ ବାଧ୍ୟହୋଇ କହିଲେ–ହଉ ତେବେ, ସକାଳେ ଆଣିବୁ ।

 

ଆଉଦିନେ ରାତିରେ ହଠାତ ବାବୁଙ୍କର କଟକ ଯିବାକୁ ପଡ଼ିଲା । ସେ ଚାକରକୁ କହିଲେ– ଆରେ ହେ, ମୁଁ ଗଲାବେଳକୁ ପାନ ଫାନ ଭାଙ୍ଗି ସପତ୍ରେ ସଜାଡ଼ି ରଖିବୁ । ସେ କହିଲା– ଆଜ୍ଞା ମୁଁ ବଡ଼ ନିଦ୍ରାଳୁ, ରାତିରେ ମୋ ଦେହି ଏସବୁ କଥା ହୋଇପାରିବ ନାହିଁ । ବାବୁ କହିଲେ– ହଉ, ଆଚ୍ଛା, ଅମେ କରିଦବା । ଆଉ କ’ଣ କରାଯାଏ ?

 

ଦିନେ ଜଣେ ଭଦ୍ରଲୋକ ବାବୁଙ୍କ ଘରକୁ ଆସିଲେ । ବାବୁ ଚାକରକୁ ଡାକି କହିଲେ– ଏ ଯେଉଁ ଭଦ୍ରଲୋକ ଆସିଛନ୍ତି, ତୁ ତାଙ୍କ ପାଖରେ ତାଙ୍କର ଯାହା ଦରକାର, ସେ ସବୁ, କରିଦେବୁ-। ସେ କହିଲା– ଆଜ୍ଞା, ମୁଁ ବଡ଼ ଭୋଖାଳୁ । ଏତେ କାମ ମୁଁ କରିପାରିବି ନାହିଁ । ବାବୁ କହିଲେ– ଆଚ୍ଛା, ଚାକରାଣୀକି କହିବା, ସେ ସବୁ କରିଦବ ।

 

ବାବୁଙ୍କର କେତେଗୁଡ଼ିଏ ସଉକିନ ଜିନିଷ ଥିଲା । ଚାକର ତା’ ଭିତରୁ କେତେଗୁଡ଼ିଏ ଜିନିଷ ୟାକୁ ତାକୁ ବାଣ୍ଟିଦେଲା । କେତେଦିନ ପରେ ବାବୁ ସେ ଜିନିଷ ଯିବା କଥା ଜାଣିପାରି ପଚାରିଲେ– କିରେ, ଆମକୁ ନ ପଚାରି ଏ ସବୁ ଜିନିଷ କିମିତି ବାଣ୍ଟି ଦେଲୁ ? ସେ କହିଲା– ଆଜ୍ଞା, ମୁଁ ଟିକିଏ ଦୟାଳୁ, କାହାର ଦୁଃଖ ସମ୍ଭାଳିପାରେ ନାହିଁ । ସେଇଥିରୁ ତ ଦେଇ ପକାଇଚି, ଆଉ କରିବି କ’ଣ ? ବାବୁ କହିଲେ– ତୁ କ’ଣ ଇମିତି କରୁଥିବୁ, ମୁଁ ସହୁଥିବି ! ଏଣିକି ସାବଧାନ ରହ ।

 

ସେ କହିଲା– ଆଜ୍ଞା, ମୁଁ ତ ମୂଳରୁ କହିଚି, ମୋର ଟିକିଏ ଆଳୁଦୋଷ ଅଛି । ଆପଣ ରାଗିଲେ ମୁଁ କ’ଣ କରିବି ? ବାବୁ ଆଉ କିଛି ନ କହି ତୁନିହେଲେ । ବାବୁ ଚାକରର ଇମିତି ବହୁତ ଆଳୁଦୋଷ ସହିଲେଣି କେବଳ ଚାକର ପଳାଇବ ବୋଲି ।

 

ଦିନେ ବାବୁ କଚେରି ଯିବା ପରେ ସେ ତାଙ୍କର ଯୁବତି ଝିଅକୁ କ’ଣ ରହସ୍ୟ କଥା କହିଲା । ଝିଅ ସେଥିରେ ରାଗିମାଗି ବାପା ଆସିବାରୁ ସବୁ କଥା କହିଲା । ବାବୁ ଝିଅ କଥା ଶୁଣି ରାଗରେ ଜଳିଯାଇ ଚାକରକୁ ଡାକି ପଚାରିଲେ–କି ବେ, ତୁ ଆଜି ଝିଅ ସାଆନ୍ତାଣୀଙ୍କି ଇମିତି ଖରାପ କଥା କାହିଁକି କହିଲୁ ?

 

ସେ କହିଲା– ଆଜ୍ଞା, ମୁଁ ଟିକିଏ ରସାଳୁ । ସେ ଆଳୁଦୋଷ ଅଛି, ମୁଁ ଆଉ କ’ଣ କରିବି-?

 

ବାବୁ ଦେଖିଲେ ଯେ ଦିନକୁଦିନ ଏହାର ଆଳୁଦୋଷ ବଢ଼ିଲା; ଆଉ ସହି ହେବନାହିଁ । ସେ ଆଉ ବିଳମ୍ବ ନ କରି ସାଙ୍ଗେ ସାଙ୍ଗେ ଉତ୍ତମ ମଧ୍ୟମ ଦେଇ ତାକୁ ବାହାର କରିଦେଲେ । ବିଚରା ଦିହରେ ମୁଁଣ୍ଡରେ ପାଇ କାନମୁଣ୍ଡା ଆଉଁସି ଆଉଁସି କାନ୍ଦି କାନ୍ଦି ବାହାରିଗଲା ।

 

ଆଳୁ ଦୋଷରୁ ଶେଷକୁ ୟା ନ ହୋଇ ଆଉ କ’ଣ ହୁଅନ୍ତା ?

񤦬񤦬񤦬

 

ଯବ୍ ଯାଉ, ତବ ବାଗ ନ ଯାଉଁ

 

ଭାଲୁଗୁଡ଼ାକ ପାଚିଲା ଆମ୍ବ ଖାଇବାକୁ ବାଇ । ଆମ୍ବଦିନରେ ଦିନେ ରାତିରେ ଗୋଟିଏ ଭାଲୁ ଗୋଟେ ତୋଟାକୁ ଗଲେ । କେତେ ଆମ୍ବ ଝଡ଼ିକରି ରଣି ବିଛଣି ହୋଇ ପଡ଼ିଥାଏ । ଭାଲୁଟା ବୁଲି ବୁଲି ଗୁଡ଼ିଏ ଆମ୍ବ ଖାଇଲା । ଗୋଟିଏ ଆମ୍ବରେ ଗୋଟିଏ ବିଛା କିମିତି ପଶି ଯାଇଥିଲା । ଭାଲୁ ଦୈବାତ ସେ ଆମ୍ବଟା ଖାଉ ଖାଉ ବିଛା ଜୀବନ କଲବଲରେ ଭାଲୁର ଜିଭକୁ ରଟକିନା କାମୁଡ଼ିଦେଲା । ସେଥିରେ ଜିଭରୁ ରକ୍ତ ବାହାରିଲା । ଜିଭଟା ହାଉ ହାଉ ହୋଇ ପୋଡ଼ିଲା । ଭାଲୁ ସେଥିରେ କଲବଲ ହୋଇ ପ୍ରତିଜ୍ଞା କଲା–

 

‘ଆଉ ବାଗ ନ ଯାଉଁ ।’

 

ବାଗ ଯିବ ନାହିଁ ବୋଲି ତ ପ୍ରତିଜ୍ଞା କରିଚି, ପୁଣି କେଉଁ ମୁହଁରେ ଯିବ ? ଖାଲି ବିଲ ବିଲ ପଡ଼ିଆ ବୁଲିଲା, । ବିଲପଡ଼ିଆରେ କେଉଁ ଖାଇବା ଜିନିଷ ଅଛି ଯେ ସେ ଖାଇବ ? ଭୋକ ଦାଉରେ ସେ ପ୍ରତିଜ୍ଞା ଭାଙ୍ଗି ପୁଣି ନୂଆ ପ୍ରତିଜ୍ଞା କରି କହିଲା–

 

‘ଯବ ବାଗ ଯାଉଁ, ତବ ଆମ ନ ଖାଉଁ ।’

 

ଏଥର ପ୍ରତିଜ୍ଞା ଟିକିଏ ତଳକୁ ଖସିଲା । ଆଳେଇ ପାଳେଇ ହେଇ ବଗିଚାଟା ଯାକ ବୁଲିଲା । ସେ ତ ଖାଲି ଆମ୍ବ ତୋଟାଟେ । ଆଉ କେଉଁ ଫୁଲ ଫଳ ଅଛି ଯେ ଆମ୍ବ ନ ଖାଇ ତା’ ଖାଇବ ? ଆମ୍ବ ପୁଣି ରଣି ବିଛଣି ହୋଇ ତୋଟାଯାକ ପଡ଼ିବ । ଏଣେ ଭାଲୁକୁ ଟାଇଁ ଟାଇଁ ଭୋକ କରୁଚି । ବିଚରା କ’ଣ କରିବ ? ସେଇଠୁଁ ଆଗ ପ୍ରତିଜ୍ଞା ଭାଙ୍ଗି ପୁଣି ପ୍ରତିଜ୍ଞା କରି କହିଲା–

 

“ଯବ ଖାଉଁ, ଛତର ଛାୟା,

କବ ନ ଖାଉଁ ଲତପତାୟା” ।

 

ଏ ପ୍ରତିଜ୍ଞା ଅନୁସାରେ ଯେଉଁ ଆମ୍ବସବୁ ପଡ଼ି ଛତର ଛାଉଳି ହୋଇଥିଲା, ତାକୁ ସବୁ ଖାଇଲା; ଆଉ ଲତପତ ଆମ୍ବ ଖାଇଲା ନାହିଁ । ଛତର ଛାଉଳି ଆମ୍ବ ଅବା କେତେ ପାଇବ ? ପଛକୁ ସବୁ ଭୁଲିଯାଇ ଛତରଛାୟା, ଲତପତାୟା ସବୁ ଖାଇଲା । ଲୋଭ ଛାଡ଼ିବା ସହଜ କଥା ନୁହେଁ ।

񤦬񤦬񤦬

 

ହେ, ହେ, ମୋରାଣଟି, ଖଣ୍ଡେ ହେଲେ ପେଟିମାଛ ଖାଆ

 

ଗୋଟିଏ ଘରେ ବୁଢ଼ା ବୁଢ଼ୀ ଦି’ଜଣ ଥିଲେ । ପିଲପିଚିକା କେହିନଥିଲେ । ବୁଢ଼ା ବୁଢ଼ୀକି ଭାରୀ ଭଲପାଏ । ଦିନେ ବୁଢ଼ା ହାଟବଜାର ବୁଲି ବୁଲି ଆସିଲା । ସେ କେଉଁଠାରେ ଗୋଟିଏ ମାଛ ମୂଲେଇଥିଲା । ଭାଉ ବେଶି ହେବାରୁ ଆଣିଲା ନାହିଁ । ମାଛ ନ ଆଣିଲା ସିନା, ସେ ମାଛ ତା’ ମନରୁ ପାଶୋର ଯାଉନଥାଏ ।

 

ବୁଢ଼ା ଘରେ ପହଞ୍ଚିଲା । ବଜାରରୁ ଯାହା ଯିମିତି ଆଣିଥିଲା, ତା’ ସବୁ ବୁଢ଼ୀକି ଦେଲା । ବୁଢ଼ୀ ସେସବୁ ଧରି ରନ୍ଧାବଢ଼ା କରିବାକୁ ବାହାରିଲା । ବୁଢ଼ାର ତ ମାଛ କଥା ମନରେ କୁଟି ହଉଚି । ସେଇଥିରୁ ବୁଢ଼ୀକି ଡାକି କହିଲା, କ’ଣ ପଳାଇଲ କ’ଣ ଶୁଣ, ଶୁଣ । ଆଜି ହାଟକୁ ଗୁଡ଼ିଏ ଭଲ ମାଛ ଆସିଲା । ତାକୁ ଦେଖି ମୋ ମନ ରବେ ଇଖବେଇ ହେଲା । ମାଛପସରା ପାଖକୁ ଗଲି, ବାଛିକରି ଖଣ୍ଡେ ମୂଲେଇଲି । ସେ କହିଲା, ତିନି ଅଣା, ମୁଁ କହିଲି ଦିଅଣା । ବହୁତ ଭିଡ଼ାଓଟରା ହେଲା । ସେ ରାଣ୍ଡୀ ଜମା ତଳକୁ ଖସିଲା ନାହିଁ, ପଇସାଟାଏ ସୁଦ୍ଧା କାଟିଲା ନାହିଁ । ଭାଉ ନ ପଟିବାରୁ ଛାଡ଼ି ଦେଇ ଆସିଲି । ଛାଡ଼ି ଆସିଲି ସିନା, ମନଟା ବଡ଼ ସନ୍ତରପନ୍ତର ହେଉଚି । ମାଛଖଣ୍ଡ ନଈମାଛ, ନିଶ୍ଚେ ଚିକ୍‍କଣ ଲାଗିଥାନ୍ତା । ଏବେ ମଧ୍ୟ ମାଛଖଣ୍ଡ ଆଖିକି ଦିଶିଯାଉଚି । ତା’ କଥାକୁ ମୋ କଥା ଗୋଟେ ନୁହେଁ, ଯୋଡ଼େ ନୁହେଁ, ଚାରି ପଇସା ଛାଡ଼ିଲା । ନୋହିଲେ କ’ଣ ଆଣିନଥାନ୍ତି ?

 

ବୁଢ଼ୀ ଏହା ଶୁଣି ସ୍ନେହରେ ତରଳିଯାଇ କହିଲା– ୟା ନାଁ ଗୋଟେ କଥା ? ମାଛ ଖଣ୍ଡ ତ ଆଣିଥାନ୍ତ, ମୁଁ ରାନ୍ଧିବାଢ଼ି ଦେଇଥାନ୍ତି, ଖାଇଥାନ୍ତ ।

 

ବୁଢ଼ା କହିଲା– ମୁଁ କ’ଣ ଏକୁଟିଆ ଖାଇଥାନ୍ତି ? ତୁମକୁ ନ ଦେଇ ମୋ ପେଟକୁ ଯାଆନ୍ତା ?

 

ବୁଢ଼ୀ କହିଲା– ତୁମେ ଦେଲେ କ’ଣ ମୋ ପେଟକୁ ଯାନ୍ତା ? ତୁମେ ଏଡ଼ିକି ଶରଧାରେ ବୋହି ବୋହି ଆଣିବ, ମୁଁ କ’ଣ ଖାଇବି ମ ?

 

ବୁଢ଼ା କହିଲା– ଉହୁଁ, ୟେ ଗୋଟେ କଥା ? ତୁମେ କାଟିବ, କେଳେଇବ, ଧୋଇବ, ବାଟିବ, ରାନ୍ଧିବ, ବାଢ଼ିବ, ଏତେ କଥା କରିବ, କିଛି ଖାଇବ ନାହିଁ ?

 

ବୁଢ଼ୀ କହିଲା– ହଁ ମ, ଏତେ କଥା କଲେ କ’ଣ ହେଲା ? ତୁମେ ଖାଇଲେ କ’ଣ ମୋ ପେଟକୁ ଗଲାନାହିଁ ।

 

ବୁଢ଼ା କହିଲା– ନା, ନା, ତୁମକୁ ମୋ ରାଣ ଅଛି । ତୁମେ କିଛି ନ ଖାଇଲେ ମୋ ମନରେ ଦୁଃଖ ରହିଯିବ ।

 

ବୁଢ଼ୀ କହିଲା– ହଉ, ହେଲା । ଯେବେ ଏତେ ରାଣ ପକାଉଚ, ତେବେ ଲାଞ୍ଜ ଟିକିଏ ଖାଇଦେବି ।

 

ବୁଢ଼ା କହିଲା– ୟା ନାଁ ଗୋଟେ କଥା । ମୁଁ ଏଡ଼େ ଶରଧାରେ ଆଣିବି, ତୁମେ ଖାଇବ ଲାଞ୍ଜ ଟିକିଏ ? ଏ କଥା ଭଲା କାହାକୁ ଭଲ ଲାଗିବ ?

 

ବୁଢ଼ୀ କହିଲା– ହଉ, ଏତେ ମନଦୁଃଖ କରୁଚ ଯେବେ, ତେବେ ମୁଣ୍ଡ ଟିକିଏ ଖାଇବି ।

 

ବୁଢ଼ା କହିଲା– ନାହିଁ, ନାହିଁ, ମୋ ରାଣଟି, ତୁମେ ପେଟିମାଛ ଖଣ୍ଡେ ଖାଅ ।

 

ବୁଢ଼ୀ କହିଲା– ଆଉ ତେବେ, କ’ଣ ନ ହେଲା କି, ମୁଁ ଖାଇବି ପେଟି ମାଛ ! ଶୁଣିଲେ ଲୋକେ ହସିବେ, ତୁମେ ଖାଅ ପେଟ; ମୋର ମୁଣ୍ଡ ଟିକିଏ ହେଲେ ହେଲା ।

 

ବୁଢ଼ା ସ୍ନେହରେ ଏତେ ବଳାଇଲେହେଁ ବୁଢ଼ୀ ପେଟମାଛ ଖାଇବାକୁ ନ ମଙ୍ଗିବାରୁ ବୁଢ଼ା ରାଗିଯାଇ କହିଲା– ହଇଲୋ ରାଣ୍ଡୀ ! ମୁଁ ଏତେ ରାଣ ପକେଇଲି, ଏକା ଜିଦ୍ ଧରିଛୁ ପେଟମାଛ ଖାଇବି ନାହିଁ; ଖାଇଲେ ଖାଇବି ଲାଞ୍ଜ, ନ ହେଲେ ମୁଣ୍ଡ ? ରାଗରେ ଏହା କହି ବୁଢ଼ା ମାଇଲା ଏକ ଗୋଇଠା ଯେ ବୁଢ଼ୀ ସେଇ ଗୋଇଠାକେ ଗଡ଼ି ଗଡ଼ି ଯାଇ ତଳେପଡ଼ି ଚେତା ବୁଡ଼ିଗଲା ।

 

ଆଉ ରୋଷେଇବାସ କିଏ କରିବ ? ସବୁ ବନ୍ଦ । ବୁଢ଼ା ବୁଢ଼ୀର ନାକ ଫୁଙ୍କି ରାତିଯାକ ସେବା କରିବାରେ ରାତି ପାହିଗଲା ।

 

ମାଛ ନ ଆସି ତ ଏ ଅବସ୍ଥା, ମାଛ : ଆସିଥିଲେ ବୁଢ଼ୀ ଆଉ ବଞ୍ଚିଥାନ୍ତାଟିକି ?

 

ବୁଢ଼ାର ବୁଢ଼ୀଠେଇଁ କେଡ଼େ ସ୍ନେହ ?

񤦬񤦬񤦬

 

ଦୁଇ ଅଳସୁଆ

 

ଗୋଟିଏ ସଡ଼କର ଗୋଟିଏ କଡ଼ରେ ଦୁଇଟା ଅଳସୁଆ ପଡ଼ି ରହିଥାନ୍ତି । ଜଣେ ଲୋକ ବୋଝେ ପାଚିଲା ଆମ୍ବ ନେଇ ସେ ବାଟେ ଯାଉଥିଲା । ଗୋଟେ ଅଳସୁଆ ଦୈବାତ ଆଖି ଫିଟାଇ ଚାହିଁଦେଲା ବେଳକୁ ଦେଖିଲା-ଗୋଟେ ଆମ୍ବ ବୋଝ ଯାଉଚି । ଆମ୍ବ ଦେଖି ଖାଇବାକୁ ତା’ ମନ ଲାଳେଇଲା । ମନ ସିନା ହେଲା ଉଠି କରି ବୋଝିଆ ପାଖକୁ ଯାଉଚି କିଏ । ତେବେ ଏତକ କଲା ଯେ, ସେହିଠାରେ ସିମିତି ପଡ଼ିରହି ଆମ୍ବ, ବୋଝିଆକୁ କହିଲା ହେ ଭାଇ ! ଏତେ ଆମ୍ବ, ନଉଚ, ଗୋଟେ ହେଲେ ପକାଇଦେଇ ଯା ମ । ବୋଝିଆ କହିଲା– ତୋଟାମାନଙ୍କରେ ତ ଆମ୍ବ ଗାଈ ଚରୁଚନ୍ତି, ଯାଉନାହୁଁ, ସେଠି ଖାଇଦେଇ ଆସିବୁ ? ଗୋଟେ ମାଗୁଚୁ କିଆଁ ? ସେ କହିଲା– ଏତେ ବାଟ ଗଲେ ତ ? ଏତେ ଆମ୍ବ ନଉଚ, ଗୋଟେ ଦେଲେ କ’ଣ ସରିଯିବ ? ଦେ ଭାଇ, ଗୋଟେ ଦେ । ଏହିପରି ନକସ୍ତକ ହୋଇ ବହୁତ ପ୍ରାର୍ଥନା କଲା । ବୋଝିଆ ବାଧ୍ୟହୋଇ ବୋଝରୁ ଆମ୍ବ କାଢ଼ି କହିଲା– ହଉ, ତେବେ ନେ । ସେ କହିଲା ଦବୁ ଯେବେ ଟିକିଏ ପାଖକୁ ଆ । ଯିବା କଥା ହୋଇଥିଲେ ଆମେ ଆଣନ୍ତୁ ନାହିଁକି ? ବୋଝିଆ କହିଲା– ଆମ୍ବ ଦେବି, ପୁଣି ପାଖକୁ ଯାଇ ଦେବି-? ସେ କହିଲା– ୟା କ’ଣ ହୁଏ ନାହିଁ, ମୋ ଭାଇଟା ପରା । ଦି ପାହୁଣ୍ଡ ଚାଲିଆସିଲେ କ’ଣ ଦିହଟା ସରିଯିବ ? ବୋଝିଆ ଯିବାକୁ ତରତର ହେଉଥାଏ । ସେ ଦେଖିଲା ଯେ ୟା ସାଙ୍ଗେ କଥାବାର୍ତ୍ତା ନକରି ଆମ୍ବଟିଏ ଦେଇ ଶୀଘ୍ର ଯିବା ଭଲ । ନହେଲେ ଡେରି ହେବ । ୟା ବିଚାରି ସେ ତା’ ପାଖକୁ ଆମ୍ବ ଦେବାକୁ ଗଲା । କହିଲା ହଉ ତେବେ ନେ । ସେ କହିଲା– ଭାଇ ! ଏତେ କଥା ତ କଲୁ-। ଏବେ ମୁଁ ଆଁ କରୁଚି, ଆମ୍ବଟା ଟିକିଏ ମୋ ମୁହଁରେ ଚିପୁଡ଼ି ଦେ । ଏହା ଶୁଣି ବୋଝିଆ ବିରକ୍ତ ହୋଇ କହିଲା– କେମନ୍ତ ? ଆମ୍ବ ମାଗିଲୁ : ଆମ୍ବ ଦେଲି । ପୁଣି ତୋ ମୁହଁରେ ଚିପୁଡ଼ି ଦେବି ? ତୋ ପରି କୋଢ଼ିକି ଆମ୍ବ ଦେବା ଉଚିତ ନୁହେ । ଫେର୍ କ’ଣ ଭାବି ତା’ ମୁହଁରେ ଆମ୍ବ ଚିପୁଡ଼ି ଦେଲା । ଏହା ଦେଖି ଆର ଅଳସୁଆ କହିଲା– ଭାଇ ! କହନା, ଏ ଶଳାଟା ଭାରି ଅଳସୁଆ-। ତା’ କଥା ଶୁଣିଲେ ପରା ରାଗ ହଉଚି ! କ’ଣ କହିବି ? ହେଇଟି ଏଇଲାଗେ ପରା ଗୋଟେ କୁକୁର ମୋ ମୁହଁରେ ମୁତୁଚି, ଏ ଶଳାଟା ବଲବଲ କରି ଚାହିଁଚି, ଟିକିଏ ଛିକି ଛିକି କରି ଦଉ ନାହିଁ-। ଏ ଶଳା ଏଡ଼ିକି ଅଳସୁଆ ! ଇମିତି ଅଳସୁଆକୁ ମୋ ଆମ୍ବ ଦେବା ଉଚିତ ନୁହେଁ । ଏହା ଶୁଣି ବୋଝିଆ କହିଲା,–ସବୁ ବୁଝିଲି, ଏଇଟା ଏଡ଼େ ଅଳସୁଆ ? ଦେଖୁଚି–ତୋ’ ମୁହଁରେ କୁକୁର ମୁତୁଚି, ଛିକି ଛିକି କରିଦେଲା ନାହିଁ ? ନ କଲା ତ ନାହିଁ, ତୋର କ’ଣ କ୍ଷତି ହୋଇଗଲା ? କୁକୁର କ’ଣ ସବୁବେଳେ ମୁହଁରେ ମୁତୁଚି ? ତା’ କଥା ଜଣାପଡ଼ିଲା । ୟା ଜାଣିଥିଲେ ଆମ୍ବଟା, ଏଭଳି ଅଳସୁଆକୁ ନ ଦେଇ ତୋରି ଭଳି ଚଞ୍ଚଳିଆକୁ ଦେଇଥାନ୍ତି । ଏହା କହି ତା’ ବାଟ ସେ ଧଇଲା-

 

ଯାହା ମୁହଁରେ କୁକୁର ମୁତିଲା, ସେ ପୁଣି ଅଳସୁଆ ନୁହେଁ ? ପୃଥିବୀରେ ଇମିତି ଅଳସୁଆ ପୁଣି ଅଛନ୍ତି ?

񤦬񤦬񤦬

 

ପଣ୍ଡିଆଣୀ ଲୋ ମୋ କର୍ଣ୍ଣ ଗଲା

 

ଗୋଟିଏ ଗାଁରେ ଜଣେ ଲୋକର ଗୋଟିଏ ଗାଈ ଥିଲା । ଗାଈଟି ବଡ଼ ଓଲିଆ । ପଘାରୁ ଫିଟିଲେ ତାକୁ ଆଉ ଧରେ କିଏ ? ରୋଜ ୟା ବାଡ଼ି, ତା’ ବାଡ଼ି ଭାଙ୍ଗି ଖଦା କରେ । ତା’ ଯୋଗୁଁ ପ୍ରତିଦିନ ବୋଲଣା ଶୁଣିବାକୁ ହୁଏ । ସନ୍ଧ୍ୟା ହେଲେ ଦି’ଜଣ ତିନିଜଣ ପଘା ପାଞ୍ଚଣ ଧରି ଗାଁଟାଯାକ ନ ଖୋଜିଲେ ନ ଚଳେ । ଦିନେ ଦିନେ ମଧ୍ୟ ଦେଖା ଦର୍ଶନ ମିଳେ ନାହିଁ । ଇମିତି ଗାଈ ରଖି ଖାଲି ଦହଗଞ୍ଜ ହବାକଥା । ସେ ଗାଈ ଯୋଗୁ ଘରବାଲା ବଡ଼ ଦିକଦାର ହେଲାଣି । ଦିନେ ସେହିପରି ବହୁତ ଖୋଜି ଖୋଜି ରାତି ପହରକୁ ଗାଈକି ବାନ୍ଧି ଘରକୁ ଆସିଲା । ସେଦିନ ତାକୁ ଏତେ କାଟିଥାଏ ଯେ, ଭାର୍ଯ୍ୟାକୁ କହିଲା– ଏ ଗାଈକି ରଖି ଆଉ ମଙ୍ଗଳ ନାହିଁ । ରାତି ପାହିଲେ ସକାଳେ ଯାହାକୁ ଦେଖିବି, ତାକୁ ନିଶ୍ଚେ ଦେଇଦେବି ।

 

ଘରବାଲା ଏକଥା କହିଲାବେଳେ ସେ ଗାଁର ବାୟା ପଣ୍ଡା ସେ ବାଟ ଦେଇ ଯାଉଥିଲା । ସେ ଘରବାଲାର ଗାଈ ଦବା କଥା ଶୁଣି ତାକୁ ସତ ବିଚାରି ଘରକୁ ଯାଇ ପଣ୍ଡିଆଣୀକି କହିଲା– ବୁଝିଲୁ, କାଲି ସକାଳେ ଅଗା ଦାସ ତା’ ଗାଈଟା ଯାହାକୁ ଇଚ୍ଛା ତାକୁ ଦେଇଦେବ ବୋଲି ପ୍ରତିଜ୍ଞା କରିଚି । ତୁ ଯେବେ କହିବୁ, ତେବେ ମୁଁ ଯାଇ ଗାଈଟି ଆଣନ୍ତି ।

 

ପଣ୍ଡିଆଣୀ କହିଲା– କ’ଣ ପଚାରୁଚ ହେ ? ଆମର ତ ଗାଈଟିଏ ନାହିଁ ବୋଲି ଦୁଧ ଟିକିଏ, ଦହି ଟିକିଏ ଦେଖିବାକୁ ସ୍ଵପ୍ନ । କିଛି ନ ହେଲେ ଗୋବର ଲଣ୍ଡେ ତ ମିଳିବ ? ଗୋଟେ ମାଗଣା ଦେବାକୁ ଯାଉଚି, ଲୋକ ଏହା ଛାଡ଼େ ?

 

ପଣ୍ଡା କହିଲା– ଯେବେ ଆଣିବା, ତେବେ ତାକୁ ତୁ ଖୁଆଇପିଆଇ ଚଳାଇବୁ ଟିକି ?

 

ପଣ୍ଡିଆଣୀ କହିଲା– ସେଥିକି ତୁମେ ଭାବନା କର ନାହିଁ । ସେସବୁ କଥା ମତେ ଲାଗିଲା ।

 

ପଣ୍ଡା କହିଲା– ଆଲୋ ! ଭଲକଥା ମନେପଡ଼ିଲା । ସେ ଗାଈ ଦେବ, ସେ ତ ପଘା ଦେବ ନାହିଁ । ପଘାଟିଏ ସିନା ଆମ ଘରୁ ନେଲେ ହେବ ? ଆମର ପଘା କାହିଁ ?

 

ପଣ୍ଡିଆଣୀ କହିଲା– କାହିଁକି ମ ! ପଘା ସିନା ନାହିଁ, ସେ କ’ଣ ବଳେଇବ ? ଆମ ଘରେ ତ ଗୁଡ଼େ ହାତକଟା ସୂତା ଅଛି । ମୁଁ ସେଥିରେ ପଘାଟିଏ ବଳି ଦେଇପାରିବି ନାହିଁ ? ଶିଳ ମହର୍ଗରେ କ’ଣ ବାହାଘର ରହିଯିବ ?

 

ପଣ୍ଡା କହିଲା– ତେବେ ପଘା କଥା ତତେ ଲାଗିଲା ହୁଁ, ଆଉ ଗୋଟିଏ କଥା । ମତେ ଟିକିଏ ରାତିରୁ ଉଠାଇଦବୁ । ବଡ଼ି ଭୋରରୁ ନ ଗଲେ ଗାଈଟି ପୁଣି ଆଉ କିଏ ନେଇଯିବ ।

 

ପଣ୍ଡିଆଣି କହିଲା– ହଉ, ତୁମେ ନିଶ୍ଚିନ୍ତ ହୁଅ । ମୁଁ ରାତି ନ ପାହୁଁ ଅନ୍ଧାର ଥାଇ ଉଠାଇଦେବି ।

 

ସତକୁ ସତ ରାତି ନପାହୁଣୁ ପଣ୍ଡିଆଣୀ ପଣ୍ଡାକୁ ଉଠାଇ ଦେଲା ! ପଣ୍ଡା ମୁହଁ ନ ଧୋଇ ନୂଆ ସୂତା ପଘା ଧରି ଅଗା ଦାସ ଦୁଆରେ ହାଜର । ସେତେବେଳକୁ ଅଗା ଦାସ ଦୂଆର ଫିଟିନଥାଏ । ପଣ୍ଡା ବସିରହିଲା । କେତେବେଳେ ଉତ୍ତାରୁ ଅଗା ଦାସ ନିଦରୁଉଠି ମୁହଁ ଧୋଇବ ବୋଲି ପାଣି ଢାଳଟେ ଧରି ଦୁଆର ଫିଟାଇ ପିଣ୍ଡାକୁ ବାହାରି ପଡ଼ିବା ବେଳକୁ ଦେଖିଲା ବାୟା ପଣ୍ଡା ପଘା ଧରି ବସିଚି । ସେ ତାକୁ ଅଧୁଆ ମୁହଁରେ ଚାହିଁ ଦେଇ ବିରକ୍ତ ହୋଇ କହିଲା– କିଓ, ରାତି ନ ପାହୁଁ କିଆଁ ଆସି ବସିଚ ?

 

ପଣ୍ଡା କହିଲା– ଗାଈ ନବାକୁ ଆସିଚି ପରା ? ମୋର ତ ଗାଈ ନାହିଁ, ଗାଈଟି ମତେ ଦାନ କଲେ ତୁମର ବହୁତ ପୁଣ୍ୟ ହେବ ।

 

ଅଗା ଦାସ ରାଗିଯାଇ କହିଲା କିଓ, ଗାଈ କ’ଣ ? ଦାନ କ’ଣ ? ସକାଳୁ ଆଜି ଗୁରୁବାରରେ ତୁ ଇମିତି କଥା କାହିଁକି କହୁଚୁ ?

 

ପଣ୍ଡା କହିଲା– ତୁମେ କହିଥିଲ ବୋଲି ଆସିଲି ନା, ନହେଲେ ମୁଁ କାହିଁକି ଆସିଥାନ୍ତି ?

 

ଅଗା ଦାସ ଏହା ଶୁଣି ରାଗିଯାଇ କହିଲା– ହଇବେ, ମୁଁ ତତେ କହିଥିଲି ତତେ ଗାଈ ଦେବି ବୋଲି ? ସେ କହିଲା– ମତେ କହିନଥିଲ ଯେ, ରାତିରେ ତୁମ ଘରେ କହୁଥିଲ–ଏ ଗାଈକି ମୁଁ ପାରିବି ନାହିଁ ସକାଳେ ଯାହାକୁ ହେଲେ ଦେଇଦେବି । ମୁଁ ସେଇକଥା ଶୁଣି ଆସିଚି ସିନା । ନହେଲେ ଆସନ୍ତି କିଆଁ ? ଅଗା ଦାସ କହିଲା– ଆବେ, ମୁଁ କାହାକୁ କ’ଣ କହିଲି, ତୋର କ’ଣ ଗଲା ! ଶଳା, ମୋ ପିଣ୍ଡାରୁ ଉଠୁଚୁଟିକି କହି ତା’ କାନ ମୁଣ୍ଡାକୁ ଗୋଟିଏ ବ୍ରହ୍ମ ଜାବେଡ଼ା ବଜାଇଲା-। ସେଇ ଗୋଟାକ ଜାବେଡ଼ାରେ ତା’ ଗିରି ଭାଁ ଭାଁ ହୋଇଗଲା । ସେତିକିରେ ସେ ପଣ୍ଡା ପଣ୍ଡିଆଣୀଲୋ, ମୋ କର୍ଣ୍ଣ ଗଲା, କର୍ଣ୍ଣ ଗଲା ବୋଲି କହି କହି କାନ ମୁଣ୍ଡା ଆଉଁସି ଆଉଁସି ଘରକୁ ଗଲା । ପିଣ୍ଡା ପର୍ଯ୍ୟନ୍ତ ସେ ସେଇପରି ବୋବାଳି ଛାଡ଼ିଥାଏ ।

 

ପଣ୍ଡିଆଣୀ ଯେତେବେଳେ ଶୁଣିଲା– ଉଁ, ହାଁ, ହଁ, ମୋ କର୍ଣ୍ଣ ଗଲା, ଦୁଆର ଫିଟା, ସେତେବେଳେ ସେ ବିଚାରିଲା–ଗାଈ ନାଁ କର୍ଣ୍ଣ ହୋଇଥିବ ଯେ ପଣ୍ଡା ତାକୁ ଆଣି ଦୁଆର ଫିଟାଇବାକୁ ଡାକୁଚନ୍ତି । ୟା ବିଚାରି ଆନନ୍ଦରେ ଦୁଆର ଫିଟାଇ ଦେଖେ ତ ଗାଈ ଫାଇ କିଛି ନାହିଁ, ପଣ୍ଡେ କାନମୁଣ୍ଡା ଆଉଁସି ଆଉଁସି ରଡ଼ି ଛାଡ଼ିଚନ୍ତି । ୟା ଦେଖି ସେ ପଚାରିଲେ– କିଏ ୟେ କ’ଣ ହେଲା ?

 

ପଣ୍ଡା କଇଁ କଇଁ ହୋଇ କହିଲେ– ଆଲୋ ମୋ କର୍ଣ୍ଣ ଗଲା, କର୍ଣ୍ଣ ଗଲା ।

 

ପଣ୍ଡିଆଣି କହିଲା– ଆୟେ, ମୋ କର୍ଣ୍ଣ ଗଲା କ’ଣ ? ମୁଁ ତ କିଛି ବୁଝିପାରୁ ନାହିଁ ?

 

ପଣ୍ଡା କହିଲା– ଆଲୋ ବୁଝିବୁ କ’ଣ ? ମୋ କାନମୁଣ୍ଡା ଦେଖୁନାହୁଁ, କେଡ଼େ ଫୁଲିଚି । ସେ କହିଲା– କିଏ, ୟା କିଆଁ ହେଲା ? ପଣ୍ଡା କହିଲା– ଆଲୋ, ମୁଁ ଯିମିତି କହିଚି ମୁଁ ଗାଈ ନବାକୁ ଆସିଚି, ଏତିକିରେ ଅଗା ଦାସ ରାଗିଯାଇ କଷିକରି ଗୋଟେ ଚାପୁଡ଼ା ଏଇ କାନମୁଣ୍ଡାକୁ ବଜେଇଲା । ଏଇ ତ ଦଶା, ଆଉ କହିବ କ’ଣ । ପଣ୍ଡିଆଣୀ ବିକଳ ହୋଇ ପଣ୍ଡାଙ୍କ ହାତ ଧରି ଘରକୁ ନେଲା । ମୁନ୍ଦେ ରାଶି ତେଲ ଆଣି ପହରେ କାଳ କାନମୁଣ୍ଡାରେ ଘଷିବାରେ ପଣ୍ଡେ ଟିକିଏ ଥୟ ଧଇଲେ ।

 

ଗାଈ ତ ଯାହା ମିଳିଲା ମିଳିଲା, ଫଳରେ ହାତକଟା ସୂତାତକ ପଘାରେ ଗଲା । ପଣ୍ଡାଙ୍କ କାନମୁଣ୍ଡା ଚିତଉ ପିଠା ପରି ଫୁଲିଗଲା ।

񤦬񤦬񤦬

 

ଯଖନ ଯେମନ ତଖନ ତେମନ

 

ମହରମ ପଠାଣମାନଙ୍କର ଗୋଟିଏ ବଡ଼ ପର୍ବ । ଏଥିରେ ରଙ୍ଗ ନେଳି କାଗଜ, ରଙ୍ଗତା, ଜରି ଜମ୍ବୁରରେ ଜଡ଼ୌତ କରି ନାନାପ୍ରକାର ବିମାନ ତିଆରି କରନ୍ତି । ତାକୁ ତାଜିଆ କହନ୍ତି । ଗୋଟିଏ ଗୋଟିଏ ତାଜିଆରେ ବହୁତ ବହୁତ ଟଙ୍କା ଖର୍ଚ୍ଚ ହୁଏ । ପଠାଣମାନେ ସେ ତାଜିଆକୁ କାନ୍ଧରେ ଧରି ବହୁତ ପ୍ରକାର ବାଜା ବଜେଇ ଦାଣ୍ଡରେ ଶୋଭଯାତ୍ରା କରି ଯାଆନ୍ତି । ତାଜିଆ ଆଗରେ ଦଣ୍ଡ କସରତ, ଛୁରି ଖେଳ, ପଟା ଖେଳ, ବନାଟି ଖେଳ, ଖଣ୍ଡା ଖେଳ ଏହିପରି ନାନା ଖେଳ ଲାଗିଥାଏ । ହଜାର ହଜାର ଦେଖଣାହାରୀ ସାଙ୍ଗରେ ଚାଲିଥାନ୍ତି । ପଠାଣଯାକ ହାସେନ ହାସେନ, ହାସେନ ହୋସେନ କହି ତାଳ ପକେଇଲା ପରି ଦି ହାତ ଛାତିରେ ବାଡ଼େଇ ଚାଲିଥାନ୍ତି ।

 

ଥରେ କଲିକତାରେ ମହରମରେ ଏହିପରି ଗୋଟିଏ ତାଜିଆ ଚାଲିଥାଏ । ଭକ୍ତମାନେ ହାସେନ ହାସେନ କହି କହି ଚାଲିଥାନ୍ତି । ସେତିକିବେଳକୁ ଆଗରୁ ଜଣେ ବୁଢ଼ା ନୈଷ୍ଠିକ ବ୍ରାହ୍ମଣ ଆସୁଥିଲେ । ସେ ଏ ଦଳବଳ ଦେଖି ହାସେନ ହାସେନ ଶୁଣି ଭୟ କରିଗଲେ । ବିଚାରିଲେ, ଏମାନେ ଯେପରି ଢଙ୍ଗରେ ଆସୁଛନ୍ତି, ମତେ ବ୍ରାହ୍ମଣ ଦେଖି ଯେବେ ଅତ୍ୟାଚାର କରନ୍ତି, ତେବେ ମୁଁ କରିବି କଅଣ ? ତେବେ ଏ ବିପଦରୁ ରକ୍ଷାପାଇବି କିପରି ? ସେ ତ ବ୍ରାହ୍ମଣ ଲୋକ, ହାସେନ ହାସେନ ତ କହିବେ ନାହିଁ; ଗୋଟିଏ ନୂଆ ଉପାୟ ପାଇଲେ । ଦେଖିଲେ ଯେ ୟାଙ୍କରି ପରି ତ ଦୈବାତ ମୋର ଦାଢ଼ି ଅଛି । ସମସ୍ତେ ତ ହାସେନ ହାସେନ କହିବାରେ ଏକ ପ୍ରକାର ପାଗଳ ହୋଇଛନ୍ତି । ଏ ଗୋଳମାଳ ଭିତରେ କିଏ କ’ଣ କହୁଚି, କେହି ଜାଣିବାକୁ ନାହିଁ । ସେ ଗୋଟିଏ କ’ଣ କହି ତାଙ୍କର ପରି ଛାତିରେ ହାତ ବାଡ଼େଇଲେ ତ ହୋଇଯିବ, ଆଉ ଚିନ୍ତା କ’ଣ ? ଏହା ବିଚାରି ସେ ବୁଢ଼ା ବ୍ରାହ୍ମଣ ଭୟ ଛାଡ଼ି ସେ ମେଳ ଭିତରେ ତାଙ୍କ ସ୍ୱରକୁ ସ୍ୱର ମିଳାଇ ଖାଲି କହୁଥାଏ– ଯଖନ ଯେମନ, ତଖନ ତେମନ, ଏହା କହି କହି ତାଙ୍କରି ପରି ଛାତିରେ ହାତ ବାଡ଼େଇ ବାଡ଼େଇ ସେ ମେଳରେ ଚାଲିଥାଏ । ପଠାଣସବୁ ବୁଢ଼ାକୁ ବିଚାରିଲେ, ତାଙ୍କରି ଭିତରୁ ଜଣେ ପଠାଣ ବୋଲି । ବୁଢ଼ା ସେତିକିରେ ମେଳାରୁ ରକ୍ଷା ପାଇ ଘରକୁ ଗଲା । ବୁଢ଼ା ସେତକ କଲା ବୋଲି ରକ୍ଷା ପାଇଗଲା । ନ ହେଲେ କ’ଣ ଗୋଟିଏ ହୋଇଯିବା ଅସମ୍ଭବ ନୁହେଁ ।

 

ପ୍ରକୃତରେ ଯଖନ ଯେମନ, ତଖନ ତେମନ ନକଲେ ଅନେକ ସମୟରେ ବିପଦରେ ପଡ଼ିବାକୁ ହୁଏ ।

 

ଆରେ ସତ ତ, ତତେ ଖାଇବାକୁ ମୋର ତ କାହିଁକି ମନ ହଉଚି

 

ଦିନେ ଗୋଟିଏ ଛେଳି ବଡ଼ ଚିନ୍ତାରେ ପଡ଼ିଲା । ସେ ଦେଖିଲା ଯେ, ଛେଳି ଜନ୍ମ ପାଇ ବଞ୍ଚି ରହିବା କାଠିକର ପାଠ ।" ବ୍ରହ୍ମା ଯେତେ ଜୀବଜନ୍ତୁ ସୃଷ୍ଟି କଲେ, କେହି ତ ମୋ ପରି ନୁହନ୍ତି । ମୋର ବଞ୍ଚିବାରେ ଯେତେ ଆଶଙ୍କା, ଆଉ କାହାରି ତ ସେତେ ନୁହେଁ । ବାଘ ହେଲେ ଯେ ତା’ର ମାରିବାକୁ ଦାନ୍ତ ରହିଲା, ପୁଣି ନଖ ରହିଲା । ତାକୁ ଯେବେ କିଏ ମାରିବାକୁ ଗଲା, ସେ ଦାନ୍ତରେ ନଖରେ ତାକୁ ଜିଣିଲା । କୁମ୍ଭୀର ତ ଦାନ୍ତରେ, ଲାଞ୍ଜରେ ବିପଦରୁ ଉଦ୍ଧାର ପାଇଲା । ଗାଈ ପାଖକୁ ଗଲେ ତ ସେ ଶିଙ୍ଘରେ ଭୂଷିଲା । ସାପର ବିଷ ଦାନ୍ତ ଯୋଗୁଁ ତା’ ପାଖ କେହି ମାଡ଼ିଲେ ନାହିଁ । ଏପରି ଗୋଟିଏ ଗୋଟିଏ ଜନ୍ତୁକୁ କାହାକୁ ଗୋଟିଏ, କାହାକୁ ଯୋଡ଼ିଏ ହତିଆର ବ୍ରହ୍ମା ଦେଲେ । ମତେ କାହିଁକି କିଛି ଦେଲେ ନାହିଁ, ମୁଁ ବୁଝିପାରୁନାହିଁ । ଓଲଟି ବାଘ କହ, କିମ୍ଭାର କହ, ସାପ କହ, ମଣିଷ କହ, ସମସ୍ତେ ମତେ ଖାଇବାକୁ ଆଗ । ବ୍ରହ୍ମାଙ୍କର ମୁଁ କି ଦୋଷ କଲି ଯେ ସେ ମତେ ଇମିତି ଜନ୍ମଦେଲେ । ଏଇଟା ନିଶ୍ଚୟ ବ୍ରହ୍ମାଙ୍କର ଅବିଚାର ।

 

ସେ ଏଇ କଥା ବୁଝି ଦିନେ ବ୍ରହ୍ମାଙ୍କ ପାଖକୁ ଗଲା । ବ୍ରହ୍ମା ଛେଳିକି ଦେଖି ପଚାରିଲେ– କିରେ ଛେଳି ! ତୁ କୁଆଡ଼େ ଆସିଲୁ ? ଛେଳି କହିଲା– ମହାପ୍ରଭୁ ! ତୁମେ ସଂସାରର ସବୁ ଜୀବଜନ୍ତୁ ସୃଷ୍ଟିକଲ; ଜୀବନ ରକ୍ଷା କରିବାକୁ କାହାକୁ ଦାନ୍ତ ଦେଲ, କାହାକୁ ଖଗ ଦେଲ, କାହାକୁ ନଖ ଦେଲ, କାହାକୁ ଶିଙ୍ଘ ଦେଲ । ଆଉ ମୁଁ ତୁମର କି ଦୋଷ କଲି ଯେ ଜୀବନ ରକ୍ଷାପାଇଁ ମତେ କିଛି ଦେଲ ନାହିଁ । ଓଲଟି ମଣିଷ କହିଲା– ମୋତେ ଖାଇବ, ବାଘ କହିଲା ଖାଇବ, ସାପ କହିଲା ଖାଇବ, କୁମ୍ଭୀର କହିଲା ଖାଇବ । ସମସ୍ତେ ତ କହିଲେ– ଖାଇବେ ବୋଲି । ଆଛା, ମୁଁ ବଞ୍ଚେ କିମିତି ? ଏଇଟା କ’ଣ ତୁମର ନ୍ୟାୟ ବିଚାର ?

 

ବ୍ରହ୍ମା କହିଲେ– ସମସ୍ତେ କହିଲେ ତତେ ଖାଇବେ ବୋଲି ? ହଁ, କହୁଥିବେ ତ । ଆରେ ମୋର ତ କାହିଁକି ତତେ ଖାଇବାକୁ ମନ ହଉଚି ।

 

ଛେଳି କହିଲା– ବାଃ, ମୁଁ ଖାସା ଗୁହାରି କରିବାକୁ ଆସିଲି । ଧନ୍ୟ ତୁମର ନ୍ୟାୟ ! ଧନ୍ୟ ତୁମର ବିଚାର !

񤦬񤦬񤦬

 

ସନା ବୋପା ଦନା ସିଇଁ, ଠୋଲା ଠୋଲା କରି ପିଠା ପିଇ

 

ଗୋଟିଏ ଗାଁରେ ଜଣେ ତନ୍ତୀ ଥିଲା । ତା’ର ଭାର୍ଯ୍ୟା ମଧ୍ୟ ଥିଲା । ତନ୍ତିଆଣୀଟି ଅଲିବଲୀ, ଅସନମୂଳି, କଳିକତୁରୀ । ସେ ରାନ୍ଧିବାଢ଼ି ଜାଣେନାହିଁ, କି, ଜିନିଷପତ୍ର ସଜାଡ଼ି ରଖି ଜାଣେନାହିଁ । ସେ ପୁଣି ଇମିତି କଳିକତୁରି ଯେ ସମସ୍ତଙ୍କ ସାଙ୍ଗରେ କଳି । ଦିପାଖ ପଡ଼ିଶାଘର ସାଙ୍ଗେ ଆଠକାଳି ବାରମାସି ଅପଡ଼ ।

 

ଦିନେ କାହିଁକି ତନ୍ତୀର ପିଠା ଖାଇବାକୁ ମନହେଲା । ସେ ଭାର୍ଯ୍ୟାକୁ କହିଲା– ଆଲୋ ! ମୁଁ ନଡ଼ିଆ ଆଣି ଦଉଚି, ଗୁଡ଼ ଆଣି ଦଉଚି; ତୁ ଆଜି ପିଠା କର, ଦିହେଁ ଖାଇବା । ସେ କହିଲା– ହଉ, ଆଣ । ତନ୍ତୀ ପିଠା ଜିନିଷ ଆଣିବାକୁ ବଜାରକୁ ଗଲା ।

 

ତନ୍ତିଆଣୀ ସବୁ ଆଣିବାକୁ କହିଦେଲା ସିନା, କେଉଁ ପିଠାଟି ଆସେ ଯେ ପିଠା କରିବ-? ଯାହା ହାତରେ ଖଡ଼ା ସିଝିବ ନାହିଁ, ସେ ପିଠା କ’ଣ କରିବ । ସେ ବଡ଼ ଭାଳେଣିରେ ପଡ଼ିଲା । ପଡ଼ିଶା ଘରକୁ ପଚାରନ୍ତା ଅବା, ତାଙ୍କ ସାଙ୍ଗରେ ତ କଳି, ମୁହଁ ଚୁହାଁଚାହିଁ ନାହିଁ । କେଉଁ ମୁହଁରେ ପଚାରିବ ? କ’ଣ କରିବ ବୋଲି ଭାବି ହେଉଥାଏ । କିଛି ଉପାୟ ନ ପାଇ କାନ୍ଥକୁ ବାଡ଼କୁ ଦେଖାଇ ପଡ଼ିଶା ଘରକୁ ଶୁଣାଇ କହିଲା– ଘରେ ପିଠା ହେବ ଯେ, କ’ଣ କରିବି ? ମୁଁ ତ ପିଠା କରି ଜାଣେନାହିଁ । କିଏ କହିଲେ ସିନା ହୁଅନ୍ତା ! କେହି ତ କଥା କହିବେ ନାହିଁ । ଆଉ କ’ଣ କାନ୍ଥବାଡ଼କୁ ପଚାରିବି ?

 

ତନ୍ତିଆଣୀ ଅଗଣାରେ ଏହିପରି ଦେଖେଇଶିଖେଇ କହିବାରେ ପଡ଼ିଶାଘର ଶୁଣିଲା । ପଡ଼ିଶାଘର ଜାଣିଛି–ଏଇଟା ଅସନମୁଳି, କିଛି ଜାଣେ ନାହିଁ । ତା’ ସାଙ୍ଗରେ ତ ତା’ର ପଡ଼ୁନଥିଲା । ସୁକଟ ଦେଖିବାକୁ ସେହିପରି କାନ୍ଥବାଡ଼କୁ ଦେଖାଇ କହିଲା–

 

କାନ୍ଥ ଶୁଣ୍ ବାଡ଼ ଶୁଣ୍,

ଯେତେ ଚୂନାକୁ ତେତେ ଲୁଣ୍ ।

ପାଣି ଦେଇଥିବ ଅଢ଼େଇ ଗୁଣ୍,

ତେବେ ସେ ଜାଣିବ ପିଠାର ଗୁଣ୍ ।

 

ତନ୍ତିଆଣୀ ଏତକ ଯହୁଁ ଶୁଣିଲା, ଭାବିଲା–ଏଇତ ପିଠା ଭାଗ, ଏଥର ମୁଁ କରିଦେବି ନାହିଁ କି ? ତନ୍ତୀ ସବୁ ଜିନିଷ ଆଣି ଦେଲା ! ତନ୍ତିଆଣୀ ରାନ୍ଧୁଣୀ ପଣିଆ ଦେଖାଇବାକୁ ଧଡ଼ପଡ଼ ହୋଇ ଉଠି ପଡ଼ିଶାଘରୁ ଯେଉଁ ଭାଗ ଶିଖିଥିଲା, ସେହିପରି ଲୁଣ, ପାଣି ଦେଇ ପିଠଉ କରି ପିଠା କରିବସିଲା । ତନ୍ତୀ ପିଠା ଖାଇବ ବୋଲି ଆଉ କୁଆଡ଼େ ନ ଯାଇ ହାଣ୍ଡିଶାଳେ ବସିଥାଏ । ତନ୍ତିଆଣୀ ପିଠୋଉତକ ହାଣ୍ଡିରେ ପୂରେଇ ଚୁଲିରେ ବସାଇ ନିଆଁ ଜାଳି ଖାଲି ଘାଣ୍ଟିଲା । ଘାଣ୍ଟି ଘାଣ୍ଟି କେତେବେଳେ ଉତ୍ତାରୁ ଚୁଲିରୁ କାଢ଼ି ଥୋଇଦେଇ, ତନ୍ତୀକି କହିଲା– ପିଠା ତ ହୋଇଗଲା, ଆସ ଖାଇବା । ତନ୍ତୀ ପିଠା ଖାଇବ ବୋଲି ଆନନ୍ଦରେ ଦଉଡ଼ିଆସିଲା । ଆସି ଦେଖେ ତ କଳା କଟକଟ ଅଟକାଳି ପାଣିଆଟିକେ । ୟା ଦେଖି କହିଲା– ପିଠା କ’ଣ ଇମିତି ? ୟାକୁ ମଣିଷ ଖାଇବ କିମିତି ?

 

ରାନ୍ଧୁଣୀ କହିଲା–

 

ସନା ବୋପା ଦନା ସିଇଁ,

ଠୋଲା ଠୋଲା କରି ପିଠା ପିଇ ।

 

ଆଉ ଚାରା କ’ଣ ଅଛି ? ତନ୍ତୀ ବିଚାର ସିଇଁଲା ଦନା, ପିଇଲା ପିଠା ।

 

ୟା ନାଁ ଯେ ରାନ୍ଧୁଣୀ !

񤦬񤦬񤦬

 

ଚୋରକୁ ହାତ କାମୁଡ଼ା ଶିଖେଇବା

 

ଜଣକ ଘରେ ରାତିଅଧରେ ଗୋଟିଏ ଚୋର ପଶିଲା । ଚୋର ଖଡ଼ଧଡ଼ କରିବାରେ ସେ ଘରର ପୁଅ ଜାଣିପାରି ଛପି ଛପି ଯାଇ ଚୋରକୁ ପଛଆଡ଼ୁ ଜକଟ ମକଟ କରି କୁଣ୍ଢେଇ ଧଇଲା । ସେଥିରେ ଚୋର ଦୁଇହାତ ବନ୍ଦ ହୋଇଗଲା । ଚୋରର ମନ, ୟାକୁ କିମିତି ଟାଙ୍କେ ଛେଚି ଖସି ପଳାନ୍ତା । ଦି ହାତ ତ ବନ୍ଦ, ଖସିବ କେତେକେ ? ଧରିବା ଲୋକ ମଧ୍ୟ ଆଉ କିଛି କରିପାରୁନଥାଏ । କାହିଁକିନା, ତା’ ଦି ହାତ ମଧ୍ୟ ବନ୍ଦ । ସେ କିଛି ଉପାୟ ନ ପାଇ ବାପକୁ ଡାକ ପକାଇଲା– ବାପା ହେ, ଚୋର ଧରା ପଡ଼ିଚି, ଦଉଡ଼ିଆସ । ମୁଁ ତାକୁ ପଛଆଡ଼ୁ କଠା ପକାଇ ଧରିଚି ।

 

ବାପା ଅତି ବୁଢ଼ା । ସେ ଚୋର ପାଖକୁ ଯିବାକୁ ଆହବି ପାରିଲା ନାହିଁ । ସେ ଦେଖିଲା ଯେ ଚୋର ହାତ ସିନା ବନ୍ଦ ଅଛି, ମୁହଁ ତ ବନ୍ଦ ନାହିଁ । କାଳେ ମୁହଁ ବୁଲାଇ ମୋ ପୁଅକୁ ପୂଳେ କାମୁଡ଼ି ଦେବ । ଏହି ଆଶଙ୍କାରେ ବୁଢ଼ା ଅତର୍ଛରେ ପାଟି କରି କହିଲା–

 

ଆରେ, ଉଲୁଟା, ଚୋର ହାତ ସିନା ବନ୍ଦ ଅଛି, ମୁହଁରେ କ’ଣ କାମୁଡ଼ି ଦେଇପାରିବ ନାହିଁ ? ଯେବେ ମୁହଁ ବୁଲାଇ କାମୁଡ଼ିଦିଏ, ତେବେ କ’ଣ କରିବୁ ? ଯାହା ହେଲା, ହେଲା । ସାବଧାନ ହୋଇ ଏବେ ଖସିଆ । ଚୋରକୁ ଉପାୟ ଦିଶୁନଥିଲା । ବୁଢ଼ା ଠଉଁ ଯହୁଁ ଏତକ ଅକଲ ପାଇଲା, ତହୁଁ କାମୁଡ଼ିବାକୁ ମୁହଁ ବୁଲାଇଲା । ପୁଅ ଏତିକିରେ ଅତର୍ଚ୍ଛାରେ ମୋ ବୋପା ଲୋ ବୋଲି ପାଟିକରି ଚୋରକୁ ଛାଡ଼ିଦେଇ ଭାଗ । ଚୋର ମଧ୍ୟ ସାଙ୍ଗେ ସାଙ୍ଗେ ଚମ୍ପଟ ।

 

ୟାକୁ କହନ୍ତି–ଚୋରକୁ ହାତ କାମୁଡ଼ା ଶିଖାଇବା ।

񤦬񤦬񤦬

 

ଭଗବାନ ଭୂତତାଂ ଗତଃ

 

ଜଣେ ଜଣେ ରଜା ଖୋସାମତିଆଙ୍କୁ ଭାରୀ ଭଲପାନ୍ତି । ତାଙ୍କୁ ଯେ ଟେକାଟେକି କରି କହିପାରିଲା, ସେ ହେଲା ରଜାଙ୍କର ପ୍ରିୟ । ସବୁ ରାଜୁଡ଼ାରେ ପଞ୍ଝେ ପଞ୍ଝେ ଇମିତି ଖୋସାମତିଆ ଥାଆନ୍ତି । ପର ନାଁରେ ଚୁଗୁଲି କରିବା ହେଲା ତାଙ୍କର ପ୍ରଧାନ କାମ । ସେଇଥିରେ ସେମାନେ ରଜାଙ୍କ ପାଖରେ ବଢ଼ିଆ ହୁଅନ୍ତି । ସେମାନଙ୍କୁ ଲୋକେ ରାଜ ଅନୁଗୃହିଆ ବୋଲି କୁହନ୍ତି । ରାଜ୍ୟ ମଧ୍ୟରେ ସେମାନଙ୍କର କରଣୀ ବଡ଼ କାଟୁ କରେ । ସେହିମାନଙ୍କ ଦାଉରୁ ଭଦ୍ରଲୋକେ ଆଉ ରଜା ପାଖ ମାଡ଼ନ୍ତି ନାହିଁ ।

 

ଗୋଟିଏ ଦେଶରେ ଜଣେ ରଜା ଥିଲେ । ତାଙ୍କର କିଛି ପଢ଼ାଶୁଣା ନଥିଲା । ତାଙ୍କର ପଞ୍ଝେ ଖୋସାମତିଆ ଥାଆନ୍ତି । ସେ ଖୋସାମତିଆଙ୍କ ଭିତରେ ଭଗବାନ ବୋଲି ଜଣେ ଲୋକ ଥିଲେ । ସମସ୍ତଙ୍କ ଅପେକ୍ଷା ତା’ର ରାଜ ଅନୁସରଣ ଟାଣ । ଭଗବାନ ପାଠ ଶାସ୍ତ୍ର କିଛି ଜାଣେ ନାହିଁ । ଖାଲି ୟା ନାଁରେ, ତା’ ନାଁରେ ରାତି ଦିନ ଗୁଡ଼େ ଚୁଗୁଲି କରେ । ରଜା ତ ଗଣ୍ଡ ମୂର୍ଖ, ସେ ଭଗବାନ କଥାରେ ଭଳିଯାଇ କାହାକୁ ଚାକିରିରୁ ବରଖାସ୍ତ କରନ୍ତି, କାହାର ଜାଗିରି କାଟନ୍ତି, କିଏ ରାଜ୍ୟରୁ ତଡ଼ା ହୁଏ, କାହାକୁ ରାଜଦ୍ଵାର ବାସନ୍ଦ; ଏହିପରି କିଏ କେତେ ଦଣ୍ଡ ପାଇଲେ । ରଜା ଭଗବାନ କଥାରେ ଚଳିବାରେ ତା’ର ଗର୍ବ ବଢ଼ିଗଲା । ସେ ଆଉ କାହାକୁ ମଣିଷ କରି ଖାତିର କଲା ନାହିଁ ।

 

ସମସ୍ତେ ଜାଣିଲେ–ଏ ସମସ୍ତର ମୂଳ କାରଣ ଭଗବାନ୍ । ତା’ର ଉପରେ ସମସ୍ତଙ୍କର ରାଗ ବଢ଼ିଲା । ତାକୁ କିମିତି ଠିକଣା ପାନେ ଦେବେ, ସମସ୍ତେ ସେଇ ଖଞ୍ଜ ଖାଞ୍ଜରେ ରହିଲେ । ଏଥିକି ରଜାଘର ଦୁଆରୀଠାରୁ ଆରମ୍ଭ କରି ବଡ଼ ବଡ଼ିଆ ପର୍ଯ୍ୟନ୍ତ କେହି ଭଗବାନର ନୁହନ୍ତି । ସମସ୍ତେ ଏକ ମେଣ୍ଟ ହେବାରେ ଦୁଆରୀ ଭଗବାନକୁ ଦୁଆରେ ରୋକିଲା । ରଜା ପାଖକୁ ଛାଡ଼ିଲା ନାହିଁ । ସେ ଆଉ ରଜାଘରକୁ ଯାଇପାରିଲା ନାହିଁ ।

 

ଭଗବାନ ଆଉ କିଛି ଉପାୟ ନ ପାଇ ଖଣ୍ଡିଏ କାଗଜରେ ସବୁ ବିଷୟ ଟିକିନିଖି କରି ଲେଖି ରଜାଘର ଗଉଡ଼ୁଣୀ ହାତରେ ରଜାଙ୍କ ପାଖକୁ ପଠାଇଲା । ଗଉଡ଼ୁଣୀ ଉଆସକୁ ଦୁଧ ଦହି ନେଇ ଗଲାବେଳେ ଚିଠି ଖଣ୍ଡି ଉଆସ ବେଭାରୀକି ଦେଇଆସିଲା । ଭଗବାନ ବେଭାରୀକୁ ମଧ୍ୟ ଛାଡ଼ି ନାହିଁ । ଥରେ ତାକୁ ଦଶଟଙ୍କା ଜୋରିମାନା କରାଇଥିଲା । ସେ ଯିମିତି ପାଇଲା ଭଗବାନ ଚିଠିକି, ତାକୁ ସାଙ୍ଗେସାଙ୍ଗେ ଚିରିଦେଲା । ଭଗବାନ ଏହିପରି କେତେ ଚିଠି ଲେଖିଲା; କିନ୍ତୁ ସମସ୍ତେ ତ ଶତ୍ରୁ, ଚିଠି ଦେବ କିଏ ? ସବୁ ଚିଠିତକ ଚିରା ହେଲା । ଭଗବାନର ଖବର ରଜା କିଛି ଜାଣିଲେ ନାହିଁ ।

 

ଭଗବାନ ବହୁ କାଳ ରଜାଙ୍କ ଛାମୁକୁ ନ ଆସିବାରୁ ରଜା ଦିନେ ପାଖଲୋକଙ୍କୁ ପଚାରିଲେ– ଭଗବାନ କାହିଁକି ଆସୁ ନାହିଁ ? ପାଖଲୋକେ କହିଲେ– ଆଜ୍ଞା, ଭଗବାନ ଆଉ ଅଛି-? ସେ କେତେ କାଳରୁ ମଲାଣି । ଏତେ ଲୋକ କହିବାରୁ ରଜା ସେଥିରେ ବିଶ୍ଵାସ କଲେ ।

 

ସେ ରାଜ୍ୟର ପ୍ରଧାନ ଠାକୁରଙ୍କର ପ୍ରତିବର୍ଷ ଗୋଟିଏ ବଡ଼ ଯାତ୍ରା ହୁଏ । ବହୁତ ଲୋକ ଜମା ହୁଅନ୍ତି, ଦୋକାନ ବଜାର ଗୁଡ଼ିଏ ବସେ, ରଜା ମଧ୍ୟ ବିଜେ କରନ୍ତି । ସେ ଉତ୍ସବ ଦିନ ହେଲା । ବହୁତ ଲୋକ ରୁଣ୍ଡ ହେଲେ । ରଜା ମଧ୍ୟ ବିଜେ କଲେ । ଭଗବାନ ଦେଖିଲା ଯେ ରଜାଙ୍କୁ ଦେଖା କରିବାର ଏ ଗୋଟିଏ ସୁବିଧା ବେଳ । ରଜାଘରକୁ ସିନା ଯାଇହେଲା ନାହିଁ, ରଜା ତ ପଦାକୁ ଆସିଲେଣି, ଆଉ ଦେଖାହେବାରେ ଅସୁବିଧା କ’ଣ ? ତେବେ ରଜାଙ୍କୁ ବହୁତ ଲୋକ ବେଢ଼ିଥିବେ, କେହି ତ ମତେ ସହିପାରନ୍ତି ନାହିଁ, ସେଇମାନେ ତ ଶତ୍ରୁ ହେବେ, ଭିତରେ ପୂରାଇ ଦେବେ ନାହିଁ । ଏଣୁ ଆଗରୁ ଯାଇ ଗୋଟିଏ ଗଛରେ ଚଢ଼ି ଲୁଚି କରି ରହିଲା ।

 

ରଜା ବିଜେ କରିବାରେ ଭଗବାନ ଗଛ ଉପରୁ କହିଲା– ଆଜ୍ଞା, ମୁଁ ଭଗବାନ, ଲୋକେ ମେଳି ବାନ୍ଧି ମତେ ଛାଡ଼ି ନ ଦେବାରୁ ମୁଁ ଛାମୁକୁ ଯାଇପାରୁ ନାହିଁ, ବହୁ କାଳ ହେଲା ଛାମୁକୁ ଯାଇ ନ ପାରି ବହୁତ କଷ୍ଟ ଭୋଗିଲିଣି । ଏହିପରି କେତେ କ’ଣ ଦୁଃଖ କହିଲା । ଦିନବେଳ ହୋଇଥିଲେ ସିନା ରଜା ଭଗବାନକୁ ଦେଖିପାରିଥାନ୍ତେ, ରାତି ଅନ୍ଧାରରେ ଦେଖିପାରିଲେ ନାହିଁ । ରଜା ଭଗବାନର କଥା ଶୁଣି ଲୋକଙ୍କୁ ପଚାରିଲେ କିଓ, ଭଗବାନ ତ ବଞ୍ଚିଚି, ମରିଚି ବୋଲି କିଏ କହୁଚି-? ଲୋକେ କହିଲେ– ନାହିଁ ଆଜ୍ଞା, ଭଗବାନ ଆଉ କାହୁଁ ଆସିବ ? ଭଗବାନ ମରିବାର ପରା ଚାରିମାସ ହେଲାଣି !

 

ରଜା କହିଲେ– ତେବେ ଏ ଗଛରେ କିଏ କଥା କହୁଚି ?

 

ଲୋକେ କହିଲେ– ଆଜ୍ଞା, ଛାମୁ ସିନା ଆଜି ଶୁଣିଲେ, ଆମେ ସବୁ ଚାରିମାସ ହେଲା ଗଛରୁ ବୁଦାରୁ, ଲଟିରୁ କେତେ କ’ଣ ଶୁଣୁଚୁ । ଆଜ୍ଞା, ତା’ ପୁଅ ପରା ଶୁଦ୍ଧି ନିଆଁଟିଏ କଲା ନାହିଁ । ଶାସ୍ତ୍ର କ’ଣ ମାହାଳିଆ ? ସେ ଆଉ ମୁକ୍ତ ହେଲା ? ଭୂତ ପ୍ରେତ ହୋଇ ବହୁତ ଉତ୍ପାତ କରୁଚି । ଭଗବାନ ଭୂତ ଯୋଗୁଁ ଲୋକେ ରାତିରେ ଘରୁ ବାହାରି ପାରୁନାହାନ୍ତି ।

 

ରଜା କହିଲେ– ତେବେ ଇମିତି କଥା ?

 

ତାପରେ ଭଗବାନ ଗଛ ଉପରୁ ରଜାକୁ ଯାହା ଯେତେ ବୁଝାଇ କହିଲେ, ରଜା ସେସବୁ କିଛି ଶୁଣିଲେ ନାହିଁ । ଭଗବାନ ନିଷ୍ଫଳ ହୋଇ ସେଇ ଅନ୍ଧାରରେ ଘରକୁ ଫେରିଲା । ଜୀବନଟା-ଯାକ ସେ ଆଉ ରଜା ମୁହଁ ଦେଖିନାହିଁ । ଲୋକଙ୍କ ତୁଣ୍ଡରେ ସେ ଭୂତ ହୋଇ ରହିଲା ।

 

ଏଥିପାଇଁ ବଡ଼ ବଡ଼ ଲୋକେ କହିଛନ୍ତି–

 

"ଚକ୍ରମ ସେବ୍ୟ ନୃପ ସେବ୍ୟୋ ନ ସେବ୍ୟ କେବଲଂ ନୃପଃ ।

ଅହୋ ଚକ୍ରସ୍ୟ ମାହାତ୍ମ୍ୟ ଭଗବାନ ଭୂତତାଂ ଗତଃ ।

񤦬񤦬񤦬

 

ସାହବଙ୍କ ଓଡ଼ିଆ ବକ୍ତୃତା

 

ଗୋଟିଏ ଚା ବଗିଚାରେ ଜଣେ ସାହେବ ମେନେଜର ଥିଲେ । ସେ ବଗିଚାର ଅଧିକାଂଶ କୁଲି ଓଡ଼ିଆ । ମେନେଜର ସାହେବ ସେମାନଙ୍କ ସାଙ୍ଗେ ବହୁଦିନ ଚଳାଚଳ ହବାରେ ଟିକିଏ ଟିକିଏ ଓଡ଼ିଆ ଶିଖିଗଲେ । କୁଲି ଗୁଡ଼ାକ ଅନେକ ସମୟରେ ସାମାନ୍ୟ କଥାରେ ୟେ ତାକୁ, ସେ ୟାକୁ ଶଳା ବୋଲି କହନ୍ତି । ସାହେବ ବହୁତ ବାର ଏ ଶଳା ଶବ୍ଦ ଶୁଣି ଜଣେ କୁଲିକି ପଚାରିଲେ– ଆଚ୍ଛା, ତୁ ତାକୁ କହୁଚୁ ଶଳା, ସେ ତତେ କହୁଚି ଶଳା, ଯେ ଯାହାକୁ ପାଉଚି, ସେ ତାକୁ କହୁଚି ଶଳା । ଆଚ୍ଛା,ଏ ଶଳା ଶବ୍ଦର ଅର୍ଥ କ’ଣ ?

 

ଜଣେ କୁଲି କହିଲା–ସାହେବ ! ଶଳା ହେଉଚି ପ୍ରିୟ ବନ୍ଧୁ । ସାହେବ ସେହିଦିନୁ ବୁଝିଲେ ଯେ ଶଳା ଅର୍ଥ ପ୍ରିୟ ବନ୍ଧୁ । ସାହେବ ସେଇଥିରୁ ବୁଝିଲେ ଓଡ଼ିଆରେ କାହାକୁ ପ୍ରିୟ ବନ୍ଧୁ କହିବା ଯାହା, ଶଳା କହିବା ତାହା ।

 

ଦିନେ କୌଣସି ସ୍ଥାନରେ ଗୋଟିଏ ବଡ଼ ସଭା ହେଲା । ସେଥିରେ ସଭାପତି ହେଲେ ସାହେବ । ଓଡ଼ିଆମାନେ ସେ ସଭା କରାଇଥିଲେ । ତେଣୁ ସାହେବ ଅନ୍ୟ ଭାଷାରେ ବକ୍ତୃତା ନ ଦେଇ ଓଡ଼ିଆରେ ବକ୍ତୃତା ଦେଲେ । ସେ ଠିଆହୋଇ ଆଗ ସମ୍ବୋଧନ କରି କହିଲେ– ଆହେ ଶଳାମାନେ ! ଏତିକି ତ କହିଚନ୍ତି, ଏତିକିରେ ସଭା ଗୋଟାକ ଲୋକ ନିଆଁବାଣ ହୋଇଉଠିଲେ । ସାହେବ ଏହା ଦେଖି କାବାହୋଇ ପଚାରିଲେ– ୟେ କ’ଣ ? ତୁମେ ସବୁ କାହିଁକି ଏପରି ଅଭଦ୍ର ବ୍ୟବହାର କରୁଚ ? ଲୋକେ କହିଲେ– କରିବୁ ନାହିଁ ? ତୁମେ ବାକି ରଖିଛ ? ସଭା ମଧ୍ୟରେ କହୁଚ କ’ଣ ନା, ଆହେ ଶଳାମାନେ ! ଆମେ କ’ଣ ସବୁ ତୁମର ଶଳା ? ସାହେବ କହିଲେ– କ’ଣ-? ନିଆଁରେ ଘିଅ ଢାଳିଲା ପରି ସାହେବଙ୍କ ଏ ଉତ୍ତରରେ ଲୋକେ ଆହୁରି ତେଜିଉଠିଲେ-। ସାହେବ କିଛି ବୁଝିପାରିଲେ ନାହିଁ । ଜଣେ ଭଦ୍ରଲୋକ ସାହେବଙ୍କୁ ବୁଝାଇ କହିଲେ– ଶଳା ହଉଚି ଭାର୍ଯ୍ୟାର ଭାଇ । ଏହା ଗୋଟିଏ କୁସ୍ତିତ ଗାଳି । ଆପଣ ଏପରି ଗାଳି ଦେବାରୁ ଲୋକେ ତେଜିଉଠିଲେ । ନହେଲେ ଏପରି ଅବସ୍ଥା କାହିଁକି ହୋଇଥାନ୍ତା ?

 

ସାହେବ କହିଲେ– ତୁମରି ଲୋକେ ତ କହିଥିଲେ ଶଳା ଅର୍ଥ ପ୍ରିୟ ବନ୍ଧୁ । ମୁଁ କ’ଣ ମନରୁ କହୁଥିଲି ? ଏହା ବୁଝିଥିଲି ବୋଲି ସିନା ସମ୍ବୋଧନ କଲି । ନହେଲେ କିଆଁ କହୁଥାନ୍ତି ? ଭଦ୍ରଲୋକ–ଶଳା ପ୍ରକୃତରେ ପ୍ରିୟବନ୍ଧୁ । ଏହା ବୋଲି ସମସ୍ତେ ଶଳା ? ଏଣିକି ଆପଣ କାହାକୁ ଶଳା ବୋଲି କହିବେ ନାହିଁ ।

 

ସାହେବ କହିଲେ– ଆଉ ଏଥିରେ କଥା ଅଛି ?

 

ସାହେବଙ୍କ ଓଡ଼ିଆ ଜ୍ଞାନ ଦେଖିଲ ତ ?

񤦬񤦬񤦬

 

ବେହେରାଙ୍କ ଅକଲ

 

ଜଣେ ସାହେବ ଏ ଦେଶକୁ ଗୋଟିଏ ବଡ଼ ହାକିମ ହୋଇ ଆସିଲେ । ବେଳେବେଳେ ତାଙ୍କୁ ମଫସଲ ଗସ୍ତ କରିବାକୁ ପଡ଼ୁଥିଲା । ସେ କାଳରେ ଏକାଳ ପରି ରେଳ ମଟର ନ ଥିଲା । ହାକିମ ହୁକୁମାମାନେ ସବାରିରେ ବା ତାମଯାନରେ ଯିବାଆସିବା କରୁଥିଲେ । ଥରେ ଗୋଟିଏ ବଡ଼ ଜରୁରୀ କାମରେ ସାହେବଙ୍କୁ ମଫସଲ ଯିବାକୁ ପଡ଼ିଲା । ତାଙ୍କ ଯିବାପାଇଁ ସବାରି ସଜ ହେଲା । ସାହେବ ସବାରିରେ ବସିଲେ । ବେହେରାମାନେ ହିଁ ହାଁ ଡାକ ପକାଇ ସବାରି ବୋହିଲେ-। ସାହେବ 'କହିଥାନ୍ତି– ଦେଖ, ଜରୋରି, କାମ ଅଛି, କେଉଁଠାଇଁ ସବାରି ନ ରଖି ଏକଦମ ଠିକଣା ଜାଗାରେ ପହଞ୍ଚାଇବ ।

ସାହେବ ବଡ଼ ମୋଟା ଲୋକ । ଦମ ନ ନେଇ ତାଙ୍କୁ ବହୁତ ବାଟ ନବା ଅସମ୍ଭବ । ବେହେରାମାନେ ଦୁଇ ତିନି କୋଶ ଯିବା ପରେ କାନ୍ଧକୁ କାଟିଲା । ରଖିଲେ ତ ସାହେବ ବାଡ଼େଇବ, କରିବେ କ’ଣ ? ଗୋଟାଏ ଉପାୟ ପାଞ୍ଚିଲେ । ସାହେବ ତ ଓଡ଼ିଆ ଜାଣେନାହିଁ, ଖଣ୍ଡି ଖଣ୍ଡିଆ ହିନ୍ଦୀ ଟିକଏ ଜାଣେ । ବେହେରା ତ ହମ୍ବର ଭାଇ, ଖବର ଖାଇ ଡାକମାରି ଚାଲିଥାନ୍ତି । ଯାଉ ଯାଉ ବାଟରେ ଗୋଟେ ତୁଳସୀ ବଗିଚା ଦେଖିଲେ । ସେହିଠାରେ ସବାରି ରଖିବାକୁ ଡକାହକା ପକାଇଲେ ସମସ୍ତେ ସବାରି ଥୋଇଦେଇ ତୁଳସୀ ଗଛ ମୂଳେ ଲମ୍ବ ଲମ୍ବ, ଦଣ୍ଡବତ କଲେ ।

ସବାରି ରଖିବାରୁ ସାହେବ ରାଗିଯାଇ ହିନ୍ଦୀରେ କହିଲା– କି ବେ, ୟେ କ’ଣ ? ସବାରି କାହିଁକି ବନ୍ଦ କଲ ?

ବେହେରାମାନେ କହିଲେ– ଆମ ଦେବତା ଦେଖିଲୁ, ତାଙ୍କୁ ଦଣ୍ଡବତ ନ କରି କିମିତି ଯାଆନ୍ତୁ ?

ସାହେବ କହିଲେ– ତୁମ ଦେବତା କାହିଁ ?

ବେହେରାମାନେ ତୁଲସୀଗଛକୁ ଦେଖାଇଦେଇ କହିଲେ– ହୁଜୁର, ଏଇ ଆମ ଦେବତା-। ବେହେରା ଗଛକୁ ଦେବତା କହିବାରେ ସାହେବ ରାଗି ମାଗି ତୁଳସୀ ଗଛ ଓପାଡ଼ି ଗୋଡ଼ରେ ହାତରେ ଦଳାଦଳି କରି ଫିଙ୍ଗି ଦେଇ କହିଲେ–ଲେଓ ତୋମାରା ଦେବତା ।

ବେହେରାମାନେ କିଛି ନ କହି ସବାରି କାନ୍ଧେଇ ବାହାରିଲେ । କିନ୍ତୁ ତୁଳସୀଗଛ ଓପାଡ଼ିବାରୁ ସମସ୍ତଙ୍କର ରାଗ ହେଲା । ସାହେବକୁ ପାନେ ଦବାକୁ ସମସ୍ତେ ମନେମନେ ପାଞ୍ଚିଲେ-। ପୁଣି ଦୁଇ ତିନିକୋଶ ଯିବା ପରେ ଗୋଟେ ବିଛୁଆତି ବଣ ପଡ଼ିଲା ।

ବିଛୁଆତି ବଣ ଦେଖି ବେହେରାମାନେ କଲେ କଣନା, ସବାରିକି ଥୋଇଦେଇ ସମସ୍ତେ ଦଉଡ଼ିଯାଇ ବିଛୁଆତି ମୂଳରେ ଲମ୍ବ ଲମ୍ବ ହୋଇ ଦଣ୍ଡବତ କଲେ । ସାହେବ ପୁଣି ସେହିପରି ଦେଖି ଅଧିକ ରାଗିଯାଇ କହିଲେ କେଉଁ ବା ଶାଲା ! ଫେର ଏ କ୍ୟା ?

ବେହେରାମାନେ କହିଲେ– ହଜୁର ! ପୁଣି ଦେବତା ଦେଖିଲୁ, ମୁଣ୍ଡିଆ ନ ମାରି ଗଲେ ଆମର ଅଧର୍ମ ହୁଅନ୍ତା ।

ସାହେବ ଅଧିକ ରାଗିଯାଇ କହିଲେ– ଫେର ତୁମ ଲୋକକା ଦୁସରା ଦେବତା କୋନ୍ ହେ ? ବେହେରାମାନେ ବିଛୁଆତି ଗଛକୁ ଦେବତା ବୋଲି ଦେଖାଇ ଦେବାରେ ସାହେବ ପୂର୍ବପରି ରାଗି ବିଛୁଆତି ଗଛକୁ ଓପାଡ଼ି ଦଳାଦଳି କରି ଦେହରେ ମୁଣ୍ଡରେ ବୋଳିହୋଇ ଫିଙ୍ଗିଦେଇ କହିଲେ– ଲେଓ ତୋମାରା ଦେବତା । ଶାଲା, ଫେର ଦେବତା ଦେଖାତା ।

ସାହେବ କଥା ସରିଛି କି ନାହିଁ, ହେଲା ଦିହ ମୁଣ୍ଡ କୁଣ୍ଡେଇ ଯେ ସାହେବ ଯାଏ କୁଆଡ଼େ ? ଦିହ ଗୋଟାଯାକ ରାମ୍ପୁଡ଼ି ବିଦାରି କଣ୍ଡୁ ଦାଉରେ କଲବଲ ହୋଇ ନାଚିଲା । ବେହେରାମାନେ ଏଇଥିପାଇଁତ ବିଛୁଆତି କି ଦେବତା କରିଥିଲେ । ସାହେବର ଅବସ୍ଥା ଦେଖି ମନେମନେ ଖୁସିହେଲେ ।

ସାହେବ ବିଛୁଆତି ଦେଖିନଥିଲେ, କି ତା’ ଗୁଣ ଜାଣିନଥିଲେ । ଏପରି ହେବାରୁ ପଚାରିଲେ– କେଉଁବେ, ଏଷା କେଉଁ ହୋତା ?

ବେହେରାମାନେ କହିଲେ– ହଜୁର ! ସେଥର ସାନ ଦେବତା ବୋଲି ସିନା କିଛି ହେଲା ନାହିଁ । ୟେ ପରା ବଡ଼ ଦେବତା । ତାଙ୍କୁ ନ ମାନିଲେ ସେ ଛାଡ଼ନ୍ତେ ? ସେଇଥିପାଇଁ ଏୟା ହେଲା-। ଏବେ ଆମ ଦେବତା ମହିମା ବୁଝିଲ ?

ସାହେବ କହିଲେ– ସବ ସମଝ ଗୟା । ତୁମ ଲୋଗ କୁଛ ବି କରୋ, ଆର କୁଛ ନେହିଁ ବୋଲେଙ୍ଗେ ।

ଏଥର ବେହେରାମାନେ ଅକଲ ଯୋଗୁଁ ରହି ବସି ଖୁସିରେ ଗଲେ ।

ବେହେରାଙ୍କ ଅକଲ ତ କମ୍ ନୁହେଁ ।

񤦬񤦬񤦬

 

କାଜି ବିଚାର

 

ଜଣେ ଇରାନୀ ସୌଦାଗର ଘୋଡ଼ା ପିଠିରେ ଜିନିଷ ଲଦି ଭାର୍ଯ୍ୟାକୁ ସାଙ୍ଗରେ ଧରି ବେପାର କରିବାକୁ ବାହାରିଲା । ସେ ଗୋଟିଏ ଗାଁରେ ପହଞ୍ଚି ଜଣେ କୁମ୍ଭାରର ବାଡ଼ିପଟେ ଆଶ୍ରାନେଲା ସେତେବେଳେ କୁମ୍ଭାର ଘରେ ନ ଥିଲା । ସୌଦାଗର ଘୋଡ଼ା ପିଠିରୁ ଜିନିଷପତ୍ର ଉତ୍ତାରିଦେଇ ଘୋଡ଼ାକୁ ଚରିବାକୁ ଛାଡ଼ିଦେଲା । ଭାର୍ଯ୍ୟାକୁ କୁମ୍ଭାର ପିଣ୍ଡାରେ ବସାଇଦେଇ ରୋଷେଇ ପାଇଁ ସଉଦା ଆଣିବାକୁ ଗଲା । ଘୋଡ଼ାଟି ବୁଲି ବୁଲି ଘାସ ଚରୁଥିଲା । କୁମ୍ଭାର ବାଡ଼ିଆଡ଼େ ଗୁଡ଼ାଏ କଞ୍ଚା ହାଣ୍ଡି, ମାଠିଆ ଖରାରେ ଶୁଖୁଥିଲା । ଘୋଡ଼ାଟା ଚରୁ ଚରୁ କେତେବେଳେ ଆସି ଭୂଇଁରେ ଗଡ଼େଇ–ତଡ଼େଇ ହେଲା । ଘୋଡ଼ାଟା ଗଡ଼େଇ ତଡ଼େଇ ହବାରେ କୁମ୍ଭାରର ସବୁତକ ହାଣ୍ଡି ମାଠିଆ ଗୁଣ୍ଡା ହେଇଗଲା । କେତେବେଳେ ଉତ୍ତାରୁ କୁମ୍ଭାର ଆସି ଦେଖେ ତ ତା’ ହାଣ୍ଡି ମାଠିଆ ସବୁ ଗୁଣ୍ଡ ହୋଇଯାଇଛି, ପିଣ୍ଡାରେ କେଉଁଠାର ଗୋଟିଏ ସ୍ତ୍ରୀଲୋକ ବସିଛି । ଏହି ସ୍ତ୍ରୀଲେକଟି ହାଣ୍ଡି ମାଠିଆ ଭାଙ୍ଗିଚି ବୋଲି ବିଚାରି କୁମ୍ଭାର ରାଗରେ ସେ ସ୍ତ୍ରୀଲୋକକୁ ହଗାଲଗା ମାଡ଼ ଚଢ଼ାଇଲା । ସେ ସ୍ତ୍ରୀଲୋକଟିର ନଅମାସ ଗର୍ଭ ହୋଇଥିଲା । କୁମ୍ଭାରର ମାଡ଼ରେ ତାର ଗର୍ଭ ନଷ୍ଟ ହୋଇଗଲା । ସେ ମଧ୍ୟ ଚେତା ବୁଡ଼ି ପଡ଼ିଗଲା । କିଛି ସମୟ ପରେ ଇରାନୀ ଆସି ଦେଖେତ ସର୍ବନାଶ । ସେ ଭାର୍ଯ୍ୟାଠାରୁ ସବୁକଥା ବୁଝିନେଇ ଆଉ ରୋଷେଇ କରିବ କ’ଣ, ଭାର୍ଯ୍ୟାକୁ ସାଙ୍ଗରେ ଧରି କାଜିଙ୍କ ପାଖକୁ ଗଲା ।

 

କାଜି ତାଠାରୁ ସବୁ କଥା ବୁଝିନେଇ ସାଙ୍ଗେ ସାଙ୍ଗେ କୁମ୍ଭାରକୁ ତଲବ କଲେ । କୁମ୍ଭାର ପହଞ୍ଚିବାରୁ ତା’ଠାରୁ ସବୁ କଥା ବୁଝିନେଲେ । ସେ ବୁଝିଲେ– କୁମ୍ଭାର ହାଣ୍ଡି ମାଠିଆ ଇରାନୀ ସ୍ତ୍ରୀ ଭାଙ୍ଗିନାହିଁ, ଘୋଡ଼ା ଗଡ଼ିବାରେ ଭାଙ୍ଗିଚି; ସୁତରାଂ ଏଥିପାଇଁ ଘୋଡ଼ା ଦୋଷୀ । ପୁଣି କୁମ୍ଭାର ନିର୍ଦ୍ଦୋଷରେ ଇରାନୀ ସ୍ତ୍ରୀକୁ ମାରିବାରେ ତା’ର ଗର୍ଭ ନଷ୍ଟ ହୋଇଚି; ତେଣୁ ଏଥିପାଇଁ କୁମ୍ଭାର ସମ୍ପୂର୍ଣ୍ଣ ଦୋଷୀ । ଏଥିକି କାଜି ରାୟ ଦେଲେ ଯେ ମାଠିଆ ଭାଙ୍ଗିବା ଦୋଷରୁ ଘୋଡ଼ାର ଚାରିଖୁରା ହଣାଯିବ ଏବଂ ଗର୍ଭ ନଷ୍ଟ କରିଥିବା ଦୋଷରୁ କୁମ୍ଭାର ଇରାନୀ ଭାର୍ଯ୍ୟାକୁ ପାଖରେ ରଖି ଗର୍ଭ କରାଇ ଫେରାଇଦେବ ।

 

କାଜିଙ୍କ ବିଚାରରେ ବିଚରା ଇରାନୀ ଥଣ୍ଡା । ବୁଝାମଣା କି, ନାହିଁ ନ ଥିବା ବୁଝାମଣା ପରା !

񤦬񤦬񤦬

 

ଶ୍ରାଦ୍ଧ ଠଉଁ ସଞ୍ଚାଦିଆ ଟାଣ

 

ଜଣେ ଗଉଡ଼ର ବାପ ଶ୍ରାଦ୍ଧ ପଡ଼ିଲା । ଏ ଶ୍ରାଦ୍ଧ ପୁଣି ପହିଲି ଶ୍ରାଦ୍ଧ । ଗଉଡ଼ କେବେ ଶ୍ରାଦ୍ଧ କରିନାହିଁ, କି, ଶ୍ରାଦ୍ଧ ଦେଖିନାହିଁ । ଶ୍ରାଦ୍ଧ ପାଇଁ ତ ପୁରୋହିତ ଦରକାର । ପୁରୋହିତ ଡକରା ହୋଇ ଆସିଲେ । ଶ୍ରାଦ୍ଧ ଜିନିଷସବୁ ପାଖରେ ଥୁଆହେଲା । ଗଉଡ଼ ଶ୍ରାଦ୍ଧ କରିବସିଲା । ସେ ତ କେବେ ଶ୍ରାଦ୍ଧ ଦେଖିନାହିଁ; ତେଣୁ ପୁରୋହିତ ଯାହା କହିଲେ, କିଛି ବୁଝିପାରିଲା ନାହିଁ । ପୁରୋହିତ କହିଲେ– ଆରେ ତୋ ଜାଣିବା ଦରକାର ନାହିଁ, ମୁଁ ଯାହା କହୁଚି, ତୁ ସେୟା କଲେ ଶ୍ରାଦ୍ଧ ହୋଇଯିବ । ଗଉଡ଼ ପୁରୋହିତଙ୍କର ଏକଥାକୁ ବେଦର ଗାର କରି ତାଙ୍କ କଥାକୁ ଚାହିଁ ରହିଲା । ସେ ତ ବୁଝିଚି–ପୁରୋହିତ ଯାହା କହିବେ, ସେ ସେୟା କହିବ । ସୁତରାଂ ପୁରୋହିତ ଯେତେବେଳେ କହିଲେ, ତୋ ବାପ ନାଁ କ’ଣ, ଗଉଡ଼ କହିଲା–ତୋ ବାପ ନା କ’ଣ ? ପୁରୋହିତ କହିଲେ– ଆରେ ଶଳାଟା ! ମୁଁ ପୁରୋହିତ–ତୋ ବାପ ନାଁ କ’ଣ ? ସେ ମଧ୍ୟ କହିଲା–ଆରେ ଶଳା-! ମୁଁ ପଚାରୁଚି–ତୋ ବାପ ନା କ’ଣ ? ସେ ସେହିପରି କହିଲା–ଆରେ ଶଳା ମୂର୍ଖ ! ମୁଁ ପଚାରୁଚି–ତୋ ବାପ ନାଁ କ’ଣ ? ସେ ସେହିପରି କହିଲା ଆରେ ଶଳା ମୂର୍ଖ ! ମୁଁ ପଚାରୁଚି–ତୋ ବାପ ନାଁ କ’ଣ ? ପୁରୋହିତ ଅଧିକ ରାଗିଯାଇ କହିଲେ– ଶଳାକୁ ବଜେଇବି ଯେ । ସେ ମଧ୍ୟ କହିଲା– ଶଳାକୁ ବଜେଇବି ଯେ । ପୁରୋହିତ ସମ୍ଭାଳି ନ ପାରି ତା’ ଗାଲରେ ଠୋ କରି ଚାପୁଡ଼ା ମାଇଲେ । ସେ ମଧ୍ୟ ପୁରୋହିତଙ୍କ ଗାଲରେ ସେହିପରି ଠୋ କରି ଚାପୁଡ଼େ ମାଇଲା । ଇମିତି ହଉ ହଉ ଦୁହେଁ ଧରାଧରି ମରାମରି ହୋଇ ଓଳିଆ ଭାଡ଼ି ପର୍ଯ୍ୟନ୍ତ ଗଲେ । ଏପରି ମାଡ଼ପିଟ ହେବାରେ ପଡ଼ିଶାଘର ଶୁଣି ଗଉଡ଼ୁଣିକି ଡାକି ପଚାରିଲା– କିଓ, ତୁମ ଶ୍ରାଦ୍ଧ କେଉଁଯାଏ ଗଲା ? ଗଉଡ଼ୁଣୀ କହିଲା– ଆମ ଶ୍ରାଦ୍ଧ ଓଳିଆ ଭାଡ଼ି ତଳଯାଏ ଗଲାଣି । ୟା ଶୁଣି ପଡ଼ିଶାଘର ହସି ହସି ଗଡ଼ିଗଲେ-। ପୁରୋହିତ ନିର୍ଦ୍ଧୂମ ମାଡ଼ ଖାଇ ଘରକୁ ଗଲେ । ଏତିକିରେ ଶ୍ରାଦ୍ଧ ଶେଷ । ପୁରୋହିତେ ଇମିତି ଶ୍ରାଦ୍ଧ କେବେ କରିନଥିଲେ । ଏ ଶ୍ରାଦ୍ଧରେ ତାଙ୍କ ଦେହମୁଣ୍ଡ ପାଚିଗଲା । ଗାଁଲୋକେ ସବୁ କଥା ଶୁଣି ବଡ଼ ବ୍ୟସ୍ତ ହେଲେ ।

 

ଶ୍ରାଦ୍ଧ ତ ଯାହା ହେଲା ହେଲା, ପୁରୋହିତଙ୍କୁ ପୁଣି ସଞ୍ଚା ଦିଆଯିବା ତ ଦରକାର । ସୁତରାଂ ଗଉଡ଼ ତହିଁ ଆରଦିନ ଗୋଟିଏ ସଞ୍ଚା ସଜାଡ଼ି ପୁରୋହିତଙ୍କ ଗାଁକୁ ଗଲା । ଗାଁଲୋକେ ତ ଗଉଡ଼ର ସବୁ କୀର୍ତ୍ତି ଶୁଣିଥିଲେ, ତାକୁ ଯିମିତି ଦେଖିଲେ ପାଞ୍ଚ ସାତ ବଛା ବଛା ଯୁଆନ ତା’ ଉପରେ ଦେଲେ ହଗାଲଗା ମାଡ଼ । ବିଚରା ନିର୍ଦ୍ଧୂମ ଛେଚାଟେ ପାଇ ଉଲୋ ମାଲୋ ହୋଇ ଗାଁକୁ ଗଲା । ତାକୁ ବିଥେଇଁ ହେବାର ଦେଖି ଲୋକେ ପଚାରିଲେ– କିରେ ! ଇମିତି କାହିଁକି ହେଉଚୁ ? ସେ କହିଲା– କହନା ଭାଇ ! ଶ୍ରାଦ୍ଧକୁ ସଞ୍ଚା ବଳକା । ଲୋକେ ସବୁ ଘଟଣା ଶୁଣି କହିଲେ– ସତେ ତ, ଶ୍ରାଦ୍ଧକୁ ସଞ୍ଚା ବଳକା !

񤦬񤦬񤦬

 

ଘରଜୋଇଁ ବଡ଼ ନାକରା ଜାତି

 

ଜଣେ ଲୋକର ଦୁଇଟି ଝିଅ ଥିଲେ । ସେ ଖୋଜି ଲୋଡ଼ି ଦୁଇଟି ଜୋଇଁ କଲା । ଦି ଜୋଇଁଙ୍କ ନାଁ ପୁଣି ବନମାଳୀ । ତା’ର ତ ପୁଅ ନ ଥିଲା; ତେଣୁ ବଡ଼ ଜୋଇଁକି ଘରଜୋଇଁ କରି ରଖିଲା । ସାନଜୋଇଁ ଘର ଦୂର ଗାଁରେ । ବଡ଼ ଜୋଇଁ ସବୁବେଳେ ଘରେ ରହିବାରୁ ଶାଶୁ, ଶଶୁର, ଗାଁ ଲୋକେ ସମସ୍ତେ ତାକୁ ବନା, ବନା ବୋଲି ଡାକନ୍ତି । ସେ ତ ସବୁଦିନେ ପୁଅ ପରି ଘରେ ରହିଲା; ସୁତରାଂ ତା’ ପାଇଁ ଅଧିକା କିଛି ରନ୍ଧାବଢ଼ା ହୁଏନାହିଁ । ଶାଗ, କାଞ୍ଜି, ଯେଉଁଦିନ ଯାହା ହୁଏ, ସେ ସେୟା ଖାଏ ।

 

କେବେ କିମିତି ଡକରା ଗଲେ ସାନ ଜୋଇଁ ଶଶୁର ଘରକୁ ଆସେ । ତା’ ପାଇଁ କ୍ଷୀରି, ଖେଚେଡ଼ି, ପିଠା, ପଣା କେତେ କରାହୁଏ । ଶାଶୁ ଶଶୁର ବନମାଳୀ, ବନମାଳୀ ବୋଲି ସ୍ନେହରେ ଘୋରି ପହରି ହୋଇଯାନ୍ତି । ବସିବାକୁ ଆସନ, ଶୋଇବାକୁ ଖଟପଲଙ୍କ ଦିଆଯାଏ ।

 

ସାନ ଜୋଇଁ ଖାଇବାକୁ ଥାଳି ଚାରିପାଖେ ତରକାରୀ ଗିନା ପୂର୍ଣ୍ଣ ହୋଇଥାଏ । ବଡ଼ ଜୋଇଁ ସେଦିନ ମଧ୍ୟ ମୁଠେ ଭଲକରି ଖାଇବାକୁ ପାଏ ନାହିଁ । ପୁଣି ବନମାଳୀ ଥିବା ପର୍ଯ୍ୟନ୍ତ ବନା ଶୋଇବାକୁ ଘରେ ଟିକିଏ ଥାନ ପାଏ ନାହିଁ । କାହିଁକି ନା, ଶଶୁରଙ୍କର ଘର ଅଳ୍ପ । ବନା ଜାଗା ନ ପାଇ ସନ୍ତରା ମସିଣା ଖଣ୍ଡେ କାଖରେ କାଖରେ ହାତରେ ଗୋଟେ ବଳିତା ଧରି ଶୋଇବ ବୋଲି ୟା ପିଣ୍ଡା, ତା’ ପିଣ୍ଡା ଖୋଜିବୁଲେ । ହୋଇପାରେ ? ଶଶୁରଘରେ ୟାଠାରୁ ବଳି ଆଉ କି ହୀନାବସ୍ଥା ହୋଇପାରେ ।

 

ଏହିପରି ଅବସ୍ଥା ହେବାରୁ ବନା କହିଲା–

 

ଦୂର ବନମାଳୀ ନିକଟ ବନା,

କାହିଁ ଚାରି କାହିଁ ଚଉଦ ଗିନା ।

କାଖେ କତରା ହାତରେ ବତୀ ,

ବନା ବୁଲୁଥାଇ ଅନ୍ଧାର ରାତି,

ଘରଜୋଇଁ ବଡ଼ ନାକରା ଜାତି ।

񤦬񤦬񤦬

 

ଦିଶୁ

 

ଜଣେ ଜୋଇଁ ଶଶୁର ଘରକୁ ଯାଇଥିଲା । ଜୋଇଁ ଯିମିତି ମୂର୍ଖ, ସିମିତି ଓଲୁ । ଶଶୁର ଘରେ ଦିନେ ଦୁଇ ଦିନ ରହିବା ପରେ ଜୋଇଁ ଗାଁକୁ ଆସିବାକୁ ବାହାରିଲା । ଜୋଇଁ ବାହାରିଲା ବେଳକୁ ଶାଶୁ ସ୍ନେହ କରି କିଛି ଜଳଖିଆ, ତା’ ସାଙ୍ଗେ ଖଣ୍ଡେ ଓଲୁଅ ଗୋଟିଏ ପୋଟଳାରେ ବାନ୍ଧି ପୋଟଳାଟା ଜୋଇଁଙ୍କି ଦେଇ କହିଲେ– ବାଟରେ ଭୋକ ହେଲେ, ଏଥିରୁ ଦିଶୁ ଖାଇବ, ବାକିତକ ଘରକୁ ନେବ । ଜୋଇଁ ପୋଟଳା ଧରି ବିଦାୟ ହେଲା । ଯାଉ ଯାଉ ବାଟରେ ଭୋକ ହେବାରୁ ପୋଟଳା ଫିଟାଇଲା । ଫିଟାଇ ଦେଖିଲା–ସେଥିରେ ଗୁଡ଼ିଏ ଜଳଖିଆ ଅଛି । ସେ ଓଲୁଅ କେବେ ଦେଖିନାହିଁ, କି, ଚାହିଁ ନାହିଁ । ସେଇଥିରୁ ତା’ ଭିତରେ ଥିବା ଓଲୁଅ ଖଣ୍ଡ ଚିହ୍ନିପାରିଲା ନାହିଁ । ଭାବିଲା–ତେବେ ଏଇଟା କ’ଣ ! ହଁ, ହଁ, ମନେପଡ଼ିଲା । ଶାଶୁ ତ କହିଥିଲେ ଏଥିରୁ ଦିଶୁ ଖାଇବ । ତେବେ ସେଇ ଦିଶୁ ଇଏ । ଶାଶୁ ତ କେତେ ସ୍ନେହରେ ଦିଶୁ ଦେଇଛନ୍ତି । ନିଶ୍ଚେ ୟେ ଭଲ ଜିନିଷ ହୋଇଥିବ ।

 

ୟା ବିଚାରି ଜଳଖିଆ ନ ଖାଇ ଭଲ ଜିନିଷ ବୋଲି ଓଲୁଅ ଖଣ୍ଡେ ଭାଙ୍ଗି ଭଡ଼ଭାଡ଼ କରି ଚୋବାଇଲା । ସେ ଆଉ କିଛି ନୁହେଁ, ଓଲୁଅ, ପୁଣି ବଣ ଓଲୁଅ । ବିଚରା ଯାଏ କୁଆଡ଼େ ? ଓଠ, ଜିଭ, କଣ୍ଠ ସମସ୍ତେ କୁଣ୍ଡେଇହେଲେ । ବିଚରା ଇମିତି ଛଟପଟ, କଲବଲ ହେଲା ଯେ ପ୍ରାଣ ହରାଇଦେବାକୁ ମନହେଲା । ସେ ରାଗରେ ଗୋଟାକ ସାତଟା ହୋଇ ଶାଶୁକୁ ଅଭାଷା ଦୁର୍ଭାଷା କରି ଯାହା ଗାଳିଦେଲା, ତାହା ତୁଣ୍ଡରେ ଧରିହେବ ନାହିଁ । କେତେବେଳ ଉତ୍ତାରୁ କୁଣ୍ଡା ଟିକିଏ କମିଯିବାରୁ ଘରକୁ ଗଲା । ଘରେ ପହଞ୍ଚି ଶାଶୁ–ରାଗତକ ଭାର୍ଯ୍ୟା ଉପରେ ସାଧିଲା । ଯାହା ତ ଶୋଧିଲା ,ଶୋଧିଲା; ପଛକୁ ତାକୁ ମାଡ଼ିବସି କିଛି ଦିଶୁ ଖୁଆଇଲା । ଭାର୍ଯ୍ୟା ଦିଶୁ ଖାଇ କଲବଲ ହେବାରେ ଲୋକେ ଜାଣିଲେ । ସମସ୍ତେ ମୂଳକଥା ବୁଝି କହିଲେ– ହଇରେ ମୂର୍ଖ ! ଦିଶୁର ଅର୍ଥ ଓଲୁଅ ବୁଝି ନିଜେ ଖାଇ ଯାହା ତ ଭୋଗିଲୁ ଭୋଗିଲୁ, ପଛକୁ ଭାର୍ଯ୍ୟାଟାକୁ ଗୁଡ଼ାଏ ଭୋଗାଇଲୁ ? ଧିକ୍କାର ହେଉ ତୋ ଜୀବନ ।

 

ଜୋଇଁ କି ? ଯୋଗ୍ୟ ଜୋଇଁଟିଏ ନା !

񤦬񤦬񤦬

 

ଜୋଇଁଙ୍କ ସନ୍ଧ୍ୟା

 

ଜଣେ ଜୋଇଁଙ୍କର ଶଶୁରଘରୁ ଡାକରା ଆସିଲା । ସେ ଲୁଗାପଟା ପିନ୍ଧି ଶଶୁରଘର ବେଶରେ ବାହାରିଲା । ଶଶୁରଘରେ ପହଞ୍ଚିଲା ବେଳକୁ ଠିକ୍ ସନ୍ଧ୍ୟା । ଜୋଇଁଙ୍କ ପାଇଁ ରନ୍ଧାବଢ଼ାର ବ୍ୟବସ୍ଥା ହେଲା । ଜୋଇଁତ ପୁଣି ବ୍ରାହ୍ମଣ । ସନ୍ଧ୍ୟାବେଳେ ସନ୍ଧ୍ୟା କରିବା କଥା । ଶାଶୁ ବୁଢ଼ୀ ସାନପୁଅ ହାତେ ଗୋଡ଼ ଧୋଇବାକୁ ଢାଳେ ପାଣି, ପିନ୍ଧିବାକୁ ଗୋଟିଏ ମଠା ପଠାଇଦେଲେ । ଜୋଇଁ ଏସବୁ ଦେଖି ପଚାରିଲେ–ୟାକୁ ସବୁ କାହିଁକି ଆଣିଲ ? ଶଳା କହିଲା–ଖାଇବାକୁ ହୋଇଗଲାଣି, ସନ୍ଧ୍ୟା କରିବ ପରା ? ଜୋଇଁ ଗଣ୍ଡମୂର୍ଖ, ସନ୍ଧ୍ୟା ଫନ୍ଧ୍ୟା କିଛି ଜାଣେନାହିଁ । ସେ ଭାବିଲା ଏ ଗାଁରେ ତେବେ ଝାଡ଼ା ଫେରିବାକୁ ସନ୍ଧ୍ୟା କହୁଥିବେ । ୟା ବିଚାରି ମଠାଟି ପିନ୍ଧି ଢାଳଟି ଧରି ଶଳାକୁ ପଚାରିଲା କେଉଁଠି ସନ୍ଧ୍ୟା କରିବି ? ଶଳା ଜୋଇଁକି ସାଙ୍ଗରେ ନେଇ ସନ୍ଧ୍ୟା କରିବା ଜାଗା ଦେଖେଇଦେଲା । ସେ ଜାଗାରେ ପାଟ ପଥର ପଡ଼ିଚି, ତଳକୁ ପାଣି ଗଡ଼ି ଯିବାକୁ ନଳା ହୋଇଚି । ଜୋଇଁ ଜାଗା ଦେଖିସାରିଲା ପରେ ଶଳାକୁ କହିଲା ତୁମେ ଯାଅ, ମୁଁ ସନ୍ଧ୍ୟା ସାରି ଯାଉଚି । ଶଳା ଚାଲିଗଲା ପରେ ଜୋଇଁ ବିଚାରିଲା ମୁଁ ଯାହା ଅନୁମାନ କରୁଥିଲି, ତାହା ଠିକ୍ । କାହିଁକି ନା, ଝାଡ଼ା ବସିବାକୁ ପାଟ ପଥରଗୁଡ଼ିଏ ପଡ଼ିଚି, ମୂତ ବୋହିଯିବାକୁ ନଳାଟିଏ ହୋଇଚି । ୟା ବିଚାରି ସେଠାରେ ଝାଡ଼ା ଫେରି ଧୁଆଧୋଇ ହୋଇ ଖାଇବାକୁ ଗଲେ । ଜୋଇଁ ସେଠାରେ ଏପରି ସନ୍ଧ୍ୟା କରିବା କଥା କେହି ଜାଣନ୍ତି ନାହିଁ । ଏହାପରେ ଶଶୁର, ଶଳାମାନେ ସନ୍ଧ୍ୟା କରିବାକୁ ଗୋଟିକ ପରେ ଗୋଟିଏ ସେଠାକୁ ବାହାରିଲେ । ଯେ ବାହାରିଲା–ଜୋଇଁ ତାକୁ କହିଲେ–ହାଁ,ହାଁ, ସିଆଡ଼େ ଯାଅନାହିଁ । ସେଠାରେ ସନ୍ଧ୍ୟା ହୋଇଚି ।

 

ଶାଶୁଘର କେବେ ଏକଥା କେହି କିଛି ବୁଝିପାରିଲେ ନାହିଁ । ଯାଇ ଦେଖନ୍ତି ତ ଯୋଗ୍ୟ ଜୋଇଁ ସେଠାରେ ଗଦାଟିଏ ବସାଇ ଦେଇଛନ୍ତି । ଏହା ଦେଖି ଶଳାମାନେ ପଚାରିଲେ– କିଓ, ୟେ କ’ଣ ତମ ଗାଁରେ ସନ୍ଧ୍ୟା ! ସାବାସ୍ !

 

ଜୋଇଁ ଆଉ କ’ଣ କହିବ ? ଲାଜରେ ତହିଁ ଆରଦିନ ରାତି ନ ପାହୁଣୁ କାହାକୁ କିଛି ନ କହି ଗାଁକୁ ଚମ୍ପଟ ।

 

ଏଇ ହେଲା ଯୋଗ୍ୟ ଜୋଇଁଙ୍କ ସନ୍ଧ୍ୟା ।

񤦬񤦬񤦬

 

ତନ୍ତୀଙ୍କ କୀର୍ତ୍ତନ

 

ଗୋଟିଏ ହାଟୁଆ ଗାଁ ଥିଲା । ସେଥିରେ ତେଲୀ, ତୁଳାଭିଣା, କଂସାରୀ, ତନ୍ତୀ ଏହିପରି ଗୁଡ଼ିଏ ପାଟକ ଜାତି ବାସ କରୁଥିଲେ । ଉତ୍ସବ ପର୍ବରେ ସମସ୍ତେ ମିଶି କୀର୍ତ୍ତନ କରନ୍ତି; ମାତ୍ର ତନ୍ତୀଙ୍କି ମିଶାନ୍ତି ନାହିଁ । ଏଥିରେ ମିଶିବାକୁ ତନ୍ତୀକୁଳ ବହୁତ ଯୋଗାଡ଼ କଲେ; ମାତ୍ର କିଛି ଫଳ ହେଲା ନାହିଁ । ଏଥିରେ ତନ୍ତୀମାନଙ୍କର ରାଗ ବଢ଼ିଗଲା । ତାଙ୍କ ନିଜର ସଂକୀର୍ତ୍ତନ ଦଳଟିଏ ଗଢ଼ିବାକୁ ତନ୍ତୀଯାକ ସବୁ ବିଚାର କଲେ । ସେଥିକି ସଂକୀର୍ତ୍ତନ ତାଙ୍କୁ କାହାକୁ ଜଣାନାହିଁ । ସମସ୍ତେ ବସି ବିଚାର କଲେ–ସମସ୍ତେ ଚାନ୍ଦା ଭେଦା ଦିଅ, ବାଛି ବୁଝି ଗୋଟେ ସଂକୀର୍ତ୍ତନ କିଣିଆଣିବା, । ପଇସା ଖର୍ଚ୍ଚ କଲେ କ’ଣ ସଂକୀର୍ତ୍ତନ ମିଳିବ ନାହିଁ ? ତନ୍ତୀ ବୁଦ୍ଧି ତ, ଟଙ୍କା ପଇସା ଗଣ୍ଠି କରି ଚାରି ଛଅଜଣ ସଂକୀର୍ତ୍ତନ କିଣିବାକୁ ଗାଁ ଗାଁ ବୁଲିଲେ । ସଂକୀର୍ତ୍ତନ ତ କିଣାବିକା ଜିନିଷ ନୁହେଁ, ଯେ ଶୁଣିଲା, ସେ ହସିଲା । ଲୋକେ ବୁଝିଲେ–ଏଗୁଡ଼ାକ ତୁଚ୍ଛା ଓଲୁ । ସେମାନେ ଇମିତି କେତେ ଗାଁ ବୁଲି ବୁଲି ଆଉ ଗୋଟେ ଗାଁରେ ପହଞ୍ଚିଲେ । ସେ ଗାଁରେ ଜଣେ ଜାଲିଆ, ଫିସାଦିଆ ଲୋକ ଥିଲା-। ସେ ଦେଖିଲା ଯେ ଏ ଓଲୁଗୁଡ଼ାଙ୍କୁ ସହଜରେ ଠକିହେବ । ସେ ତାଙ୍କ ପାଖକୁ ଯାଇ କହିଲା– କିଓ, ସଂକୀର୍ତ୍ତନ ଖୋଜୁଚ ଯେ ଟଙ୍କା ପଇସା ଦେଇପାରିବ ତ ? ତନ୍ତୀ କହିଲେ– ତୁମେ ଟଙ୍କା ପାଇଁ ଚିନ୍ତା କର ନାହିଁ । ଯେତେ ଟଙ୍କା ପଡ଼ିବ, ଆମେ ଦବୁ । ତୁମେ ଭଲ ସଂକୀର୍ତ୍ତନ ଦେଇପାରିବ ତ ?

 

ଜାଲିଆ କହିଲା–ପରଖ କରିନିଅ । ଭଲ ନ ହେଲେ ନବ କିଆଁ ? ସେମାନେ ସେଥିରେ ରାଜି ହେଲେ । ଜାଲିଆ କହିଲା ରାତିଟା ନ ରହିଲେ ହବ ନାହିଁ । ସେମାନେ ରାଜି ହୋଇ ରାତିରେ ରହିଲେ । ଜାଲିଆ ସେଇ ରାତି ଭିତରେ ଗୋଟେ ଲମ୍ବା ବାଉଁଶ ନଳ ଠିକଣା କରି ଗୁଡ଼େ ବିରୁଡ଼ି ଧରିଆଣି ସେଥିରେ ଭର୍ତ୍ତି କଲା । ନଳ ମୁହଁରେ ଗୋଟେ ଶକତ ଚୁଣ୍ଟାମାରି ନଳାଟାକୁ ଧରି ତନ୍ତୀଙ୍କ ପାଖେ ପହଞ୍ଚିଲା । ବିରୁଡ଼ି ଗୁଡ଼ାକ ନଳଭିତରେ ଭଁ ଭଁ ହଉଥାନ୍ତି । ଜାଲିଆ ସେ ନଳଟାକୁ ସବୁ ତନ୍ତୀର କାନ ପାଖେ ଧରିବାରେ ତନ୍ତୀସବୁ ସେ ଭଁ ଭଁ ଶବ୍ଦଶୁଣି କହିଲେ– ବାଃ, ୟା ନାଁ ଯେ ସଂକୀର୍ତ୍ତନ । ଜାଲିଆ କହିଲା ୟେ କ’ଣ ଶୁଣୁଚ, ଗାଁକୁ ଗଲେ ୟାଠାରୁ ବଳକା ଶୁଣିବ । ତା’ପରେ ଦରଦାମ ହେବାରେ ଜାଲିଆ ତିରିଶି ଟଙ୍କା ପାଇଲା । ତନ୍ତୀସବୁ ବିରୁଡ଼ି ନଳ ଘେନି ଗାଁକୁ ବାହାରିଲେ । ବିଦାୟ ବେଳେ ଜାଲିଆ କହିଲା– ଯେଉଁଦିନ ଜାକଯମକ ସଂକୀର୍ତ୍ତନ ଶୁଣିବାକୁ ମନ ହବ, ସେଦିନ ଗାଁର ମୁଖିଆ ମୁଖିଆ ଲୋକ ଡାକିବ । ଘର ଭିତରେ ଭଲ ଭଲ ଆସନ ପକାଇବ । ସମସ୍ତେ ଚୁପ୍ ଚାପ୍ ବସିଗଲା ପରେ ଦୁଆର ସବୁ କିଳିଦେଇ ନଳରୁ ଚୁଣ୍ଟା କାଢ଼ିଦବ । ତେବେଯାଇ ସଂକୀର୍ତ୍ତନର ମଜା ପାଇବ, ସେଇଦିନ ଯାଇ ତୁମ ପରିଶ୍ରମ ସାର୍ଥକ ହବ ।

 

ତନ୍ତୀଯାକ ଭାରୀ ଖୁସିହୋଇ ସଂକୀର୍ତ୍ତନ ନଳ ଧରି ଗାଁରେ ପହଞ୍ଚିଲେ । ଆଉ ବିଳମ୍ବ ନ କରି ଆରଦିନ ସଂକୀର୍ତ୍ତନର ଯୋଗାଡ଼ କରିଦେଲେ । ଭାଗବତ ଘରେ ଲମ୍ବା ଚୌଡ଼ା ଆସନମାନ ପଡ଼ିଗଲା । ଗାଁର ମୁଖିଆ ମୁଖିଆ ବହୁତ ଲୋକଙ୍କୁ ନିମନ୍ତ୍ରଣ ହେଲା । କଅଣ ଗୋଟିଏ ନୂଆ ସଂକୀର୍ତ୍ତନ ଆସିଚି ବୋଲି ବହୁତ ଲୋକ ଆଗ୍ରହରେ ରୁଣ୍ଡ ହେଲେ । ଭାଗବତ ଘରେ ଏତେ ଲୋକ ହେଲେ ଯେ ସୋରିଷ ପକାଇବାକୁ ଆଉ ଜାଗା ରହିଲା ନାହିଁ । ଲୋକେ ବସିଯିବା ପରେ ସଂକୀର୍ତ୍ତନ ନଳ ଅଣାଗଲା । ଭାଗବତ ଘରର ଦୁଆର ଝରକା ସବୁ ବନ୍ଦ କରାଗଲା । ଜଣେ ପୁରୁଣା ଲୋକ ସଂକୀର୍ତ୍ତନ ନଳଟି ଧରି ବହୁ କଷ୍ଟରେ ସେଥିରୁ ଚୁଣ୍ଟାଟି ବାହାର କଲା, ଯିମିତି ବାହାରିଚି, ସିମିତି ସାଙ୍ଗେ ସାଙ୍ଗେ ପଣ ପଣ ବିରୁଡ଼ି ବାହାରି ଲୋକଙ୍କୁ କାମୁଡ଼ିଲେ । ବିରୁଡ଼ି କାମୁଡ଼ା କମ୍ କାମୁଡ଼ା ନୁହେଁ । ବିରୁଡ଼ି କାମୁଡ଼ିଲେ ଚାରିଦିନରେ ସୁଦ୍ଧା ବିନ୍ଧା ଛିଟିକା ଛାଡ଼େନାହିଁ । କାମୁଡ଼ିବା ଜାଗା ଫୁଲିଯାଏ । ଲୋକେ ଏ କାମୁଡ଼ାରେ କଲବଲ ହୋଇ ଦୁଆର ଫିଟାଇ ପ୍ରାଣ ବିକଳରେ ଯେ ଯୁଆଡ଼େ ପଳେଇଲେ । ତନ୍ତୀ ପଞ୍ଜା କାଳକାଳକୁ କୀର୍ତ୍ତି ରଖିଗଲେ । କଅଣ କରିବେ, ତନ୍ତୀ ବୁଦ୍ଧି ତ, କପାଳ ଆଦରି ରହିଲେ । ଏତିକିରେ ତନ୍ତୀଙ୍କର କୀର୍ତ୍ତନ ଶେଷ ।

񤦬񤦬񤦬

 

କାଜି ବିଚାର (୨)

 

କାଜି ଅମଳରେ ଜଣେ ପ୍ରଜାର ଗୋଟେ ଷଣ୍ଢ ଖୋଦ କାଜିଙ୍କର ଷଣ୍ଢ ସଙ୍ଗେ ଲଢ଼ାଲଢ଼ି କରି ତାକୁ ମାରିଦେଲା । ସେ ଆଉ କାହା ଷଣ୍ଢ ନୁହେଁ, କାଜିଙ୍କର ଷଣ୍ଢ । କାଜିଙ୍କର ପୁଣି ଅଜାହିର କ୍ଷମତା । ଏଥିରେ ପ୍ରକାର ମହାଭୟ ହେଲା । ସେ ସେହି ଭୟରେ ଥରି ଥରି କାଜିଙ୍କ ପାଖେ ହାଜର ହେଲେ । ସଲାମ କରି କହିଲା– ହଜୁର ! ହଜୁରଙ୍କ ଷଣ୍ଢ ମୋ ଷଣ୍ଢକୁ ମାରିଦେଲା । ପ୍ରଜା କହୁ କହୁ ଭୟରେ ଓଲଟା କହିପକାଇଲେ ।

କାଜି ଯେତେବେଳେ ଶୁଣିଲେ–ନିଜ ଷଣ୍ଢ ଏ ଲୋକର ଷଣ୍ଢକୁ ମାରିଦେଇଛି, ସେତେବେଳେ ବିଚାର କରିବାକୁ ଡେରି ହେଲା ନାହିଁ । ସାଙ୍ଗେ ସାଙ୍ଗେ ରାୟ ଦେଲେ–

“ବଏଲ କୋ ବଏଲ ମାରା,

କ୍ୟା ବାତ ତୋମାରା ହାମାରା ।”

ପ୍ରଜା ତ ଓଲଟା କଥା କହିଲା । ପରେ ତା’ର ଖିଆଲ ହେବାରୁ ପୁଣି କହିଲା---ନା, ହଜୁର ! ମୁଁ ଭୁଲ୍ କହିଛି । ହଜୁରଙ୍କ ଷଣ୍ଢ ମୋ ଷଣ୍ଢକୁ ମାରିନାହିଁ, ମୋ ଷଣ୍ଢ ହଜୁରଙ୍କ ଷଣ୍ଢକୁ ମାରିଦେଇଛୁ । ଏଥିକି ଧର୍ମାବତାର ଯାହା ବିଚାର କରିବେ ।

ଏଥିରେ କାଜି : ଚମକି ଯାଇ ଆଉ ଗୋଟେ କିତାବ ଖୋଲି କହିଲେ–

“ଦୋସରି କିତାବ ବୋଲା ଏହୁଁ,

ବଏଲ କୋ ବଏଲ ମାରା କେଉଁ ।

ଖିଲାକେ ଭୂଷି ବନାୟା ଷଣ୍ଢ,

ବଏଲ କୋ ବଏଲ, ତଣ୍ଡ କୋ ତଣ୍ଡ ।”

 

ଅର୍ଥାତ୍ ଦୋସରା ଆଇନ କହୁଛି ସେ ଷଣ୍ଢକୁ ଷଣ୍ଢ କାହିଁକି ମାଇଲା ? ଭୂଷି ଖୁଆଇବାରେ ଷଣ୍ଢ ବଢ଼ିଲା । ଏଣୁ ତତେ ଷଣ୍ଢକୁ ଷଣ୍ଢ, ଆଉ ତଣ୍ଡକୁ ତଣ୍ଡ ଦବାକୁ ପଡ଼ିବ । ବିଚରା କାଜିଙ୍କର ଦୋହର ଆଇନ ଶୁଣି ଥଣ୍ଡା । ଚାରା କ’ଣ ଅଛି ? ଷଣ୍ଢକୁ ଷଣ୍ଢ, ତା’ ଉପରେ ପୁଣି ତଣ୍ଡକୁ ତଣ୍ଡ ଦେଲା । ଏହାକୁ କହନ୍ତି କାଜିବିଚାର ।

 

ଆଚ୍ଛା, ଆପଣଙ୍କ ସ୍ତ୍ରୀ ମତେ ଛାଡ଼ି ଆଉ କାହାକୁ ବିବାହ କରିପାରେ କି ?

 

ଗୋଟିଏ ଘରେ ଦୁଇଟି ଭାଇ ଥିଲେ । ବଡ଼ ଭାଇର ଭାର୍ଯ୍ୟା ଥିଲା । ସାନ ଭାଇ ବିବାହ କରିନଥିଲା । କେତେକାଳ ପରେ ରୋଗବ୍ୟାଧିରେ ବଡ଼ ଭାଇ ମରିଗଲା । ସେ କୁଳରେ ଦ୍ଵିତୀୟ-ହେବା ପ୍ରଥା ଥିଲା । ସାନ ଭାଇ ଭାଉଜକୁ ଦ୍ଵିତୀୟ ହେବାକୁ ଇଚ୍ଛାକଲା, ମାତ୍ର ଭାଉଜର ମନକୁ ନ ପାଇବାରୁ ସେ ଦିଅରକୁ ଛାଡ଼ି ଅନ୍ୟକୁ ସ୍ଵାମୀ କରିବାକୁ ଖୋଜିଲା । ଦିଅର ଏ କଥା ଜାଣିପାରି ଜାତିରେ ଏ କଥା ପକାଇଲା । ମାତ୍ର ଜାତିଭାଇ ତାହା ତୁଟାଇ ପାରିଲେ ନାହିଁ । ତାପରେ ସେ ସିଧା ସିଧା ସେ ରାଜ୍ୟର ଦିଆନଙ୍କ ପାଖକୁ ଗଲା ।

 

ଦିଆନଙ୍କୁ କହିଲା– ମୋର କିଛି ଗୁହାରି ଅଛି । ହଜୁର ଧର୍ମାବତାର, ମୋ କଥା ଶୁଣି ମତେ ନ୍ୟାୟ ଦିଅନ୍ତୁ ।

 

ଦିଆନ କହିଲେ– ହଉ, କି କଥା କହିବ କୁହ ।

 

ସେ କହିଲା– ହଜୁର ! ମନେକରନ୍ତୁ–ହଜୁର ମୋର ବଡ଼ ଭାଇ, ମୁଁ ହଜୁରଙ୍କର ସାନ ଭାଇ । ହଜୁରଙ୍କ ଭାର୍ଯ୍ୟା ମୋର ଭାଉଜ । ହଜୁର ଯେବେ ମରିଯାନ୍ତି, ତେବେ ମୋ ଭାଉଜ ତ ମୋତେ ଦ୍ଵିତୀୟ ହେବ । ଆଚ୍ଛା, ମୁଁ ପଚାରୁଚି, ଦିଅର ଥାଉ ଥାଉ, ସେ ମୋତେ ଛାଡ଼ି ଆଉ କାହାକୁ ବିବାହ କରିପାରେ କି ? କଥା ଏତିକି ।

 

ଦିଆନଙ୍କ ଭାର୍ଯ୍ୟା ଘର ଭିତରେ କବାଟ ଆଢ଼ୁଆଳରେ ରହି ଏ ସବୁ ଶୁଣୁଥିଲେ । ଏହା ଶୁଣି ତାଙ୍କ ଦିହରେ ଛୁରି ଭୁଷି ହୋଇଗଲା । ସେ ରାଗରେ ସାଙ୍ଗେ ସାଙ୍ଗେ ଦିଆନଙ୍କୁ ଡକାଇ କହିଲେ–ଏ ଲୋକର ଏଡ଼େ ସାହସ–ସେ କହିବ, ତୁମର ଅମଙ୍ଗଳ କଥା ? ମୁଁ ପୁଣି ତା’ର ଭାର୍ଯ୍ୟା ହେବି ? ତା’ର କେଡ଼େ ବହପ ! ତାକୁ ସାଙ୍ଗେ ସାଙ୍ଗେ ହାତକଡ଼ା ଦେଇ ଜେଲଖାନା ପଠାଅ । ଏ କଥା ଆଗ କର । ତା’ ଛଡ଼ା ବ୍ରାହ୍ମଣ ଡକାଇ ଦାନ–ପୁଣ୍ୟ କର । ଏହା ନ କଲେ ମୁଁ ଅନ୍ନ ଛୁଇଁବି ନାହିଁ ।

 

ଦିଆନ କଅଣ କଲେ, କେଜାଣି ?

񤦬񤦬񤦬

 

ଭାଗ ଗୋଦାମ

 

ଚାରିଜଣ ଲୋକ ଚାରିଭାଗରେ ଗୋଟିଏ ଗୋଦାମ କଲେ । ଗୋଦାମର ସବୁ ଜିନିଷରେ ସମସ୍ତଙ୍କର ସମାନ ଅଧିକାର ରହିଲା । ସେ ଗୋଦାମରେ ମୂଷା ମାରିବାକୁ ବିରାଡ଼ିଟିଏ ପୋଷି ରଖିଥିଲେ । ସମସ୍ତଙ୍କ ଧନରେ ତ ବିରାଡ଼ିଟି ପୋଷା ହୋଇଥିଲା; ତେଣୁ ବିରାଡ଼ିରେ ମଧ୍ୟ ସମସ୍ତଙ୍କର ଚାରିପଣ ଭାଗ ହେଲା । ସେଥିଯୋଗୁ ଜଣେ ଜଣେ ବିରାଡ଼ିର ଗୋଟେ ଗୋଟେ ଗୋଡ଼ ଆଦରି ନେଇଥାନ୍ତି । ଯାହା ଭାଗରେ ଯେଉଁ ଗୋଡ଼ ପଡ଼ିଲା, ସେ ସେହି ଗୋଡ଼କୁ ସଫାସୁତୁରା କରେ, ଆଉଁସା ପାଉଁସା କରେ, ଘୁଙ୍ଗୁର ପିନ୍ଧାଏ, ଏହିପରି ଯେ ଯେତେ ଯତ୍ନ କରିପାରିଲା ।

 

ବିରାଡ଼ିଟା ସବୁବେଳେ ଉଞ୍ଚା ଜାଗାରେ ଶୁଏ । ଦିନେ ସେ ଉଞ୍ଚା ଜାଗାରୁ ଡେଇଁପଡ଼ିବାରୁ ତା’ର ଗୋଟେ ଗୋଡ଼ ଛୋଟା ହୋଇଗଲା । ଯାହା ଭାଗରେ ସେ ଗୋଡ଼ ପଡ଼ିଥିଲା, ସେ ବଡ଼ ହଇରାଣ ହେଲା । ସେ ଗୋଡ଼ କିପରି ଭଲହେବ, ତା’ର ରାତିଦିନ ଚିନ୍ତା ହେଲା । କିଏ ସେ କହିବାରୁ ସେ ସେଥିରେ କିରାସିନ କନା ଖଣ୍ଡିଏ ବାନ୍ଧିଦେଲା । ଭାଗୁଆଳିମାନେ ରାତିରେ ବିକ୍ରିବଟା ସାରି ଗୋଦାମ ବନ୍ଦ କରି ଯେଝା ଘରକୁ ଗଲେ । ବିରାଡ଼ିଟି ଗୋଦାମରେ ରହିଲା । ବିରାଡ଼ିଗୁଡ଼ାକ ଉଷୁମକୁ ଭଲପାଆନ୍ତି । ସେଦିନ ସନ୍ଧ୍ୟାବେଳରେ ସେ ଘରେ ରନ୍ଧାବଢ଼ା ହୋଇଥିଲା । ଗୋଦାମ ବନ୍ଦ ହେବାପରେ ଛୋଟୀ ବିଲେଇ ଛୋଟେଇ ଛୋଟେଇ ଯାଇ ଚୁଲି ମୁଣ୍ଡରେ ଶୋଇଲା । ସେତେବେଳେ ଚୁଲିର ନିଆଁ ଡହକୁଥାଏ । ସେ ରାତିରେ ଛୋଟୀ କେତେବେଳେ ଚୁଲି ଆଡ଼କୁ ତା’ ଛୋଟା ଗୋଡ଼ଟା ଲମ୍ବେଇ ଦେଇଚି । ସେ ଗୋଡ଼ରେ ତ କିରାସିନ କନା ଗୁଡ଼ିଆ ହୋଇଥିଲା । କିରାସିନି ତ ନିଆଁକୁ ବାଇ । ଯିମିତି ଗୋଡ଼ଟା ନିଆଁରେ ଲାଗିଯାଇଚି, ସିମିତି ସାଙ୍ଗେ ସାଙ୍ଗେ ଚଟକିନା ସେ କିରାସିନି କନାକୁ ନିଆଁ ଧରି ପକାଇଲା । ଯେତେବେଳେ ସେ କନା ଦାଉ ଦାଉ ଜଳିଲା, ସେତେବେଲେ ଛୋଟୀ ଯାଏ କୁଆଡ଼େ ? ସେ ଜୀବନ କଲବଲରେ ଗୋଦାମ ଘରକୁ ଦଉଡ଼ିଯାଇ ଗୋଟେ ତୁଳା ବସ୍ତା ଉପରେ ଚଢ଼ିଯାଇ ଗଡ଼ିଲା-। ତୁଳା ତ ନିଆଁକୁ ବାଇ; ସାଙ୍ଗେ ସାଙ୍ଗେ ବସ୍ତାକୁ ନିଆଁ ଧରିନେଲା । ତାପରେ ପ୍ରବଳ ନିଆଁ ହେବାରେ ତମାମ ଗୋଦାମ ପୋଡ଼ି ଭସ୍ମ ହୋଇଗଲା । ସକାଳେ ଭାଗୁଆଳୀମାନେ ଦେଖନ୍ତି ତ ଗୋଦାମରେ ଆଉ କଡ଼ାକର ଜିନିଷ ନାହିଁ । ୟା ଦେଖି ସମସ୍ତେ ମୁଣ୍ଡରେ ହାତ ଦେଲେ-। ଘରପୋଡ଼ିର କାରଣ ଖୋଜିବାରେ ଜଣାଗଲା, ଛୋଟୀ ବିରାଡ଼ିର ଗୋଡ଼ ଘରପୋଡ଼ିର କାରଣ-। ତା ଛୋଟା ଗୋଡ଼ରେ ଯେବେ ତେଲକନା ନ ଥାନ୍ତା, ତେବେ ଏ ଦୁର୍ଘଟଣା ହୋଇନଥାନ୍ତା-। ସିଦ୍ଧାନ୍ତ ହେଲା–ଛୋଟା ଗୋଡ଼ର ଅଂଶୀଦାର ଏ ସମସ୍ତ କ୍ଷତିପୂରଣ ପାଇଁ ଦାୟୀ । ଛୋଟା ଗୋଡ଼ବାଲା ସେଥିରେ ରାଜି ନ ହେବାରୁ ଭାଗୁଆଳିମାନେ ରଜାଙ୍କ ପାଖେ ନାଲିସ କଲେ ।

 

ସେ ଦେଶର ରଜା ବିଚାର କରିବାରେ ବଡ଼ ବିଚକ୍ଷଣ । ସେ ଦରଖାସ୍ତରୁ ସବୁ ବୁଝିନେଇ ରାୟ ଦେଲେ–ବିରାଡ଼ି ଛୋଟା ଗୋଡ଼ରେ ଚାଲିପାରୁନଥିଲା, ଆଉ ତିନି ଗୋଡ଼ରେ ଚଳାଚଳ ହେଉଥିଲା । ସେ ତିନି ଗୋଡ଼ ଛୋଟା ହୋଇଥିଲେ ମୋଟେ ଗୋଦାମକୁ ଯାଇପାରିନଥାନ୍ତା । ତାହା ହୋଇଥିଲେ ଗୋଦାମ ପୋଡ଼ି ଯାଇନଥାନ୍ତା । କିନ୍ତୁ ସେ ତିନି ଗୋଡ଼ରେ ଗୋଦାମକୁ ଯାଇପାରିଛି, ତେଣୁ ଗୋଦାମ ଘର ପୋଡ଼ିଛି । ଛୋଟା ଗୋଡ଼ ଗୋଦାମ ପୋଡ଼ାର କାରଣ ନୁହେଁ । ଭଲ ତିନି ଗୋଡ଼ ଗୋଦାମ ପୋଡ଼ାର କାରଣ । ତେଣୁ ଭଲ ତିନିଗୋଡ଼ ବାଲା ଗୋଦାମ ପୋଡ଼ିର କ୍ଷତି ପାଇଁ ଦାୟୀ । ଏଣୁ ସେହିମାନେ ଛୋଟା ଗୋଡ଼ବାଲାକୁ ତା’ର ଚାରିପଣ ଭାଗ ଦେବାକୁ ବାଧ୍ୟ ।

 

ରଜାଙ୍କର ହୁକୁମ, ଏଥିରେ ହୁଁ ଚୁ କେହି ହୋଇପାରିଲେ ନାହିଁ । କଅଣ କରିବେ ? ଘରଦ୍ଵାର ବିକି ତିନିହେଁ ବାଣ୍ଟିକରି ଛୋଟା ଗୋଡ଼ବାଲାକୁ ତା’ ଚାରିପଣ ଦେଲେ । କାହାକୁ ଆଉ କହିବେ ? କାନମୁଣ୍ଡା ଆଉଁସି ତୁନିହୋଇ ରହିଲେ ।

 

ଏ କ’ଣ କମ୍ ନ୍ୟାୟ ?

񤦬񤦬񤦬

 

ବୋହୂ ବାବାଜି

 

ଜଣେ ଭଦ୍ରଲୋକର ବୋହୂଟିଏ ନୂଆ ହୋଇ ଆସିଥାଏ । ଦିନେ ସେ ବଡ଼ିସକାଳୁ ପୋଖରୀକି ଗାଧୋଇ ଗଲା । ନୂଆ ଭୁଆସୁଣୀଟେ, ଏକୁଟିଆ ତ ଯିବ ନାହିଁ, ସାଙ୍ଗରେ ପଡ଼ିଶା ଘର ଝିଅକୁ ନେଲା । ସେଦିନ ସେ ବାଟରେ ଗୋଟିଏ ବାବାଜିକି ଦେଖିଲା । ବାବାଜିଟି ବୁଢ଼ା ନୁହେଁ, ଭେଣ୍ଡା । ବୋହୂଟି ତାକୁ ଭେଣ୍ଡା ବୟସରେ ବାବାଜି ହେବାର ଦେଖି କହିଲା–

 

ଅକାଳ ବୈଷମ ସକାଳେ ଦେଖା ।

 

ବାବାଜି କହିଲା– ପଥ ବହୁ ଦୂର ।

 

ବୋହୂ କହିଲା– ତରଙ୍ଗ ତ ବଡ଼ ଜୋର୍ ।

 

ବାବାଜି କହିଲା– ନାବିକ ବଡ଼ ଧୀର ।

 

ଦୁହିଁଙ୍କର ଏହିପରି ପଦେ ପଦେ ପଡ଼ିଗଲା ପରେ ବାବାଜି ନିଜ କାମରେ ଗଲା, ବୋହୂ ମଧ୍ୟ ଗାଧୋଇ ଗଲା । ବୋହୂ ସାଙ୍ଗରେ ଯେଉଁ ଝିଅଟି, ସେ ସବୁ କଥା ଶୁଣିଥିଲା । ଗାଧୋଇସାରି ଆସି ସେ ସବୁ କଥା ୟା ତା’ ଆଗରେ କହିଲା । ଭୁଆସୁଣୀଟେ ଭେଣ୍ଡିଆଟା ସାଙ୍ଗେ ଏପରି ରସରସିଆ କଥାବାର୍ତ୍ତା କରିବାର ଜାଣି ଲୋକେ ବହୁତ ବାଛ ବିଚାର କଲେ । କଥା ମୋଟ ହବାରୁ ଶଶୁର କାନକୁ ଗଲା । ଶଶୁର ତାହା ଶୁଣି ଗୋଟାକ ସାତଟା ହେଲା । ବୋହୂକୁ ବାପଘରକୁ ପଠାଇଦେବାକୁ ତା’ ଭାଇକି ଡକାଇ ପଠାଇଲା । ଭାଇ ଖବର ପାଇ ଭଉଣୀ ଘରକୁ ଆସିଲା, ଶଶୁର ବୁଢ଼ାଠାରୁ ସବୁ କଥା ଶୁଣିଲା । ସେ ମଧ୍ୟ ସେସବୁ କଥାର ମର୍ମ ବୁଝିପାରିଲା ନାହିଁ । ବୁଝି ନ ପାରିବାରୁ ଭଉଣୀକି ପଚାରିଲା । ଭଉଣୀ ଶୁଣିକରି କହିଲା– ଏଥିରେ କିଛି କଥା ନାହିଁ । ଶଶୁରେ ନ ବୁଝି କରି ରାଗୁଛନ୍ତି କାହିଁକି ? କଥା କିଛି ନାହିଁ । ସେଦିନ ସକାଳଟାରୁ ଗାଧୋଇ ଯାଉଚି, ବାଟରେ ଦେଖିଲି ଗୋଟେ ବାବାଜି, ତା’ର ଗଜା ବୟସ । ଏ ବୟସରେ ବାବାଜି ହେବାର ନୁହେଁ । ସେଇଥିପାଇଁ କହିଲି– ଅକାଳ ବାବାଜି ସକାଳେ ଦେଖା । ସେ ଏହା ଶୁଣି କହିଲା– ପଥ ବହୁ ଦୂର-। ସତ କଥା, ଈଶ୍ଵରଙ୍କୁ ପାଇବା କଅଣ ସହଜ ? ବହୁଦିନ ତପସ୍ୟା ନ କଲେ ଈଶ୍ଵରଙ୍କୁ ପାଇବା ଅସମ୍ଭବ । ଲୋକେ କେତେ କେତେ ଯତ୍ନ କରି ତାଙ୍କୁ ପାଇନାହାନ୍ତି । ସେଇଥିପାଇଁ ବେଳ ଥାଉଁ ଥାଉଁ ବାବାଜି ନ ହେଲେ ତାଙ୍କୁ ପାଇବା ସହଜ ନୁହେଁ । ତାପରେ ମୁଁ ପୁଣି କହିଲି– ତରଙ୍ଗ ତ ବଡ଼ ଜୋର । ଏଥିରେ ବା କଅଣ କଥା ଅଛି ? ଯୁବା ବୟସ, ଏତେବେଳେ ଭୋଗ କରିବାର କଥା-। ଏଥିରେ ବାବାଜିପଣିଆ କିପରି ରହିପାରେ ? ସେ କହିଲା– ନାବିକ ବଡ଼ ଧୀର । ସତ କଥା, ନାବିକ ତୁରୁତୁରିଆ ହେଲେ ସିନା ଡଙ୍ଗା ସମ୍ଭାଳିପାରିବ ନାହିଁ, ସେ ଯେବେ ଧୀର ହବ, ସେ ଡଙ୍ଗାର କାହିଁକି କଅଣ ହବ ? ସେହିପରି ଲୋକ ଭେଣ୍ଡା ହେଲେ କଅଣ ହେବ ? ସେ ଯଦି କେଉଁଥିକି ମନ ନ ବଳାଇବ, ତେବେ ତା’ର ବାବାଜି–ପଣିଆ ଭଣ୍ଡୁର ହବ କାହିଁକି ? ଏଇତ କଥା; ଏଥିରେ ଖରାପ କଥା କ’ଣ ଅଛି ଯେ ଲୋକେ ବାଛ ବିଚାରରେ ମତେ ପୋକ ପକେଇଦଉଚନ୍ତି ? ଶଶୁରେ ମଧ୍ୟ ସେଇଥିରେ ଭାସିଯାଇ କଅଣ ବୋଇଲେ କ’ଣ ବୁଝୁଚନ୍ତି ? ତୁମେ ଏବେ ବୁଝିଲ ତ-? ଯାଅ ଶଶୁରଙ୍କୁ ବୁଝାଇଦିଅ । ଭାଇ ଭଉଣୀଠାରୁ ତତ୍ତ୍ଵ ପାଇ ଶଶୁର ବୁଢ଼ାକୁ ଖିନ୍ ଭିନ୍ କରି ସବୁ ବୁଝାଇଦେଲା । ଶଶୁର ବୋହୂର ବୁଦ୍ଧି ଶୁଣି ପ୍ରଶଂସା କଲେ । ଆଉ ଆଉ ଲୋକେ ମଧ୍ୟ ଏ ସବୁ ଶୁଣି ବୋହୂକୁ ପ୍ରଶଂସା କଲେ । ଶଶୁରେ ବୁଝିଗଲେ । ଭାଇ ଘରକୁ ଫେରିଗଲେ । ଏତକ ନ ହୋଇଥିଲେ ବୋହୂଟି କୁଳରୁ ଯାଇଥିଲା !

񤦬񤦬񤦬

 

Unknown

ଚଷାର କରଣ ମର୍ଯ୍ୟଦା

 

ପଟ୍ଟନାୟକପଡ଼ା ଗୋଟେ ବଡ଼ କରଣବସ୍ତି । ସେଥିରେ ଗୋଟିଏ ଚଷାଘର ଛାଡ଼ିଦେଲେ ବାକି ସମସ୍ତେ କରଣ । ମହତ୍ତ୍ଵ କହିଲେ, ସେଇଠେଁଇ ମହତ୍ତ୍ଵ ମର୍ଯ୍ୟଦା ସରିଚି । କରଣ ଯେତେ ଗରିବ ହେଲେ ସୁଦ୍ଧା କେବେ ମହତ୍ତ୍ଵ ଛାଡ଼େନାହିଁ ।

 

ସେ ଚଷାଟି ମଧ୍ୟ ଘରକଲା ଲୋକ । ଘରେ ପୁଅ ପୁତୁରା ହୋଇ ଗୋଠେ । ତାକୁ ଚାହିଁ ଜମିବାଡ଼ି ମଧ୍ୟ ଗୁଡ଼ିଏ ଥାଏ । ବର୍ଷକର ଆୟରେ ତିନିବର୍ଷ ଚଳେ, ହାତରେ ମଧ୍ୟ ସବୁବେଳେ ଦି’ପଇସା ଥାଏ । ସେ କରଣଙ୍କ ସାଙ୍ଗେ ରହି ତାଙ୍କର ମହତ୍ତ୍ଵ ମର୍ଯ୍ୟାଦା ସବୁବେଳେ ଦେଖି ସେହିପରି ଚାଲିଚଳଣି ନିଜ ଘରେ ଚଳାଇଥାଏ । ତାଙ୍କରି ପରି ନିଶ ହଳେ ରଖିଥାଏ । ସେ ଯେପରି ଲୁଗାଟି କୁଞ୍ଚକାଞ୍ଚି ପିନ୍ଧି ଫେରକାନି ଲମ୍ବାନ୍ତି, ୟେ ମଧ୍ୟ ସେହିପରି ଫେର ଲମ୍ବାଇ ଲୁଗା ପିନ୍ଧେ, ତାଙ୍କରି ପରି କଥାବାର୍ତ୍ତାରେ ଆଜ୍ଞା, ଅବଧାନ କହେ । ଘରେ ପିଲାଙ୍କୁ ମଧ୍ୟ ସେହିପରି କହିବାକୁ ଶିଖାଇଥାଏ । ସେ ଘରେ କାହାକୁ ତୁ, ତା, ରେ, ରା କରନ୍ତି ନାହିଁ । ସାନ ବଡ଼ ଯେ ଯାହାକୁ ପାଇଲା, ସେ ତାକୁ ଆଜ୍ଞା ଅବଧାନ କହିଲା । ଏହିପରି କରି କରଣ ହୋଇଯିବ ବୋଲି ତା’ର ଭାରି ଇଛା ।

 

ଦିନେ ସେ ଚଷାର ଜଣେ ବନ୍ଧୁ, ତା’ ଘରେ ଆସି ପହଞ୍ଚିଲେ । ବନ୍ଧୁ ପହଞ୍ଚିବାରୁ ତା’ ଘରେ ଅଧିକ ମହତ୍ତ୍ଵ ମର୍ଯ୍ୟଦାରେ ଡକାହକା ଚାଲିଲା । ସେ ଯାହା ହଉଥିଲା, ହଉଥିଲା, ବନ୍ଧୁ ଖାଇବାବେଳକୁ ମହତ୍ତ୍ଵ ବଳକା ହୋଇଗଲା । କଅଣ ହେଲା ନା, ବନ୍ଧୁ ଖାଇବାକୁ ଭାତ ବଢ଼ାଗଲା-। ବନ୍ଧୁ ମୁହଁ ହାତ ଧୋଇ ଖାଇବାକୁ ଆସିଲେ । ପୁଅ ଦେଖିଲା ଯେ ଭାତରେ ଘିଅ ପଡ଼ି ନାହିଁ, ବନ୍ଧୁ କାଳେ ଲୁଖୁରା ଭାତ ଖାଇ ପକାଇବେ, ତେବେ ତ ମହତ୍ତ୍ଵ ଗଲା ! ସେଥିପାଇଁ ସେ ତରତରରେ ଡାକ ପକାଇଲା– ବାପା ହେ ! ବାପା ହେ ! ବାପା ପୁଅର ଡାକ ଶୁଣି ମହତ୍ତ୍ଵରେ ତ କଥା କହିବେ, ସେଇଥିପାଇଁ କହିଲେ– ଆଜ୍ଞା । ପୁଅ କହିଲା– ଶିକାଙ୍କ ଉପରେ ଘଡ଼ିଙ୍କ ଭିତରେ ଘିଅ ବିଜେ କରିଚନ୍ତି, ତାଙ୍କୁ ଶୀଘ୍ର ବିଜେ କରାଅ ।

 

ଘିଅ ନ ଆସୁଣୁ ବନ୍ଧୁ ଏ ଦୈବଛାଡ଼ ମହତ୍ତ୍ଵ ଶୁଣି ଠୋ ଠୋ ହସିଲେ । ସେଠେଇଁ କାହାକୁ କଅଣ କହିବେ ! ଗାଁକୁ ଆସି ୟାକୁ ତାକୁ ଗୋଟି ଗୋଟି କରି ମହତ୍ତ୍ଵ କଥା କହିଲେ । ଲୋକେ ସେଇଥିରୁ ପ୍ରଧାନଙ୍କ ମହତ୍ତ୍ଵ ବୁଝିନେଲେ ।

 

ମହତ୍ତ୍ଵ କ’ଣ ଏଡ଼ିକି ଶସ୍ତା ?

񤦬񤦬񤦬

 

ସ୍ଵର୍ଗ ଏଣ୍ଡୁରି

 

ଜଣେ ପଣ୍ଡିତ ରାଜୋଡ଼ା ବାହାରିଲେ । ସାଙ୍ଗରେ ଗୋଟିଏ ବାରିକ ନେଲେ; ବାରିକ ନାଁ ଅବୋଲକରା । ଅବୋଲକରା ପଣ୍ଡିତଙ୍କୁ କହିଥିଲା–ମୁଁ ଯେଉଁ ଠାଇଁ ଯାହା ପଚାରିବି, ତାହା କହିନପାରିଲେ ସେଇଠୁଁ ଫେରବି । ପଣ୍ଡିତେ ସେଥିକି ରାଜି ହବାରୁ ସେ ସାଙ୍ଗରେ ଗଲା, ନହେଲେ ଯାଇନଥାନ୍ତା । ବାରିକ ପେଟରା ମୁଣ୍ଡେଇ ପଣ୍ଡିତଙ୍କ ପଛେ ପଛେ ଗଲା । ଯାଉ ଯାଉ ଅବୋଲକରା ବାଟରେ ଠାଏ ଗୋଟେ ହାଡ଼ କୁଢ଼ ଦେଖିଲା । ଏତେ ହାଡ଼ ଜମା ହେବାର ସେ କେବେ ଦେଖିନଥିଲା । ସେହିଠାଇଁ ପେଟରାଟା ଲଥକିନା ଥୋଇଦେଇ ପଣ୍ଡିତଙ୍କୁ ପଚାରିଲା--ଏତେ ହାଡ଼ ଏଠେଇଁ କିପରି ଜମା ହେଲା । ଏହାର କାରଣ କହିବ ତ କହ, ନହେଲେ ମୁଁ ଏଇଠାରୁ ଫେରିବି । ପଣ୍ଡିତେ କହିଲେ– ବେଳ ବହୁତ ହେଲାଣି, ଭୋକରେ ପେଟ ଆଉଟୁ ପାଉଟୁ ହେଲାଣି-। ଆଗ ସଉଦାପତ୍ର ଆଣ, ରୋଷେଇ ବାସ କରିବା-। ଖାଇସାରିଲେ ମୁଁ ଏହାର କାରଣ କହିବି । ଅବୋଲକରା କି ମାନିବା ଲୋକ ! ତା’ ନାଁ ଅବୋଲକରା, ସେ କିଆଁ ଟିକିଏ ତା’ କରିବ-? ସେ କହିଲା– ନାହିଁ, ସେକଥା ହବ ନାହିଁ, ଆଗ ଏହାର କାରଣ କହ, ତାହାପରେ ଯାହା କହିବ, ସବୁ କରିବି, ନହେଲେ ତୁମ ପେଟରା ରଖ, ମୁଁ ଗାଁକୁ ଯିବି ।

 

ପଣ୍ଡିତଙ୍କର ଚାରା କଅଣ ? ସେ ଜାଣନ୍ତି ଅବୋଲକରା ଅକଡ଼ବାଜି । ସେଇଠୁଁ ସେ କହିଲେ– ହଉ ତେବେ ଶୁଣ ।

 

ପଣ୍ଡିତେ କହିଲେ ୟେ କଥା କ’ଣ କି, ପୂର୍ବେ ଏଠାରେ ଗୋଟେ ବଡ଼ ବଗିଚା ଥିଲା । ବଗିଚାଟା ସବୁବେଳେ ଫୁଲ ଫଳରେ ଭରା ହୋଇଥାଏ । ସେଥିରେ ଜଣେ ମାଳୀ ଥାଏ । ମାଳୀ ଏ ବେଳା ସେ ବେଳା ବଗିଚା କାମ କରିଦେଇ ଘରକୁ ଯାଏ । ଦିନେ କଅଣ ହେଇଚି ନା, ମାଳୀ ନ ଥିଲାବେଳେ ସ୍ଵର୍ଗରୁ ଇନ୍ଦ୍ରଙ୍କର ହାତୀ ବଗିଚାକୁ ଆସିଲା । ହାତୀ ପଶିଲେ କି ବଗିଚା ରହେ ? ସେ ଡାଳପତ୍ର ଖାଇ ବଗିଚାକୁ ଉଜାଡ଼ି ଦେଇ, ମାଳୀ ଆସିଲାବେଳକୁ ସ୍ଵର୍ଗକୁ ଚାଲିଗଲା । ହାତୀ ମୁହଁରେ ତ ବଗିଚା ସୁଆଦ ଲାଗିଚି । ସେ ଏହିପରି ପ୍ରତିଦିନ ବଗିଚାକୁ ଆସି ବଗିଚାଟାକୁ ଛାରଖାର କରି ପକାଇଲା । ମାଳୀ ଆଉ ହାତୀକି ଦେଖିପାରେ ନାହିଁ । ଖାଲି ଖୋଜି ହଉଥାଏ–ଏପରି କିଏ କଲା ? ସେ ଦେଖିଲା ଯେ ଅନେକ ଜାଗାରେ ହାତୀ ଲେଣ୍ଡୀ ପଡ଼ିଚି, ଆଉ ହାତୀ ପାହୁଲ ପଡ଼ିଚି । ଏହା ଜାଣିପାରି ଦିନେ ଘରକୁ ନ ଯାଇ ଲୁଚି କରି ରହିଲା । ବେଳ ହବାରୁ ହାତୀ ଗଡ଼ିଲା । ସିମିତି ଗୁଡ଼ାଏ ଡାଳପତ୍ର ପେଟେ ଖାଇ ସ୍ଵର୍ଗକୁ ଗଲା । ମାଳୀ ଏହା ଦିନେ ଦେଖିଲା, ଦି ଦିନ ଦେଖିଲା । ସେ ଜାଣିଲା ଯେ ଏ ହାତୀ ଆଉ କାହାର ନୁହେଁ, ଇନ୍ଦ୍ରଙ୍କର । ନିତି ସ୍ଵର୍ଗରୁ ଆସି ସ୍ଵର୍ଗକୁ ଯାଉଚି ।

 

ସ୍ଵର୍ଗ ଭଲ ଜାଗା ବୋଲି ମାଳୀ ଶୁଣିଥିଲା । ସ୍ୱର୍ଗ ଦେଖିବାକୁ ତା’ର ଭାରୀ ମନ ହେଲା-। ସେ ଦେଖିଲା ଯେ ହାତୀ ତ ନିତି ସ୍ଵର୍ଗରୁ ଆସୁଚି, ପୁଣି ଯାଉଚି; ତେବେ ଏହାର ଲାଙ୍ଗୁଡ଼ ଧରିପାରିଲେ ସ୍ଵର୍ଗକୁ ଯାଇହବ, ପୁଣି ଆସିହବ । ଏହା ବିଚାରି ଦିନେ ହାତୀ ଗଲାବେଳକୁ ତା’ ଲାଙ୍ଗୁଡ଼ ଧରି ସ୍ଵର୍ଗକୁ ଗଲା । ପୁଣି ସେ ଆସିଲାବେଳକୁ ସେହିପରି ଲାଙ୍ଗୁଡ଼ ଧରି ଚାଲିଆସିଲା-

 

ଦିନେକାଳ ମାଳୀ ଘରକୁ ନ ଯିବାରୁ ଘରଲୋକେ, ଗାଁଲୋକେ ତାକୁ ପଚାରିଲେ କିରେ-! କାଲି ତ ତତେ ଏ ଖଣ୍ଡ-ମଣ୍ଡଳ ଖୋଜିଲୁ, ପାଇଲୁ ନାହିଁ; ତେବେ ତୁ କେଉଁଆଡ଼େ ଯାଇଥିଲୁ, କହ-। ମାଳୀ ଯେପରି ସ୍ଵର୍ଗକୁ ଗଲା, ପୁଣି ଯେପରି ଫେରିଆସିଲା, ସେ ସବୁ କଥା ସମସ୍ତଙ୍କୁ ଖିନଭିନ କରି କହିଲା ;ଲୋକେ ପଚାରିବାରୁ ସ୍ଵର୍ଗର ଅନେକ କଥା କହିଲା । ସେ କହିଲା– ମୁଁ ସ୍ଵର୍ଗରେ ଯେତେ ଯାହା ଦେଖିଲି, ସେଥି ଭିତରେ ସ୍ଵର୍ଗର ଏଣ୍ଡୁରି ପିଠା ସବୁଠଉଁ ବଳି ତାରିଫ । ଏଣ୍ଡୁରିଟାମାନ ଗୋଲ ଗୋଲ ହୋଇ ଶଗଡ ଚକଡ଼ାଠଉଁ ବଡ଼ । ତା’ ସୁଆଦ କଥା କଅଣ କହିବି ? ଗୋଟେ ଏଣ୍ଡୁରିକି ଆମ ଗାଁଟାଯାକର ପେଟ ନାହିଁ । ସଂସାରରେ ପୁଣି ଇମିତି ଏଣ୍ଡୁରି ହୁଏ ! ସେ ଏଣ୍ଡୁରି ମତେ ବାଇ କରିଦେଇଚି । ମୁଁ ଆଉ ସ୍ଵର୍ଗକୁ ଯାଇଥାନ୍ତି, କି ନ ଯାଇଥାନ୍ତି, । କେବଳ ସେଇ ଏଣ୍ଡୁରି ଲାଗି ପୁଣି ଯିବି ।

 

ଏଣ୍ଡୁରି ପିଠା କଥା ଶୁଣି ଗାଁଟାଯାକର ତୁଣ୍ଡରୁ ଲାଳ ବୋହିଲା । ସମସ୍ତେ କହିଲେ– ଆମେ ସବୁ କିମିତି ତୋ ସାଙ୍ଗରେ ସ୍ଵର୍ଗକୁ ଯାଇ ଏଣ୍ଡୁରି ଖାଆନ୍ତୁ ?

 

ମାଳି କହିଲା– ଯେତେ ଯିବ, ଆସ; ଯେ ଯେତେ ଏଣ୍ଡୁରି ଖାଇବ, ଖାଅ । କାହାରିକି ମନା ନାହିଁ ।

 

ଲୋକେ କହିଲେ– ଏତେ ଲୋକ କିମିତି ଯିବା ।

 

ମାଳୀ କହିଲା– ଯିବାରେ କିଛି କଷ୍ଟ ନାହିଁ । ମନେରଖ, ହାତୀ ଗଲାବେଳେ ମୁଁ ଯିମିତି ହାତୀ ଲାଙ୍ଗୁଡ଼କୁ ଧରିବି, ସିମିତି ମୋ ଗୋଡ଼କୁ ଜଣେ ଧରି ଓହୋଳି ପଡ଼ିବ । ସେ ପୁଣି ଟିକିଏ ଉପରକୁ ଉଠିଗଲେ, ତା’ ଗୋଡ଼କୁ ଆଉ ଜଣେ ଧରିବ । ଏହିପରି ଗୋଡ଼କୁ ଗୋଡ଼ ଧରି ସହଜରେ ଚାଲିଯିବା, ଆଉ କଷ୍ଟ କଅଣ ? ଏକଥା ସମସ୍ତଙ୍କ ମନକୁ ପାଇଲା । ଗାଁଟାଯାକ ଏଣ୍ଡୁରି ଲୋଭରେ ହାତି ଆସିଲା ବେଳକୁ ସଜବାଜ ହୋଇ.ଚାହିଁ ରହିଲେ । ଦେଖୁ ଦେଖୁ ହାତୀ ଆସିଲା, ବଗିଚାଯାକ ବୁଲି ବୁଲି ଡାଳପତ୍ର ପେଟେ ଖାଇଲା ସେ ଯେତେବେଳେ ସ୍ଵର୍ଗକୁ ବାହାରିଲା, ମାଳି ସେତେବେଳେ ତା’ ଲାଙ୍ଗୁଡ଼ ଧରିଲା, ଆଉ ଜଣେ ମାଳୀ ଗୋଡ଼ ଧରିଲା, ଆଉଜଣେ ସେ ଜଣକର ଗୋଡ଼ ଧରିଲା । ଏହିପରି ୟେ ତା’ ଗୋଡ଼, ସେ ୟା ଗୋଡ଼ ଧରି ଗାଁଟାଯାକ ସ୍ଵର୍ଗକୁ ଉଠିଲେ । ମାଳୀର ମା’ ବୁଢ଼ୀ ଶେଷ ଜଣକର ଗୋଡ଼ ଧରିଥାଏ । ହାତୀ ତ ଯାଉଥାଏ, ଏ ପଞ୍ଝାଟାଯାକ ସେହିପରି ଓହୋଳିକରି ଯାଉଥାନ୍ତି । ଯାଉ ଯାଉ ଅଧବାଟ ଠେଇଁ ଜଣେ କହିଲା ଆମେ ଏତେ ଲୋକ ଯାଉଥାଇଁ ଯେ ଏଣ୍ଡୁରି କଅଣ ଏତେ ଲୋକଙ୍କୁ ଅଣ୍ଟିବ ? ଏଣ୍ଡୁରି ତ ! ହୋଇ ହୋଇ କେତେ ବଡ଼ ହବ ?

 

ମାଳୀ ଏହା ଶୁଣି ଏମାନଙ୍କ ମନବୋଧ କରିବାକୁ ତରବର ହୋଇ ହାତୀ ଲାଙ୍ଗୁଡ଼ ଛାଡ଼ିଦେଇ ଦୁଇହାତରେ ଏଡ଼ିକି ଏଣ୍ଡୁରି ବୋଲି ଯେତେବଳେ ଦେଖେଇଲା, ସେତେବେଳେ ସବୁଗୁଡ଼ାକ ସାଙ୍ଗେ ସାଙ୍ଗେ ଦୁଲଦାଲ, ଭୂଷଭାଷ ହୋଇ ଅଜାଡ଼ି ହୋଇ ତଳେ ପଡ଼ିଲେ । ଏତେ ଉଚ୍ଚରୁ ପଡ଼ିଲେ କ’ଣ ମଣିଷ ବଞ୍ଚେ ? ସବୁଗୁଡ଼ାକ ଏକାବେଳେକେ ନାରାୟଣ ପାଇଗଲେ । ଏତେ ମୃଦାର ଜମାହେଲା ଯେ ସେ ଗୋଟେ ମଡ଼ାପର୍ବତ ପରି ଦିଶିଲା । ଗାଁରେ ହେଲେ କିଏ ଅଛି ଯେ ଏଗୁଡ଼ାକ ଗୋଟା ଗୋଟା କରି ନେଇ ଦାହ କରିବ ! ଗାଁରୁ ତ ଅଣ୍ଡା ବଚା, ପିଲା ବୁଢ଼ା ସମସ୍ତେ ଏଣ୍ଡୁରି ଖାଇବାକୁ ଯାଇଥିଲେ, ଆଉ ଦାହ କରିବ କିଏ ? ସେଗୁଡ଼ାକ ସିମିତି ଜମି ଜମି ହୋଇ ରହିଲା । ପଛକୁ ସଡ଼ିପଚି ଗଲା । ବାକି ହାଡ଼ଗୁଡ଼ାକ ସେଇ କାଳରୁ ଏପର୍ଯ୍ୟନ୍ତ ସିମିତି ଜମା ହୋଇ ରହିଚି । ଏୟା କଥା । ପଣ୍ଡିତେ ଅବୋଲକରାକୁ କହିଲେ–ଏବେ ତ ହାଡ଼କୁ ହାଡ଼ କଥା ବୁଝିଲୁ । ଯା, ସଉଦା ଆଣ, ରୋଷାଇ କରିବା ।

 

ଅବୋଲକରାର ମନ ପଣ୍ଡିତଙ୍କ କଥାରେ ମାନିଲା । ତାପରେ ସେ ସଉଦାପତ୍ର ଆଣିଲା-। ପଣ୍ଡିତେ ରୋଷେଇବାସ କଲେ । ଦୁହେଁ ଖାଇସାରି ପୁଣି ଚାଲିଲେ ।

񤦬񤦬񤦬

 

ଠକ ପରମାର୍ଥୀ

 

ଗୋଟିଏ ଗ୍ରାମରେ ଜଣେ ପରମାର୍ଥୀ ଥିଲେ । ସେ ସବୁବେଳେ ଚିକ୍କଣ କରି ହରି ମନ୍ଦିର ତିଳକଟିଏ କାଟିଥାନ୍ତି । ସବୁବେଳେ ଝୁଲାରେ ହାତ ପୂରାଇ ମାଳା ଟପ ଟପ କରନ୍ତି; ତା’ ଛଡ଼ା କେହି କିଛି ମନ୍ଦ କଥା କହିଲେ ସାଙ୍ଗେ ସାଙ୍ଗେ ରାଧେକୃଷ୍ଣ, ରାଧେକୃଷ୍ଣ କହନ୍ତି । ସଂକୀର୍ତ୍ତନରେ ଭକ୍ତିରେ ଥରିଯାନ୍ତି; ଆଖିରୁ ପ୍ରେମାଶ୍ରୁ ଗଡ଼ାଇ ପକାନ୍ତି । ଗାଁ ଲୋକେ ତାଙ୍କର ଏ ରଙ୍ଗ ଢଙ୍ଗରେ ଭଳିଯାଇ ତାଙ୍କୁ ଭାରୀ ଭକ୍ତ ବୋଲି ବିଶ୍ଵାସ କରନ୍ତି ।

 

ସେହି ଗାଁର ଜଣେ ଲୋକ ବିଦେଶ ବାହାରିଲା । ତା’ ହାତରେ ଗୁଡ଼ିଏ ଟଙ୍କା ସୁନା ଥିଲା । ଏତେଗୁଡ଼ିଏ ଧନ ନେଇହବ ନାହିଁ, କି କାହାର ଜିମା ଦବାକୁ ଆପଣା ଲୋକ ପାଇଲା ନାହିଁ-। ସେ ସେହିଦିନ ପରମାର୍ଥୀଙ୍କୁ ବିଶ୍ଵାସ କରି ତାଙ୍କ ପାଖକୁ ଯାଇ କହିଲା– ଆପଣ ମୋର ଗୋଟିଏ ଉପକାର କରିବେ । କଥା ଆଉ କିଛି ନୁହେଁ, ମୁଁ କିଛି ଦିନ ବିଦେଶ ଯିବି । ମୋ ପାଖରେ କିଛି ଟଙ୍କା ପଇସା ଅଛି । ଆପଣ ଧର୍ମପରାୟଣ ଲୋକ । ସେଗୁଡ଼ିକ ମୁଁ ଆପଣଙ୍କ ପାଖେ ରଖିଦେଇ ଯିବି । ମୁଁ ପୁଣି ଫେରିଲେ ସେସବୁ ନେଇଯିବି । ଆପଣ ଏତକ ଅନୁଗ୍ରହ କଲେ ମୋର ଭାରୀ ଉପକାର ହେବ ।

 

ପରମାର୍ଥୀ ଏହା ଶୁଣି ମନେମନେ ବଡ଼ ଖୁସି ହେଲେ । ଦେଖିଲେ, ଏତେଗୁଡ଼େ ଧନ ଆପେ ଆପେ ମିଳୁଛି, ୟା କିଏ ଛାଡ଼େ ? କିନ୍ତୁ ହଠାତ ରାଜି ନହୋଇ କହିଲେ– ରାମ ରାମ ପରଧନ ରଖିବା କାମ ମୋଦ୍ଵାରା ହୋଇପାରିବ ନାହିଁ । ପରଧନ ଛୁଇଁବା ମହାପାପ । ମୁଁ କାହିଁକି ଜାଣିଶୁଣି ଏ ପାପ କରିବି ? ଆପଣ ଆଉ କାହାକୁ ଦେଇଯାଆନ୍ତୁ ।

 

ସେ ଲୋକ ପରମାର୍ଥୀର ଏ ନିର୍ଲୋଭ ପଣିଆ ଦେଖି ଖୋସାମତ କରି କହିଲା– ମୁଁ ଆଉ ବିଶ୍ଵାସୀ ଲୋକ ପାଉନାହିଁ । ମୋ ଟଙ୍କା ମୁଁ ନେଇଯିବି, ଆପଣଙ୍କର କାହିଁକି ପାପ ହବ ? ଆପଣ ଏଇତକ ଅନୁଗ୍ରହ କରନ୍ତୁ ।

 

ପରମାର୍ଥୀ ସତେ ଇଚ୍ଛାନଥିଲା ଭଳିଆ ହୋଇ କହିଲା– ଯେବେ ଆଉ ଲୋକ ପାଉ ନାହଁ, ତେବେ ଦିଅ, ରଖିବି । ଆଉ କଅଣ କରାଯିବ ? କିନ୍ତୁ ଆସିଲା ମାତ୍ରକେ ତୁମ ଟଙ୍କାତକ ନେଇଯିବ; ନହେଲେ ମୁଁ ରଖିବି ନାହିଁ ।

 

ସେ ଲୋକ କହିଲା– ୟାନା ଗୋଟେ କଥା ? ମୁଁ କାହିଁକି ଆପଣଙ୍କୁ ହଇରାଣ କରିବି-? ଦେଖିବେ ନାହିଁ, ମୁଁ ଆସିଲା ମାତ୍ରକେ ମୋ ଟଙ୍କା ନେଇଯିବି ।

 

ପରମାର୍ଥୀ କହିଲେ– ହଉ ତେବେ ଆଣ । ସେ ଲୋକ ତା’ର ସବୁ ଧନ ରୁଣ୍ଡେଇ ପୁଣ୍ଡେଇ ଆଣି ପରମାର୍ଥୀକି ଦେଇ ବିଦେଶ ଗଲା । ସେ ପୁଣି କେତେ କାଳ ପରେ ବିଦେଶରୁ ଫେରି ପରମାର୍ଥୀକି ତା’ ଟଙ୍କା ମାଗିଲା । ପରମାର୍ଥୀ ଏହା ଶୁଣିଲା ମାତ୍ରକେ କାନରେ ହାତଦେଇ କହିଲା– କିଓ କି ଟଙ୍କା ? ତୁମେ ପାଗଳ ନା, କ’ଣ ? କିଓ, ମୁଁ କ’ଣ ଟଙ୍କା ଦେବି ?

 

ଏହା ଶୁଣି ସେ ଲୋକର ହାକାସି ଉଡ଼ିଲା । ସେ କହିଲା– କିଓ, ଆପଣ ଏପରି କ’ଣ କହୁଚନ୍ତି ? ମୁଁ ପରା ଆପଣଙ୍କୁ ମୋର ସର୍ବସ୍ଵ ଦେଇ ଯାଇଥିଲି ? ଆପଣ ଏପରି କଅଣ କହୁଛନ୍ତି-

 

ପରମାର୍ଥୀ କହିଲା– ରାଧେକୃଷ୍ଣ, ରାଧେକୃଷ୍ଣ, ଏ କି କାଳ ହେଲା ! ଏ କି କଥା କହୁଛ-? ଆଉ ହବ ନାହିଁ, ହବ ନାହିଁ । ନ ହେଲେ କି କଳିକାଳ !

 

ସେ ଲୋକ ପରମାର୍ଥୀର ରବାଦ ଦେଖି କାଠପରି ହୋଇଗଲା । ତା’ ମୁଣ୍ଡ ଚକ୍ର ପରି ଘୂରିଗଲା । ହବାର କଥା । ବିଚରା ସର୍ବସ୍ଵ ଦେଇ ଯାଇଥିଲା । ହାତରେ ଫଟା ପାହୁଲାଟିଏ ନାହିଁ, ଏଥିରେ କିପରି ଥୟ ହୋଇପାରେ ? ସେ କହିଲା– କିଓ, ଆପଣ କ’ଣ ଏପରି କହୁଚନ୍ତି ? ମୁଁ ପରା ଆପଣଙ୍କୁ ସର୍ବସ୍ଵ ଦେଇ ଯାଇଥିଲି । ମୁଁ ଫେରିଲେ ମୋ ଧନ ମତେ ଫେରାଇ ଦବାକୁ ପରା କଥା ହୋଇଥିଲା ?

 

ପରମାର୍ଥୀ କହିଲା– ରାଧେକୃଷ୍ଣ, ରାଧେକୃଷ୍ଣ । ହୟେ, ତୁମ ସାଙ୍ଗେ ମୋର କେବେ ଦେଖାସକ୍ଷାତ ନାହିଁ । ତୁମେ ଏଠାରେ ଥିଲ, କି ବିଦେଶରେ ଥିଲ, ମୁଁ ବା କିମିତି ଜାଣିବି । ଜଣାନାହିଁ, ଶୁଣାନାହିଁ, ସତିକା ଥାତି ରଖିଲା ଭଳି କୁଆଡ଼ୁ ଦଉଡ଼ିଆସି ଗୋଟେ ଲଟ ଲଗାଇଚ, କଅଣ ନା–ମୁଁ ଯଉ ଟଙ୍କା ଦେଇଥିଲି, ସେ ଟଙ୍କା ଦିଅ । ଆଉ ହବ ନାହିଁ, ହବ ନାହିଁ । ତୁମେ ଆଉ କାହାକୁ ଦେଇଥିବ, ମନେକର । ତୁମେ କାହାକୁ ଦିଅ; ନ ଦିଅ, ସେଥିରେ ଆମର ଯାଏ କେତେ, ଆସେ କେତେ ? ଆଉ ଏଠାରେ ପାଟିତୁଣ୍ଡ ନ କରି ତୁନି ହୋଇ ଚାଲିଯାଅ ।

 

ବିଚରା ଏଥିରେ ନିରାଶ ହୋଇ ବୋବାଳି ପକାଇଲା ବୋବାଳି ପକାଇବାର କଥା । ତା’ର ଯାହା ସମ୍ପତ୍ତି ଥିଲା, ସବୁତକ ତାକୁ ଦେଇସାରିଛି । ବାସି ଓଳିକି ଦାନା ନାହିଁ । ଏଥିରେ ଥୟ ହବ କେତେକେ ! କଅଣ କରିବ, ଉପାୟ ତ ନାହିଁ; କାନମୁଣ୍ଡା ଆଉଁସି ଘରକୁ ଆସିଲା । ନ ଖାଇ ନ ଶୋଇ ବଡ଼ ବ୍ୟସ୍ତ ହେଲା । ଲୋକେ ଏ ସବୁ ଘଟନା ଶୁଣି ହା ରାମ ହେଲେ । ହା ରାମ ହେଲେ ସିନା ! ପରମାର୍ଥୀ କି କହିବାକୁ କାହାରି ହୁବ ପାଇଲା ନାହିଁ । ସମସ୍ତେ ତୁନୀ ତାନ ହୋଇ ରହିଲେ-। ଇମିତି କେତେଦିନ ଗଲା ।

 

ସେ ଗାଁରେ ଗୋଟେ ବେଶ୍ୟା ଥିଲା । ତା’ର ଅଚଳାଚଳ ସମ୍ପତ୍ତି । ଏ କଥା ତା’ କାନକୁ ଗଲା । ସେ ଶୁଣି ବଡ଼ ବ୍ୟସ୍ତ ହେଲା । ସେ ବୁଝିଲା–ପରମାର୍ଥୀଟା ମହାଠକ, ୟାକୁ ପାନେ ଦବା ଦରକାର । ଏଇ ବିଚାର କରି ଦିନେ ହୀରା ନୀଳାର ଗୁଡ଼ିଏ ଅଳଙ୍କାର ପିନ୍ଧି ପରମାର୍ଥୀ ପାଖକୁ ଗଲା । ପରମାର୍ଥୀ ତାକୁ ଦେଖି ଭାବିଲା–ଗୁଡ଼େ ସମ୍ପତ୍ତି ୟାର ଅଛି, ଏଥିରୁ କିଛି ମାରନ୍ତି କି ? ପରଧନକୁ ଲୋଭ କରିବା ତା’ର ସ୍ଵଭାବ । ତେଣୁ ମନରେ ତା’ର ଏଇ ଚିନ୍ତା ପଶିଲା । ତାପରେ ତୁମେ କୁଆଡ଼େ ଆସିଲ ବୋଲି ପଚାରିବାରୁ ବେଶ୍ୟା କହିଲା– ମୁଁ ଆସିଲି କାହିଁକି କି ମୁଁ ଦିନା କେତେ କାଶୀ ଯିବି, ଦି ମାସ ଖଣ୍ଡେ ସେଠାରେ ରହିବି । ଧନତକ କାହାକୁ ଦେଇ ଯିବି ? ପାଖରେ ସିମିତି ବିଶ୍ଵାସୀ ଲୋକ, କେହିନାହାନ୍ତି । ଭାବି ଭାବି କେହି ତ ଦିଶିଲେ ନାହିଁ, ଆପଣଙ୍କ ଜିମା କରି ଦେଇଯିବାକୁ ଠିକ୍ କଲି । ମୁଁ ଫେରିବା ପର୍ଯ୍ୟନ୍ତ ଆପଣ ସେତକ ପାଖରେ ରଖିଲେ ମୁଁ ଚିନ୍ତାରୁ ଖଲାସ ପାଇବି ।

 

ପରମାର୍ଥୀ ସତେଯେପରି ପରଧନକୁ ଚାହେଁନାହିଁ, । ସେପରି ହୋଇ କହିଲା– ରାଧେକୃଷ୍ଣ; ରାଧେକୃଷ୍ଣ; ମୁଁ ପରମାର୍ଥୀ ଲୋକେ; ମତେ ଏ ଅଡ଼ୁଆରେ ପୂରାଅ ନାହିଁ । ତୁମର ପୁଣି ହୀରା, ନୀଳା ଜିନିଷ, ତା’ ମୁଁ ସମ୍ଭାଳି ପାରିବି ନାହିଁ । ପଛକୁ ଏୟା ହବ, ସବୁବେଳେ ତାରି ଉପରେ ଦୃଷ୍ଟି ରହିବ; ମୁଁ ଆଉ ହରିନାମ ଟିକିଏ କରିପାରିବି ନାହିଁ । ତୁମେ ଆଉ ଯାହା ପାଖରେ ହେଲେ ରଖ ମତେ ଏଥିରେ ପକାଅ ନାହିଁ ।

 

ବେଶ୍ୟା ତାକୁ କହିଲା– ୟା କହିଲେ ଚଳିବ ? ଆପଣ କହନ୍ତୁ– ଆପଣଙ୍କଠୁଁ ବଳି ଆଉ କିଏ ବିଶ୍ଵାସୀ ଲୋକ ଅଛି ? ଆଉ ସେପରି କେହିନାହାନ୍ତି ବୋଲି ତ ମୁଁ ଆପଣଙ୍କ ପାଖକୁ ଆସିଲି-। ଆପଣ ନିରାଶ କଲେ ଚଳିବ ?

 

ପରମାର୍ଥୀ ମନେମନେ ଖୁସିହୋଇ ନ ଯୋଗାଇଲା ଭଳି ହୋଇ କହିଲା– ହଉ, ଯେବେ ଇମିତି କଥା, ତେବେ ତୁମ ଧନ ଗଣାପୋଛା କରି ଜଉମୁଦ ଦେଇ ରଖିଦିଅ । ଆଉ କଅଣ କରାଯାଏ ? ଏଥିରେ ଯେବେ ତୁମର ଉପକାର ହବ, ତେବେ ସେ କ’ଣ ଧର୍ମ ନୁହେଁ ?

 

ବେଶ୍ୟା କହିଲା– ଆପଣ ଯିମିତି କହିବେ, ମୁଁ ସିମିତି କରିବି । ଆସିଲା ମାତ୍ରକେ ମୋ ଧନ ମୁଁ ନେଇଯିବି । ମୋ ପାଇଁ ଏଇ କେତେଦିନ ଦୁଃଖ ସହିବେ । ତେବେ କାଲି ଗାଡ଼ି ଶଗଡ଼ ଲଗାଇ ଏକାଥରକେ ସବୁ ଆପଣଙ୍କ ପାଖକୁ ଘେନିଆସିବି । ବେଶ୍ୟା ଏହା କହି ନିଜ ଘରକୁ ଗଲା-

 

ପରମାର୍ଥୀ ଗୁଡ଼େ ଧନ ହାତକୁ ଆସିବା ଆଶାରେ ମନେମନେ ଭାରୀ ଖୁସିହେଲା । ରାତି କିମିତି ପାଇବ, କେତେବେଳେ ଗାଡ଼ି ଶଗଡ଼ ଆସିବ, ତାକୁ ସବୁ କେଉଁଠି ରଖିବ; ଖାଲି ଚିନ୍ତାରେ ତା’ର ରାତି ପାହିଲା ।

 

ତେଣେ ବେଶ୍ୟା ଘରକୁ ଫେରିଯାଇ ଯାହାକୁ ପରମାର୍ଥୀ ଠକିଥିଲା ତାକୁ ଡକାଇ କହିଲା ତୁମେ କାଲି ସକାଳୁ ଯାଇ ପରମାର୍ଥୀ ଦୂଆରେ ଧାରଣାଦେଇ ବସିରହିବ । କେହି ଲୋକ ଗଲେ ତାରି ଆଗରେ କହିବ– ମୋ ଟଙ୍କାତକ ଦିଅ । ନହେଲେ ମୁଁ ଏଠାରୁ ଉଠିବି ନାହିଁ ।

 

ସେ ଲୋକ ବେଶ୍ୟା କଥାନୁସାରେ ସକାଳୁ ଯାଇ ପରମାର୍ଥୀ ଦୁଆରେ ହାଜର ହେଲା । ପରମାର୍ଥୀ ତାକୁ ଦେଖି ଦୂର ଦୂର ମାର ମାର କଲା, ମାତ୍ର ସେ ଜମା ଚଳିଲା ନାହିଁ । କେହି ଭଦ୍ରଲୋକ ଆସିଲେ, ତାରି ଆଗରେ କହେ– କ’ଣ, ମୋ ଟଙ୍କା ଦବ, କି ନାହିଁ ? ଯେ ସବୁ ଶୁଣୁଥାନ୍ତି, ସେ ଏକଥା ପଚାରି ସବୁ ବୁଝୁଥାନ୍ତି । ସେ ଲୋକ ସେହିପରି ବସିଥାଏ, ଯେତେ କହିଲେ ସୁଦ୍ଧା ଉଠେନାହିଁ ।

 

ପରମାର୍ଥୀ ଦେଖିଲା ଯେ ବେଶ୍ୟା ଧନସମ୍ପତ୍ତି ଘେନି ଆସିଲାବେଳକୁ ଯେବେ ଏ ଲୋକ ବସିଥିବ, ତେବେ ବଡ଼ ଅଡ଼ୁଆ ହବ । ବେଶ୍ୟା ଯେବେ ଜାଣିବ–ମୁଁ ୟାକୁ ଠକିଚି, ତେବେ ସେ ତା’ ଧନ ମୋତେ ଆଉ ଦବ ନାହିଁ । ଶେଷକୁ ଅଳ୍ପ ଧନ ଲାଗି ବହୁତ ଧନ ହରାଇବାକୁ ପଡ଼ିବ-। ଏଣୁ ୟାକୁ ଶୀଘ୍ର ବିଦା କରିଦବା ଦରକାର । ଏହା ସ୍ଥିର କରି ତା’ର ସବୁ ଧନ ତାକୁ ଦେଇ ବିଦା କରିଦେଲା । ସେ ବିଚରା ଧନତକ ପାଇ ଘରେ ରଖିଦେଇ ବେଶ୍ୟା ପାଖକୁ ଯାଇ କହିଲା– ଆଜି ତୁମ ଯୋଗୁଁ ଧନତକ ପାଇଲି, ତୁମରି ଯୋଗୁଁ ମଧ୍ୟ ବଞ୍ଚିଗଲି ।

 

ବେଶ୍ୟା ନିଜର କୌଶଳରେ କାର୍ଯ୍ୟ ସିଦ୍ଧ ହୋଇଥିବାରୁ ଜାଣି ଅତ୍ୟନ୍ତ ଖୁସିହେଲା । ତେଣେ ବେଶ୍ୟାର ଧନ ଶଗଡ଼କୁ ଚାହିଁ ଚାହିଁ ପରମାର୍ଥୀର ଆଖିରୁ ପାଣି ମଲା ! ବେଶ୍ୟା କିଆଁ ତା’ ଦୁଆର ମାଡ଼ନ୍ତା ?

 

ଯେସାକୁ ତେସା ଠିକ୍ ।

񤦬񤦬񤦬

 

ପାନ ଆଣ, ପାନ ଦେ

 

ଜଣେ ଭଦ୍ରଲୋକ ଚାକରକୁ ଦୁଇ ପ୍ରକାର ପାନ ଭାଙ୍ଗିବାକୁ ଶିଖାଇଥାନ୍ତି । ଗୋଟିଏ ପ୍ରକାର ପାନ ଆଣ, ଅନ୍ୟ ପ୍ରକାର ପାନ ଦେ । ଆଣ ପାନ ନିଜ ପାଇଁ, ଦେ ପାନ ଭଦ୍ରଲୋକଙ୍କ ପାଇଁ । ଆଣ ପାନରେ ଭଲ ଗୁଆଗୁଣ୍ଡି, ମସଲାମସଲି ଥାଏ । ଦେ ପାନରେ ରଦ୍ଦି ଗୁଆଗୁଣ୍ଡି ଥାଏ, ମସଲାର ଗନ୍ଧ ନ ଥାଏ । କେହି ଭଦ୍ରଲୋକ ଆସିଲେ, ବାବୁ ଚାକରକୁ ଡାକପକାନ୍ତି–ପାନ ଦେ, ନିଜ ବେଳକୁ ଆରେ ପାନ ଆଣ, କହନ୍ତି । ଚାକର ଡାକ ଅନୁସାରେ ପାନ ସଜାଡ଼ି ଆଣେ । ଏହା କାହିଁକି କିଏ ଜାଣିବ ? କେହି ଭଦ୍ରଲୋକ ଯେବେ ଆଣ ପାନ ଖାଇସାରି ଦେ ପାନ ଖାନ୍ତେ; ତେବେ କିଏ କାହିଁକି ବାବୁଙ୍କ ପିଣ୍ଡା ମାଡ଼ନ୍ତେ । ଏହିପରି ଚଳଣି ଚାଲିଥାଏ ।

 

ଦିନେ ବାବୁଙ୍କ ପଡ଼ୋଶୀ କାହିଁକି ବାବୁଙ୍କ ପିଣ୍ଡାକୁ ଆସିଲେ ତାଙ୍କୁ ତ ପୁଣି ମହତ୍ତ୍ଵ କରିବାକୁ ହେବ । ତେଣୁ ଚାକରକୁ ଦେ ପାନର ବରାଦ ହେଲା ।

 

କିନ୍ତୁ ପଡ଼ୋଶୀ ଭଦ୍ରଲୋକ ଆଣ ପାନ ଦେ ପାନର ରହସ୍ୟ ଆଗରୁ ଜାଣିଛନ୍ତି । ସୁତରାଂ ଦେ ପାନର ବରାଦ ଶୁଣି କହିଲେ– ଆରେ ଦେ ପାନ ନ ଆଣି ଆଣ ପାନ ଆଣିବୁ । ବାବୁ ଏକଥା ଶୁଣି ମୁଣ୍ଡ ତଳକୁ କଲେ । ଭାବିଲେ–ଏ ଭେଦ ଏ ଭଦ୍ରଲୋକ ଜାଣିଲେ କିପରି ? ଏ ଭେଦ ଯେବେ ଦାଣ୍ଡରେ ଆଉ ପାଞ୍ଚଜଣ ଜାଣନ୍ତି, ତେବେ ସବୁ ମହତ୍ତ୍ଵ ପାଣିକି ଯିବ । ସୟତାନ ଚାକର ଏ ଗୁମରତ ନିଶ୍ଚେ ଏ ଭଦ୍ରଲୋକଙ୍କୁ କହିଚି-। ନହେଲେ ୟେ ଜାଣନ୍ତେ କିପରି ? ବଦମାସ ଚାକର ତ କମ କଥା କରିନାହିଁ । ତାରି ଯୋଗୁଁ ସିନା ମୁଣ୍ଡ ଆଜି ତଳକୁ ହେଲା । ୟାକୁ ରଖି ଆଉ ମଙ୍ଗଳ ନାହିଁ । ଏହା ସ୍ଥିର କରି ଚାକରକୁ ଘରୁ ବାହାର କରିଦେଲେ । କିନ୍ତୁ ମହତ୍ତ୍ଵ ଚାରିଆଡ଼େ ଫୁଟି ବାହାରିଲା ।

 

ଲୋକେ କ’ଣ ଏହିପରି ମହତ୍ତ୍ଵ ରଖନ୍ତି ?

񤦬񤦬񤦬

 

କାହିଁ, ଭାର୍ଯ୍ୟା ହେବାକୁ ତ କେହି କହିଲେ ନାହିଁ !

 

ଲୋକର ଆପଦ ବିପଦ ପଡ଼ିଲେ ଗାଁର ମୁଖିଆ ମୁଖିଆ ଲୋକେ ବହୁତ ବୋଧଶୋଧ ଦିଅନ୍ତି । ଥରେ କ’ଣ ହେଲାନା, ଜଣେ ଲୋକର ବାପା ମରିଗଲେ । ତାକୁ ବୋଧଶୋଧ ଦେବାକୁ ଗାଁର ବୁଢ଼ାବୁଢ଼ା ଲୋକ ଆସିଲେ । କିଏ କେତେପ୍ରକାର ବୁଝାଇଲେ । ତେବେ ସୁଦ୍ଧା ସେ ଲୋକ ଥୟହେଲା ନାହିଁ । ସେ କହିଲା– ହଁ, ମୁଁ ସବୁ ଜାଣୁଛି । କିନ୍ତୁ ବାପା ତ ଆଉ ପାଇବି ନାହିଁ । ଆଉ ମୋ ପାଇଁ କିଏ ଆହା କରିବ ? ସେମାନେ ସମସ୍ତେ କହିଲେ– କିଛି ପରବାୟ ନାହିଁ । ସେସବୁ କଥା କାହିଁକି ଭାବୁଛୁ ? ଧୈର୍ଯ୍ୟ ଧର, ଆମକୁ ସବୁ ଚାହଁ । ଆମେ କ’ଣ ସବୁ ତୁମର ବାପା ନୁହେଁ-? ଏପରି ବୁଝାସୁଝା କରି ଯେଝା ଘରକୁ ଗଲେ । ସେ ସମୟ ଚାଲିଗଲା । ବାପା ମରିବାର ବର୍ଷ ପୂରି ନାହିଁ, ତା’ର ମାଆଟି ମଧ୍ୟ ମରିଗଲା । ବାପା ମରିବା ଦରଜ ଯାଇନାହିଁ, ସେଥିରେ ପୁଣି ମାଆ ମଲା । ଦୁଃଖ କଥା ଆଉ କାହିଁକି ପଚାରୁଚ ? ବିଚରା କାନ୍ଦ ବୋବାଳିରେ ଅଥୟ ହେଲା, ସାଇ ମାଇପେ ଜଣ ଜଣ ହୋଇ ଆସି ବହୁତ ବୁଝାଇଲେ । ସମସ୍ତେ କହିଲେ– ବିକଳ ହୁଅନାହିଁ, ଆମକୁ ସବୁ ଚାହଁ ଆମେ କଅଣ ସବୁ ତୁମର ମା’ ନୋହୁଁ ? ଯେତେବେଳେ ଯାହା ପଡ଼ିବ, ଆମେ ସବୁ କରିଦବୁ । ଏହିପରି ବୋଧବାଧ କରି ଯେ ଯୁଆଡ଼େ ଗଲେ । ଏହିପରି ଦିନକେତେ ଗଲା । ତା’ ଦଶା ତ ଖରାପ । ପୁଣି କେତେଦିନ ଯିବା ପରେ ଭାର୍ଯ୍ୟାଟା ମରିଗଲା । ତା’ ଘରେ ତା’ଛଡ଼ା ଆଉ କେହି ରହିଲା ନାହିଁ । ମଣିଷ ତ ? କେତେ ସହିବ ? ବଡ଼ ଅଥୟ ହେଲା । କାନ୍ଦିଲା, ମୁଣ୍ଡ ବାଡ଼େଇଲା । ଏହିପରି ହବାରୁ ସାଇମାଇପେ ଆସି କିଏ କେତେ ବୁଝାଇଲେ, ଶେଷକୁ ସେ ବୁଝିଲା । ଥୟ ହେଲା । ୟା କ’ଣ ହୁଅନ୍ତା ନାହିଁକି ? ସେ ଥୟ ହେଲା ଉତ୍ତାରୁ ସାଇ ମାଇପଙ୍କୁ କହିଲା– ହୟେ, ତୁମେ ସବୁ ତ ମାଆ ମଲାବେଳେ ଆବୁଡ଼ା ପଡ଼ି କହିଲ–ଆଉ କାନ୍ଦନା, ମା’ ସିନା ଚାଲିଗଲା, ଆମେ କ’ଣ ସବୁ ମା’ ନୋହୁଁ କି ? ସେଇ ତ ତୁମେ ସବୁ । କାହିଁ ଭାର୍ଯ୍ୟା ମଲାବେଳେ କେତେ କଥା ତ କହିଲ, ଜଣେ ହେଲେ ତ କେହି କହିଲ ନାହିଁ–ଭାର୍ଯ୍ୟା ସିନା ମରିଗଲା, ଆମେ କ’ଣ ସବୁ ଭାର୍ଯ୍ୟା ନୋହୁଁ କି ? ଏ କଥା ଜଣେହେଲେ କିଏ କହିଲ କି ? ଲୋକେ ଏହା ଶୁଣି ଲାଜର ଯେ ଯାହା ଘରକୁ ଗଲେ । ଏଥିକି ଉତ୍ତର କଅଣ ?

񤦬񤦬񤦬

 

ଖୋଦା ବଡ଼ା ସିଆନା

 

ଜଣେ ପଠାଣୁଣୀର ଚାରିଟା ସୁଉକି ହଜିଗଲା । ସେ ବହୁତ ଖୋଜିଲା । ଗୋଟେ ହେଲେ ପାଇଲା ନାହିଁ । ଗରିବ ଲୋକ । ବୋଧ ହଉଚି କେତେକ ? ପଛକୁ ଖୋଦାଙ୍କୁ ଜଣାଇଲା–ଖୋଦା ! ଧନତକ ମିଳିଗଲେ ଗୋଟିଏ ସୁଉକିର ସିରିଣୀ ଦେବି । ତା’ ପରେ ତା’ର ବିଶ୍ଵାସ ହେଲା । ସେ ପୁଣି ଖୋଜିଲା, ଖୋଜି ଖୋଜି ତିନିଟା ସୁଉକି ପାଇଲା । ଆଉ ଗୋଟେ ପାଇଲା ନାହିଁ । ଯେତେବେଳେ ଦେଖିଲା ଆଉ ମିଳିବ ନାହିଁ, ସେତେବେଳେ ମନକୁ ବୁଝାଇବାକୁ କହିଲା– ହଁ, ଆଉ ଖୋଜି କ’ଣ ହେବ ? ପାଇଲେ ତ ସେ ମୋତେ ଭୋଗ ହେବ ନାହିଁ । ମୁଁ ତ ଖୋଦାଙ୍କୁ ପୁଣି ସୁଉକାକର ସିରିଣୀ ଦେଇଥାଆନ୍ତି । ସେ ସୁଉକିଟା ଏବେ ସିରିଣୀ ବାବଦରେ ଯାଉ; ମନକୁ ଏହିପରି ବୁଝାଇ ଆଉ ଖୋଜିଲା ନାହିଁ । ସିରିଣୀ ଦେବା କଥା ଯେ ସବୁ ଶୁଣିଥିଲେ, ସେ ସବୁ ବୁଢ଼ୀକି ସିରିଣୀ ଭୋଗ କଥା ପଚାରିଲେ । ବୁଢ଼ୀ କହିଲା– ସିରିଣୀ ଭୋଗ ଆଉ ମୋ ହାତରେ ଅଛି କି ? ଖୋଦା ବଡ଼ା ସିଆନା, ଆଗୁସେ କାଟଲିଆ ଚାରାନା ।

 

ଦେଖ, ହରି କରେ କି ?

 

ଋଷିମାନେ ବଣରେ ଥାନ୍ତି । ରାକ୍ଷସଗୁଡ଼ାକ ମଧ୍ୟ ସେଇ ବଣରେ ରହନ୍ତି । ସବୁକାଳେ ରାକ୍ଷସଗୁଡ଼ିକ ଋଷିମାନଙ୍କର ଯାଗଯଜ୍ଞ ନଷ୍ଟ କରନ୍ତି, ଆଶ୍ରମରେ ନିଆଁ ଲଗାଇ ଦିଅନ୍ତି । ଋଷିମାନଙ୍କର ଆଉ କାହାକୁ ଭୟ ନୁହେଁ, ଖାଲି ସେ ଅସୁରଙ୍କୁ ।

 

ଅସୁରଙ୍କର ଅଖାଦ୍ୟ କିଛି ନାହିଁ । ସେ ମଦ ଖାଇ ମାତାଲ ହୁଅନ୍ତି । ଘୁଷୁରି କ’ଣ, ଗାଈ କ’ଣ, ଘୋଡ଼ା କ’ଣ, ମଣିଷ କ’ଣ, ଯାହାକୁ ପାନ୍ତି, ତା’ ମାଉଁସ କଞ୍ଚାରେ ଖାନ୍ତି, ହାଡ଼ଗୁଡ଼ାକ ସୁଦ୍ଧା ଚୋବାଇ ଦିଅନ୍ତି । ଅସୁରଙ୍କୁ ଦେଖିଲେ ଲୋକର ଜୀବ ଛାଡ଼ିଯିବ ।

 

ଥରେ ଅସୁରଯାକ ଋଷିମାନଙ୍କ ତପସ୍ୟା ନଷ୍ଟ କରିବାକୁ ବିଚାର କଲେ । ସେ ଦେଖିଲେ ଯେ ଯଜ୍ଞକୁଣ୍ଡ ଭାଙ୍ଗିଦେଲେ ପୁଣି କୁଣ୍ଡ କରି ଯଜ୍ଞ କରୁଚନ୍ତି, ଆଶ୍ରମ ପୋଡ଼ିଦେଲେ ପୁଣି ନୂଆ ଆଶ୍ରମ କରିଦଉଚନ୍ତି । କଅଣ କଲେ ତାଙ୍କ ଋଷିପଣିଆ ମୂଳରୁ ଯିବ, ଏ ବିଚାର ପଡ଼ିଲା । ବିଚାରରେ ଠିକ୍ ହେଲା ସମସ୍ତଙ୍କୁ ଯେବେ ଘୁଷୁରି ମାଉଁସ, ଗାଈ ମାଉଁସ, କୁକୁର ମାଉଁସ ଖୁଆଇଦବା, ତେବେ ସେ ଆଉ ଜପତପ, ଯାଗଯଜ୍ଞ କରିପାରିବେ ନାହିଁ । ଋଷିପଣିଆ ଏକାବେଳକେ ଅନ୍ତରୁ ମରିଯିବ । ଏକଥା ସମସ୍ତଙ୍କ ମନକୁ ପାଇଲା । ସେଥିପାଇଁ ଗୋଟେ ଭୋଜିଦିନ ସ୍ଥିର ହେଲା । ଭୋଜିକି ପିଲା, ବୁଢ଼ା, ଭେଣ୍ଡା ସବୁ ଋଷିଙ୍କୁ ନିମନ୍ତ୍ରଣ କରିବାର କଥା ହେଲା । ଗୋଟେ ବୁଢ଼ା ଅସୁର ଯାଇ ଭୋଜିଦିନକୁ ସବୁ ଋଷିଙ୍କୁ ନିମନ୍ତ୍ରଣ କରିଦେଇ ଆସିଲା ।

 

ଏ ନିମନ୍ତ୍ରଣ ପାଇ ସବୁ ଋଷିଙ୍କର ନାଡ଼ି ଛାଡିଗଲା । ଡକାଡ଼କି ହୋଇ ସମସ୍ତେ ବସିଲେ-। ଏ ବିପଦରୁ କିମିତି ରକ୍ଷାପାଇବା, ଏ ଭାଳେଣି ସମସ୍ତଙ୍କର ହେଲା । କିନ୍ତୁ କିଛି ଉପାୟ ଦିଶିଲା ନାହିଁ । କମ୍ କଥା ? କାହାର ଶହେ ବର୍ଷର ତପସ୍ୟା, କାହାର ଦୁଇଶହ ବର୍ଷର ତପସ୍ୟା । କିଏ ଫଳମୂଳ ଖାଇ ବଞ୍ଚେ, କିଏ ଜଳପାନ କରି ବଞ୍ଚେ, କିଏ ପବନ ଆହାର କରି ବଞ୍ଚେ । ଦେଖିଲେ ଯେ ଏଡ଼ିକି ଏଡ଼ିକି ତପସ୍ୟାଗୁଡ଼ାକ ସବୁ ଗଲା, ଆଉ ରକ୍ଷା ନାହିଁ । ନ ଗଲେ କ’ଣ ସେ ଅସୁରଗୁଡ଼ାକ ଆଉ ଜୀବନରେ ରଖିବେ ? ଏହିପରି ମହା ଚିନ୍ତାରେ ପଡ଼ିଲେ । ରାତି ଦିନ ଖାଲି ହା ରାମ, ହା ରାମ ହେଲେ । ଆଉ ଯୋଗ, ଧ୍ୟାନ କାହିଁରେ ମନ ଲାଗିଲା ନାହିଁ । ସମସ୍ତେ ତ ଏହିପରି ହେଉଥାନ୍ତି । ସେମାନଙ୍କ ମଧ୍ୟରୁ କେବଳ ଜଣେ ବୁଢ଼ା ଋଷି ଦମ୍ଭରେ ଥାନ୍ତି । ତାଙ୍କର ଭୟ ଭ୍ରାନ୍ତ କିଛି ନ ଥାଏ । ସମସ୍ତଙ୍କୁ ଏପରି ହା ହା ହେବାର ଦେଖି କହୁଥାନ୍ତି–କାହିଁକି ବ୍ୟସ୍ତ ହଉଚ, ଦେଖ, ହରି କରେ କି ?

 

ଏଥିରେ କି କାହାର ମନ ମାନୁଥାଏ । ସମସ୍ତେ ଏ କଥାକୁ ଉଡ଼ାଇ ଦଉଥାନ୍ତି । ତଥାପି ସେ ବୁଢ଼ା ସବୁ କଥାରେ ସମସ୍ତଙ୍କୁ କହୁଥାନ୍ତି ସେଇ କଥା, ଦେଖ, ହରି କରେ କି ?

 

ଏହା ଶୁଣି କିଏ କହିଲା– ଦିନ ତ ପାଖେଇ ଗଲା । ନିଶ୍ଚେ ତ ଯିବାକୁ ହବ, ଯେତକ ସୁକୃତ କରିଥିଲେଇଁ ସବୁ ତ ଯିବ । ଆଉ ହରି କରେ କି କହ କ’ଣ ହବ ? ତଥାପି ସେ ବୁଢ଼ା କହୁଥାନ୍ତି, ଦେଖ, ହରି କରେ କି ?

 

ଏହିପରି କିଏ କେତେ ବିଥେଇ ହେଇ କହୁଥାନ୍ତି । କିନ୍ତୁ ବୁଢ଼ା ଋଷିଙ୍କର ସେଇ ଏକେଇ କଥା–ଦେଖ, ହରି କରେ କି ?

 

ଏହିପରି ହେଉ ହେଉ, ଭୋଜିଦିନ ଆସିଲା । ବୁଢ଼ା ହଡ଼ା, ପିଲା ବଚା, ସବୁ ଋଷି ମୁହଁ ଶୁଖାଇ ଖରନିଶ୍ୱାସ ପକାଇ ବାଧ୍ୟହୋଇ ବାହାରିଲେ ଭୋଜିଖାଇ । ବାଟଯାକ ସେଇ କଅଣ ହେଲା, କଅଣ କରିବା, ସବୁ ଗଲା, ଏହିପରି କହି ହେଉଥାନ୍ତି । କିନ୍ତୁ ବୁଢ଼ା ଋଷିଙ୍କର ସେଇ, ଦେଖ, ହରି କରେ କି ? ଏହା ଶୁଣି କେତେକ ସେ ବୁଢ଼ା କଥାକୁ ଉଡ଼ାଇ ଦଉଥାନ୍ତି । ମାତ୍ର ବୁଢ଼ାର ସେହି–ଦେଖ, ହରି କରେ କି ?

 

ଏହିପରି ହେଇ ହେଇ ସମସ୍ତେ ପହଞ୍ଚିଲେ ଭୋଜି ଜାଗାରେ । ଅସୁରଯାକ ସମସ୍ତେ ଚାହିଁ ବସିଥିଲେ । ୟେ ସବୁ ପହଞ୍ଚିବାରୁ ଭୋଜିର ଯୋଗାଡ଼ ହେଲା । ବଡ଼ ବଡ଼ ମଞ୍ଜ କଦଳୀପତ୍ର ପଡ଼ିଗଲା । ଋଷିମାନେ ତଳ ଉପରକୁ ଚାହିଁ ଖରନିଃଶ୍ଵାସ ପକାଇ ବସିଲେ । ସେତେବେଳେ ମଧ୍ୟ ବୁଢ଼ା ଋଷି କହୁଥାନ୍ତି– ଦେଖ, ହରି କରେ କି ? ଏହା ଶୁଣି ଅନେକ କହିଲେ–ଇଲେ ତ ମୁଣ୍ଡା ମୁଣ୍ଡା ଗାଈ ଘୁଷୁରି ମାଉଁସ ବଢ଼ା ହବ, ଆଉ ଦେଖ, ହରି କରେ କି ? କାହିଁକି କହୁଚି, ତଥାପି ବୁଢ଼ାର ସେଇ କଥା ।

 

ପରଷା ପରଷି ସରିଗଲା । ଏଣିକି ହାତ ଚଳାଇବାର କଥା । ସବୁ ଅସୁର ଚାହିଁ ଠିଆ ହୋଇଥାନ୍ତି । ଏତିକିବେଳେ ସେ ବୁଢ଼ା ଋଷି ଅସୁରମାନଙ୍କୁ କହିଲେ–ଦେଖ, ସବୁ ତ ପତ୍ରରେ ଲାଗିଗଲା । ଏଣିକି ଆମର ଖାଇବାର କଥା । କିନ୍ତୁ ଆମର ଗୋଟିଏ କଥା, ସେତକ ହୋଇଗଲେ ଆମେ ଖାଇବା ପିଇବା ଆରମ୍ଭ କରିବୁ ।

 

ଅସୁରମାନେ କହିଲେ–ସେ କି କଥା । ବୁଢ଼ା ଋଷି କହିଲେ–କଥା କଅଣ କି ? ଆମକୁ ଯେ ନିମନ୍ତ୍ରଣ କରନ୍ତି, ତାଙ୍କ ଭିତରେ ଯେ ବଡ଼, ସେ ଆମ ସଙ୍ଗେ ବସିଲେ ଆମେ ଖିଆପିଆ କରୁ-। କଥା ଏତିକି, ଆଉ କିଛି ନୁହେଁ । ୟା ଶୁଣି ଜଣେ ଅସୁର କହିଲା ଏୟା ତ ? ହଉ ହେଲା । ତେବେ ଆମ ଭିତରେ ଯେ ବଡ଼, ସେ ବସ । ୟା ଶୁଣି କିଏ କହିଲା–ମୁଁ ତ ସବୁଠାରୁ ବଡ଼, ମୁଁ ବସୁଛି । ଆଉ ଜଣେ କହିଲା–ମୁଁ ଥାଉ ଥାଉ ତୁ କିମିତି ବଡ଼ ହବୁ ? ତାପରେ କିଏ କହିଲା–ମୁଁ ବଡ଼ । ଦେଖୁ ଦେଖୁ ଜଣ ଜଣ ହୋଇ ସମସ୍ତେ କହିଲେ ମୁଁ ବଡ଼ । ଏପରି ହଉ ହଉ କିଏ ବଡ଼ ଠିକଣା ହୋଇପାରିଲା ନାହିଁ । ସେଇ ବଡ଼ ନେଇ ଅସୁରଙ୍କ ଭିତରେ ମରାମରି ପିଟାପିଟି ଲାଗିଗଲା । ଇମିତି ହବାରେ ଆଉ ବଡ଼ ବଛା ହୋଇପାରିଲା ନାହିଁ । ଋଷିମାନେ ଆଉ ଖାଇବେ କ’ଣ, ଏ ଗୋଲକଧନ୍ଦା ଦେଖି ମନେମନେ ଖୁସି ହେଉଥାନ୍ତି ।

 

ଶେଷକୁ ଅସୁରମାନେ କହିଲେ–ହଇଓ ଋଷିମାନେ । ଆମର ତ ବଡ଼ କିଏ, ଠିକଣା ହୋଇପାରିଲା ନାହିଁ । ତେବେ ଆପଣମାନେ ଯାନ୍ତୁ । ଆମର ବଡ଼ ଠିକଣା ହେଲେ ଆମେ ତୁମକୁ ସବୁ ଡାକିବୁ । ଋଷିମାନେ ମନ ଆନନ୍ଦରେ ନିଃଶ୍ୱାସ ପକାଇ ସମସ୍ତେ ଡଗ ଡଗ ହୋଇ ପାଦପକାଇ ଆଶ୍ରମକୁ ଭିଡ଼ିଲେ । ବାଟରେ ବହୁତ ହସ କୁରୁଡ଼ି ହୋଇଗଲା । ତେତେକିବେଳେ ସେ ବୁଢ଼ା ଋଷି କହିଲେ–ମୁଁ କ’ଣ କହୁଥିଲି ଦେଖ, ହରି କରେ କି ? ଏବେ ଦେଖିଲ–କଅଣ ହେଲା ?

 

ସମସ୍ତେ କହିଲେ–ସତ କଥା, ଆପଣ ଯାହା କହୁଥିଲେ ଦେଖ, ହରି କରେ କି ? ପ୍ରକୃତରେ ହରି ବିଚାରିଲେ ନହୁଏ କଅଣ ?

񤦬񤦬񤦬

 

ପଣ୍ଡିତଙ୍କ ଚଣ୍ଡୀପାଠ

 

ଗୋଟିଏ ଗ୍ରାମରେ ଜଣେ ପଣ୍ଡିତ ଥିଲେ । ପଣ୍ଡିତଙ୍କ ଘରେ କେବଳ ତାଙ୍କ ଭାର୍ଯ୍ୟା । ପିଲାପିଲି ତାଙ୍କର ନଥିଲା । ପଣ୍ଡିତେ ଦାଣ୍ଡ ବେଭାର ବୁଝନ୍ତି, ଭାର୍ଯ୍ୟା ରୋଷେଇବାସ ଆଉ ଘରକରଣା, କରନ୍ତି । ଏହିପରି ଦୁଃଖେ ସୁଖେ ଦିନ କଟୁଥାଏ । ଦିନେ ପଣ୍ଡିତେ ଗାଧୋଇପାଧୋଇ ନିତ୍ୟକର୍ମ ସାରି ବସିଥାନ୍ତି । ଭାର୍ଯ୍ୟା ଚୁଲି ଲଗାଇ ଦି’ଜଣଙ୍କ ମାନିଆ ମୁଗଜାଇ ଗଣ୍ଡେ ବସାଇଦେଇ ଦେଖେ ତ ଭାତ ରାନ୍ଧିବାକୁ କୁଣ୍ଡରେ ପାଣି ନାହିଁ । ସେ ଦେଖିଲା ଯେ ଏତିକିବେଳୁ ପାଣି ନ ଆଣିଲେ ତ ଚଳିବ ନାହିଁ । ପୋଖରୀ ପୁଣି ପାଖ ନୁହେଁ, ଟିକିଏ ଦୂର । ଡାଲି ବସାଇ ଦେଇ ପଣ୍ଡିତଙ୍କୁ କହିଲା– ମୁଁ ଡାଲି ବସାଇଦେଇଚି, ଘରେ ପାଣି ନାହିଁ, ମୁଁ ପାଣି ଆଣିବାକୁ ଯାଉଚି-। ତୁମେ ଟିକିଏ ଡାଲି ଦେଖ, ନହେଲେ ଉତୁରିପଡ଼ି ଚୁଲିକି ଯିବ । ୟା କହି ଭାର୍ଯ୍ୟା ଗଲା ପାଣିପାଇଁ ।

 

ପଣ୍ଡିତେ ପଡ଼ିଲେ ମୁସକିଲରେ । କାହିଁକି ନା, ସେ କେବେ ରୋଷାଇବାସ କରିନାହାନ୍ତି, କି ଦେଖିନାହାନ୍ତି । କ’ଣ କରିବେ, ଟିକିଏ ଭାବିଲେ । ମନରେ ଗୋଟେ ଦମ୍ଭ ଆସିଗଲା–ଏୟା ତ-? କିଛି ନାହିଁ; ଚଣ୍ଡୀପାଠରେ ନ ହୋଇପାରେ କଅଣ ? ଡାଲି ଉତୁରିବା ତ ଗୋଟେ ସାମାନ୍ୟ କଥା । ଚଣ୍ଡୀରେ କେତେ ବଡ଼ ବଡ଼ କାମ ହୋଇଯାଉଚି, ଏଇଟା କଅଣ ବଳିଯିବ । ୟା ବିଚରା ଗୋଡ଼ ହାତ, ମୁହଁ କାନ ଧୋଇ ଦିଅଁଙ୍କ ଘରେ ବନିଯୋଗ କରି ଚଣ୍ଡୀପାଠରେ ବସିଗଲେ-। ପଣ୍ଡିତେ ତ ରହିଲେ ଚଣ୍ଡୀରେ, ଭାର୍ଯ୍ୟା ତ ଗଲା ପାଣିପାଇଁ । ଡାଲିପାଖେ ଆଉ କେହି ରହିଲା ନାହିଁ । ଏଥିମଧ୍ୟରେ ଚୁଲି ଜଳିବାରେ ଡାଲି ଉତୁରି ସବୁତକ ଚୁଲିକି ଗଲା ଚୁଲି ମଧ୍ୟ ପାଣି ପଶିବାରେ ବିବାକ ଲିଭିଗଲା । ସେ ଓଦା ମଧ୍ୟ ପୁଣି ଲଗାଇବା କାଠିକର ପାଠ ।

 

ଭାର୍ଯ୍ୟା ଡାଲିପାଇଁ ପାଣି ମାଠିଆଟେ କାଖରେ କାଖେଇ ଲସରପସର ହୋଇ ଧାଇଁଚି-। ଆସି ଦେଖେ ତ–ସର୍ବନାଶ, ଚୁଲିପାଖେ କେହି ନାହିଁ । ଡାଲିତକ ଉତୁରି ସବୁ ଚୁଲିରେ । ତେଣେ କ’ଣନା ଚଣ୍ଡୀଗୁଣା ଲାଗିଚି । ୟା ଦେଖି ସେ ରାଗରେ ଦୌଡ଼ିଯାଇ ପଣ୍ଡିତଙ୍କୁ କହିଲା–ମୁଁ ପରା ତୁମୁକୁ କହିଥିଲି ଡାଲିପାଖେ ବସିବାକୁ । ତୁମେ ସେ କଥା ନ କରି ଏତିକିବେଳକୁ ବସିଲ ଚଣ୍ଡୀଗୁଣି, ଏବେ ଖାଇବ କଅଣ ? ସବୁତକ ଡାଲି ଉତୁରି କରି ଚୁଲିରେ ଯାଇଚି । ପଣ୍ଡିତେ ଏକଥା ସତ ନ କରି କହିଲେ–କିଆଁ ମିଛକଥା ଗୁଡ଼େ କହୁଚ ମ ? ମୁଁ ପରା ଡାଲି ନ ଉତୁରିବାକୁ ଚଣ୍ଡୀରେ ବସିଲି । ୟାଠଉଁ କଅଣ ଡାଲିପାଖେ ବସିବାଟା ବଡ଼ ? ହଇଲୋ ! ଚଣ୍ଡୀରେ କେଡ଼େ ବଡ଼ ବଡ଼ କାମ ହୋଇଯାଉଚି, ସେଥିରେ ଡାଲି, ନା, ଡାଲିବୋପା ଉତୁରିପାରେ ? ୟା କେବେ ହୋଇନଥିବ ।

 

ଭାର୍ଯ୍ୟା ୟା ଶୁଣି କହିଲା– ପଣ୍ଡିତ ହବାରୁ ଇମିତ ବୁଦ୍ଧିହେଲା ନା କ’ଣ ? ଆୟେ, ଶୁଣିଲେ ଲୋକେ ହସିବେ । ହୟେ, ରନ୍ଧାବଢ଼ା ପାଇଁ କିଏ ଚଣ୍ଡୀ ଗୁଣେ ? ଏବେ ଆସ, ଦେଖ, ତୁମ ଚଣ୍ଡୀପାଠରେ କ’ଣ ହେଇଚି । ପଣ୍ଡିତେ ଯାଇ ଦେଖନ୍ତି ତ ସତକୁସତ ଡାଲିତକ ସବୁ ଯାଇଚି-। ବଡ଼ ବ୍ୟସ୍ତ ହେଲେ, ସେହିଦିନଠାରୁ ଚଣ୍ଡୀରେ ଆଉ ତାଙ୍କର ବିଶ୍ଵାସ ରହିଲା ନାହଁ ।

 

ଲୋକେ ଶୁଣି ହସିଲେ । ଏଣିକି ପଣ୍ଡିତଙ୍କୁ ଚିଡ଼େଇବା ପାଇଁ କିଏ କେତେ ଅସମ୍ଭବ କଥା କହିଲା । କିଏ କହିଲା–ପଣ୍ଡିତେ ! ମୋ ବଳଦଟା ଜମା ଦୁଧ ଦେଲା ନାହିଁ । ସେଥିକି ଚଣ୍ଡୀ କଲେ ହବ ? କିଏ କହିଲା-–ଖୁଆଇ ପିଆଇ ଏଡ଼େ ଷଣ୍ଢଟେ କଲି, ଜନମ କଲାନାହିଁ, ବାଞ୍ଝ ହୋଇ ରହିଲା । ଚଣ୍ଡୀ କଲେ କ’ଣ ଫଳ ଫଳିବ ? ଏହିପରି କିଏ କେତେ ଚୁଗୁଲି ଟାପରା କଲେ । ପଣ୍ଡିତ ବିଚରା ଆଉ ଯିବେ କୁଆଡ଼େ ? ପଛକୁ ଦିନାକେତେ କାହାକୁ ଦେଖାଦେଲେ ନାହିଁ, କି, ଆଉ ଚଣ୍ଡୀ ନାଁ ଧଇଲେ ନାହିଁ ।

񤦬񤦬񤦬

 

ଆପଣତ ଆଗୁଆ କାମ କରିବାକୁ କହିଲେ

 

ଜଣେ ବାବୁଙ୍କ ଘରେ ଗୋଟେ ଚାକର ଥିଲା । ଚାକର ଯିମିତି ଅଳସୁଆ, ସିମିତି ଓଲୁ । କେବେହେଲେ ଦରକାର ବେଳକୁ କାମ କରି ରଖେନାହିଁ । ଗାଧୁଆ ବେଳକୁ ପାଣି ରଖିନଥାଏ, କହିଲେ ଦିଏ । କଚେରି ବାହାରବେଳକୁ ପାନ ଭାଙ୍ଗିନଥାଏ, କହିଲେ ଭାଙ୍ଗେ । ରେଳକୁ ବାହାରିଲାବେଳକୁ ବେଡିଙ୍ଗ ବାନ୍ଧିନଥାଏ, କହିଲେ ବାନ୍ଧେ । ଏହିପରି ସବୁ କାମ କହିଲେ କରେ । ଏଥିରେ ଅନେକ ସମୟରେ ବାବୁଙ୍କର କାର୍ଯ୍ୟରେ ବାଧା ଘଟେ । ଇମିତି କାମରେ ଯେ କେହି ଚିଡ଼ିବାର କଥା । ବାବୁ ଅନେକ ସମୟରେ ଚିଡ଼ନ୍ତି ଏବଂ କହନ୍ତି–କିରେ ! ରୋଜ ରୋଜ୍ ଯାହା ହବାର କଥା, ତାହା ତ ଦେଖୁଚୁ, ଆଗୁଆ କାମ କରି ରଖୁନାହୁଁ କିଆଁ ? ଯେବେ କାମ:ନ କରି ଏହିପରି ହଇରାଣ କରିବୁ, ତେବେ ତୋ ଚାକିରି ଦରକାର ନାହିଁ ।

 

ଚାକିରି ଯିବା ଭୟ ହେବାରୁ ଏଣିକି ସେ ସବୁକାମ ଆଗୁଆ କରିବାକୁ ମନେମନେ ପାଞ୍ଚିଲା ।

 

ଚାକର ରହିବାର ଅଳ୍ପଦିନ ପରେ ବାବୁଙ୍କ ପୁଅ ବେମାର ପଡ଼ିଲା । ବାବୁଙ୍କର ସେଇ ଗୋଟିକ ପୁଅ । ଆଉ ପୁଅ ଝିଅ ନ ଥିଲା । ବାବୁ ବଡ଼ଲୋକ, ଟଙ୍କା ପଇସାର ଅଭାବ ନାହିଁ । ଚିକିତ୍ସା ପାଇଁ ବଡ଼ ଡାକ୍ତର ଡକାଗଲା; ଦାନପୁଣ୍ୟ ମଧ୍ୟ ବହୁତ ହେଲା । ଡାକ୍ତର ରୋଜ ଦିବେଳା ଦେଖୁଛନ୍ତି; ଔଷଧ, ଇଞ୍ଜେକ୍ସନ ଦେଉଛନ୍ତି । ମାସ ମାସ ଧରି ଚିକିତ୍ସା ହେଲା । ତେବେ ସୁଦ୍ଧା ପୁଅ ଭଲ ହେଲାନାହିଁ । ଚାକର ଡାକ୍ତର ଆସିବା ଦେଖିଚି, ରୋଗ ନ ଛାଡ଼ିବା ମଧ୍ୟ ଜାଣିଚି ।

 

ଦିନେ ସକାଳବେଳା ଡାକ୍ତର ଆସି ରୋଗୀ ଦେଖୁଛନ୍ତି, ବାବୁ ତାଙ୍କ ପାଖେ ବସିଛନ୍ତି । ଚାକର ସେଠେଇଁ କେତେକାଳ ଠିଆହେଲା । ଦେଖି ଦେଖି ତା’ ମନକୁ କ’ଣ ପାଇଲା କେଜାଣି, ସେଠାରୁ ପଳାଇଆସି ଗୋଟେ କୁରାଢ଼ି ଧରି ବାଡ଼ିଆଡ଼କୁ ଗଲା । ବାଡ଼ିରେ ପାଞ୍ଚ ସାତ ଗାଡ଼ି କାଠ ଜମା ହୋଇଥାଏ । ଚାକର କୁରାଢ଼ି ଧରି ସେ କାଠ ଚିରିବାକୁ ଲାଗିଲା । ଝାଳନାଳ ହୋଇ ଗୁଡ଼େ କାଠ ମଧ୍ୟ ଚିରିଲା । ତେବେ ସୁଦ୍ଧା ତା’ ମନ ନ ମାନିବାରୁ ଆହୁରି ଗୁଡ଼ିଏ ଚିରୁଥାଏ ।

 

ତେଣେ ଡାକ୍ତରଙ୍କ କାମ ସରିବାରୁ ସେ ଘରକୁ ଗଲେ । ସେତେବେଳକୁ ବାବୁଙ୍କର କଚେରି ବେଳ ହୋଇଯାଇଥାଏ । ସେ ତରବର ହେଉଥାନ୍ତି, ଗାଧୋଇ ଗଣ୍ଡେ ଖାଇଲେ କଚେରି ଯିବେ । ଦେଖିଲାବେଳକୁ କୁଣ୍ଡରେ ପାଣି ଦିଆ ହୋଇନାହିଁ, କି, ଚାକର ମଧ୍ୟ ଘର ଭିତରେ ନାହିଁ । ବାବୁ ରାଗିଯାଇ ବଡ଼ପାଟିରେ ଚାକରକୁ ଡାକିଲେ । ଚାକର ଡାକ ଶୁଣି ଯାଉଛି ବୋଲି କହି ଆସୁନଥାଏ । ବାବୁ ଅଧିକ ରାଗିଯାଇ ବାଡ଼ିପଟକୁ ଯାଇ ଦେଖନ୍ତି ତ ଚାକର କାଠ ଚିରୁଛି । ସେ ରାଗରେ କହିଲେ କିରେ ୟେ କ’ଣ କାଠ ଚିରିବା ବେଳ ? ଏତେ କାଠ କିଆଁ ଚିରୁଚୁ ?

 

ଚାକର କହିଲା– ଆଜ୍ଞା ! ଆଗୁଆ କାମ ନ କରୁଚି ବୋଲି ତ ଆପଣ ରାଗୁଚନ୍ତି । ଦରକାର ବେଳକୁ କାମ କରି ରଖିବାକୁ ତ କହିଛନ୍ତି । ଆଉ ନ କରନ୍ତି କିମିତି ?

 

ବାବୁ କହିଲେ–ହଁ, ଦରକାର ବେଳକୁ କାମ କରି ରଖିବାକୁ ମୁଁ କହିଛି ଯେ ବର୍ତ୍ତମାନ ଆମର ଚିରାକାଠ କି ଦରକାର ?

 

ଚାକର କହିଲା– ଆଜ୍ଞ, ପୁଅସାଆନ୍ତର ଯାହା ଅବସ୍ଥା ହେଲାଣି, ସେ କ’ଣ ଆଉ ଉଧୁରିବେ ? ଆଜି କି କାଲି ସେ ଚାଲିଯିବେ । ଏହା ମତେ ଜଳ ଜଳ ଦଶିଲାଣି । ସେତେବେଳକୁ ତ କାଠ ଦରକାର, ନ ହେଲେ ଆପଣ ମତେ ଆଉ ରଖିବେ ? ମଶାଣିରେ ତ କାଠ ଦରକାର । ସେଇଥିପାଇଁ ଆଗରୁ କାଠତକ ଚିରି ରଖିଥିଲେ ମୁଁ ଖଲାସ ।

 

ବାବୁ ଚାକରଠାରୁ ଏ ଅଶୁଭ କଥା ଶୁଣି ନିଆଁ ପରି ଜଳିଉଠିଲେ । ସେ ସମ୍ଭାଳ ହୋଇନପାରି ଚାକର ପାଖକୁ ଦୌଡ଼ିଯାଇ ରାଗରେ ଯାହା ଅଭାଷା ଦୁର୍ବାସା କହିଲେ ତ କହିଲେ, ତା’ ଉପରେ ବିଧା, ଗୋଇଠା, ଚାପୁଡ଼ା ପଣିଦେଇଗଲେ । ମାଡ଼ ଦାଉରେ ଚାକରଟା ବେହୋସ୍ ହୋଇ ପଡ଼ିଗଲା । ବାବୁଆଣି ଦଉଡ଼ିଆସି ସେସବୁ ଶୁଣି ଯାହା ବକାବକି କଲେ, ଶତ୍ରୁକୁ ମଧ୍ୟ ଲୋକେ ଏପରି ଗାଳିଦିଅନ୍ତି ନାହିଁ । ଗାଳି ନ ଦିଅନ୍ତେ କିପରି ? ଏହା କାହା ଦିହ ସହିବ ? ଚାକର ନିଜ ଗୁଣରୁ ଗୁଡ଼େ ମାଡ଼ଗାଳି ଖାଇ ସାଙ୍ଗେ ସାଙ୍ଗେ ତଡ଼ାହେବାରେ ବାବୁ ବାବୁଆଣୀ ଶାନ୍ତ ପଡ଼ିଲେ ।

 

ବାବୁଙ୍କ ମନ ନେବାକୁ ଚାକର ଯେଉଁ ଆଗୁଆ କାମ କରିଥିଲା, ତା’ର ପୁରସ୍କାର ୟା ନ ହୋଇ ଆଉ କ’ଣ ହୁଅନ୍ତା ?

񤦬񤦬񤦬

 

ବାବାଜିଙ୍କ ପୋଷା ବିଲେଇ

 

ଜଣେ ବାବାଜୀ ନିଜ ମଠରେ ଗୋଟିଏ ବିଲେଇ ପୋଷିଥିଲେ । ସେ ବିଲେଇକି ଭାରି ଭଲପାନ୍ତି । ବିଲେଇ ମଧ୍ୟ ବାବାଜିଙ୍କି ପାଇଲେ ତାଙ୍କୁ ଛାଡ଼ି କୁଆଡ଼େ ଯାଏ ନାହିଁ । ସେ ସବୁବେଳେ ତାଙ୍କରି କୋଡ଼ରେ ଶୁଏ । ସେ ଧ୍ୟାନରେ ବସିଲାବେଳେ ମଧ୍ୟ ବିଲେଇଟି ତାଙ୍କର କୋଡ଼ରେ ଶୋଇ ଘୁଡ଼ୁରୁ ଘୁଡ଼ୁରୁ ହେଉଥାଏ । ଏକଥା ସେ ମଠର ଚେଲା ବାବାଜି, ଚାକରବାକର ସମସ୍ତେ ଜାଣନ୍ତି । କେତେ କାଳ ପରେ ବାବାଜି ମଲେ, ବିରାଡ଼ି ମଧ୍ୟ ମଲା । ତାହାପରେ ଚେଲା ମଠର ମହନ୍ତ ହେଲେ । ସେ ଗୁରୁଙ୍କ ପରି ଧ୍ୟାନ କରିବାକୁ ଯେଉଁଦିନ ନୂଆହୋଇ ବସିଲେ, ସେଦିନ ଆଗ ଖୋଜାହେଲା ଗୋଟେ ବିଲେଇ; କାହିଁକିନା ସ୍ଵାମୀଜି ଧ୍ୟାନରେ ବସିଲେ ତାଙ୍କ କୋଡ଼ରେ ଗୋଟେ ବିଲେଇ ଶୋଉଥିଲା । ଏହା ସେ ଗୁରୁଙ୍କ ଧ୍ୟାନରେ ଦେଖିଛନ୍ତି । ତାଙ୍କର ବିଶ୍ଵାସ–ଗୋଟେ ବିଲେଇ କୋଡ଼ରେ ନ ଶୋଇଲେ ଧ୍ୟାନରେ ଫଳ ହୁଏ ନାହିଁ । ତେଣୁ ମଠର ଚାକରବାକର ସମସ୍ତେ ବିଲେଇ ଖୋଜି ଲାଗିଲେ । କୁଆଡ଼ୁ କିମିତି ଗୋଟେ ବିଲେଇ ଧରାପଡ଼ିଲା । ମାତ୍ର ସେ ପୋଷା ନୁହେଁ । ତାକୁ ମହନ୍ତଙ୍କ କୋଡ଼ରେ ଛାଡ଼ିଦେବାରେ ସେ ଡିଆଁମାରି ଚାଲିଗଲା । ବିରାଡ଼ି ନ ହେବାରୁ ସେଦିନ ଧ୍ୟାନ ବନ୍ଦ ।

 

ସତକଥା, ବିରାଡ଼ି ନହେଲେ ଧ୍ୟାନ କିପରି ହେବ ?

񤦬񤦬񤦬

 

ଶ୍ରାଦ୍ଧ କୁକକୁରୀ

 

ଜଣେ ଭଦ୍ରଲୋକ ସଉକିରେ ଗୋଟିଏ କୁକୁରୀ ପୋଷିଥିଲେ । ସେ ଖାଇପିଇ ପୋଷାକିରେ ଘରେ ଥାଏ; କିନ୍ତୁ ଘରେ ଯେଉଁଦିନ ଶ୍ରାଦ୍ଧ ହୁଏ, ସେଦିନ ଦାଣ୍ଡରେ ଗୋଟେ ଖୁଣ୍ଟ ପୋତି କୁକୁରୀଟାକୁ ନେଇ ବାନ୍ଧିଦିଅନ୍ତି । ନହେଲେ ସେ ଏଘର ସେଘର ପଶି ଶ୍ରାଦ୍ଧ ଜିନିଷ ମାରା କରନ୍ତା । ସେ ଭଦ୍ରଲୋକର ପୁଅ ଶ୍ରାଦ୍ଧଦିନ କୁକ୍କୁରୀ ଦାଣ୍ଡରେ ବନ୍ଧା ହେବାର କାରଣ ଜାଣିନଥିଲା-। ସେ କେବଳ ବୁଝିଥିଲା– ଶ୍ରାଦ୍ଧ ହେଲେ ଦାଣ୍ଡରେ ଗୋଟେ କୁକୁର ବନ୍ଧାହୁଏ । କେତେକାଳ ପରେ ସେ ଭଦ୍ରଲୋକ ମରିଗଲେ, ସେ କୁକ୍କୁରୀ ମଧ୍ୟ ମରିଗଲା । ତାଙ୍କର ବର୍ଷିକିଆ ଶ୍ରାଦ୍ଧ ପଡ଼ିଲା । ପୁଅ ତ ପୁଣି ଶ୍ରାଦ୍ଧ କରିବ । ଶ୍ରାଦ୍ଧ ପାଇଁ ସବୁ ଯୋଗାଡ଼ ହେଲା । ଦାଣ୍ଡରେ ମଧ୍ୟ ଗୋଟେ ଖୁଣ୍ଟ ପୋତାହେଲା । ଶ୍ରାଦ୍ଧ କରିବାକୁ ପୁଅଙ୍କୁ ଡାକିବାରେ ସେ କହିଲେ–ସବୁ ହେଲା ଯେ, ଶ୍ରାଦ୍ଧ-କୁକ୍କୁରୀ କାହିଁ ? ଖାଲି ଖୁଣ୍ଟଟେ ପୋତିଦେଲେ କ’ଣ ଶ୍ରାଦ୍ଧ ହୋଇଯିବ ? ସେ ଖୁଣ୍ଟିରେ ତ ପୁଣି କୁକ୍କୁରୀଟିଏ ବନ୍ଧାହେବା ଦରକାର । ଲୋକେ ଏହା ଶୁଣି ହସିଲେ । ସମସ୍ତେ ପଚାରିଲେ–କିଏ, ଶ୍ରାଦ୍ଧ-କୁକ୍କୁରୀ କ’ଣ ? ଯୋଗ୍ୟ ପୁତ୍ର ଉତ୍ତର ଦେଲା–ଦେଖିନାହଁ ? ଶ୍ରାଦ୍ଧ ଦିନ ବାପ କିପରି ଦାଣ୍ଡରେ କୁକ୍କୁରୀ ବାନ୍ଧୁ ଥିଲେ ? ଲୋକେ ପୁଣି ପ୍ରକୃତ କଥା ବୁଝାଇଦେବାରେ ପୁଅ ଶ୍ରାଦ୍ଧରେ ବସିଲେ । ନହେଲେ କୁଆଡ଼ ହେଲେ ଗୋଟେ କୁକୁର ଧରାହୋଇ ବନ୍ଧା ହୋଇଥାନ୍ତା ।

 

ଧନ୍ୟ ହେ ଯୋଗ୍ୟ ପୁତ୍ର ?

񤦬񤦬񤦬

 

ମୋହନବାବୁଙ୍କ କୋଳିଖିଆ

 

ଜଣେ ଭଦ୍ରଲୋକଙ୍କର ଗୋଟେ ବଡ଼ ଭୋଜି ହେଲା । ସେ ବହୁତ ଲୋକଙ୍କୁ ନିମନ୍ତ୍ରଣ କଲେ । ମୋହନ ବାବୁଙ୍କୁ ମଧ୍ୟ ନିମନ୍ତ୍ରଣ ଥିଲା । ମୋହନବାବୁଙ୍କ ଘର ଟିକିଏ ଦୂରରେ । ସେ ଭୋଜି ଖାଇବାକୁ ଆସୁ ଆସୁ ବାଟରେ ତାଙ୍କୁ ଅତର୍ଛ ଝାଡ଼ା ତଲବ ଦେଲା । ଜଙ୍ଗଲ ଜାଗା ଦେଖି ସେ ଝାଡ଼ା ବସିଲେ । ସେଠାରେ ତାଙ୍କ ମୁଣ୍ଡ ଉପରକୁ ଗୋଟେ କୋଳିଗଛ ଥିଲା । କୋଳିସବୁ ପାଚି ଯାଇଥାଏ । କୋଳିସବୁ ଲଛିହୋଇ ରହିବାରେ ଡାଳସବୁ ଲଇଁପଡ଼ିଥାଏ । ପବନ ହେଲାବେଳେ ଗୋଟେ ଡାଳ ମୋହନ ବାବୁଙ୍କ ମୁହଁରେ ଥରେ ଥରେ ବାଜି ଯାଉଥାଏ । ସେ କୋଳି ଲୋଭରେ ସେହି ଡାଳକୁ ଚାହିଁ ରହିଥାନ୍ତି ।

 

ଯେତେବେଳେ ପବନରେ ଡାଳଟା ମୁହଁରେ ଲାଗିଗଲା, ସେତେବେଳେ ସେ ଟୁକକିନା ଗୋଟେ କୋଳି ମୁହଁରେ ଧରିନେଲା । ଚାକୁଳି ଚାକୁଳି କରି ସେ କୋଳିଟି ମଧ୍ୟ ଖାଇଲେ । ଖାଇଲେ ସିନା, ଶୌଚ ନ କରି ଖାଇବା କଥା କାଳେ କିଏ ଦେଖିଥିବ, ସେଥିପାଇଁ ମନରେ ଧୁଡ଼ୁପୁଡ଼ ହେଉଥିଲେ । ଚାରିଆଡ଼କୁ ଚାହିଁଲେ; ମାତ୍ର କାହାରିକି ଦେଖିଲେ ନାହିଁ । ତଥାପି ଚୋରମନ ଗଣ୍ଠିରେ ରହିଲା ପରି ମନେମନେ ଚୋର ଚୋର ହେଉଥାନ୍ତି-। ସେ ଶୌଚସାରି ଭୋଜି ସ୍ଥାନକୁ ଗଲେ । ସେ ପହଞ୍ଚିଲା ବେଳକୁ ନାଟ ହେଉଚି । ନାଟପିଲା ଗୀତ ଆରମ୍ଭ କରିଦେଇ ଗାଉଚି–

 

“ଛି ଛି କି କର୍ମ କଲ ହେ ମୋହନ !

ଆସୁ ଆସୁ ପରା ପଥ ହୁଡ଼ିଲ ହେ ମୋହନ !”

 

ନାଟପିଲା ଏତିକି ଯିମିତି ବୋଲିଚି, ମୋହନବାବୁଙ୍କର ବିଶ୍ଵାସ ହେଲା–ଏ ପିଲା ନିଶ୍ଚୟ ମୋ କୋଳିଖିଆ ଦେଖିଚି । ନହେଲେ ଏ ସତକଥା ଜାଣନ୍ତା କିପରି ? ଯାହା ହବାର ତ ହୋଇସାରିଚି । ଏ ଟୋକା ଯେବେ ସବୁକଥା ଗାଇଦିଏ, ତେବେ ମୋର ମାନ ମହତ୍ତ୍ୱ ସବୁ ଯିବ । ସୁତରାଂ ୟାକୁ କିଛି ପଇସା ଦେଇ ବନ୍ଦ କରିଦେବା ଭଲ । ଏହା ବିଚାରି ସାଙ୍ଗେ ସାଙ୍ଗେ ଗୋଟେ ଅଧୁଲି ସେ ନାଟପିଲାକୁ ଧରାଇଦେଲେ । ମାତ୍ର ଏଥିରେ ଗୀତ ବନ୍ଦ ହେବ କ’ଣ, ନାଟପିଲା ମୋହନବାବୁଙ୍କୁ ଗ୍ରାହକ ବିଚାରି ତାଙ୍କ ସାମନାରେ ବସି ମୁହଁ ହାତ ହଲାଇ ପୁଣି ବୋଲିଲା–

 

“ବିଚାରିଛି କେହି ଜାଣନ୍ତି ନାହିଁ,

ସବୁ ଉଦନ୍ତ ପାଇଅଛି ମୁହିଁ ହେ ମୋହନ !”

 

ନାଟପିଲା ପୁଣି ଏତିକି ବୋଲିବାରେ ମୋହନବାବୁଙ୍କର ବିଶ୍ୱାସ ହେଲା–ଏ ପିଲା ନିଶ୍ଚେ ଦେଖିଛି । ସେଥିପାଇଁ ତ ଅଧଲୁଟିଏ ଦେଲି । ଫେର କ’ଣ ? ତେବେ ଆଉ ଟିକିଏ ବେଶି ଦେଲେ ହବ । ଏହା ବିଚାରି ପକେଟରେ ଯେଉଁ ଚାରୋଟି ସୁଉକି ଥିଲା, ସେ ସବୁତକ ଦେଇଦେଲେ । ନାଟପିଲା ଚାରୋଟି ସୁଉକି ପାଇ ଭାବିଲା–ସଭା ମଧ୍ୟରେ ଏ ବାବୁଟି ବଡ଼ ଗ୍ରାହକ-। ସୂତରାଂ ଆହୁରି ଗାଇଲେ ଆହୁରି ମିଳିବ ବୋଲି ଭାବି ପୁଣି ଗାଇଲା–

 

“ବଡ଼ ଲୋକର ବଡ଼ ବେଭାର,

ଆଜିଠାରୁ ତାହା ହେଲା କି ଦୂର ହେ ମୋହନ”

 

ମୋହନବାବୁ ପଦ ଉପରେ ପଦ ଶୁଣି ଅତର୍ଛରେ ତାଙ୍କ ପାଖରେ ଯାହା ଅଧୁଲି ସୁଉକି ଥିଲା, ସବୁ ଦେଇସାରିଛନ୍ତି । ପୁଣି ପଦ ପଡ଼ିବାରେ ଆଉ ଦବାକୁ କିଛି ନ ଥିଲା । ସୁତରାଂ ବିରକ୍ତ ହୋଇ କହିଲେ– ‘ଭାସିଗଲା କ’ଣ ? ତୁମ ମୁହଁରେ ସେ ବାଜିଥିଲେ ତୁମେ କ’ଣ ଖାଇନଥାନ୍ତ ?’

 

ସଭାଲୋକେ ଏହା ଶୁଣି କେହି କିଛି ବୁଝିନପାରି କାବା ହୋଇ ପଚାରିଲେ–କିଓ, କଥା କ’ଣ ? ଫିଟାଇ କହୁ ନାହଁ ? ଏପରି କାହିଁକି କହୁଛ ?

 

ମୋହନ ବାବୁ ଦେଖିଲେ ଯେ ସବୁ ତ ଧରାପଡ଼ିଲାଣି, ଆଉ ଲୁଚାଇବି କାହିଁକି ? ଏହା ଭାବି ସବୁକଥା ଫିଟାଇ କହିଲେ ।

 

ଲୋକେ ଶୁଣି ହସି ହସି ବେଦମ ହେଲେ ।

 

ପ୍ରକୃତରେ ନାଟପିଲା ଯେଉଁ ଗୀତ ବୋଲୁଥିଲା, ତାହା କୃଷ୍ଣଙ୍କ ପ୍ରତି ରାଧାଙ୍କର ଉକ୍ତି । କୃଷ୍ଣ ରାଧାଙ୍କ ନିକଟକୁ ଆସିବାକୁ କଣ୍ଟ ଦେଇ ସେଠାକୁ ନ ଆସି ଚନ୍ଦ୍ରବତୀଙ୍କ କୁଞ୍ଜକୁ ଯାଇ ଫେରିଥିବାରେ ରାଧା ଏପରି କହୁଛନ୍ତି । କିନ୍ତୁ ମୋହନ ବାବୁ ବୁଝିଲେ ତାହା ତାଙ୍କ କୋଳିଖିଆ କଥା । ଚୋର ମନ ତ ଗଣ୍ଠି ଉପରେ, ନ ବୁଝିବେ କିଆଁ ?

 

ମୋହନବାବୁ କେଡ଼େ ଓଲୁ !

񤦬񤦬񤦬

 

କେଉଟଙ୍କ ନିଜ ଉପାୟ

 

ଦିନେ ପଞ୍ଝେ କେଉଟ ରାତିରେ ମାଛମାରି ବାହାରିଲେ । ମାଛ ପୋଖରୀ ତାଙ୍କ ଗାଁଠୁ ଦୂରରେ । ତେଣୁ ସଞ୍ଜବେଳୁଁ, ସମସ୍ତେ ଖିଆପିଆ ସାରି ଜାଲ ଖଳେଇମାନ ଧରି ସଅଳ ସଅଳ ବାହାରିପଡ଼ିଲେ । ଯାଉ ଯାଉ କେତେ ବାଟ ଠେଇଁ ସମସ୍ତଙ୍କୁ ନିଦ ଘାରିଲା । ସେତେବେଳକୁ ସେମାନେ ପୋଖରୀ ପାଖାପାଖି ହେଲେଣି । ନିଦ ସମ୍ଭାଳି ନ ପାରି ଜଣେ କହିଲା– ଭାଇ ! ପୋଖରୀ ତ ପାଖେଇଲାଣି, ରାତି ପୁଣି ଗୁଡ଼ାଏ ଅଛି, ଚାଲ କାନି ଖଣ୍ଡ ମାନ ପକାଇଦେଇ ଏଇଠାଇଁ କଡେ କଡ଼େ ପଡ଼ିଯିବା । ପୁଣି ଅନ୍ଧାରୁଆରୁ ଉଠି ଭିଡ଼ିଯିବା । ନହେଲେ ନିଦ ଦାଉରେ ଝୁଣ୍ଟି କରି ପ୍ରାଣ ଯିବ । ସମସ୍ତଙ୍କର ତ ସେହି ଅବସ୍ଥା । ତେଣୁ ସେଥିରେ କେହି ନାରାଜ ନ ହେବାରୁ ସମସ୍ତେ ଜାଲ, ଖାଳେଇ ଥୋଇଦେଇ ଶୋଇବାକୁ କାନିମାନ ପାରିଲେ । ସମସ୍ତେ ଶୋଇଲେ; ମାତ୍ର କାହାରିକି ନିଦ ହେଲା ନାହିଁ । ୟା ଦେଖି ସମସ୍ତେ କାବାହେଲେ । ଜଣେ କହିଲା– କିରେ ଭାଇ ! ୟେ କ’ଣ ହେଲା ? ଚାଲିଲାବେଳେ ତ ମଣିଷ ନିଦରେ ଘାରି ହୋଇଯାଉଥିଲା । ଶୋଇବାରେ ୟେ ଓଲଟା କ’ଣ ହେଲା ? ସମସ୍ତେ କହିଲେ–ସତ କଥା, ୟେ କ’ଣ ହେଲା ? ବୁଝୁ ବୁଝୁ ଜଣାଗଲା–ସେ ଯେଉଁଠି ଶୋଉଛନ୍ତି, ସେ ଜାଗାଟା ରଜାଘର ଫୁଲବଗିଚା । ଦକ୍ଷିଣା ପବନରେ ଫୁଲବାସନା ଚାରିଆଡ଼େ ଚହଟି ଯାଉଛି । ତାଙ୍କ ଭିତରୁ ଜଣେ ପୁରୁଖା ଲୋକ ଏ ଫୁଲ ବାସନା କଥା ଜାଣିପାରି କହିଲା ହଇରେ ପିଲେ ! ଦେଖିଛଟିକି କେଡ଼େ ବାସନା କରୁଚି ? ବାସନାରେ ନିଦ କୁଆଡ଼େ ହବ ? ସମସ୍ତେ କହିଲେ–ସତ କଥା, ତେବେ କ’ଣ ଆଉରି ଟିକିଏ ଦୂରକୁ ଯାଇ ଶୋଇବା ? ଏହା ଶୁଣି ଜଣେ ବୁଢ଼ା କହିଲା– ମୁଁ ଦେଖୁଛି, ତୁମେ ସବୁ ନିର୍ବୁଦ୍ଧିଆ । ହଇରେ, ଫୁଲବାସନା ତ ? ଏଥିକି କ’ଣ ଆମର ଉପାୟ ନାହିଁ ? ଆଚ୍ଛା, ମୁଁ ଗୋଟିଏ ଉପାୟ କହୁଛି, କର; କିମିତି ନିଦ ନ ହବ ? ସମସ୍ତେ କହିଲେ–ହଉ, କହ । ସେ କହିଲା– ଆଚ୍ଛା, ସମସ୍ତଙ୍କ ପାଖରେ ତ ଆଇଁଷ ଖାଳେଇ ଅଛି । ତାକୁ ସବୁ ଦେଖି ନାକ ପାଖରେ ରଖି ଶୋଇଲ, ଦେଖିବା, ନିଦ କିମିତି ନ ହବ । ଏକଥା ସମସ୍ତଙ୍କ ମନକୁ ପାଇଲା । ସମସ୍ତେ ଖାଳେଇଟିମାନ କାଢ଼ି ନାକ ପାଖରେ ରଖି ଶୋଇବାରେ ନିଦ କାହୁଁ କାହୁଁ ମାଡ଼ିଆସିଲା । ଏତକ କରିନଥିଲେ ଫୁଲବାସନାରେ ରାତିଟାଯାକ ଅନିଦ୍ରାରେ ପାହି ଯାଇଥାନ୍ତା ।

 

ଦେଖିଲଟିକି ଖାଳେଇର କେତେ ଗୁଣ ?

񤦬񤦬񤦬

 

ମୁଁ ଜାଣେ, ଆପଣ ଦେବାନଙ୍କ ଗାଈ ନୁହନ୍ତି

 

ଜଣେ ରାଜାଙ୍କର ଜଣେ ଦେବାନ ଥିଲେ । ଦେବାନଙ୍କ ରହିବା ଘର ଗୋଟେ ତିନିମହଲା କୋଠା ଏବଂ ତାହାର ଚାରିପାଖରେ ମଧ୍ୟ ପାଚେରୀ ଥାଇ ଗୋଟେ ବଡ଼ ହତା । ହତାର ଚାରି ତରଫ ନାନାପ୍ରକାର ଫୁଲଗଛରେ ଭରା । କୋଠାର ଠିକ୍ ସାମନାରେ ଗୋଟେ ବଡ଼ ଘାସପଡ଼ିଆ । ହତାଭିତରେ ଘାସ ପଡ଼ିଆଟି ଦେଖିବାକୁ ବଡ଼ ସୁନ୍ଦର । ଘାସଗୁଡ଼ିକ ବଢ଼ିବାକୁ ରୋଜ ପିଚକାରୀରେ ପାଣି ଦିଆଯାଏ । ସେଥିରୁ କାଠି କୁଟା ବଛା ହେବାରେ ତାହା ନିର୍ମଳ ହୋଇଥାଏ । ଖାସ୍ ଏଥିପାଇଁ ଦୁଇଜଣ ଚାକର ନିଯୁକ୍ତ ଥାଆନ୍ତି । ଘାସ କିଆରି ଭିତର ଦେଇ ଯିବାଆସିବା କରିବାକୁ ସମସ୍ତଙ୍କୁ ମନା । ସେଥିକି ଜଣେ ଚୌକିଦାର ରାତିଦିନ ପହରା ଦେଉଥାଏ-। କେବଳ ଦେବାନଙ୍କ ଗାଈ ଯିବାକୁ ମନା ନ ଥାଏ ।

 

ଦିନେ ଜଣେ ଭଦ୍ରମହିଳା ଦେବାନଙ୍କୁ ଦେଖାକରିବାକୁ ଆସିଲେ । ସେ ଜାଣିନପାରି ସେଇ ଘାସପଡ଼ିଆ ଦେଇ ଗଲେ । ଏହା ଦେଖି ଚଉକିଦାର ଦଉଡ଼ିଯାଇ କହିଲା– ଆପଣ କାହା ହୁକୁମରେ ଏ ଘାସପଡ଼ିଆ ଦେଇ ଯାଉଚନ୍ତି ? ଯାହା ହବାର ହେଲାଣି, ଏବେ ମୋ କଥାମାନି ବୁଲିକରି ଯାନ୍ତୁ ।

 

ଏଥିରେ ସେ ଭଦ୍ରମହିଳା ଅପମାନିତ ହୋଇ ରାଗିକରି କହିଲେ– ହଁବେ, ତୁ କାହାକୁ କଅଣ କହୁଚୁ ? ତୁ ଜାଣୁନା ଆମେ କିଏ ?

 

ଚଉକିଦାର କହିଲା– ଆଜ୍ଞା, ପ୍ରକୃତରେ ଆପଣ କିଏ, ମୁଁ ଜାଣେନା । କିନ୍ତୁ ମୁଁ ଭଲକରି ଜାଣେ ଯେ ଆପଣ ଦେବାନଙ୍କ ଗାଈ ନୁହନ୍ତି । ତାହା ହୋଇଥିଲେ ମୁଁ କାହିଁକି ମନା କରନ୍ତି ? ଭଦ୍ର ମହିଳା ଏତିକିରେ ଚୁପ୍ ହୋଇ ଅନ୍ୟବାଟେ ଗଲେ ।

񤦬񤦬񤦬

 

ଆମେ ତ ଇମିତି ଇମିତି

 

ଗୋଟିଏ ଗାଁରେ ଗୁଡ଼ାଏ ତନ୍ତୀଘର ଥିଲା । ସେ ଗାଁରେ ତନ୍ତୀଛଡ଼ା ଅନ୍ୟ ଜାତି ନ ଥିଲେ । ମାଧିଆ ବୋଲି ଗୋଟେ ତନ୍ତୀଟୋକା । ପିଲାଦିନୁ ତା’ର ବାପ ମା’ ମରିଥିଲେ । ଘରର ଆଉ କେହିନଥିଲେ । ଜମିବାଡ଼ି, ଟଙ୍କା କଉଡ଼ି କିଛି ନ ଥିଲା । ସେ ଗୋଟେ ମହାଦରିଦ୍ର । ତେଣୁ ସେ ପିଲାଦିନୁ ମାଉସୀ ଘର, ପିଉସୀ ଘର ବୁଲିବୁଲି ଦୁଇବେଳା ଖାଇବାଟା ଚଳାଉଥିଲା । ମାଧିଆ ଭେଣ୍ଡା ହେଲା । ଦିନେହେଲେ ଘରେ ରହେ ନାହିଁ କି. କିଛି ହେଲେ ବ୍ୟବସାୟ କରେନାହିଁ । ରାଣ୍ଡୀପୁଅ ଅନନ୍ତା ପରି ନିଷ୍କର୍ମା ହୋଇ ପରଘରେ ଖାଇ ପେଟପାଟଣା ଚଳାଏ । ଏପରି ଭେଣ୍ଡାଟାକୁ ରୋଜ ବା କିଏ କାହିଁକି ଦବ ? ମାଧିଆ ଦେଖିଲା ଯେ ଏଣିକି ଆପଣା ଲୋକେ ସୁଦ୍ଧା ଗଣ୍ଡେ ଖାଇବାକୁ ଦେବାକୁ ନାରାଜ । ତେଣୁ ସେ ଗାଁ ଗାଁ ବୁଲି ଭିକ ମାଗିଲା ।

 

ଦିନେ ସେ ଗୋଟେ ଦୂରଗାଁକୁ ଗଲା । ସେଦିନ ସେ ବେଶି ଭିକ ପାଇବା ଆଶାରେ ପଇତାଟେ ପିନ୍ଧି ଚିତାଚଇତନ କାଟି ବ୍ରାହ୍ମଣ ବେଶରେ ସେ ଗାଁରେ ଭିକ ମାଗିଲା । ସେ ଗାଁରେ ଜଣେ ରାଜପୁରୋହିତ ଥିଲେ । ତାଙ୍କର ଗୋଟିଏ ସୁନ୍ଦରୀ ଝିଅ ଥିଲା । ତାହାର ବିବାହ ବୟସ ହୋଇଗଲା । ପୁରୋହିତ ଜୋଇଁ କରିବାକୁ ଭଲ ବରପାତ୍ରଟିଏ କେତେ ଖାଜିଲେ । ମାତ୍ର ସେଭଳି ପାତ୍ରଟିଏ ପାଇଲେ ନାହିଁ । ସେ ବରପାତ୍ର ପାଇଁ ଦରାଣ୍ଡି ହଉଥାନ୍ତି ।

 

ମାଧିଆ ଦେଖିବାକୁ ସୁନ୍ଦର । କାର୍ଯ୍ୟ ନ କରି ବସି ବସି ଗଣ୍ଡିଟିଏ କରିଥାଏ । ସେ ସେଦିନ ସେ ଗାଁରେ ଘରେ ଦିଘର ଭିକ ମାଗିସାରି ଭିକ ପାଇଁ ପୁରୋହିତଙ୍କ ପିଣ୍ଡାକୁ ଗଲା । ପୁରୋହିତ ସେତେବେଳେ ପିଣ୍ଡାରେ ବସିଥିଲେ । ସେ ମାଧିଆର ଚିତା ପଇତା ଦେଖି ବୁଝିଲେ ମାଧିଆ ନିଶ୍ଚୟ ବ୍ରାହ୍ମଣ । ତାପରେ ତା’ର ରୂପ ମଧ୍ୟ ସୁନ୍ଦର । ୟା ସବୁ ଦେଖି ପୁରୋହିତ ଭାବିଲେ–ଏ ପିଲାଟିକି ଘର ଜ୍ଵାଇଁ କଲେ କ୍ଷତି କଅଣ ?

 

ତାପରେ ସେ ମାଧିଆ ସଙ୍ଗେ ବିବାହ ବିଷୟରେ କଥାବାର୍ତ୍ତା କଲେ । ମାଧିଆ ସେଥିକି ବା କାହିଁକି ନାରାଜ ହବ । ସେ ଦେଖିଲା ଯେ ପୁରୋହିତଙ୍କ ଘର ବଡ଼ଘର, ଗୋଟିଏ ଝିଅ ଛଡ଼ା ଆଉ ପୁଅ ଝିଅ ନାହାନ୍ତି । ଏଠାରେ ବିବାହ କଲେ ତ ସବୁ ସମ୍ପତ୍ତି ମିଳିବ, ସୁଖରେ ଦିନ ଯିବ; କାହିଁକି ମନାକରିବ ? ଏହା ଭାବି ଜୋଇଁ ହବାକୁ ମାଧିଆ ଜବାବ ଦେଲା । ପୁରୋହିତେ ଖୁସିହୋଇ ମାଧିଆକୁ ଘରେ ରଖିଲେ । କିଛିଦିନ ପରେ ପୁରୋହିତଙ୍କ ଝିଅ ସଙ୍ଗେ ମାଧିଆର ବିବାହ ହୋଇଗଲା । ମାଧିଆ ସୁନାମୁଦି, ପାଟଖଦି ପିନ୍ଧି ଘିଅ ଶାକର ଖାଇ ମହା ମଉଜରେ ରହିଲା ।

 

ଏହିପରି କେତେକାଳ ଯିବା ପରେ ମାଧିଆ ଗାଁର ଜଣେ ତନ୍ତୀ ସେ ଗାଁକୁ ଲୁଗା ବିକି ଆସିଲା । ସେ ଦେଖେ ତ ମାଧିଆଟା ବ୍ରାହ୍ମଣ ପାଲଟି ବେଶ୍ ଖୁସିରେ ଅଛି । ସେ ତାକୁ ଡାକି ପଚାରିଲା– କିରେ, ତୁ ଏଠାରେ କିପରି ଅଛୁ ?

 

ମାଧିଆ ଦେଖିଲା ଯେ ୟେ ଚଣ୍ଡାଳ ଯେବେ ମୋତେ ଏଠାରେ ତନ୍ତୀ ବୋଲି ଚିହ୍ନାଇଦବ, ତେବେ ମୋ କଥା ସରିଲା । ତେଣୁ ସେ ତାକୁ ଏକାନ୍ତ ଜାଗାକୁ ଡାକିନେଇ ଟଙ୍କେ ଦିଟଙ୍କା ଦେଇ ବୁଝାଇ ସୁଝାଇ ଛାଡ଼ିଦେଲା ! ସେ ଲୁଗାବିକା ବେପାରୀ ଗାଁକୁ ଯାଇ ଜାତିଭାଇମାନଙ୍କୁ ମାଧିଆର ସବୁ ହାଲ ହଇକତ କହିଲା । ସେ ଗାଁଲୋକେ ଜଣ ଜଣ ହୋଇ ମାଧିଆକୁ ଦେଖିବାକୁ ଆସିଲେ । ମାଧିଆ ସେହିପରି ଚିହ୍ନାପଡ଼ିବା ଭୟରେ କାହାକୁ ଟଙ୍କେ, କାହାକୁ ଦି’ଟଙ୍କା ଦେଇ ବିଦାକଲା । ଗାଁବାଲା ଏହିପରି ରୋଜ ଆସିଲେ । ମାଧିଆ ରୋଜ ରୋଜ କାହାକୁ ଅବା କେତେ ଦବ ? ତହୁଁ ସେ ଭାଳେଣିରେ ପଡ଼ିଲା । ମାଧିଆ ଦେଖିଲା ଯେ ଏକଥା ଆଉ ଛପିବ ନାହିଁ । ପୁରୋହିତ ଯେବେ ମୋତେ ତନ୍ତୀ ବୋଲି ଜାଣିବେ, ତେବେ ମୋର ଅବସ୍ଥା କ’ଣ ହେବ ? ତେବେ ଏଥିକି ଉପାୟ କଅଣ ? ସେ ଦେଖିଲା ଯେ ଶଶୁର ମୋ କଥା ଆଉ କାହାଠାରୁ ଜାଣିବା ଅପେକ୍ଷା ମୁଁ କହିଦବା ଭଲ । ଏହା ସ୍ଥିରକରି ଦିନେ ସନ୍ଧ୍ୟାବେଳେ ଶଶୁରଙ୍କ ଆଗରେ ମୁହଁ ଶୁଖାଇ ଠିଆହେଲା । ଶଶୁରେ ଜୋଇଁକି ମୁହଁ ଶୁଖାଇବାର ଦେଖି କାରଣ ପଚାରିଲେ । ଜୋଇଁ ଭୟରେ କିଛି କହିପାରୁନଥାଏ । ଶଶୁରେ ବହୁତ ପଚାରିବାରେ ପଛକୁ କାନ୍ଦି ପକାଇଲା । ଶଶୁରେ କହିଲେ– କିଛି ଭୟ ନାହିଁ, କ’ଣ ହୋଇଚି କହ । ଜୋଇଁ କହିଲା– ଆପଣ ଯେବେ ନ ରାଗିବେ ତେବେ କହିବି । ଶଶୁର କହିଲେ–କେବେ ନୁହେଁ, ମୁଁ ରାଗିବି ନାହିଁ, କହ ।

 

ମାଧିଆ କହିବ କହିବ ବୋଲି ହେଲା; ମାତ୍ର କଥାରେ କହିପାରିଲା ନାହିଁ । ପଛକୁ ତନ୍ତୀ ଦୁଇହାତରେ କଣ୍ଡା ଧରି ଯେପରି ତନ୍ତ ଦେହରେ ଛାଡ଼ନ୍ତି, ମାଧିଆ ଦୁଇହାତ ମୁଠା କରି ସେହିପରି କଣ୍ଡା ଛାଡ଼ିବାର ଅଭିନୟ କରି କହିଲା– ଆମେ ଏ ଜାତି ।

 

ଶଶୁରେ ବୁଝିଲେ–ଜୋଇଁଟି ଅସଲ ତନ୍ତୀ । ବ୍ରାହ୍ମଣ ବେଶରେ ଭଣ୍ଡି କରି ମୋର ଜୋଇଁ ହୋଇସାରିଚି । ଏତେବେଳେ ୟାକୁ ତ ଆଉ ଘରୁ କାଢ଼ି ହେବନାହିଁ । ଝିଅକୁ ଅନ୍ୟ ବର ମଧ୍ୟ ମଙ୍ଗିବେ ନାହିଁ । ପୁଣି ଲୋକେ ଜାଣିଲେ ବାହ୍ମଣ ଜାତିରେ ମୁଁ ପତିତ ହେବି । ରଜାଘର ପୁରୋହିତିଟି ମଧ୍ୟ ଯିବ । ତେଣୁ ନ ରାଗି କହିଲେ–ହଉ, କ’ଣ ହେଲା ? ଏଥିକି ଏତେ ଭୟ କାହିଁକି ? ଆମେ ତ ତୁମକୁ ବଳକା । ଆମେ କଅଣ, ଶୁଣିବ ? ଏହା କହି ଶଶୁରେ ବା ହାତ ପାପୁଲିରେ ଡାହାଣ ହାତ ପାପୁଲିକି ଭଣ୍ଡାରୀ ଶିଳରେ ଖର ଶିଳେଇଲା ପରି କରି କହିଲେ ଆମେ ତ ଇମିତି ଇମିତି, ତୁମେ ସିମିତି ସିମିତି ହେଲେ କ’ଣ ହେଲା ? ଜୋଇଁ ଶଶୁରଙ୍କୁ ଭଣ୍ଡାରୀ ବୋଲି ବୁଝିବାରେ ମନରୁ ଦକା ଛାଡ଼ି ଖାଇପିଇ ରହିଲା ।

 

ଶଶୁରେ ଦେଖିଲେ ଯେ ଆମେ ଜାତିର ଭଣ୍ଡାରୀ ହେଲେ ସୁଦ୍ଧା ଅନେକ ଦିନ ହେଲା ରଜାଘର ପୁରୋହିତ କରି ଆସିଲୁଣି । କେହି କେବେ ପଦେ କହିନାହିଁ । କେହି ଆମକୁ ଭଣ୍ଡାରୀ ବୋଲି ଜାଣିନାହାନ୍ତି । ସମସ୍ତେ ବ୍ରାହ୍ମଣ ବୋଲି ଜାଣିଛନ୍ତି । କିନ୍ତୁ ପାଖ ଲୋକେ ଯେବେ ଜୋଇଁକି ତନ୍ତୀ ବୋଲି ଚିହ୍ନାଇ ଦିଅନ୍ତି, ତେବେ ଆଉ ରକ୍ଷା ନାହିଁ । ତେଣୁ ରଜାଙ୍କୁ ଆପେ ଆପେ କହିବାର ଭଲ । ଏହା ବିଚାରି ପୁରୋହିତ ଦିନେ ରଜାଙ୍କୁ ଭଲ ସମୟ ଦେଖି ମୁହଁ ଶୁଖାଇ ଛାମୁରେ ଠିଆହେଲେ । ରଜା ପଚାରିଲେ–କିହେ ପୁରୋହିତେ ! ମୁହଁ ଶୁଖିଛି କାହିଁକି ? ପୁରୋହିତ କହିଲେ ଆଜ୍ଞା, ଛାମୁ ଅଭୟ ଦେଲେ କିଛି ଜଣାନ୍ତି । ରଜା ପୁରୋହିତଙ୍କୁ ଭଲପାନ୍ତି । ତେଣୁ କହିଲେ–କିଛି ଭୟ ନାହିଁ, ଆମ୍ଭେ ଅଭୟ ଦେଲୁ; କଥା କଅଣ, କହ ।

 

ପୁରୋହିତେ ଘଟଣାଟି କଥାରେ କହିନପାରି ଜୋଇଁ ଯେପରି ହାତରେ ଅଭିନୟ କରି ନିଜକୁ ତନ୍ତୀ ବୋଲି ଚିହ୍ନାଇ ଦେଇଥିଲେ, ପୁରୋହିତ ସେହିପରି ତନ୍ତରେ କଣ୍ଡା ଫିଙ୍ଗିବା ଅଭିନୟ କରି କହିଲେ–ଆଜ୍ଞା, ମୋ ଜୋଇଁଟି ଜାତିରେ ଇମିତି ଇମିତି । ଆଜ୍ଞା, ୟା’ତ ମତେ ଆଗଠୁଁ ଜଣାନଥିଲା । ପରେ ଜାଣିଲାବେଳକୁ ଜୋଇଁ ତ ହୋଇସାରିଲଣି । ଆଉ ଉପାୟ କଅଣ ? ଜୋଇଁ ଏହା ଜାଣି ମୁହଁ ଶୁଖାଇଲେ । ତାଙ୍କ ମୁହଁ ଶୁଖା ମୁଁ ସହି ନ ପାରି ମୋ କଥା ମୁଁ କହିଲି । ମୋ କଥା ମଧ୍ୟ ଛାମୁ ଜାଣନ୍ତି ନାହିଁ । ଜାଣିଲେ ମୋ ଦଶା କ’ଣ ହବ କେଜାଣି ? ରଜା କହିଲେ–କହୁ ନାହଁ, ଆମେ ପରା ଅଭୟ ଦେଇଛୁ ? ପୁରୋହିତେ ସେହିପରି ହାତରେ ଖୁର ଶିଲେଇବା ଅଭିନୟ କରି କହିଲେ–ଆଜ୍ଞା, ପ୍ରକୃତରେ ଆମେ ଇମିତି ଇମିତି ।

 

ରଜା ଏହା ଶୁଣି କହିଲେ–ହଉ, ହେଲା । ଏଥିରେ ଏତେ ଭୟ କାହିଁକି ? ଆମେ କ’ଣ କାହାକୁ ଊଣା କି ? ଆମେ କ’ଣ ଜାଣ ? ଏହା କହି ହାଡ଼ି ଯେପରି ନାଗରା ବଜାନ୍ତି, ସେହିପରି ଦୁଇହାତ ବିଶି ଆଙ୍ଗୁଠି ସାହାଯ୍ୟରେ ନାଗରା ବଜା ଅଭିନୟ କରି କହିଲେ–ଆମେ ତ ଇମିତି ଇମିତି । ଜୋଇଁ ତ ଇମିତି ଇମିତି । ଜୋଇଁ ସିମିତି ସିମିତି, ତୁମେ ଇମିତି ଇମିତି ହେଲେ ଭାସିଗଲା କ’ଣ ? ଏଥିପାଇଁ ଏତେ ଭୟ ? ଏବେ ଭୟ ଗଲା ତ ?

 

ପୁରୋହିତେ ଯହୁଁ ଜାଣିଲେ ରଜା କ୍ଷତ୍ରିୟ ନୁହନ୍ତି, ନାଗରା ବଜା ହାଡ଼ି, ତହୁଁ ତାଙ୍କର ଭୟ ଭାଙ୍ଗିଗଲା ।

 

ଏଣିକି ହାଡ଼ି ରଜାକୁ ଭଣ୍ଡାରୀ ପୁରୋହିତ, ତା’ ପଛକୁ ଜୋଇଁ ତନ୍ତୀ ପୁରୋହିତ ଏ ତିନିହେଁ ରାଜୁଡ଼ା ଚଳାଇଲେ ।

񤦬񤦬񤦬

 

ରଜାଙ୍କ ଘୋଡ଼ାର ଦୁଧଖିଆ

 

ଗୋଟିଏ ରାଜ୍ୟରେ ଜଣେ ରଜା ଥିଲେ । ସେ ବଡ ଘୋଡ଼ା ସଉକା । ତାଙ୍କର ବହୁତଗୁଡ଼ିଏ ଘୋଡ଼ା ଥାନ୍ତି । ସେଥିରୁ ସେ ପାଞ୍ଚଟି ଘୋଡ଼ାରେ ବସନ୍ତି । ରଜା ଯେଉଁ ଘୋଡ଼ାରେ ବସନ୍ତି, ତାହାକୁ ପାଟଘୋଡ଼ା କହନ୍ତି । ରଜା ଯେଉଁଦିନେ ମନ୍ତ୍ରୀକି କହିଲେ–କାଲିଠାରୁ ଆମ ପାଟଘୋଡ଼ା ସବୁ ଦୁଧ ଖାଇବେ । ତୁମେ ସଇସକୁ ହୁକୁମ ଦବ–ଦୁଧରେ ଯେପରି ପାଣି ନ ମିଶେ-। ମନ୍ତ୍ରୀ, ଯେ ଆଜ୍ଞା’ କହି ସଇସକୁ ସବୁ କଥା ବୁଝାଇଦେଲେ । ବରାଦ ଅନୁସାରେ ତହିଁ ଆରଦିନ ଗଉଡ଼ ସବୁ ଭାର ଭାର ଦୁଧ ସଇସ ପାଖରେ ହାଜର କଲେ । ଗଉଡ଼ ତ କେବେ କାହାକୁ ନରୁତା ଦୁଧ ଦିଅନ୍ତି ନାହିଁ । ତେଣୁ ସେ ଯେତେ ପାଣି ମିଶାଇବାର ମିଶାଇଲେ । ସଇସ ଦେଖିଲା ଯେ ଘୋଡ଼ା କିପରି ଦୁଧ ଖାଇଲେ, ଏହା କେହି ତ ଦେଖିବାକୁ ନାହିଁ । ତେବେ ମୋ ଭାଗ ମୁଁ କାହିଁକି ଛାଡ଼ିବି ? ଏହା ବି ଯେତେ ସେର ଦୁଧ ଆସିଥିଲା, ସେତେ ପା କାଢ଼ିନେଇ ସେତିକି ପାଣି ମିଶାଇଲା । ଦିନା କେତେ ଗଉଡ଼େ ସେହିପରି ଆଣିଲେ, ସଇସ ମଧ୍ୟ ସେହିପରି ପାଣି ମିଶାଇ ଘୋଡ଼ାକୁ ଖୁଆଇଲା । ସେତେବେଳେ ସଇସ ଘରେ ଦୁଧ, ଦହି, ଛେନା ହାଉଜାଉ ହେଲା । ରଜା ଭାବୁଚନ୍ତି–ଘୋଡ଼ା ସବୁ ଖାଣ୍ଟି ଦୁଧ ଖାଉଚନ୍ତି, ଅଳ୍ପଦିନେ ନିଶ୍ଚେ ସୁନ୍ଦର ଚିକ୍କଣ ହୋଇଯିବେ-। କେତେଦିନ ଗଲା ପରେ ରଜା ଘୋଡ଼ା ଦେଖିବାକୁ ଗଲେ । ଦେଖିଲେ–ଘୋଡ଼ାଙ୍କର ରୂପ କିଛି ବଦଳି ନାହିଁ । ୟା ଦେଖି ତାଙ୍କର ଆଶଙ୍କା ହେଲା–ଘୋଡ଼ା ତେବେ ଖାଣ୍ଟି ଦୁଧ ଖାଉନାହାନ୍ତି-। ତେଣୁ ସଇସ କାମ ଦେଖିବାକୁ ସର୍ଦ୍ଦାର ନିଯୁକ୍ତ କଲେ । ଏଣିକି ଦୁଧ ପହଞ୍ଚିବା ପରେ ସଇସ ନିଜର ଯାହା କରିବାର କଥା, ତାହା କରିସାରି ଘୋଡ଼ାଙ୍କ ଦୁଧଖିଆ ଦେଖିବାକୁ ସର୍ଦ୍ଦାରକୁ ଡାକେ-। ସର୍ଦ୍ଦାର ଏତେଗୁଡ଼େ ଦୁଧ ଦେଖି ଲୋଭ ସମ୍ଭାଳି ନ ପାରି ତା’ ପାଇଁ ପାଏ ପାଏ କାଢ଼ିବାକୁ ସଇସକୁ କହିଲା । ସଇସର ସର୍ଦ୍ଦାର ପାଇଁ ପାଏ ପାଏ ଦୁଧ କାଢ଼ି ପୁଣି ସେଥିରେ ସେତିକି ପାଣି ମିଶାଇଲା-। ଏବେ ଗଉଡ଼ଙ୍କ ପାଣି ମିଶା, ସଇସର ପାଣିମିଶା, ତା’ ଉପରେ ପୁଣି ସର୍ଦ୍ଦାରର ପାଣିମିଶାରେ ଦୁଧର ଯାହା ଅବସ୍ଥା ହେଲା । ଏହିପରି ଦୁଧ ଘୋଡ଼ାମାନେ ଦିନ କେତେ ଖାଇଲେ । ରଜା ତ ସଇସ କାମ ଦେଖିବାକୁ ସର୍ଦ୍ଦାର ନିଯୁକ୍ତ କରିଚନ୍ତି । ତେଣୁ ଭାବିଚିନ୍ତି–ଏଥର ଘୋଡ଼ାସବୁ ନିଶ୍ଚେ ଖାଣ୍ଟି ଦୁଧ ଖାଉଥିବେ । କିନ୍ତୁ ସାରୁ ଭିତରେ ମାରୁ ଅଛି, ରଜା କାହିଁକି ଏକଥା ଜାଣିବେ । ଦିନେ ଯାଇ ଦେଖନ୍ତି ତ ଘୋଡ଼ାସବୁ ଅଧିକ ଦୁର୍ବଳ । ରଜା ଭାବିଲେ–ସର୍ଦ୍ଦାର ତେବେ କିଛି ଗୋଳମାଳ କରୁଛି । ଏହା ଭାବି ତା’ କାମ ଦେଖିବାକୁ ଜଣେ ବିଶୋଇଙ୍କୁ ନିଯୁକ୍ତ କଲେ । ବିଶୋଇ ନିଯୁକ୍ତ ହେବାପରେ ସଇସ ନିଜ ପାଉଣା କାଢ଼ି ସର୍ଦ୍ଦାରକୁ, ସର୍ଦ୍ଦାର ନିଜ ପାଉଣା କାଢ଼ି ବିଶୋଇକି ଡାକେ-। ବିଶୋଇ ଏତେଗୁଡ଼େ ଦୁଧ ଦେଖି ନିଜପାଇଁ ପାଏ ପାଏ କାଢ଼ିବାକୁ ବରାଦ କଲା । ସେହିପରି ପାଏ ପାଏ ଦୁଧ କଢ଼ାଯାଇ ପୁଣି ସେତିକି ପାଣି ମିଶାଗଲା । ଦିନ କେତେ ଯିବା ପରେ ରଜା ପୁଣି ଘୋଡ଼ାଙ୍କୁ ଦେଖିବାକୁ ବିଜେ କଲେ । ଦେଖନ୍ତି ତ ଘୋଡ଼ା ଦୁର୍ବଳ ହୋଇ କଣ୍ଟା ରହିଲାଣି-। ସେଥିରେ ସେ ବିରକ୍ତ ହୋଇ ସମସ୍ତଙ୍କ କାମ ଦେଖିବାକୁ ଜଣେ ହାକିମଙ୍କୁ ନିଯୁକ୍ତ କଲେ । ଏହା ସମସ୍ତେ ଜାଣିଲେ । କିନ୍ତୁ ସମସ୍ତଙ୍କର ଦୁଧଖିଆ ଅଭ୍ୟାସ ହୋଇଛି । କାହାରି ଭାଗ କେହି ଛାଡ଼ୁନାହାନ୍ତି । ସମସ୍ତଙ୍କ ପାଉଣା ଗଲା ପରେ ସେ କ’ଣ ଆଉ ଦୁଧ ହୋଇ ରହୁଚି ? ସେ କେବଳ ପାଣି, ଦେଖିବାକୁ ଧଳା ମାତ୍ର । ଦିନେ ହାକିମ ଦୁଧ ତନଖି କରିବାକୁ ଆସିଲେ । ଆସି ଦେଖନ୍ତି ତ ଦୁଧରେ ମେଞ୍ଚା ମେଞ୍ଚା ଧୋଇଆଁ ଚିଙ୍ଗୁଡ଼ି ଭାସୁଚନ୍ତି । ଏହା ଦେଖି ସେ ଆଶ୍ଚର୍ଯ୍ୟ ହୋଇ ସଇସ, ସର୍ଦ୍ଦାର, ବିଶୋଇଙ୍କୁ ଜଣ ଜଣ କରି ଦୁଧକୁ ଚିଙ୍ଗୁଡ଼ି କିପରି ଆସିଲା ବୋଲି ପଚାରିଲେ ସମସ୍ତେ ତ ଚୋର, କହିବେ କ’ଣ ? ଖାଲି ବଲବଲ କରି ଚାହିଁଲେ । ହାକିମ ବହୁତ ଧରା ଆଗୁଳା କରିବାରେ ସେ ୟାକୁ ୟେ ତାକୁ ଦୋଷ ଦେବାକୁ ଲଗିଲେ । ସବୁ କଥା ଧରାପଡ଼ିଲା ହାକିମ ଜାଣିଲେ କେବଳ ପାଣି ମିଶାଇବାରେ ପାଣିରେ ଏସବୁ ଚିଙ୍ଗୁଡ଼ି ଆସିଚି । ନହେଲେ ଦୁଧକୁ ଚିଙ୍ଗୁଡ଼ି କୁଆଡ଼ୁ ଆସନ୍ତା ? ଏକଥା ରଜାଙ୍କ କାନକୁ ଗଲା । ରଜା ଗୋଟି ଗୋଟି କରି ସେ ସମସ୍ତଙ୍କୁ ରାଜ୍ୟରୁ ତଡ଼ିଦେଲେ । ଏତେ ଖୋଳତାଡ଼ ହେବାରେ ସିନା କଥା ଧରାପଡ଼ିଲା । ନହେଲେ ତ ଘୋଡ଼ା ଚିଙ୍ଗୁଡ଼ି ଖାଉଥାନ୍ତେ । ରଜା ଭଲହେଲେ କ’ଣ ହବ ? ବେଭାରୀ ଭଲ ନ ହେଲେ ରାଜ୍ୟ ଭାଣ୍ଡ ।

񤦬񤦬񤦬

 

ଈଶ୍ଵର ଯାହା କରନ୍ତି, ମଙ୍ଗଳ ପାଇଁ

 

ରଜାଙ୍କୁ ଯେଉଁ ବାରିକ କ୍ଷିଅର କରେ, ତା’ ଉପରେ ଭଦ୍ରଲୋକ ଚର୍ଚ୍ଚା ଭାର ଥାଏ । ଏଥିଲାଗି ତାକୁ ଚର୍ଚ୍ଚା ବେହେରା କହନ୍ତି । ଚର୍ଚ୍ଚା ବେହେରା ପ୍ରତି କ୍ଷିଅର ପାଳିରେ ହାଜର ହୋଇ ରଜାଙ୍କୁ କ୍ଷିଅର କରିଦେଇଯାଏ । ଥରେ ନଖ କାଟୁ କାଟୁ ଦୈବାତ ରଜାଙ୍କ ଆଙ୍ଗୁଠିରୁ ଟିକିଏ କାଟି ହୋଇଗଲା । ଗୁଡ଼ାଏ ରକ୍ତ ବୋହିଗଲା । ରଜା ଇଲୋ, ମାଲୋ ହେଲେ । ଡାକ୍ତର ଆସି ମଲମ ଦେଇ ପଟି ବାନ୍ଧିଦେଇ ଗଲା । ଲୋକେ ଏ ଖବର ଜାଣି ରଜାଙ୍କ ମନ ନବାପାଇଁ କିଏ କହିଲା–ଆହା, ୟେ କ’ଣ ହେଲା ? ଶ୍ରୀ ଅଙ୍ଗୁଳିରେ ୟେ କି ଦୁଃଖ ହେଲା ? କିଏ କହିଲା–ବାରିକଟା କେଡ଼େ ନିମକହାରାମ ୟା ସେ କିପରି କଲା ? କିଏ କହିଲା–ଶ୍ରୀ ଅଙ୍ଗରୁ ଗୁଡ଼ାଏ ରକ୍ତ ଯାଇଛି, କିଛି ଦାନପୁଣ୍ୟ କରି ଦିଆଯାଉ । ଏହିପରି କିଏ କେତେ ମନନବା କଥା କହିଲେ ।

 

ସେ ରଜାଙ୍କର ଜଣେ ବୁଢ଼ା ମନ୍ତ୍ରୀ ଥିଲେ । ସେ ଅତ୍ୟନ୍ତ ବୁଦ୍ଧିମାନ୍ ଏବଂ ଈଶ୍ଵର ପରାୟଣ ଲୋକ । ରଜାଙ୍କ ଆଙ୍ଗୁଠି କଟିଯିବା କଥା ଶୁଣି ସେ କହିଲେ–ଈଶ୍ଵର ଯାହା କରନ୍ତି, ମଙ୍ଗଳ ପାଇଁ । ଏକଥା ଚାରିଆଡ଼େ ଖେଳିଗଲା । ରଜାଙ୍କ କାନକୁ ମଧ୍ୟ ଗଲା । ରଜାଙ୍କ ପାଖଲୋକେ ରଜାଙ୍କୁ ଶୁଣାଇ ଶୁଣାଇ କହିଲେ–ମନ୍ତ୍ରୀଙ୍କର କି’ ସାହସ ! ଶ୍ରୀ ଅଙ୍ଗରେ ହତିଆର ଲାଗିଯିବା ଯେ ଶୁଣିଲା, ସେ ବଥେଇହେଲା । ମନ୍ତ୍ରୀ କହୁଚନ୍ତି କ’ଣ ନା, ଈଶ୍ଵର ଯାହା କରନ୍ତି ମଙ୍ଗଳ ପାଇଁ । ଆଉ ହବ ନାହିଁ, ହବ ନାହିଁ । ଏହା କ’ଣ ନିମକସଚ୍ଚା ଲୋକ କହେ ? ଏହିପରି ଆହୁତିଏ ଆହୁତିଏ ପଡ଼ିବାରେ ମନ୍ତ୍ରୀ ଉପରେ ରଜାଙ୍କ ମନ ରାଗିଉଠିଲା ।

 

ଅକସ ସାଧିବାପାଇଁ ଦିନେ ରଜା ମନ୍ତ୍ରୀକୁ ସାଙ୍ଗରେ ନେଇ ଶିକାର କରିବାକୁ ଗୋଟେ ବଡ଼ ଜଙ୍ଗଲକୁ ଗଲେ । ସାଙ୍ଗରେ ଆଉ ଲୋକବାକ କେହି ନ ଥିଲେ । ଖାଲି ରଜା ମନ୍ତ୍ରୀ ଦୁଇଜଣ-। ଯେତେବେଳେ ନିବିଡ଼ ଜଙ୍ଗଲରେ ପହଞ୍ଚିଲେ, ସେତେବେଳେ ରଜା ଖାଲି ଚାରିଆଡ଼କୁ ଚାହୁଁଥାନ୍ତି ଖାଲଖମା ପାଇଲେ ମନ୍ତ୍ରୀକି ପେଲିଦେବାକୁ । ଦେଖୁ ଦେଖୁ ଗୋଟେ ପର୍ବତ ଧୋଡ଼ା ପାଇଲେ-। ସେ ଧୋଡ଼ା ଅତି ଗହିରିଆ; ତା’ ଭିତରେ କିଟିକିଟି ଅନ୍ଧାର । ରଜା ସେଇ ଧୋଡ଼ାକୁ ମନ୍ତ୍ରୀକି ପେଲିଦେଇ ଏକୁଟିଆ ଫେରିଲେ ।

 

ସେ ଜଙ୍ଗଲରେ କେଉଁ କାଳରୁ ଗୁଡ଼ିଏ କନ୍ଧ ଥାନ୍ତି । ସେଗୁଡ଼ାକ ଅତି ଅସଭ୍ୟ; କେବେହେଲେ ସହର, ବଜାର ଦେଖିନାହାନ୍ତି, ପତ୍ର ପିନ୍ଧି, ବଣର ଫଳମୂଳ ଖାଇ ବଞ୍ଚନ୍ତି । କାଠ ଖୁଣ୍ଟ ପୋତି ତାକୁ ଦେବତା ବିଶ୍ଵାସରେ ପୂଜା କରନ୍ତି । ପ୍ରତିବର୍ଷ ସେ ଦେବତାକୁ ନରବଳି ଦିଅନ୍ତି । ବଳି ପାଇଁ ତାଙ୍କର ମଣିଷ ଖୋଜା ଲାଗିଥାଏ । ରଜା ଫେରୁ ଫେରୁ ଦୈବାତ୍ ସେ କନ୍ଧଙ୍କ ହାବୁଡ଼େ ପଡ଼ିଲେ । ସେମାନେ କେବେ ରଜାଙ୍କୁ ଦେଖିନାହାନ୍ତି । ରଜା ବୋଲି କାହିଁକି ଚିହ୍ନିବେ ? ତାଙ୍କର ସୁନ୍ଦର ରୂପ ଦେଖି ସମସ୍ତେ ବେଢ଼ିଗଲେ । ରାଜାଙ୍କର ମହା ଭୟ ହେଲା । ସେ କହିଲେ–ଆରେ, ମୁଁ ତୁମର ରଜା, ମତେ ଛାଡ଼ିଦିଅ । ସେମାନେ କିଆଁ ଟିକିଏ ମାନନ୍ତେ ? ଓଲଟି କହିଲେ–ତୁ କିଆଁ ଆମର ରଜା ହବୁ ? ତୋର ଦିହଟା ସୁନ୍ଦର ହୋଇଚି, ତତେ ବଳିଦେଲେ ଦେବତା ପ୍ରସନ୍ନ ହବ; ତତେ କେବେ ଛାଡ଼ିବୁ ନାହିଁ । ଏହିପରି କହି ରଜାକୁ କାଠ ଖୁଣ୍ଟ ଦେବତା ପାଖକୁ ନେଲେ । ଦେବତାକୁ ଝୁଣା ଧୂପ ଦେଇ ରଜା ବେକରେ ଫୁଲମାଳ ପକାଇ ଅର୍ଗଳରେ ତା’ ମୁଣ୍ଡ ପୂରେଇଲେ-। କଟେଇତ ଦାଢ଼ୁଆ ଫାର୍ସା ଧରି ହାଣିବାକୁ ଠିଆହେଲା । ଆଉ ଜଣେ କନ୍ଧ ରଜାଙ୍କ ଦୁଇହାତ ପଛ ଆଡ଼କୁ ଟାଣି ଧଇଲାବେଳକୁ ଦେଖାଗଲା–ରଜାଙ୍କର ଗୋଟେ ଆଙ୍ଗୁଠି ଖଣ୍ଡିଆ । ଖୁଣ ଥିଲେ ବଳି ଦିଆଯାଏ ନାହିଁ । ସେପରି ବଳି ଦେଲେ ଦେବତା ରାଗନ୍ତି, କନ୍ଧମାନେ ଆଉ ବଳି ଦେବେ କଅଣ, କହିଲେ–ଯାଆରେ ପୁଅ ଯା, ତୋ କପାଳ ସଳଖ । ତୋର ଖଣ୍ଡିଆ ଆଙ୍ଗୁଠି ତତେ ରଖିଲା, ନହେଲେ ତୋର ରକତ ଦେବତା ଏବେ ଖାଇଥାନ୍ତା । ଏହା କହି ରଜାକୁ ଅର୍ଗଳିରୁ ଫିଟାଇ ଛାଡ଼ିଦେଲେ । ରଜା ମୃତ୍ୟୁମୁଖରୁ ରକ୍ଷା ପାଇ ଘରକୁ ବାହାରିଲେ ।

 

ରଜା ଯାଉ ଯାଉ ବାଟରେ ବିଚାରିଲେ–ମନ୍ତ୍ରୀ ଯାହା କହିଥିଲା ସତ । ପ୍ରକୃତରେ ଈଶ୍ଵର ଯାହା କରନ୍ତି, ମଙ୍ଗଳ ପାଇଁ । ଭଣ୍ଡାରୀ ଯେବେ ମୋ ଆଙ୍ଗୁଠି କାଟି ଦେଇ ନ ଥାନ୍ତା, କନ୍ଧଗୁଡ଼ାକ ମତେ ନ ମାରି ଛାଡ଼ିଥାନ୍ତେ କି ? ସାବାସ ମନ୍ତ୍ରୀ : ଏଭଳି ମନ୍ତ୍ରୀକୁ ଛାଡ଼ିଲେ ମଙ୍ଗଳ ନାହିଁ । ଯିମିତି ହଉ ତାକୁ ଆଣିବାକୁ ହବ, ଏହା ବିଚାରି ରଜା ମନ୍ତ୍ରୀ ପଡ଼ିଥିବା ସ୍ଥାନକୁ ଗଲେ । ମନ୍ତ୍ରୀ, ମନ୍ତ୍ରୀ ବୋଲି ବହୁତ ଡାକ ପକାଇବାରେ ମନ୍ତ୍ରୀ ଟୋପ ଭିତରୁ ଜବାବ ଦେଲେ । ରାଜା ତାପରେ ଟୋପ ଭିତରକୁ ଗୋଟିଏ ଲଇ ପକାଇଲେ । ମନ୍ତ୍ରୀ ସେ ଲଇ ଧରି ଉପରକୁ ଆସିଲେ । ରଜା ମନ୍ତ୍ରୀକୁ ପାଇ ବଡ଼ ଖୁସି ହେଲେ । କହିଲେ ମନ୍ତ୍ରୀ ! ତୁମେ ଯାହା କହିଥିଲ–ଈଶ୍ଵର ଯାହା କରନ୍ତି, ତାହା ମଙ୍ଗଳ ପାଇଁ, ଏକଥା ସତ କଥା । ଇଲାଗେ କନ୍ଧମାନେ ମତେ ବଳି ଦବାକୁ ନେଇଥିଲେ । ବଳି ଦେବା ବେଳକୁ ମୋର ଏ ଖୁଣ ଆଙ୍ଗୁଠି ଦେଖିବାରୁ ମତେ ଛାଡ଼ିଦେଲେ । ନହେଲେ ମତେ ନ ହାଣି ଛାଡ଼ିନଥାନ୍ତେ । ତୁମେ ମୋ ଆଙ୍ଗୁଠି ଖୁଣ ଶୁଣି କହିଥିଲ–ଇଶ୍ଵର ଯାହା କରନ୍ତି, ମଙ୍ଗଳ ପାଇଁ । ମୁଁ ଏହା ଶୁଣି ତୁମକୁ ଶତ୍ରୁ ବିଚାରି ଜଙ୍ଗଲକୁ ଆଣି ଖାଲକୁ ପେଲିଦେଲି । ମୋର ଅପରାଧ ହୋଇଚି, କ୍ଷମା ଦିଅ ।

 

ମନ୍ତ୍ରୀ କହିଲେ– ଛାମୁ କିଛି ଦୋଷ କରିନାହାନ୍ତି; ବରଂ ମୋର ଉପକାର କରିଛନ୍ତି । ମତେ ଆପଣ ଖାଲରେ ପେଲି ଦେଇଥିଲେ ବୋଲି ମୁଁ ରକ୍ଷା ପାଇଗଲି । ନହେଲେ ମତେ ନିଖୁଣ ଦେଖି କନ୍ଧମାନେ ନିଶ୍ଚେ ବଳି ଦେଇଥାନ୍ତେ । ଛାମୁ ଆଉ ଦୋଷ କଲେ କିପରି ? ସେଥିପାଇଁ କହିଚି ପରା–ଈଶ୍ଵର ଯାହା କରନ୍ତି, ମଙ୍ଗଳ ପାଇଁ ।

 

ରଜା କହିଲେ– ମନ୍ତ୍ରୀ ! ତୁମେ ଯାହା କହିଲ, ତାହା ମଧ୍ୟ ସତ । କିନ୍ତୁ ପ୍ରକୃତରେ ତୁମକୁ ପାଇଥିଲେ ଛାଡ଼ି ନ ଥାନ୍ତେ । ପ୍ରକୃତରେ ଈଶ୍ୱର ଯାହା କରନ୍ତି, ମଙ୍ଗଳ ପାଇଁ । ହଉ ଚାଲ, ଘରକୁ ଫେରିଯିବା । ରଜାମନ୍ତ୍ରୀ ଘରକୁ ଗଲେ, ସେହିଦିନଠାରୁ ରଜା ମନ୍ତ୍ରୀଙ୍କୁ ଗୁରୁ ପରି ମାନି ଚଳିଲେ ।

񤦬񤦬񤦬

 

ଆଲୋ ମୋ ଗମ୍ୟତାଂ କ’ଣ ହୋଇଯାଉଚି ଲୋ !

 

ଜଣେ ବ୍ରାହ୍ମଣ ପୁଅକୁ ସଂସ୍କୃତ ପଢ଼ିବାକୁ ଗୋଟେ ଗାଁରେ ଜଣେ ପଣ୍ଡିତଙ୍କ ପାଖରେ ରଖାଇଦେଲେ । ପୁଅଟି ଗୁରୁଙ୍କ ପାଖରେ ରହି ପଢ଼ାଶୁଣା କଲା । ସେ ପିଲାଟି ଯିମିତି ଚଗଲା, ସିମିତି ନିର୍ବୁଦ୍ଧିଆ । ଯାହା ପଢ଼ିଲା, କିଛି ମନେରହିଲା ନାହିଁ । ପାଞ୍ଚବର୍ଷ କାଳ ବାପ ମା’ଙ୍କୁ ଛାଡ଼ି ସେଠାରେ ପଢ଼ିଲା । ହେଲେ କ’ଣ ହବ, କଡ଼ାଟିକର କାମ ହେଲା ନାହିଁ । ଘରୁ ଆସିଲାବେଳେ ଯାହା ଥିଲା, ପାଞ୍ଚବର୍ଷ ପଢ଼ି ମଧ୍ୟ ସେୟା । ପାଠ ପଢ଼ା ଯାହା ଇଚ୍ଛା ତାହା ହେଉ, ପିଲାଟି ଘରକୁ ଯିବାକୁ ଉଚ୍ଛନ୍ନ ହେଲା । ଘରକୁ ଯିବାକୁ ଦିନେ ଗୁରୁଙ୍କୁ ମଧ୍ୟ କହିଲା । ଗୁରୁ ମଧ୍ୟ ଏ ପଥରବୋଝରୁ ରକ୍ଷା ପାଇବାକୁ ବାଟ ଖୋଜୁଥିଲେ । ତେଣୁ ଛାତ୍ର କହିଲା ମାତ୍ରକେ ଯାଅ ବୋଲି ଓଡ଼ିଆରେ ନ କହି ସଂସ୍କୃତରେ କହିଲେ, ‘ଗମ୍ୟତାଂ’ । ଛାତ୍ର ତ ସଂସ୍କୃତ ବୁଝିବାକୁ ରମ୍ଭା । ସେ କାହିଁକି ଗମ୍ୟତାଂର ଅର୍ଥ ଟିକିଏ ବୁଝନ୍ତା ? ଖାଲି ହାତ ଠାରରୁ ଯିବା କଥା ବୁଝି ଲୁଗାପଟା ବାନ୍ଧି ଘରକୁ ବାହାରିଲା । ଯାଉ ଯାଉ ବାଟରେ ମନେପଡ଼ିଲା–ମୁଁ ଆସିଲାବେଳେ ଗୁରୁ ଗମ୍ୟତାଂ' ବୋଲି କ’ଣ କହିଲେ, ତା’ର ତ ଅର୍ଥ ମୁଁ କିଛି ବୁଝିଲି ନାହିଁ । ପୁଣି ଫେରିଯାଇ ସେତକ ବୁଝିଆସିବା ଦରକାର । ଯୋଗ୍ୟ ଛାତ୍ର ଗମ୍ୟତାଂର ଅର୍ଥ ବୁଝିବାକୁ ସେତକ ବାଟ ଫେରି ଗୁରୁଙ୍କ ପାଖେ ପହଞ୍ଚିଲା । ଗୁରୁ ସେତେବେଳେ ପୁଜାରେ ବସିଥିଲେ । ସେତେବେଳେ ସେ କାହାକୁ କଥା କହନ୍ତି ନାହିଁ । ସେ ଛାତ୍ରକୁ ଫେରିଆସିବାର ଦେଖି ମୁହଁରେ ତା’ର ଫେରିବାର କାରଣ ପଚାରିଲେ । ଛାତ୍ର କହିଲା– ଗୁରୁ ଆପଣ ମତେ ବିଦାୟ ଦେଲାବେଳେ ଗମ୍ୟତାଂ ବୋଲି କଅଣ କହିଲେ । ତା’ର ଅର୍ଥ କଅଣ-? ଏୟା ବୁଝିବାକୁ ଫେରିଲି । ଏତେ କାଳ ସଂସ୍କୃତ ପଢ଼ି ଛାତ୍ର ଗମ୍ୟତାଂର ଅର୍ଥ ବୁଝି ନ ପାରିବାର ଜାଣି ଗୁରୁ ମନେ ମନେ ଧିକ୍କାର କରି ନିଜ କପାଳକୁ ଆଙ୍ଗୁଠିରେ ଠୁକି ତୋ କପାଳରେ ନାହିଁ ବୋଲି ଜଣାଇଦେଲେ । ବୁଦ୍ଧିଆ ଛାତ୍ର ସେ କଥା ବୁଝିବ କାହିଁକି ? ସେ ବୁଝିଲା ଗମ୍ୟତାଂର ଅର୍ଥ ମୁଣ୍ଡ । ସେ ଏଇ ଅର୍ଥ ବୁଝି ନିର୍ଦ୍ଧୁମ ଖରାରେ ଗାଁକୁ ଗଲା । ଚାଲି ଚାଲି କେତେବେଳ ଉତ୍ତାରୁ ଗାଁରେ ପହଞ୍ଚିଲା । ଏତେ କାଳରେ ପୁଅ ଆସିବାରୁ ବାପ ମା’ ଭାରୀ ଖୁସିହେଲେ । ପୁଅ ପୁଣି ପାଠ ପଢ଼ି କରି ଆସିଚି ବୋଲି ବାପ ମା’ଙ୍କର ଅଧିକ ଆନନ୍ଦ ।

 

ପୁଅ ଖାଇବାପାଇଁ ମା’ ତରବର ହୋଇ ରନ୍ଧାବଢ଼ା କରିବାକୁ ଗଲା । ପୁଅ ମସିଣା ଖଣ୍ଡେ ପକାଇ ଗଡ଼ପଡ଼ ହେଲା । ଗୁଡ଼ାଏ ବାଟ ଟାଇଁ ଟାଇଁ ଖରାରେ ଚାଲିକରି ଆସିଥିଲା । ସେଇଥିରୁ ଭୟଙ୍କର ମୁଣ୍ଡବଥା ହେଲା । ସେ ତାହା ସମ୍ଭାଳି ନ ପାରି ମା’କୁ ଡାକ ପକାଇଲା । ମା’ ତେଣେ ରନ୍ଧାବଢ଼ାରେ ଲାଗିଥାନ୍ତି; ଚୁଲି ଛାଡ଼ି ଆସିପାରୁନଥାନ୍ତି । ପୁଅ ତ ପୁଣି ସଂସ୍କୃତ ପାଠ ପଢ଼ି କରି ଆସିଚନ୍ତି, ବୁଝିଲାବେଳକୁ ସଂସ୍କୃତର ‘ସ’ ଅକ୍ଷର ଜଣାନାହିଁ । ସେ ତ ଗୁରୁଙ୍କୁ ଗମ୍ୟତାଂର ଅର୍ଥ ପଚାରି ମୁଣ୍ଡ ବୋଲି ବୁଝି ଆସିଚି । ବିଚାରିଲା–ଗମ୍ୟତାଂ ବଥାଉଚି ନ କହି ମୁଣ୍ଡ ବଥାଉଚି କାହିଁକି କହିବି ? ନହେଲେ ସଂସ୍କୃତ ପଢ଼ିଚି ବୋଲି ଲୋକେ କିମିତି ଜାଣିବେ ? ଏହା ଭାବି ବିକଳ ହୋଇ ଡାକ ପକାଇଲା-ମାଲୋ ! ହେ ମା’ ! ଆଲୋ ମୋ ଗମ୍ୟତାଂ କଅଣ ହୋଇଯାଉଚି ଲୋ, ଚଞ୍ଚଳ ଆ । ମା’ କିଛି ବୁଝିନପାରି ତରତର ହୋଇ ଦଉଡ଼ିଆସିଲା । ପୁଅ ମୁଣ୍ଡର ଥାନ ମୁନ୍ଦୁରା ଦିଟା ଟିପିଧରି ମା’କୁ କହିଲା–ଆଲୋ ! ମୋ ଗମ୍ୟତାଂ କ’ଣ ହୋଇଯାଉଚି ଲୋ ! ମା’ ଆବାକାବା ହୋଇ ଚାହିଁଲା, କିଛି ବୁଝିପାରିଲା ନାହିଁ । ପଚାରିଲା–ଆରେ ! ଗମ୍ୟତାଂ କଅଣ ? ମା ବୁଝି ନ ପାରିବାରୁ ପୁଅ ବିରକ୍ତ ହୋଇ କହିଲା–ମାଇପି ଗୁଡ଼ାକ ତ ପାଠଶାଠ ପଢ଼ିଲ ନାହିଁ, ବୁଝିବ କଅଣ-? ଆଲୋ ! ଦେଖୁ ନାହୁଁ–ଏ ଶିରା ଦିଟା କମିତି ଧକଧକ ହଉଚି ? ମା’ କହିଲା– ଆରେ ମୁଣ୍ଡ ବଥାଉଚି କିରେ ! ପୁଅ କହିଲା– ହଁ, ସେୟା । ଏବେ ଗମ୍ୟତାଂ କଅଣ, ବୁଝିଲ ? ମୁଁ କହିଲି– ଆରେ ! ଗମ୍ୟତାଂ ବୋଇଲେ ମୁଁ ମୁଣ୍ଡ ବୋଲି କାହିଁକି ଜାଣିବି ? ତୁ ସିନା ପାଠଶାଠ ପଢ଼ିଚୁ, ମୁଁ କ’ଣ ପାଠ ପଢ଼ିଚି ? ପୁଅଙ୍କର ଏପରି ପାଠଶାଠ ବାପା, କକା, ଗାଁ ଲୋକେ ଜାଣିଲେ । ଯେ ଶୁଣିଲା, ସେ ହସିଲା । ଲୋକେ କହିଲେ–ବାଃ, ପୁଅ ଭଲ ପାଠ ପଢ଼ିଲା ! ଗମ୍ୟତାଂର ଅର୍ଥ ମୁଣ୍ଡ ବୋଲି ଯେତେବେଳେ କହୁଚି, ଆଉ ନ ଜାଣେ କଅଣ ? ଗାଁ ଲୋକେ ଗୁଡ଼େ ହସ ବୃଷ୍ଟି କଲେ । ତାହା ଦେଖି ପୁଅ ଲାଜରେ ଆଉ ଘରୁ ବାହାରିଲେ ନାହିଁ କି କାହା ସଙ୍ଗେ କଥାବାର୍ତ୍ତା କଲେ ନାହିଁ । ଗମ୍ୟତାଂ ଯୋଗେ ତାହାର ଜୀବନଟା ମାଟି ହୋଇଗଲା ।

񤦬񤦬񤦬

 

ବୃଦ୍ଧା ବେଶ୍ୟା ତପସ୍ଵିନୀ

 

ଗୋଟିଏ ଗାଁରେ ଜଣେ ବ୍ରାହ୍ମଣ ଥିଲେ । ସେ ପିଲାଦିନରୁ ବଗୁଲିଆ ହେଲେ; ପାଠଶାଠ କିଛି ପଢ଼ିଲେ ନାହିଁ । ବୟସ ହେଲା, ପୁଣି ଘରର ପୁଅ । ତେଣୁ ପାଞ୍ଚ ସାତଜଣଙ୍କ ମଧ୍ୟରେ ବସିବାକୁ ପଡ଼ିଲା । ପାଠୁଆ ଲୋକେ ବସିଲେ ପାଠଶାସ୍ତ୍ର ଚର୍ଚ୍ଚା ହୁଏ । ସେ ବ୍ରାହ୍ମଣ ଏହିପରି ଗୋଷ୍ଠୀରେ ବହୁତ ଜାଗାରେ ବସିବାରେ ପାଠ ଶାସ୍ତ୍ର କେତେ ଶୁଣିଲେ । ସଂସ୍କୃତ ପ୍ରତି ତାଙ୍କର ଆଦର ହେଲା । ଆଦର ହେଲା ସିନା, ମୂର୍ଖ ଲୋକ, ବୁଝିବେ କଅଣ ? ତେବେ ଗୋଟେ ଗୋଟେ ଶ୍ଳୋକର ପଦେଅଧେ ମନରେ ରହିଯାଏ । କିନ୍ତୁ ତା’ର ଅର୍ଥ କିଛି ଜାଣନ୍ତି ନାହିଁ ।

 

ବ୍ରାହ୍ମଣଙ୍କର ଷାଠିଏ ବର୍ଷର ବୁଢ଼ୀ ମାଆଟିଏ ଥିଲେ । ସେ ଥରେ ବେମାର ପଡ଼ିଲେ । କେତେ ବନ୍ଧୁବାନ୍ଧବ ସଙ୍ଖୋଳି ଆସିଲେ । କିଛି ଦିନ ପରେ ଭଲ ହୋଇଗଲେ । ବୁଢ଼ୀ ଭଲ ହେବା ପରେ ଦିନେ ବାଟରେ ସେ ବ୍ରାହ୍ମଣଙ୍କର ଜଣେ ବନ୍ଧୁଙ୍କ ସାଙ୍ଗେ ଦେଖାହେଲା । ବନ୍ଧୁ ବୁଢ଼ୀଙ୍କର ବେମାର ଶୁଣିଥିଲେ । କିନ୍ତୁ ସଙ୍ଖୋଳିବାକୁ ଯାଇପାରିନଥିଲେ । ବୁଢ଼ୀ ଭଲ ହେବା ମଧ୍ୟ ଜାଣିନଥିଲେ । ଆପଣା ଲୋକ ତ, ତେଣୁ ସେ ବ୍ରାହ୍ମଣଙ୍କୁ ପଚାରିଲେ–ମା ବୁଢ଼ୀ କିମିତି ଅଛନ୍ତି ?

 

ବ୍ରାହ୍ମଣ ତ ଘରର ପୁଅ । ଭଦ୍ରଲୋକଙ୍କୁ ପୁଣି ସାଧାରଣ ଭାଷାରେ କହିବାକୁ ତାଙ୍କୁ ଭଲଲାଗେ ନାହିଁ । ପଦେ ପଦେ ସଂସ୍କୃତ ଶ୍ଳୋକ ପୁଣି ପଇଟେ । ସୁତରାଂ କହିଲେ–ତାଙ୍କ କଥା କଅଣ କହିବି ? ସେ ବର୍ତ୍ତମାନ “ବୃଦ୍ଧ ବେଶ୍ୟା ତପସ୍ଵିନୀ ।”

 

ମା’ ଅତି ବୁଢ଼ୀ ହୋଇଗଲେଣି, ଏହି କଥା ତାଙ୍କର କହିବାର ଥିଲା । ତେଣୁ ଏପରି ଶ୍ଳୋକ ବୋଲିଲେ । ଏହାର ଅର୍ଥ ଯେ ବେଶ୍ୟାଗୁଡ଼ାକ ବୁଢ଼ୀ ହୋଇଗଲା ପରେ ଜପ ତପ କରି ଦିନ କାଟନ୍ତି, 'ଏ ଅର୍ଥ ତାଙ୍କୁ ଜଣାନଥିଲା ! ଭଦ୍ରଲୋକ ଯୋଗ୍ୟ ପୁତ୍ରଙ୍କର ମା’ଙ୍କ ସମ୍ବନ୍ଧେ ଏପରି ବର୍ଣ୍ଣନା ଶୁଣି କାନରେ ହାତ ଦେଇ ଚାଲିଗଲେ ।

񤦬񤦬񤦬

 

ପୁରୋହିତଙ୍କ ଆଣ୍ଠୁ ଲଛା

 

ଜଣେ ରଜା ଥିଲେ । ସେ ଭାରି ଘୋଡ଼ାସଉକୀ । ସେ ଏବେଳା ସେବେଳା ଘୋଡ଼ାରେ ଚଢ଼ି ବୁଲନ୍ତି । ତାଙ୍କର ଜଣେ ପୁରୋହିତ ଥିଲେ । ରାଜାଙ୍କର ଘୋଡ଼ାଚଢ଼ା ଦେଖି ତାଙ୍କର ଘୋଡ଼ା ଚଢ଼ିବାକୁ ଭାରି ମନହେଲା । ମନହେଲା ସିନା, ଘୋଡ଼ାଟିଏ ମିଳୁଛି କାହିଁ ? ଉପାୟ କିଛି ନ ପାଇ ରଜାଙ୍କଠାରୁ ଘୋଡ଼ାଟିଏ ଖସାଇବାକୁ ଗୋଟିଏ ଫିକର ବାନ୍ଧିଲେ ।

 

ଦିନେ କଅଣ ହେଲାନା, ପୁରୋହିତ ରଜାଙ୍କ ଛାମୁରେ ପହଞ୍ଚି ଜଣାଇଲେ– ଆଜ୍ଞା, କାଲି ରାତିରେ ସ୍ଵପ୍ନ ଦେଖିଲି–ଶ୍ରୀଛାମୁଙ୍କ ଦଦେଇ ଆର ପୁରରେ ପ୍ରତିଦିନ ଇନ୍ଦ୍ରଙ୍କ ସଭାକୁ ଯାଉଛନ୍ତି । ତାଙ୍କ ଦି’ଆଣ୍ଠୁକୁ ବାତ ଧରିବାରେ ବଡ଼ କଷ୍ଟରେ ଯାଉଛନ୍ତି । ମହାରାଜା ମତେ ସ୍ଵପ୍ନରେ କିହିଛନ୍ତି–ମୋ କଷ୍ଟ ତ ଜାଣିଲ, ଯାଇଆସି ପାରୁନାହିଁ, ପୁଅ ରଜାଙ୍କୁ କହିବ–ମତେ ବଡ଼ କଳା ଘୋଡ଼ାଟି ଦେଲେ ମୁଁ ଟିକିଏ ଯିବାଆସିବା କରିବି । ପୁଅ ନିଜେ ତ ମତେ ଘୋଡ଼ା ଦେଇପାରିବେ ନାହିଁ । ବ୍ରାହ୍ମଣକୁ ଦେଲେ ମୁଁ ପାଇବି । ତୁମେ ତ କୁଳ ପୁରୋହିତ, ତୁମକୁ ଦେଲେ ସବୁଠଉଁ ଭଲ ହେବ । ଯାହା ସପ୍ନରେ ଦେଖିଥିଲି, ତାହା ଜଣାଇଲି । ଛାମୁ ତ ଜାଣନ୍ତି–ପିତୃଲୋକଙ୍କୁ ଯାହା ଦେବ, ତାହା ବ୍ରହ୍ମାକୁ ଦେଲେ ସେ ପାଆନ୍ତି । ଗୋଟେ ଘୋଡ଼ା ଅବା ଛାମୁକୁ କେତେ ? ଦଦେଇ ପୁଣି ତୁଣ୍ଡ ଫିଟେଇ ମାଗିଚନ୍ତି, ନଦେବେ କିପରି ?

 

ରଜା ଏ ଅପୂର୍ବ ସ୍ଵପ୍ନ କଥା ଶୁଣି କହିଲେ–ହଁ, ଦଦେଇ ତ ତୁମକୁ କହିଥିବେ ! ଯା, ଯା, ଆଉ ଏପରି କଥା କହନା । ପୁରୋହିତ ଏହା ଶୁଣି ନିରାଶ ହେଲେ । କିନ୍ତୁ ଘୋଡ଼ା ନ ହେଲେ ତ ମନ ଥୟ ହେବ ନାହିଁ । ପୁଣି ଭାବି ଭାବି ଠିକଣା କଲେ–ଏବାଟେ ସିନା ନ ହେଲା, ରାଜମାତାଙ୍କୁ କହିଲେ କ’ଣ ନ ହେବ ? ଏହା ଠିକ୍ କରି ରାଜମାତାଙ୍କ ଛାମୁକୁ ଯାଇ ଦେଖାକଲେ ।

 

ରାଜମାତା ପୁରୋହିତଙ୍କୁ ଦେଖି ପଚାରିଲେ– ପୁରୋହିତେ, କୁଆଡ଼େ ଆସିଲ ? ପୁରୋହିତ କହିଲେ– ଆଜ୍ଞା, ମୁଁ ଗୋଟେ ବଡ଼ କଥା ଜଣାଇବାକୁ ଆସିଛି । ରଜାଙ୍କୁ ତ ଜଣାଇଲି, ସେ ବୁଝିଲେ ନାହିଁ । ଛାମୁ ପୁରୁଣା ଲୋକ, ପୁଣି ଧର୍ମକର୍ମ ସବୁ ବୁଝନ୍ତି । ଛାମୁ ଅବଶ୍ୟ ବୁଝିବେ ।

 

ରାଜମାତା କହିଲେ– କଥା କଅଣ କହ । ଆମେ ଅବଶ୍ୟ ବିଚାର କରିବା । ପୁରୋହିତ କହିଲେ–ଆଜ୍ଞା, କଥା କ’ଣ କି ମୁଁ ସ୍ୱପ୍ନରେ ଦେଖିଛି–ଦଦେଇ ରଜା ସେ ପୁରରେ ରୋଜ ଇନ୍ଦ୍ର ସଭାକୁ ଯାଉଛନ୍ତି । ସେ ସେମିତି ପୁଣ୍ୟାତ୍ମା ବୋଲି ସିନା ଇନ୍ଦ୍ର ତାଙ୍କୁ ଡାକୁଛନ୍ତି, ନ ଯିବେ କିମିତି ? ଏବେ ଇନ୍ଦ୍ର ସଭା ଦଉଡ଼କୁ ଦିଆଣ୍ଠୁକୁ ଧରିଚି ବାତ ଯେ ଯିବାଆସିବାରେ ବଡ଼ କଲବଲ ହେଉଛନ୍ତି-। ସେଥିଯୋଗୁଁ ସ୍ଵପ୍ନରେ ମତେ କହିଲେ–ପୁଅ ରଜାଙ୍କୁ କହିବ–ତୁମେ ତ କୁଳ ପୁରୋହିତ, ତୁମକୁ ବଡ଼ କଳା ଘୋଡ଼ା ଦେଲେ ମୁଁ ଅବଶ୍ୟ ପାଇବି । ଘୋଡ଼ାଟିଏ ହୋଇଗଲେ ଯିବାଆସିବାରେ ମୋର ଆଉ କିଛି କଷ୍ଟ ହେବ ନାହିଁ । ଏ କଥା ମୁଁ ରଜାଙ୍କ ଛାମୁରେ ଜଣାଇଲି । ରଜା ଏକଥା ଖାତିର ନ କରି ଉଡ଼ାଇଦେଲେ । ଏଇ କଥା ଛାମୁରେ ଜଣାଇବାକୁ ଆସିଥିଲି ।

 

ରାଜମାତା ସବୁ ଶୁଣି କହିଲେ– ୟା ନାଁ ଗୋଟେ କଥା । ଦଦେଇ ରଜା କଅଣ କରି ଯାଇନାହାନ୍ତି ? ସାମାନ୍ୟ ଘୋଡ଼ାଟେ ଦବାକୁ ରଜା ମନା କରୁଛନ୍ତି ? ଆଚ୍ଛା, ମୁଁ ପୁଅ ରଜାଙ୍କୁ ଏକଥା କହିବି, ତୁମେ ଯାଅ ।

 

ରାଜମାତା ପୁଅଙ୍କୁ ସବୁ କଥା କହି ପୁରୋହିତଙ୍କୁ ଘୋଡ଼ାଟିଏ ଦେବାକୁ ମତାଇଲେ । ତାପରେ ରଜା ମାଆଙ୍କ କଥାରେ ପୁରୋହିତଙ୍କୁ ଘୋଡ଼ାଟିଏ ଦେଲେ । ଘୋଡ଼ା ପାଇ ପୁରୋହିତେ ମହାଖୁସି । ଏଣିକି ପୁରୋହିତେ ଦୁଇବେଳା ଘୋଡ଼ା ଦଉଡ଼ରେ ମାତିଲେ । ରଜା ଦିନା କେତେ ପୁରୋହିତଙ୍କ ଘୋଡ଼ା ଦଉଡ଼ରେ ସହିଲେ । ପଛକୁ ଆଉ ସହିପାରିଲେ ନାହିଁ । ଦେଖିଲେ ଯେ ଏ ବ୍ରାହ୍ମଣ ମିଛରେ ଘୋଡ଼ାଟେ ଠକି ନେଇଗଲା । ୟାକୁ ପାନେ ନ ଦେଲେ ହବ ନାହିଁ । ଏହି କଥା ସ୍ଥିର କରି ଦିନେ ପୁରୋହିତଙ୍କୁ ଡକାଇଲେ । ପୁରୋହିତେ ଆସିବାବେଳକୁ ଗଦାଏ ଘଷି ନିଆଁରେ ଦୁଇଟା ଲୁହା ଖଡ଼ିକା ପାଚିକରି ରହିଥାଏ । ପୁରୋହିତେ ପହଞ୍ଚିବାରେ ରଜା କହିଲେ–ବୁଝିଲ ପୁରୋହିତେ ! ମୁଁ କାଲି ସ୍ଵପ୍ନରେ ଦେଖିଲି–ଘୋଡ଼ା ସିନା ନେଲ, ଦଦେଇଙ୍କର ଆଣ୍ଠୁରୁ ତ ବାତ ଛାଡ଼ୁ ନାହିଁ, ଆଉ ଘୋଡ଼ା ଚଢ଼ିବେ କଅଣ ? ସେଇଥିରୁ ସେ ବିକଳ ହୋଇ ସ୍ଵପ୍ନରେ ମତେ କହିଲେ–ଆରେ ପୁଅ ! ଘୋଡ଼ା ସିନା ଦେଲୁ, ବାତ ନ ଛାଡ଼ିଲେ କେଉଁ କାମରେ ଲାଗିବ ? ମୁଁ ଆଣ୍ଠୁ, ଲାଗି ବଡ଼ କଷ୍ଟ ପାଉଛି, ତୁ ଯେଉଁ ବାହ୍ମଣକୁ ଘୋଡ଼ା ଦାନ ଦେଲୁ, ତା’ର ଆଣ୍ଠୁ ଯେବେ ଲାଛି ଦିଅନ୍ତୁ, ତେବେ ମୋ ଆଣ୍ଠୁ ଭଲ ହୋଇଯାନ୍ତା । ନହେଲେ ମୁଁ କଷ୍ଟ ପାଉଥିବି, ଆଣ୍ଠୁ ଭଲ ନ ହେଲେ ଘୋଡ଼ା ଚଢ଼ିବି କିମିତି ? ସେଥିପାଇଁ ଲୁହା ଖଡ଼ିକା ପାଚିକରି ଅଛି । ଆସ, ତୁମ ଆଣ୍ଠୁ ଦିଓଟା ଲାଛିଦେବା । ରଜା ୟା କହି କହିଲେ–କିଏ ଅଛରେ, ପୁରୋହିତଙ୍କ ଆଣ୍ଠୁ ଲଛା ହେବ । ଚାରିଜଣ ମାଡ଼ିଆସିଲେ । ସାଙ୍ଗେ ସାଙ୍ଗେ ଚାରିଜଣ ମାଡ଼ିବସିଲେ । ପୁରୋହିତେ ଏତିକିରେ ମା’ ଲୋ, ବୋପା ଲୋ, ମରିଗଲି ଲୋ ବୋଲି କୁଳୁମୁଛୁଳି ରଡ଼ି ପକାଇଲେ । ଏହାପରେ ଆଉ ଜଣେ ଯେତେବେଳେ ପାଚିଲା ଲୁହା ଖଡ଼ିକା ଆଣି ଆଣ୍ଠୁ ପାଖେ ଧଇଲା, ଅତର୍ଛରେ ରଡ଼ିକରି କହିଲେ–ଆଜ୍ଞା, ମୁଁ ମିଛ କହିଚି, ଠକିକରି ଘୋଡ଼ା ନେଇଛି, ଆଉ ଦିନେ ଏପରି କରିବି ନାହିଁ, ମତେ ଛାଡ଼ିଦିଅନ୍ତୁ, ନ ହେଲେ ମୁଁ ମରିଯିବି ।

 

ରଜା କହିଲେ– ତେବେ ଏସବୁ କଥା ମିଛ ? ସେ କହିଲେ– ଆଜ୍ଞା, କଞ୍ଚା ମିଛ । ରଜା କହିଲେ– ଆଚ୍ଛା ତୁମକୁ ଛାଡ଼ି ଦିଆଗଲା, ଆଉଦିନେ ଇମିତି ମିଛ କହିବ ନାହିଁ । ତୁମେ ତ ବ୍ରାହ୍ମଣ । ଆଉ କିଏ ହୋଇଥିଲେ ଘୋଡ଼ା ଛଡ଼ାଇ ନେଇଥାନ୍ତି । ହଉ, ହଉ, ଏବେ ଘରକୁ ଯାଅ । ପୁରୋହିତେ ପ୍ରାଣ ପାଇ ଧଇଁସଇଁ ହୋଇ ଘରକୁ ଗଲେ । ଆଣ୍ଠୁ ଲଛା ହୋଇନଥିଲେ କ’ଣ ସତକଥା ବାହାରିଥାନ୍ତା ?

񤦬񤦬񤦬

 

ହେଣ୍ଡି ଲୋ, କାଣୀ ଝିଅ ଦେଲି ଭଣ୍ଡି ଲୋ

 

ଗୋଟିଏ କରଣ ଘରେ ଗୋଟିଏ ଝିଅ ଥିଲା । ସେ ପିଲାଟି ଜନ୍ମରୁ କାଣୀ । ତା’ର ବାପଭାଇ ନ ଥିଲେ । ଥିଲା କେବଳ ଗୋଟିଏ ମା’ । ଝିଅର ବିବାହ ବୟସ ହେଲା । ଚାରିଆଡ଼େ ବର ଖୋଜାହେଲା । ଝିଅ କାଣୀ ହେତୁରୁ କେହି ମଙ୍ଗିଲେ ନାହିଁ । ବର ନ ମିଳିବାରୁ ମା’ ବଡ଼ ଭାଳେଣିରେ ପଡ଼ିଲା ।

 

ଆଉ ଗୋଟେ ଦୂର ଗାଁରେ ଜଣେ ଲୋକର ଗୋଟିଏ ପୁଅ ଥିଲା । ସେ ପୁଅଟି ପିଲାଦିନରୁ ବାତଜରିଆ । ରକ୍ତ ଗଡ଼ିଗଡ଼ି ଗୋଡ଼ ଯୋଡ଼ିକି କଦଳୀଗଛ ପରି ମୋଟା ହେଇଥିଲା । ତା’ ପାଇଁ କୁଆଡ଼େ କନ୍ୟା ପାତ୍ର ଖୋଜାଗଲା । ଗୋଦରା ଗୋଡ଼ ଦେଖି କେହି କନ୍ୟା ଦେବାକୁ ମଙ୍ଗିଲେ ନାହିଁ । ବାପ ପୁଅର ବିବାହପାଇଁ ବଡ଼ ଭାଳେଣିରେ ପଡ଼ିଥାଏ । ଏଥି ମଧ୍ୟରେ କାଣୀ କନ୍ୟାର ଜଣେ ଆତ୍ମୀୟ ଲୋକ ତା’ ଘରକୁ ବରପାତ୍ର ପାଇଁ ଆସିଲା । ବରପିତା କନ୍ୟା ଦେଖା କଥା ନ ପକାଇ ବିବାହ ପାଇଁ ଜବାବ ଦେଇଦେଲା । କନ୍ୟାପକ୍ଷର ଲୋକ ମଧ୍ୟ ବର ଦେଖିବା ଦରକାର କଲାନାହିଁ । ଦୁଇପକ୍ଷ ଜବାବ ସ୍ଥିର ହୋଇଯିବାରୁ ଖୁସି ହୋଇଗଲେ । ବରପିତା କନ୍ୟା ଯୁଟିବାରେ, କନ୍ୟାପକ୍ଷ ବର ଯୁଟିବାରେ ଖୁସି । ସମସ୍ତଙ୍କର ଖୁଣ ଅଛି; ମାତ୍ର ଦେଖୁଚି କିଏ ? ବରପକ୍ଷ ବିଚାରୁଥାଏ, ବର ନ ଦେଖି କିପରି ହାତ ଗଣ୍ଠି ପଡ଼ିଯାଉ । କନ୍ୟାପକ୍ଷ ମଧ୍ୟ ବିଚାରୁଥାଏ କନ୍ୟା ନ ଦେଖି ହାତଗଣ୍ଠି ପଡ଼ିଯାଉ ।

 

ବିବାହ ଦିନ ସ୍ଥିର ହୋଲା । ବରକର୍ତ୍ତା ପୁଅର ଗୋଦର ଗୋଡ଼ ଲୁଚାଇବାକୁ ବହୁତ ସାବଧାନ ହେଲା । ସେ କାଳରେ ବର ପାଇଜାମା, ଅଚକନ ପିନ୍ଧି ବର ବେଶ ହେଉଥିଲା । ଜଣ ଜଣକ ଘରେ ସେଥିରୁ ଗୋଟିଏ ଗୋଟିଏ ସାଜ ଥାଏ । ତାହା ଢୁଙ୍ଗା ଢୁଙ୍ଗା ହୋଇ ତିଆରି ହୋଇଥାଏ । ସୁତରାଂ ମୋଟା ମଣିଷ, ପତଳା ମଣିଷ ସମସ୍ତଙ୍କୁ ସେ ପୋଷାକ ହୋଇଯାଏ । ଯାହାର ଦରକାର ହୁଏ, ସେ ସେଇ ପୋଷାକ ମାଗିଆଣି କାମ ଚଳାଇଦିଏ ।

 

ଗୋଦର ବର ପାଇ ସେଇ ପୋଷାକ ଖୋଜାହୋଇ ଆସିଲା । ବର ପିନ୍ଧିଲା । ତାହା ତାକୁ ଆହୁରି ଭଲହେଲା । ପାଇଜାମା ଲମ୍ବା ଏବଂ ଢୁଙ୍ଗା ହେବାରୁ ପାଦ ଘୋଡ଼ାଇଲା ଏବଂ ଗୋଦର ଘୋଡ଼ାଇଲା । ପୋଷାକ ପିନ୍ଧିବା ପରେ ବରକୁ କେହି ଗୋଦର ବୋଲି ଜାଣିପାରିଲେ ନାହିଁ । ବରପକ୍ଷ ବରଜାତି ନେଇ ବାଜା ବଜାଇ ବିବାହ ହୋଇଗଲା ।

 

ତେଣେ କନ୍ୟାର ମା’ କନ୍ୟାକୁ ମଙ୍ଗୁଳିତ ଖୁଆଇ ଲମ୍ବାଚୌଡ଼ା ଶାଢ଼ୀ ପିନ୍ଧାଇ ସଜାଡ଼ି ସୁଜୁଡ଼ି ରଖିଥାଏ । କିମିତି ହାତଗଣ୍ଠି ପଡ଼ିଗଲେ ସେ ଖଲାସ ହେବ, ସବୁବେଳେ ତା’ର ଏଇ ଚିନ୍ତା-

 

ବର ଆସିଲା, ବାଟ ବରଣ କରି ନେଲେ । ବେଦୀରେ କର୍ମ ହେଲା । ଝିଅକୁ ଘୋଡ଼େଇ ଘୋଡ଼େଇ ବେଦୀକି ଆଣିଲେ । କାଣୀର ମାକୁ ଗୁଡ଼ାଏ କର୍ମ ଭଲ ଲାଗୁନଥାଏ । ସେ ଖାଲି ହାତଗଣ୍ଠିକି ଚାହିଁଥାଏ । ଦେଖୁ ଦେଖୁ ହାତଗଣ୍ଠି ପଡ଼ିଗଲା । ତାହା ହୋଇଯିବାରେ କାଣୀର ମା’ ଦୀର୍ଘନିଃଶ୍ୱାସ ପକାଇ କହିଲା– “ହେଣ୍ଡି ଲୋ, କାଣୀଝିଅ ଦେଲି ଭଣ୍ଡି ଲୋ ।”

 

ଏହା ଶୁଣି ଜୋଇଁ ଦେଖିଲା– ସତ ତ, କନ୍ୟାଟା କାଣୀଟେ । ସେ ଆଉ କାହିଁକି ଡରିବ-? ସାଙ୍ଗେ ସାଙ୍ଗେ ଗୋଦର ଗୋଡ଼ରୁ ପାଇଜାମା ଟେକି ଦିଗୋଡ଼ ଶାଶୁକୁ ଦେଖେଇଦେଇ କହିଲା–

 

“ଶାଶୁ ମୋର କାହିଁକି ନାଚନ୍ତି,

କାଣୀ ଝିଅକୁ ଗୋଦର ବର ଏଇଠି ଅଛନ୍ତି ।’’

 

ଏତିକିରେ ଶାଶୁ ଥଣ୍ଡା ।

񤦬񤦬񤦬

 

ମୋ ପୁଅ ସୁନା ଥାଳିରେ ଖାଇବାର ମୁଁ ଦେଖିବି

 

ଜଣେ ଅନ୍ଧ ଥିଲା । ସେ ଅତି ଦରିଦ୍ର । ତା’ର ପୁଣି ପୁଅ ଝିଅ କିଛି ନ ଥିଲା । ୟାଠାରୁ ବଳି ଲୋକର କି ଅଭାଗ୍ୟ ହୋଇପାରେ ! ସେ କୁଆଡ଼ୁ କିଛି ଉପାୟ ନ ପାଇ ମହାଦେବଙ୍କ ପାଖରେ ଗୁହାରିଆ ପଡ଼ିଲା । କେତେ ଦିନ ପଡ଼ିବା ପରେ ମହାଦେବ ପ୍ରସନ୍ନ ହୋଇ କହିଲେ– ଆରେ ଅନ୍ଧ ! ଆମେ ତୋ ଉପରେ ପ୍ରସନ୍ନ ହୋଇଅଛୁ । ସେହି ହେତୁରୁ ତୋତେ ଗୋଟିଏ ବର ଦେବୁ । ତୁ ସେହି ଗୋଟିକ ବର ମାଗିବୁ; ସେଥିରୁ ଅଧିକ ମାଗଲେ କିଛି ପାଇବୁ ନାହିଁ ! ଅନ୍ଧ ଏହା ଶୁଣି ବଡ଼ ଅଡ଼ୁଆରେ ପଡ଼ିଲା । କାହିଁକି ନା, ତା’ର ବହୁତ ବର ଦରକାର । ପ୍ରଥମ କଥା–ତା’ର ଆଖି ନାହିଁ, ତାହା ନ ମାଗିବ କିମିତି ? ପୁଣି ଧନ ନ ହେଲେ ବଞ୍ଚିବ କିପରି ? ତାହା ନ ମାଗିଲେ ତ ନ ଚଳେ । ପୁଣି କେଉଁ ଲୋକ ଅବା ପୁଅ ନ ଚାହେଁ ତାହା ବା ନ ମାଗିବ କିପରି ? କିନ୍ତୁ ମହାଦେବ ତ କହିଚନ୍ତି–ଗୋଟିଏ ବର ମାଗିବାକୁ ହେବ । ତେବେ ଏତେଗୁଡ଼ିଏ ବର ତ ମାଗିହବ ନାହିଁ । କଅଣ କରିବ ଭାବି ଭାବି ବିଚରା ଗୋଟେ ବୁଦ୍ଧିରେ କହିଲା– ମହାପ୍ରଭୁ ! ମତେ ଏହି ବର ଦିଅ–

 

“ମୋ ପୁଅ ସୁନାଥାଳିରେ ଖାଇବାର ମୁଁ ଦେଖିବି ।“

 

ଏଥିରେ ମହାଦେବଙ୍କର ଅକଲ ବନ୍ଦ । ସେ ତ ଗୋଟିଏ ବର ମାଗିଛି, ନ ଦେବେ କିପରି ? କିନ୍ତୁ ବୁଝିଲାବେଳକୁ ସେଥିରେ ଆଖି ରହିଲା, ଧନ ରହିଲା, ପୁଅ ମଧ୍ୟ ରହିଲା । ମହାଦେବ ବାଧ୍ୟହୋଇ ‘ଅସ୍ତୁ’ ବୋଲି କହିଲେ । ସେ ବରରେ ଅନ୍ଧର ଆଖି ଫିଟିଲା, ପୁଅ ମଧ୍ୟ ହେଲା । ପୁଅ ତ ପୁଣି ସୁନା ଥାଳିରେ ଖାଇବ, ଧନ ନ ହେଲେ ସୁନାଥାଳି କାହୁଁ ହେବ ? ସୁତରାଂ ପ୍ରଚୁର ଧନ ମଧ୍ୟ ହେଲା ।

 

ଅନ୍ଧ ବୁଦ୍ଧି ଖଟାଇ ବର ମାଗିଲା ବୋଲି ସିନା ଏତେ କଥା ହେଲା ।

񤦬񤦬񤦬

 

ଯେବଣ ଘରକୁ ତେବଣ ଋଷି

 

ଜଣେ ବାବାଜି ବୁଲିବୁଲି ରାତି ଦିଘଡ଼ିକି ଗୋଟିଏ ଚଣ୍ଡାଳ ଗାଁରେ ପହଞ୍ଚିଲେ । ବାବାଜି ସକାଳୁ କିଛି ଖାଇନଥାନ୍ତି, ଭୋକରେ ପେଟ ଜଳୁଥାଏ । ସେ ଭୋକ ଦାଉରେ ଚଣ୍ଡାଳର ଜାତିଧର୍ମ ନ ପଚାରି କହିଲେ–ବାବା ! ସକାଳୁ ଖିଆହୋଇ ନାହିଁ, ମୁଠିଏ ଖାଇବାକୁ ଦେ, ତୋର ଧର୍ମ ହେବ-

 

ଚଣ୍ଡାଳ ଦେଖିଲା ଯେ, ୟେ ବାବାଜି ଲୋକ, ଚିତା ଚଇତନ କାଟିଛନ୍ତି, ମାଳି ମାତ୍ରା ପକାଇଚନ୍ତି; ମୁଁ ଜାତିରେ ମେହେନ୍ତର, ୟାଙ୍କୁ କିମିତି ଖାଇବାକୁ ଦେବି ? ୟା କଲେ ନିଶ୍ଚୟ ଅଧର୍ମ ହେବ ।ଏହା ଭାବି କହିଲା–ବାବାଜି ମହାରାଜ ! ମୁଁ ଜାତିରେ ମେହେନ୍ତର, ଆପଣ ହେଉଚ ବୈଷ୍ଣବ, ମୁଁ ଜାଣିଶୁଣି ଏ ପାପ କରିପାରିବି ନାହଁ ।

 

ବାବାଜି ଦେଖିଲେ ଯେ ଏଠାରେ ନିଜର ପରିଚୟ ନ ଦେଲେ ମୁଠିଏ ଖାଇବାକୁ ମିଳିବ ନାହିଁ । ତେଣୁ ସେ ପରିଚୟ ଦେବାକୁ କହିଲେ– ବାବା ! ଆମେ କି ଜାତି ଜାଣ ?

 

“କାଶୀ ଟମକିଆ ଗୋପରେ ଘାସୀ,

ବର୍ତ୍ତନ ନ ପାଇ ହେଲୁ ସନ୍ନ୍ୟାସୀ ।

ଯେବଣ ଘରକୁ ତେବଣ ଋଷି,

ରନ୍ଧାବଢ଼ା କରି ଖାଇବା ବସି ।”

 

ମେହେନ୍ତର ଯହୁଁ ଜାଣିଲା–ବାବାଜି ନିଜ ଜାତି, ସେଇଠୁଁ ଶାଗଭାତ କରି ଯାହା ପାରିଲା, ସେଇଥିରେ ମୁଠିଏ ଖାଇବାକୁ ଦେଲା ।

 

ପ୍ରକୃତରେ ପେଟ ବିକଳରେ ବାବାଜିଙ୍କ ଭିତରେ ଏହିପରି ଗୁଡ଼େ ମାଧିଆ ଯୋଗୀ ଅଛନ୍ତି ।

񤦬񤦬񤦬

 

ବିଷ୍ଣାୟ ନମଃ

 

ଜଣେ ମୂର୍ଖ ପୁରୋହିତ ଦିନେ ଜଣେ ଜମିଦାରଙ୍କ ଘରେ ହୋମ କରୁଥିଲେ । ଜମିଦାରେ ସେଦିନ ମଧ୍ୟ କେତେ ଜଣ ପଣ୍ଡିତ ନିମନ୍ତ୍ରଣ କରିଥିଲେ । ପଣ୍ଡିତମାନେ ଆସନରେ ବସି ହୋମ ଦେଖୁଥାନ୍ତି । ପୁରୋହିତ ହୋମ କରୁଥାଏ । ହୋମ କରୁ କରୁ ଠାଏ ବିଷ୍ଣବେ ନମଃ କହିବାକୁ ପଡ଼ିଲା । ପୁରୋହିତ ତ ଗଜମୂର୍ଖ । ସେ ବିଷ୍ଣବେ ନମଃ ନ କହି କହିଲା–ବିଷ୍ଣାୟ ନମଃ । ଏଡ଼ିକି ଅଶୁଦ୍ଧି କି ପଣ୍ଡିତଙ୍କ ଦେହରେ ସୁହାଯିବ ? ସାଙ୍ଗେ ସାଙ୍ଗେ ଜଣେ ପଣ୍ଡିତ କହିଲେ–ଆରେ ! ବିଷ୍ଣାୟ ନମଃ କଅଣ ?

 

ପୁରୋହିତ କହିଲା– ଶିବାୟ ନମଃ ଯଥ ।

 

ପଣ୍ଡିତେ କହିଲେ– ଆରେ, ଯଥ୍ କଥ୍ ସିଦ୍ଧ ।

 

ପୁରୋହିତ କହିଲା– କଥ ଯଥ ସିଦ୍ଧ ।

 

ପଣ୍ଡିତମାନେ ପୁରୋହିତର ଏ ଅଗାଧ ବିଦ୍ୟା ଦେଖି ଠୋ ଠୋ ହସିଲେ । ତା’ ଛଡ଼ା ଏଭଳି ଲୋକକୁ କଅଣ କହନ୍ତେ ?

񤦬񤦬񤦬

 

ଚୋରି ମୋର ଅଭ୍ୟାସ

 

ଜଣେ ଲୋକ ପିଲାଦିନୁ ଚୋରି କରୁଥିଲା । ରୋଜ ଦୁଇ ତିନି ନମ୍ବର ଚୋରି ନ କଲେ ରାତିରେ ତା’ର ନିଦ ହୁଏନାହିଁ । କାହା ବାଡ଼ିରୁ କଦଳୀ କାନ୍ଧିଏ, କାହା ବାଡ଼ିରୁ କୋଶଳା ଶାଗ କେରାଏ, କାହା ଘରୁ ଗାମୁଛାଟେ, କେଉଁଠୁ ଅବା ଗିଲାସୁଟେ ଏହିପରି ଯାହା ପାଏ, ଚୋରି କରେ-। ସେ ବହୁତଥର ଧରାପଡ଼ିଲା । ଲୋକେ ବହୁତ ଗାଳି ଫଜତ ଦେଲେ, ଜୋରିମାନା ମଧ୍ୟ ହେଲା; ତଥାପି ସେ ତାହା ଛାଡ଼ିପାରିଲା ନାହିଁ । ଘରେ ବାପ ମା’, ଭାଇ ଭାଉଜ ସମସ୍ତେ ଥାନ୍ତି । ଘରେ ଖାଇବାପିଇବାର ମଧ୍ୟ ଅଭାବ ନଥାଏ । ତେବେ ସୁଦ୍ଧା ସେ ଚୋରି କରେ । ବାପ-ମା’ ତାକୁ ବହୁତ ଆକଟ କଲେ, ମାଡ଼ଗାଳି ମଧ୍ୟ କଲେ, କିନ୍ତୁ କାହିଁରେ କିଛି ହେଲା ନାହିଁ । ପଛକୁ ତାକୁ ଘରୁ ତଡ଼ିଦେଲେ । ବିଚରା ଘରୁ ତଡ଼ାଖାଇ ବାବାଜି ବେଶ ସାଜି ଗୋଟେ ବାବାଜି ମେଳରେ ପଶିଲା-। ବାବାଜିମାନେ କିଏ କୁଆଡ଼ର, କିଛି ଠିକଣା ନାହିଁ । ଭିକ ମାଗି ଯେ ଯାହାର ପେଟ ପୋଷନ୍ତି-। ଖାଲି ରାତିରେ ଏକାଠେଇଁ ଶୁଅନ୍ତି । କାହାର ପାଖେ ଟଙ୍କା ସୁନା, ପାଟ ଶାଲ, କିଛି ନ ଥାଏ-। ଖାଲି ଚିରାକନା, କୌପୁନୀରେ ଗୋଟିଏ ଗୋଟିଏ ଗଣ୍ଠିଲା କରିଥାନ୍ତି ।

 

ରାତିରେ ଶୋଇଲାବେଳେ ଯେ ଯାହାର ଗଣ୍ଠିଲିଟାମାନ ମୁଣ୍ଡ ତଳେ ଦେଇ ଶୁଅନ୍ତି । ଚୋର ବାବାଜିର ତ ଅଭ୍ୟାସ–ଚୋରି କରିବା, ନହେଲେ ତ ତାକୁ ନିଦ ହବନାହିଁ । ସେଠାରେ ଅବା ଚୋରି ଜିନିଷ କଅଣ ଅଛି କି ? ସମ୍ପତ୍ତି ମଧ୍ୟରେ ଚିରାକନା ଗଣ୍ଠିଲା । ଚୋର ବାବାଜି ଆଉ କିଛି ସୁବିଧା ନ ପାଇ ସବୁ ବାବାଜିଙ୍କ ନିଦ ହୋଇଯିବା ପରେ ୟା ଗଣ୍ଠିଲା ତା’ ମୁଣ୍ଡ ତଳେ ତା’ ଗଣ୍ଠିଲା ୟା ମୁଣ୍ଡ ତଳେ ଏହିପରି ଗୁଡ଼ାଏ କରି ଶୋଇପଡ଼େ । ସକାଳେ ଦେଖିଲା ବେଳକୁ । କାହାର ଗଣ୍ଠିଲାର ଠିକଣା ନାହିଁ । ବାବାଜିମାନେ ଏହା ଦେଖି କାବାହେଲେ । ଏପରି କରୁଚି କିଏ, ଜାଣିପାରିଲେ ନାହିଁ । ଦିନାକେତେ ଏହିପରି ଗଣ୍ଠିଗୋଳ ହେଲା । ଦିନେ ଜଣେ ବାବାଜି ନ ଶୋଇ ଚୋର ଧରିବାକୁ ଚେଇଁ ରହିଲା । ଯେତେବେଳେ ଚୋର ଗଣ୍ଠିଲାସବୁ କାଢ଼ିଲା, ତେତିକିବେଳେ ସେ ବାବାଜି ଚଟକିନା ତା’ ହାତକୁ ଧରିପକାଇ ଡାକ ପକାଇଲା । ତା’ ଡାକରେ ସବୁ ବାବାଜି ଉଠି ଦେଖନ୍ତି ତ ଚୋର ଧରାପଡ଼ିଚି । ସମସ୍ତେ ତାକୁ ପଚାରିଲେ–କିରେ ! ତୁ ଏପରି କାହିଁକି କରୁଚୁ ?

 

ସେ କହିଲା– ଚୋରି ମୋର ଅଭ୍ୟାସ । ତାହା ନ କଲେ ମୋତେ ନିଦ ହୁଏ ନାହିଁ । ସେମାନେ କହିଲେ-ବା, ଭଲ ଅଭ୍ୟାସଟେ କରିଚୁ ? କହିଲେ ସିନା, ସେ କ’ଣ ସେ ଅଭ୍ୟାସ ଛାଡ଼ିଲା !

 

କଥାରେ ଅଛି–ଢିଙ୍କି ସ୍ୱର୍ଗକୁ ଗଲେ ସେଇ ଧାନ କୁଟିବ । ବାବାଜି ହେଲେ କ’ଣ ହବ, ଅଭ୍ୟାସ ଛାଡ଼ିଲେ ସିନା !

񤦬񤦬񤦬

 

ତ୍ରିଫଳା ବୈଦ୍ୟ

 

କୌଣସି ରାଜଡ଼ାରେ ଜଣେ ରାଜବୈଦ୍ୟ ଥିଲେ । ସେ ବଡ଼ ଅମୃତହସ୍ତା । ଚାରିଆଡ଼େ ତାଙ୍କ ନାଁ ବାଜୁଥିଲା । କ୍ରମେ କ୍ରମେ ସେ ବୁଢ଼ା ହୋଇଗଲେ । ତାଙ୍କର ଗୋଟିଏ ମାତ୍ର ପୁଅ ଥିଲା । ପୁଅଟି ନିର୍ବୁଦ୍ଧିଆ । ଘରର ସିଦ୍ଧି ରଖିବାକୁ ବାପ ପୁଅ ପ୍ରତି ବହୁତ ଯତ୍ନ କଲେ । ମାତ୍ର ସେସବୁ ବିଫଳ ହେଲା । ବାପେ ବଡ଼ ବ୍ୟସ୍ତ ବ୍ୟସ୍ତ ହେଲେ । ମଲାବେଳକୁ ପୁଅକୁ ଡାକି କହିଲେ– ଆରେ-! ତୋର ତ ପାଠଶାଠ କିଛି ହେଲା ନାହଁ; ଏବେ ମୁଁ ଗୋଟିଏ କଥା କହୁଚି, ମନେରଖ । ସେତିକି କରିପାରିଲେ ତୁ ଖାଇପିଇ ଜୀବନଟା ଚଳାଇଦବୁ ।

 

କଥା ଏତିକି–ତ୍ରି ଫଳା କହିଲେ–ହରିଡ଼ା, ବାହାଡ଼ା, ଅଁଳା । ଏ ତିନୋଟି ସମାନ ଦିଗରେ ମିଶାଇ ଗୁଣ୍ଡକରି ବତୁରାଇ ଛାଣିଦେଇ ସେ ପାଣିଟା ପିଇଲେ ମହା ମହା ବ୍ୟାଧି ଆରୋଗ୍ୟ ହୁଏ । ତୁ ଆଉ କିଛି ନ କରି ଯେ ଯେଉଁ ରୋଗ ପାଇଁ ତୋ ପାଖକୁ ଆସିବ, ତୁ ତାକୁ ଖାଲି ତ୍ରିଫଳା ଔଷଧ ଦବୁ । ଏତିକି କରିପାରିଲେ ରୋଗୀର ରୋଗ ଯିବ, ତୁ ଦି’ପଇସା ପାଇ ସୁଖରେ ଚଳିବୁ । ପୁଅ ସେଥିରେ ରାଜିହେଲା । ବାପା ଥାଉ ଥାଉ ମଧ୍ୟ କେତେ ଜାଗାରେ ସେ ଔଷଧ ଦେଇ ଫଳ ପାଇଲା । କିଛିଦିନ ପରେ ବାପା ମଲେ । ଏଣିକି ସବୁପ୍ରକାର ରୋଗୀ ପୁଅ ପାଖକୁ ଶହ ଶହ ଆସିଲେ । ପୁଅକୁ ସେଇ ତ୍ରିଫଳା ଜଳ ଛଡ଼ା ଆଉ ତ କିଛି ଜଣାନାହିଁ । ତେଣୁ ସବୁ ରୋଗକୁ ସେଇ ତ୍ରିଫଳା ଜଳ ଦେଲା । ପ୍ରକୃତରେ ତ୍ରି ଫଳାରେ ଆଉ କିଛି ହଉ ନ ହଉ ଝାଡ଼ା ସଫା ହୁଏ । ଝାଡ଼ା ସଫା ହେଲେ ଅନେକ ରୋଗ ଊଣା ହୋଇଯାଏ । ଲୋକେ ତ୍ରି ଫଳା ଜଳ ଖାଇ ଭଲ ହେବାରେ ବୈଦ୍ୟଙ୍କର ନାଁ ଚାରିଆଡ଼େ ବାଜିଲା । କ୍ରମେ କ୍ରମେ ବହୁତ ରୋଗୀ ପାଖକୁ ଆସିଲେ ।

 

ଦିନେ ଜଣକର ଗାଈଟା ହଜିଥାଏ । ସେ ଖୋଜି ଖୋଜି ନୟାନ୍ତ ହେଲାଣି । ରାତି ଦି’ଘଡ଼ି ହେଲା, ତେବେ ସୁଦ୍ଧା ଗାଈ ନ ମିଳିଲା । ଦୈବାତ ତ୍ରିଫଳା ବୈଦ୍ୟଙ୍କ ସଙ୍ଗେ ତା’ର ଦେଖାହେଲା । ବୈଦ୍ୟ ପଚାରିଲେ– କିଓ, କାହିଁକି ବଡ଼ ବ୍ୟସ୍ତ ଦେଖାଯାଉଚ ? ସେ କହିଲା– ବ୍ୟସ୍ତ କ’ଣ କି, ଗାଈ କୁଆଡ଼େ ଗଲା ଖୋଜି ଖୋଜି ପାଉନାହିଁ । ବୈଦ୍ୟ ତ ଜାଣିଛନ୍ତି–ତ୍ରିଫଳା ସବୁଥିକି ପାଏ; ତେଣୁ କହିଲେ–ଏଇ କଥା ତ ? ବ୍ୟସ୍ତ ହୁଅ ନାହିଁ । ମୁଁ ପାନେ ଔଷଧ ଦଉଚି, ଖାଇ ଦେଖନ୍ତୁ, ଗାଈ ଆପେ ଆପେ ଆସିଯିବ ।

 

ସେ ଲୋକ କହିଲା–ହୟେ, ଔଷଧ ଖାଇଲେ ଗାଈ ମିଳେ, ୟେ ବଡ଼ ଅସମ୍ଭବ କଥା । ୟା ଶୁଣା ନ ଥିଲା । ବୈଦ୍ୟ କହିଲେ–ହଉ ଖାଇ ଦେଖ–ସମ୍ଭବ କି ଅସମ୍ଭବ । ସେ କହିଲା–ହଉ, ହେଲା, ପରୀକ୍ଷା କରିବା । ସେ ରାଜି ହେବାରୁ ବୈଦ୍ୟ ଟାଣୁଆକରି ପାନେ ତ୍ରି ଫଳା ଜଳ ଦେଲେ-। ସେ ତ ପାନେ ତ୍ରିଫଳା ଖାଇଚି, ଆଉ ଯାଏ କୁଆଡ଼େ ? ଗାମୁଛା ଖେଣ୍ଡ ପିନ୍ଧି ରାତିଯାକ ପୋଖରୀ ହୁଡ଼ାକୁ ଝାଡ଼ାଫେରି ଧାଇଁଚି । ସେଇ ରାତିରେ ଗାଈଟା ବୁଲି ବୁଲି ଦୈବାତ ପୋଖରୀ ହୁଡ଼ାରେ ପହଞ୍ଚିଲା । ସେ ଲୋକ ତରବର ହୋଇ ପାଣି ଘେନି ଗାଈଟି ଆଣି ଗୁହାଳରେ ବାନ୍ଧିଲା । ଗାଈ ମିଳିଯିବାରୁ ବୈଦ୍ୟକୁ ମନେମନେ ଭାରୀ ପ୍ରଶଂସା କଲା । ତହିଁ ଆରଦିନ ମଧ୍ୟ ବୈଦ୍ୟଙ୍କ ଔଷଧରେ ଯେପରି ଗାଈ ମିଳିଲା, ସେସବୁ କଥା ଲୋକଙ୍କୁ କହିଲା । ଲୋକେ ଶୁଣି ଆଶ୍ଚର୍ଯ୍ୟ ହେଲେ । ଏ କଥା ମଧ୍ୟ ରଜାଙ୍କ କାନକୁ ଗଲା ।

 

ଏହାର କେତେଦିନ ପରେ ଗୋଟେ ଶତ୍ରୁ ରଜା ସେ ରାଜ୍ୟ ଆକ୍ରମଣ କରିବାକୁ ସୈନ୍ୟସାମନ୍ତ ଘେନି ପହଞ୍ଚିଲା । ନଈକୂଳରେ ତମ୍ବୁମାନ ପକାଇ ରହିଲା । ସେ ଗୋଟେ ବଡ଼ ରାଜ୍ୟର ରଜା । ତା’ର ଅକଳନ ସୈନ୍ୟ । ଏ ଦେଶର ରଜା ଛୋଟିଆ ସୈନ୍ୟବଳ ମଧ୍ୟ କମ୍ । ୟାଙ୍କ ସୈନ୍ୟ ମଧ୍ୟ ନଈ ଏ ପାଖରେ ତମ୍ବୁମାନ ପକାଇ ରହିଲେ । ରଜା ପ୍ରବଳ ଶତ୍ରୁ ଦେଖି ଭୟ କରୁଥାନ୍ତି । ମନ୍ତ୍ରୀଙ୍କୁ ଉପାୟ ପଚାରିଲେ । ମନ୍ତ୍ରୀ କହିଲେ–ମତେ କିଛି ଉପାୟ ଦିଶୁନାହିଁ, ରାଜବୈଦ୍ୟଙ୍କୁ ଡକାଇ ପଚରାଯାଉ, ତାଙ୍କୁ ଅବା କିଛି ଉପାୟ ଜଣାଥିବ । ରଜା କହିଲେ–କଥା ମନେ ପକାଇଦେଲ । ଶୁଣିଛଟିକି, ଆମ ବୈଦ୍ୟରାଜଙ୍କ ଗୁଣ ? ହୟେ, ଔଷଧ ଖାଇଲେ ହଜିଲା ଗାଈ ଆପେ ଆପେ ଆସୁଚି ? ମନ୍ତ୍ରୀ କହିଲେ– ଆଜ୍ଞା, ଏ କଥା କିଏ ନ ଜାଣିଚି ? ସେଇଥିପାଇଁ କହୁଚି–ରାଜବୈଦ୍ୟଙ୍କୁ ଡକାଯାଉ । ଡକରାଗଲା, ସାଙ୍ଗେ ସାଙ୍ଗେ ରାଜବୈଦ୍ୟ ଆସିଲେ ।

 

ରଜା କହିଲେ– ବୈଦ୍ୟଭୁଷଣେ ! ବଡ଼ ବିପଦ ପଡ଼ିଚି, ସେଥିରୁ କିପରି ଉଦ୍ଧାର ପାଇବା, ଏଥିପାଇଁ ତୁମକୁ ଡକରା । ବୈଦ୍ୟ କହିଲେ– ଆଜ୍ଞା, ବିପଦ ରହିବ ? ପାନେ ପାନେ ଔଷଧରେ କୁଆଡ଼େ ଉଡ଼ିଯିବ । ବିପଦ କଅଣ କହନ୍ତୁ ।

 

ରଜା କହିଲେ– ନଈ ଆରପଟେ ପ୍ରବଳ ଶତ୍ରୁ ତମ୍ବୁ ପକାଇ ସୈନ୍ୟସାମନ୍ତ ଘେନି ରହିଲାଣି । କାଲି ନିଶ୍ଚେ ଯୁଦ୍ଧ ହବ । ଆମର ତ ସୈନ୍ୟ ଅଳ୍ପ । ତାକୁ ଜିଣିଲା ପରି ଦିଶୁ ନାହିଁ । ରାଜ୍ୟ–ଖଣ୍ଡି ନିଶ୍ଚେ ଯିବ, ଏ କଥା ଢଳ ଢଳ ଦିଶିଲାଣି । ଏଥିକି ଉପାୟ କିଛି ଅଛି ?

 

ବୈଦ୍ୟ କହିଲେ– ମହାରଜା, କିଛି ଭୟ କରନ୍ତୁ ନାହିଁ । ମୁଁ ଯେଉଁ ଔଷଧ ଦଉଚି, ସେଥିରୁ ପାନେ ପାନେ ସନ୍ଧ୍ୟାବେଳେ ଆମ ସୈନ୍ୟଙ୍କୁ ଦିଅନ୍ତୁ । ଦେଖିବେ, ଆମର କିମିତି ଜୟ ନ ହେବ ।

 

ବୈଦ୍ୟ ସେଇ ତ୍ରି ଫଳା ଗୁଣ୍ଡ ବୋଝ ବୋଝ କରି ରଜାଙ୍କ ପାଖରେ ପହଞ୍ଚାଇଲେ । ସେ ସବୁ ସୈନ୍ୟଛାଉଣିକୀ ପଠାଗଲା । ସବୁ ସୈନ୍ୟ ପାନେ ପାନେ ଖାଇଲେ । ତ୍ରି ଫଳାଗୁଣ୍ଡ ଟାଣୁଆ ପାନେ ପାନେ ପଡ଼ିଯିବାରୁ ସୈନ୍ୟମାନେ ଲୋଟା ଖଣ୍ଡେ ଖଣ୍ଡେ ଧରି ରାତିଯାକ ଧାଇଁଛନ୍ତି ନଈକି ଝାଡ଼ାଫେରି । କାହାର ପାଞ୍ଚଥର, କାହାର ସାତଥର ଝାଡ଼ା ତଲବ ।

 

ଶତ୍ରୁ ପକ୍ଷ ଏତେ ଲୋକ ଝାଡ଼ାଫେରିବାର ଦେଖି ଭାବିଲା ଏ ରଜାର ଏତେ ସୈନ୍ୟ ଯେ ଲୋକେ ରାତିଟାଯାକ ଝାଡ଼ାଫେରି ଧାଇଁଛନ୍ତି । ଏ ସୈନ୍ୟ ତ କଳି ହେଉନାହିଁ । ଏ ରଜା ସଙ୍ଗେ ଯୁଦ୍ଧ କରି ତ ପାରିହବ ନାହିଁ । ତେବେ ଯୁଦ୍ଧ କରି ଗୁଡ଼ାଏ ସୈନ୍ୟ ମରାଇ ଲାଭ କଅଣ ? ଏହା ଭାବି ରାତି ପାହିଲା ବେଳକୁ ସୈନ୍ୟସାମନ୍ତ ଘେନି ନିଜ ରାଜ୍ୟକୁ ପଳାଇଲା । ଏ ଦେଶ ରଜା ଶତ୍ରୁ ପଳାଇବା ଖବର ପାଇ ଖୁସିହେଲେ ।

 

ସାଙ୍ଗେ ସାଙ୍ଗେ ରାଜବୈଦ୍ୟଙ୍କୁ ଡକାଗଲା । ରଜା ବୈଦ୍ୟଙ୍କୁ ବହୁତ ପ୍ରଶଂସା କଲେ । ପାଟ, କୁଣ୍ଡଳ, ସୁନାମୁଦି, ଜମିବାଡ଼ି ମଧ୍ୟ ପୁରସ୍କାରରୂପେ ଦିଆଗଲା । ଏଥିରେ ବୈଦ୍ୟଙ୍କର ନାଁ ଦୂର–ଦୂରାନ୍ତରେ ବାଜିଗଲା । ଏଣିକି ରାଜବୈଦ୍ୟ ମହାସୁଖରେ ରହିଲେ ।

 

ଏହାର କେତେଦିନ ପରେ ରାଣୀ ହାଇ ମାରୁମାରୁ ଶିରା ଖଞ୍ଚି ହୋଇଯିବାରେ ପାଟିଟା ମେଲା ହୋଇ ରହିଗଲା; ଆଉ ବୁଜି ହେଲା ନାହିଁ । ରାଣୀ ବଡ଼ କଷ୍ଟ ପାଇଲେ । ସାଙ୍ଗେ ସାଙ୍ଗେ ରାଜବୈଦ୍ୟଙ୍କୁ ଡକାଗଲା । ବୈଦ୍ୟ ଆସିବାରେ ତାଙ୍କୁ ସବୁ କଥା କୁହାଗଲା । ବୈଦ୍ୟ ତ ଅମୃତହସ୍ତ । ସେ କହିଲେ– ଆଜ୍ଞା, ଆଜି ରାତିରେ ରୋଗ ଭଲ ହୋଇଯିବ । କିଛି ଭୟ ନାହିଁ । ଖାଲି ଔଷଧ ତିଆରି ପାଇଁ କିଛି ସମୟ ଲାଗିବ ।

 

ବୈଦ୍ୟଙ୍କ କଥା ଅନୁସାରେ ଔଷଧ ତିଆରି ପାଇଁ ପାଞ୍ଚ ସାତ ଜଣ ଲୋକ ଦିଆଗଲା । ବସ୍ତା ବସ୍ତା ତ୍ରିଫଳା ମଧ୍ୟ ପଠାଗଲା । ସେଗୁଡ଼ିକ ରଜାଘର ଲୋକ ଗୁଣ୍ଡ କଲେ । ତାପରେ ବୈଦ୍ୟ ବଟିକା ତିଆରିରେ ଲାଗିଲେ । ସେ ବଟିକା ତ ତୁମ ଆମ ଭଳି ଲୋକଙ୍କ ପାଇଁ ହଉ ନାହିଁ, ଖୋଦ ରାଣୀ ସାହେବଙ୍କ ପାଇଁ ହବ । ତାଙ୍କ ଭଳି ଆଖିଦୃଷ୍ଟିଆ ନ ହେଲେ ତ ନ ଚଳେ । ତେଣୁ ବୈଦ୍ୟ ସେତକ ତ୍ରିଫଳା ଗୁଣ୍ଡରେ ସାତମାତ୍ରା ବଟିକା ବାନ୍ଧି ସାତ ଜଣ ବୋଝିଆଙ୍କ ସାହାଯ୍ୟରେ ସାଙ୍ଗରେ ଧରି ସନ୍ଧ୍ୟାବେଳକୁ ରଜାଘରକୁ ଗଲେ । ରଜାରାଣୀ ବୈଦ୍ୟଙ୍କୁ ଚାହିଁ ରହିଥିଲେ । ବୈଦ୍ୟ ପହଞ୍ଚି ସାତ ବେତାରୁ ସାତମାତ୍ରା ବଟିକା କାଢ଼ି ରାଣୀଙ୍କ ଆଗରେ ଥୋଇଦେଇ କହିଲେ– ଆଜ୍ଞା ! ଆଜି ରାତି ଭିତରେ ଏ ସାତଟି ବଟିକା ଥର ଥର କରି ଖାଇବାକୁ ହେବ । ଏ ସାତ ମାତ୍ରା ପେଟରେ ପଡ଼ିଗଲେ ରୋଗ ନା ରୋଗର ବାପା ରହିବ ? ରଜାରାଣୀ, ପୋଇଲୀ ପରିବାରୀ ବଟିକାରୂପ ଦେଖି ଏପରି ଠୋଠୋ ହସିଲେ ଯେ ସେ ହସରେ ସମସ୍ତେ ଅଣନିଃଶ୍ଵାସୀ ହୋଇଗଲେ । ସେହି ଅସମ୍ଭାଳ ହସରେ ରାଣୀଙ୍କର ପାଟିଟା ଚଳିଯିବାରେ ମେଲା ପାଟିଟା ପଡ଼ିଗଲା । ରୋଗ ତ ସେତିକି ଥିଲା । ଔଷଧ ଦେଖିବାରେ ତ ରୋଗ ଗଲା, ଆଉ ଔଷଧ ଖାଇବା ଦରକାର କ’ଣ ?

 

ରଜାରାଣୀ ଖୁସି ହୋଇ କହିଲେ– ଧନ୍ୟ ବୈଦ୍ୟ, ଧନ୍ୟ ଔଷଧ ! ଔଷଧ ଦେଖୁ ଦେଖୁ ଯୁଠେଇ ରୋଗ ଯାଉଚି, ଆଉ ତୁମକୁ କ’ଣ କହିବା ? ତାପରେ ରଜା ବୈଦ୍ୟଙ୍କୁ ବହୁତ ଧନରତ୍ନ ପୁରସ୍କାର ଦେଲେ । ବୈଦ୍ୟ ଜୀବନଟାଯାକ ମହାସୁଖରେ ରହିଲେ । ତ୍ରିଫଳାର ପୁଣି ଏତେ ଗୁଣ !

񤦬񤦬񤦬

 

ଖଡ଼ା ବଡ଼ି ଥୋଡ଼

 

ଗୋଟିଏ ଗାଁରେ ଜଣେ ଲୋକ ଥିଲା । ସେ ବଡ଼ ବାହାପିଆ । ସେ ନିଜର ସବୁ କଥା ଦାଣ୍ଡରେ ବଡ଼କରି କହେ । ଟଙ୍କାଟିଏ ରୋଜଗାର କଲେ ପଚିଶି ବୋଲି କହେ । ଖୁଦଜାଉ ଖାଇଥିଲେ କାନିକା ବୋଲି କହେ । ତା’ର ସବୁ କଥା ଏହିପରି ।

 

ଦିନେ ପଞ୍ଝେ ଅକର୍ମା ଗୋଟେ ପିଣ୍ଡାରେ ବସି ଗପସପ କରୁଥିଲେ । ୟେ ବାହାପିଆ ଯାଇ ସେଥିରେ ଯୋଗଦେଲା । ତାଙ୍କର କଥା ପଡ଼ିଲା–ଆଜି କିଏ କ’ଣ ଖାଇଚି । ଯେ ଯାହା ଖାଇଥିଲା, ସେ ତାହା କହିଲା । ବାହାପିଆକୁ ପଚାରିବାରୁ ସେ କହିଲା– ଆଜି ଆମ ଘରେ ଛ ପ୍ରକାର ତରକାରୀ ହୋଇଥିଲା । ବାହାପିଆକୁ ସମସ୍ତେ ଚିହ୍ନିଛନ୍ତି । ତେଣୁ ପଚାରିଲେ–ଆଚ୍ଛା, ଛଅ ପ୍ରକାର କ’ଣ କ’ଣ କହିଲୁ । ସେ କହିଲା–

 

ଏଁ, ଖଡ଼ା ବଡ଼ି ଥୋଡ଼ (ଏକ)

ତାପରେ ବଡ଼ି ଖଡ଼ା ଥୋଡ଼ (ଦୁଇ)

ତାପରେ ଥୋଡ଼ ବଡ଼ି ଖଡ଼ା (ତିନି)

ତାପରେ ବଡ଼ି ଖଡ଼ା ଥୋଡ଼ (ଚାରି)

ତାପରେ ଖଡ଼ା ଥୋଡ଼ ବଡ଼ି (ପାଞ୍ଚ)

ତାପରେ ଥୋଡ ଖଡ଼ା ବଡ଼ି (ଛଅ)

 

ପ୍ରକୃତରେ ଖଡ଼ା, ବଡ଼ି ପଡ଼ି ମଞ୍ଜା ତରକାରୀଟିଏ ହୋଇଥିଲା । ସେ ତାକୁ ଓଲଟାଇ ପାଲଟାଇ ଛଅ ପ୍ରକାର ଗଣିଦେଲା । ଓଲୁ ସାଙ୍ଗଯାକ ବାହାପିଆ କଥାକୁ ଧରିପାରିଲେ ନାହିଁ ।

 

ନହେଲେ କି ବାହାପିଆ !

񤦬񤦬񤦬

 

ମାତରଃ ପିତରଃ କ୍ଵାଗୁଃ

 

ବାପା ସଂସ୍କୃତ ପଢ଼ିବାକୁ ପୁଅକୁ ବିଦେଶ ପଠାଇଦେଲେ । ପୁଅ ବାର ବର୍ଷ ବିଦେଶରେ ରହି ସଂସ୍କୃତ ପଢ଼ିଲା । ସଂସ୍କୃତରେ କଥାବାର୍ତ୍ତା କରିବାକୁ ତାକୁ ଭାରି ଭଲ ଲାଗେ । ସେ ପାଠ ଶେଷ କରି ଘରକୁ ଫେରିଲା । ଦିନେ ବଡ଼ି ସକାଳେ ମା’ ଅଗଣା ଓଳାଉଛନ୍ତି, ପୁଅ ଶେଯରୁ ଉଠି ବାପାଙ୍କୁ କାହିଁକି ଖୋଜିଲା । ନ ପାଇବାରୁ ମା’ଙ୍କୁ ପଚାରିଲା–“ମାତରଃ ପିତରଃ କ୍ଵାଗୁଃ ?” ଅର୍ଥାତ ବାପା କୁଆଡ଼େ ଗଲେ ? ମା’ତ ପାଠ ପଢ଼ିନାହାନ୍ତି, ସେ ସଂସ୍କୃତ ବା ବୁଝିବେ କିପରି ? ମା’ ବୁଝିଲେ–ପୁଅ କହୁଚି–ମା’ କୁଆ ଗୁହ ଖାଇବୁ ? ମା’ ଏହା ବୁଝି ରାଗରେ ଗରଗର ହେଲେ । ପୁଅ ମା’ଠାରୁ ଉତ୍ତର ନ ପାଇ ଗରଗର ହେବାର ଦେଖି ଭାବିଲା–ମା’ ବୋଧହୁଏ “ପିତରଃ” ଅର୍ଥାତ ପିତାମାନେ ଶୁଣି ଭାବିଛନ୍ତି–ତେବେ ମୋର କ’ଣ ସ୍ଵାମୀ ବହୁତ ? ପୁଅ ଏହି ସନ୍ଦେହ କରି ମା’ଙ୍କୁ ବୁଝାଇଦେବାକୁ କହିଲା–“ନହି ନହି ମାତଃ ସମ୍ମାନାର୍ଥେ ବହୁ ବଚନଂ” । ଏଥିରେ ମାଆଙ୍କର ସନ୍ଦେହ ଯିବ କ’ଣ, ଆହୁରି ବଢ଼ିଲା । ସେ ଏହି ଦ୍ଵିତୀୟ କଥାରେ ବହୁବଚନ ଶୁଣି ବୁଝିଲେ–ତେବେ ବୋହୂ କହି ଦେବାରେ ପୁଅ ଏପରି କହୁଚି । ପୁଅର କିଆଁ ଦୋଷ ହେବ ? ବୋହୂ ତ ଏସବୁ ଅନର୍ଥର ମୂଳ, ଏହି କଥା ସ୍ଥିରକରି ବୋହୂକୁ ନିର୍ଦ୍ଧୂମ ତୁହାଡ଼ି ଦେଲେ । ପୁଅ ତାହା ଶୁଣି କାବାହେଲା । ପରେ ପୁଣି ସେ ସଂସ୍କୃତ କଥା ତକ ଓଡ଼ିଆରେ ବୁଝାଇଦେବାରେ ମାଆଙ୍କର ରାଗ ଶାନ୍ତ ହେଲା । ନହେଲେ ଶାଶୁ ବୋହୂଙ୍କର ଆଉ ମୁହଁ ଚୁହାଁଚୁହିଁ ହୋଇନଥାନ୍ତା ।

 

ଯୋଗ୍ୟ ପୁଅଙ୍କୁ ସଂସ୍କୃତରେ କଥାବାର୍ତ୍ତା କରିବାକୁ ଆଉ ପାତ୍ର ମିଳୁନଥିଲା !

 

ଛାମୁଙ୍କର ତେବେ ବିଲେଇଟିଏ ଯୋଗାଣ ହୋଇଛି

 

ଜଣେ ରାଜବୈଦ୍ୟ ଥିଲେ । ସେ ବଡ଼ ବୁଦ୍ଧିମାନ୍ ଏବଂ ଚତୁର । ନାଡ଼ି ଲକ୍ଷଣ, ମନ ଲକ୍ଷଣ ତାଙ୍କୁ ଭଲ ଜଣାଥିଲା । କେହି ରୋଗ ତାଙ୍କ ପାଖକୁ ଗଲେ ସେ ନାଡ଼ି ଦେଖି ମୁତ୍ର ପରୀକ୍ଷା କରି ଚାଲିଚଳଣୀ ବୁଝି ଔଷଧ ଦିଅନ୍ତି । ଏହି ହେତୁରୁ ଔଷଧ ଠିକ୍ ଲାଗିଯାଏ ।

 

ରାଜବୈଦ୍ୟଙ୍କର ଗୋଟିଏ ମାତ୍ର ପୁଅ ଥିଲା । ସେଇଟି ନିର୍ବୁଦ୍ଧିଆ । ବାପା ତାକୁ ଯୋଗ୍ୟ କରିବାକୁ ତା’ ପିଛା ବହୁତ ଲାଗିଲେ । ଖାଲି ଶୁଆ ପରି ଗୁଡ଼େ ମୁଖସ୍ଥ କଲା; ମାତ୍ର ବୃଦ୍ଧି ଅକଲ ନ ଥିବାରୁ ସେ ପଢ଼ା କଡ଼ାକର କାମରେ ଲାଗିଲା ନାହିଁ । ବାପା ଏହା ଦେଖି ଦିନେ ପୁଅକୁ ପାଖରେ ବସାଇ କହିଲେ–ଆରେ, ଖାଲି ପାଠରେ କାମ ହୁଏ ନାହଁ; ତା’ ସାଙ୍ଗକୁ ଶାଠ ଦରକାର । ଶାଠରେ କିମିତି କାମ ହୁଏ, ଶୁଣ ।

 

ବାପା କହିଲେ– ଥରେ କ’ଣ ହେଲାନା–ଥରେ ରଜା ପଡ଼ିଲେ ବେମାରରେ । ମୁଁ ନାଡ଼ି ଦେଖି ଔଷଧ ଦେଲି; ମାତ୍ର ଫଳ କିଛି ହେଲା ନାହିଁ । ଏଥିରେ ରଜାଙ୍କର ମନ ମୋ ଉପରେ ଟିକିଏ ଭାଙ୍ଗିଗଲା । ତାଙ୍କର ଆଉ ମୋ ଉପରେ ବିଶ୍ଵାସ ରହିଲା ନାହିଁ । ଦିନେ ମୋତେ କହିଲେ–କେତେ ତ ଔଷଧ ଦେଲ, କିଛି ତ ଫଳ ହେଲା ନାହିଁ, ତେବେ ସେଥିରୁ ଗୁଡ଼େ ଆଉ କାହିଁକି ଖାଇବି ?

 

ଏଥିରେ ମୋ ମନ ଟିକିଏ ଦବିଗଲା । ଭାବିଲି-ଠିକ୍ ଔଷଧ ତ ଦିଅଯାଉଛି; ଧରୁନାହିଁ କାହିଁକି ? ନିଶ୍ଚେ କିଛି ଅପଥ୍ୟ ହେଉଛି । ଏହିପରି ଭାବି ମୁଁ ଚାରିଆଡ଼କୁ ଚାହୁଁଥାଏ । ଚାହୁଁ ଚାହୁଁ ଦେଖିଲି ରଜାଙ୍କର ପଲଙ୍କ ଉପରେ ଗୋଟେ ମୁଢ଼ି ପଡ଼ିଛି । ତାହା ଦେଖି ସର୍ବଜ୍ଞ ପରି କହିଲି–ମଣିମା ବୋଧହୁଏ ମୁଢ଼ି ଯୋଗଣ କରିଛନ୍ତି । ନହେଲେ ଔଷଧ କାଟୁ ନ କରନ୍ତା କାହିଁକି ? ରଜା ଆଶ୍ଚର୍ଯ୍ୟ ହୋଇ କହିଲେ–ମୁଁ ମୁଢି ଖାଇବା କଥା ତୁମ୍ଭେ ଜାଣିଲ କିପରି ? ମୁଁ କହିଲି–ଆଜ୍ଞା, ମୁଁ ବୈଦ୍ୟ, ନାଡ଼ି ତ ଡାକ ପକାଇବ, ଜାଣିବା କଥା କଷ୍ଟ କଅଣ ?

 

ରଜା ପ୍ରକୃତରେ ମୁଢ଼ି ଖାଇଥିଲେ ମୁଁ କିଛି ନ ଦେଖି, ନ ପଚାରି କହିଦେବାରେ ତାଙ୍କର ମୋ ଉପରେ ଦେବତା-ବିଶ୍ଵାସ ହୋଇଗଲା । ତାପରେ ତ ପାନଟିଏ ଔଷଧ ଦେଇଚି, ସେତିକିରେ ସେ ତା’ ଆରଦିନକୁ ଝାଡ଼ିଝୁଡ଼ି ହେଇ ବସିଲେ । ଔଷଧରେ ଫଳ ହଉ କି ନ ହଉ, ରୋଗୀର ଯେବେ ବିଶ୍ୱାସ ଆସିଯିବ, ତେବେ ବୈଦ୍ୟର ଜିତାପଟ । ବୁଝିଲୁଟିକି ? ସେତକ ଶାଠ ଲଗାଇଲି ବୋଲି ସିନା ଜିଣିଲି । ନହେଲେ ଖାଲି ପାଠରେ କ’ଣ ହୋଇଥାନ୍ତା ?

 

ପୁଅ ଏକଥା ଭଲକରି ମନେରଖିଲା । ବାପା ମରି ଗଲା ପରେ ସେ ରାଜବୈଦ୍ୟ ହେଲା । ଥରେ ରଜା ବେମାରରେ ପଡ଼ିଲେ, ବୈଦ୍ୟ ଚିକିତ୍ସା କଲେ; କିନ୍ତୁ କିଛି ଫଳ ହେଲାନାହିଁ । ରଜା ବିରକ୍ତ ହୋଇ ଆଉ ଔଷଧ ଖାଇଲେ ନାହିଁ ।

 

ଏ ଘଟନାରେ ବୈଦ୍ୟ ବାପାଙ୍କ କଥା ମନରେ ପକାଇ ଚାରିଆଡ଼କୁ ଚାହିଁଲେ । ଦେଖିଲେ ଯେ ରଜାଙ୍କ ପଲଙ୍କ ତଳେ ବିରାଡ଼ିଟିଏ ଶୋଇଚି । ବୈଦ୍ୟଙ୍କର ଆଉ ସନ୍ଦେହ ରହିଲା ନାହିଁ । ସେ ସ୍ଥିର କଲେ ରଜା ନିଶ୍ଚୟ ବିରାଡ଼ିଟିଏ ଖାଇଛନ୍ତି । ନହେଲେ ରୋଗ ନ ଯାନ୍ତା କାହିଁକି-? ଏହି କଥା ସ୍ଥିର କରି କହିଲେ–ଛାମୁ ତ ଅପଥ୍ୟ କରୁଚନ୍ତି, ନହେଲେ ରୋଗ ନ ଯାନ୍ତା କାହିଁକି-?

 

ରଜା କହିଲେ– ଆମେ ତ ଅପଥ୍ୟ କିଛି କରିନାହୁଁ । ବୈଦ୍ୟ କହିଲେ–ଆଜ୍ଞା, ଆଉ ଲୁଚାଇଲେ ହବ ? ମୁଁ ସବୁ ଜାଣି ସାରିଲିଣି ।

 

ରଜା କହିଲେ– ହଉ, କ’ଣ ଜାଣିଚ କହ । ବୈଦ୍ୟ କହିଲେ–ଆଉ ଲୁଚାଇଲେ କ’ଣ ହବ ? ଛାମୁ ନିଶ୍ଚେ ବିଲେଇଟିଏ ଯୋଗଣ କରିଛନ୍ତି ।

 

ରଜା ଏହା ଶୁଣି ରାଗରେ ଜଳିଉଠି କହିଲେ– କିଏ ଅଛରେ, ଏ ବୈଦ୍ୟକୁ ତଣ୍ଟିଆ ଦେଇ ବାହାର କର । ସାଙ୍ଗେ ସାଙ୍ଗେ ଦେଇ ପାଇକ ତଣ୍ଟିଆ ଦେଇ ଦୁଆର ପାରି କରିଦେଲେ ।

 

ପୁଅ ତ ଶାଠରେ ଚିକିତ୍ସା କରୁଥିଲେ । ଫଳରେ ୟା ନ ହୋଇ ଆଉ ହୁଅନ୍ତା କଅଣ ?

񤦬񤦬񤦬

 

ଦବୁ, ମାଗିବୁ ନାହିଁ

 

ଜଣେ ସାଉକାର ଥିଲା । ତା’ର ଅଚଳାଚଳ ସମ୍ପତ୍ତି । ସେ କ୍ରମେ କ୍ରମେ ବୁଢ଼ା ହୋଇଆସିଲା । ତା’ର ଗୋଟିଏ ମାତ୍ର ପୁଅ । ବୁଢ଼ା ମଲାବେଳକୁ ପୁଅକୁ କହିଲା–

 

‘‘ଦବୁ, ମାଗିବୁ ନାହିଁ,

ଅଧା ସମୁଦ୍ରରେ ପାଣି ପିଇବୁ,

ବାଡ଼ିରେ ହାଟ, ଦୁଆରେ ଦାନ୍ତୀ କବାଟ ବସାଇବୁ,

ବୁଦ୍ଧି ନ ଦିଶିଲେ ତିନି ମୁଣ୍ଡିଆଙ୍କୁ ପଚାରିବୁ ।’’

 

ବାପ ମଲା ପରେ ପୁଅ ବାପକଥା ଗୋଟି ଗୋଟିକରି ପାଳିଲା । ବାପା ତ କହିଥିଲା– ଦବୁ, ମାଗିବୁ ନାହିଁ, ତେଣୁ ପୁଅ ଯାହାକୁ ଯାହା ଋଣ କରଜ ଦେଲା, ତାହା ଆଉ ମାଗିଲା ନାହିଁ । ଏପରି ହବାରୁ ହଜାର ହଜାର ଟଙ୍କା ବୁଡ଼ିଗଲା ।

 

ଅଧା ସମୁଦ୍ରରେ ତ ପୁଣି ପାଣି ପିଇବ । ଏଥିଲାଗି ହଜାର ହଜାର ଟଙ୍କା ଖରଚ କରି ସମୁଦ୍ର ଭିତରେ ଗୋଟେ କୋଠା ତୋଳାଇଲା । ସେ କୋଠାକୁ ଯିବାଆସିବା କରିବାକୁ ପୁଣି ଗୁଡ଼ାଏ ଖରଚ କରି ଗୋଟେ ରାସ୍ତା ତିଆରି କଲା । ନିତି ସମୁଦ୍ର ଭିତରକୁ ଯାଇ ପାଣି ପିଇଲା । ଏଥିରେ ମଧ୍ୟ ଗୁଡ଼ାଏ ସମ୍ପତ୍ତି ଉଡ଼ିଗଲା ।

 

ତାପରେ ବାଡ଼ିରେ ହାଟ, ଦୁଆରେ ଦାନ୍ତୀ କବାଟ, ବସାଇବାର କଥା । ତେଣୁ ବାଡ଼ିରେ ଯେତେ ଫୁଲ ଫଳ ଗଛ ଥିଲା ତାହା ସବୁ ହାଣି ମାରି ସଫାକରି ହାଟଟିଏ ବସାଇଲା । ଏପରି କରିବାରେ ବାଡ଼ିରୁ ଯାହା ପନିପରିବା ଆଦାୟ ହେଉଥିଲା, ସେସବୁ ଗଲା । ଆଉ ଖଡ଼ା ପତ୍ରଟିଏ ରହିଲା ନାହିଁ ।

 

ଦୁଆରେ ଦାନ୍ତୀ କବାଟ ଲଗାଇବାକୁ ଗୁଡ଼ିଏ ହାତୀଦାନ୍ତ କିଣା ହେଲା । ପୁଣି ଭଲ ଭଲ କାରିଗର ଲଗାଇ କମକୁଟ କରି ଦୁଇଟି କବାଟ କରାଇ ଲଗାଇଲା । ବାକି ଯାହା ସମ୍ପତ୍ତି ଥିଲା, ଏଥିରେ ସବୁ ସରିଲା । ପଛକୁ ଖାଇବାକୁ ଦାନା, ପିନ୍ଧିବାକୁ କନା ମିଳିଲା ନାହିଁ । କୋଟିପତିର ପୁଅ, ତା’ର ପୁଣି ଏପରି ଅବସ୍ଥା ହେଲା । ସେ ବଡ଼ ଭାଳେଣିରେ ପଡ଼ିଲା, ତାକୁ କିଛି ବୁଦ୍ଧି ଦିଶିଲା ନାହିଁ । ବୁଦ୍ଧି ନ ଦିଶିଲେ ବାପାଙ୍କ କଥା ଅନୁସାରେ ତିନି ମୁଣ୍ଡିଆଙ୍କୁ ପଚାରିବାର କଥା । ତେଣୁ ସେ ତିନିମୁଣ୍ଡିଆ ଖୋଜି ବୁଲିଲା । ତିନିମୁଣ୍ଡିଆ କିଏ ଅଛି ଯେ, ସେ ପାଇବ ? ଖୋଜି ଖୋଜି ନିସ୍ତାର ହୋଇ ଜଣେ ବନ୍ଧୁଙ୍କ ପାଖକୁ ଯାଇ ସବୁକଥା କହିଲା । ସେ ଲୋକ ପୁରୁଖା ଲୋକ ଏବଂ ବୁଦ୍ଧିମାନ । ସେ ସବୁ ଶୁଣି କହିଲେ–ବାପା ଭଲ କଥା କହିଥିଲେ । ତୁମେ ବୁଝି ନ ପାରି ବାୟା ପରି ଗୁଡ଼େ ଭୁଲ୍ କାମ କରିପକାଇଲ; ତେଣୁ ଦୁଃଖ ପାଇଲ । ସାଉକାର ପୁଅ କହିଲା– ସେ ଯାହା ହବାର ତ ହେଲାଣି; ଏବେ ମତେ ସେସବୁ କଥା ବୁଝାଇଦିଅ ।

 

ବନ୍ଧୁ କହିଲେ–ଦବୁ, ମାଗିବୁ ନାହିଁ; ଏହାର ଅର୍ଥ ଏହି ଯେ ଯାହାକୁ ଯେତେ ଟଙ୍କା ଦେବ, ତାଠାରୁ ତା’ ଅପେକ୍ଷା ଅଧିକ ଟଙ୍କାର ସୁନାରୂପା ରଖିଥିଲେ ଆଉ ମାଗିବା ଦରକାର ନାହିଁ, କି, ଲୋକସାନ ମୋଟେ ନାହିଁ ।

 

ଅଧା ସମୁଦ୍ରରେ ପାଣି ପିଇବା ଅର୍ଥ–ଖାଇବାବେଳେ ମଝିରେ ମଝିରେ ପାଣି ପିଇବ, ତେବେ ଖାଇବା ଜିନିଷ ସହଜରେ ହଜମ ହୋଇଯିବ ।

 

ବାଡ଼ିରେ ହାଟ ବସାଇବାର ଅର୍ଥ–ବାଡ଼ିରେ ସକଳ ପ୍ରକାର ପନିପରିବା କରିବ । ତେବେ ତୁମର ହାଟକୁ ଯିବା ଦରକାର ହବନାହିଁ, କି, ତୁମ ପଇସା ପର ଖାଇବ ନାହିଁ ।

 

ଦୁଆରେ ଦାନ୍ତୀ କବାଟ ଲଗାଇବା ଅର୍ଥ–ଦୁଆରେ କୁକୁରଟିଏ ବାନ୍ଧି ରଖିଲେ ଘରେ ଚୋର ଡକାୟତ ପଶିପାରିବେ ନାହିଁ ।

 

ବୁଦ୍ଧି ନ ଦିଶିଲେ ତିନିମୁଣ୍ଡିଆଙ୍କୁ ପଚାରିବ ଅର୍ଥ–ଲୋକ ବୁଢ଼ା ହୋଇଗଲେ ସେ ଆଉ ମୁଣ୍ଡ ଟେକି ବସିପାରେ ନାହିଁ । ସବୁବେଳେ ଉଗୁଡ଼ିହୋଇ ବସି ଦି’ଆଣ୍ଠୁ ସନ୍ଧିରେ ମୁଣ୍ଡଟି ରଖି ବସେ-। ଆଣ୍ଠୁ, ଯୋଡ଼ିକ ମୁଣ୍ଡପରି, ମୁଣ୍ଡ ତ ମୁଣ୍ଡ; ଏପରି ତିନି ମୁଣ୍ଡ ହେଲା । ଏଭଳି ବୁଢ଼ା ଲୋକଙ୍କୁ ସଂସାରର ଅନେକ କଥା ଜଣାଥାଏ । ତାଙ୍କୁ ପଚାରିଲେ ସେ ଭଲବାଟ ବତାଇ ଦିଅନ୍ତି । ଆଉ ବିପଦରେ ପଡ଼ିବାକୁ ହୁଏନାହିଁ ।

 

ସାଉକାର ପୁଅ ଏସବୁ କଥା ମୁଣ୍ଡରେ ହାତ ବାଡ଼େଇ କହିଲା–ମୁଁ ଚଣ୍ଡାଳ ନ ବୁଝି କି ଭୁଲ୍ କଲି ? ଏବେ କରିବି କଅଣ ?

 

ଭଦ୍ରଲୋକ କହିଲେ–ସେ ଯାହା ହେବାର ହେଲାଣି; ଆଉ ଭାବିକରି କିଛି ଲାଭ ନାହିଁ । ଏଣିକି ଏହିପରି ଚଳ, ପୁଣି ଦଶା ଫେରିଯିବ ।

 

ସାଉକାର ପୁଅ ସେହିଦିନଠାରୁ ସେହିପରି ଚଳିବାରୁ ଅଳ୍ପଦିନେ ପୁଣି ତା’ର ଦଶା ଫେରିଗଲା, ସେ ସୁଖରେ ଚଳିଲା ।

񤦬񤦬񤦬

 

ମିଠାଇ ଖିଆ

 

ଜଣେ ବାବୁ ଥିଲେ । ତାଙ୍କ ପାଇଁ ରୋଜ ତିନିପ୍ରକାର ପାଞ୍ଚପ୍ରକାର ଜଳଖିଆ ତିଆରି ହୁଏ । ସେ ସବୁତକ ଖାଆନ୍ତି କାହାକୁ କଣିକାଏ ଦିଅନ୍ତି ନାହିଁ । ତାଙ୍କର ତିନୋଟି ଚାକର ଥିଲେ । ତିନିହେଁ ଘରର ସବୁ କାମଦାମ କରନ୍ତି, ବାବୁଙ୍କଜଳଖିଆ କଥା ମଧ୍ୟ ବୁଝନ୍ତି । ଜଳଖିଆ ଦୁଧଘିଅ, ସର ଶାକରରେ ତିଆରି । ଭଲ ଜିନିଷରେ କାହାର ଲୋଭ ନ ଥାଏ । ଚାକରମାନେ ରୋଜ ଜଳଖିଆ ହାତରେ କାରବାର କରନ୍ତି । ସମସ୍ତଙ୍କର ସେଥିରେ ଆଶା, ମାତ୍ର “ଗହମ ଗୋଟି ଗଣିତା, ରୋଟି ଚୋରାଉଚି କିଏ ?” ଚୋରଙ୍କର ଜିଭରୁ ଲାଳ ବହେ ସିନା, ମାତ୍ର ଫଳରେ କିଛି ହୁଏ ନାହିଁ-। ହନ୍ତସନ୍ତ ହୋଇ ରହନ୍ତି । ଦିନେ ତିନିହେଁ ବସି ବିଚାର କଲେ–ଭାଇ ! ଏ ବାବୁ ଜଳଖିଆତକ ସବୁ ପକାଉଚି, ଦିନେ ଖଣ୍ଡେ ହେଲେ ଦଉ ନାହିଁ । ଚାଲ, ଆମ କାମ ଆମେ କରିବା-। ଜଳଖିଆତ ଗୋଟେ ଶିକାରେ ରହୁଚି । ତିନିହେଁ କ’ଣ କଲେନା–ଗୋଟେ ନିଶୁଣି ପକାଇ ଜଣେ ଉପରକୁ ଗଲା, ଜଣେ ନିଶୁଣି ମଝିରେ ଠିଆହେଲା, ଆଉ ଜଣେ ତଳେ ଚିତ ହୋଇ ଶୋଇ ରହିଲା । ଉପର ଲୋକ ମୁଠା ମୁଠା କରି ଜଳଖିଆ ମଝି ଲୋକକୁ ଦିଏ । ମଝି ଲୋକ ତାକୁ ନେଇ ଚିତ ହୋଇ ଶୋଇଥିବା ଲୋକର ପାଟିରେ ଦିଏ । ପ୍ରଥମ ଦିନ ଏହିପରି ଜଳଖିଆ ତକ ସବୁ ଶେଷ କଲେ-। ବାବୁ ଖାଇଲାବେଳକୁ ଜଳଖିଆ ନାହିଁ । ବାବୁ ରାଗିମାଗି ଚାକରଙ୍କୁ ଧମକାଇଲେ; ଚାକର ଜମା ମାନିଲେ ନାହିଁ । ଶେଷକୁ ଲୋକନାଥଙ୍କ ପ୍ରସାଦ ଧରି ନିୟମ କଲେ । ଉପର ଜଣକ କହିଲା–ଆଜ୍ଞା, ନିୟମ କରି କହୁଚି–ମୁଁ ଜଳଖିଆ ଖାଇନାହିଁ । ମଝି ଜଣକ ସେହିପରି ନିୟମ କରି କହିଲା-ଆଜ୍ଞା, ମୁଁ ଜଳଖିଆ ଦେଖିନାହିଁ, କି, ଖାଇ ନାହିଁ । ତଳ ଜଣକ ସେହିପରି ନିୟମ କରି କହିଲା–ଆଜ୍ଞା, ମୁଁ ଜଳଖିଆ ଦେଖିନାହିଁ, କି, ଖାଇନାହିଁ । ଚାକର ଯାକ ସତ କଥା କହିଚନ୍ତି-। ସୁତରାଂ ଲୋକନାଥଙ୍କ ପ୍ରସାଦକୁ କାହିଁକି ଭୟ କରିବେ ? ବାବୁ ଦେଖିଲେ ଯେ ଲୋକନାଥଙ୍କ ପ୍ରସାଦ ତ ସହଜ କଥା ନୁହେଁ, ତାକୁ ଧରି ନିୟମ କରିବା କଅଣ ସହଜ କଥା ? ବାବୁଙ୍କର ବିଶ୍ୱାସ ହେଲା–ଚାକର କେବେ ଜଳଖିଆ ଖାଇନାହାନ୍ତି । ଖାଇଥିଲେ ଖାଇଥିବ ବିରାଡ଼ି, କିମ୍ବା ଅନ୍ୟ କେହି ଲୋକ-

 

ସେଦିନ ଏହିପରି ଚଳିଯିବାରୁ ଚାକରମାନେ ରୋଜ ସେହିପରି ନକରି ତିନିଦିନରେ, ପାଞ୍ଚଦିନରେ ଥରେ ଥରେ ଏହିପରି ଜଳଖିଆ ଖାଇଲେ । ଅତି ବଡ଼ହୋଇ ନିୟମ କରିବାକୁ ପଡ଼ିବ, ପଡ଼ିଲେ ଭୟ କିଛି ନାହିଁ । କାହିଁକିନା, ସେ ଯଉ ଖଞ୍ଜରେ ଖାଉଚନ୍ତି, ସେଥିରେ ତ ମିଛ କହୁନାହାନ୍ତି । ପ୍ରକୃତରେ ଉପର ବାଲା ଖାଇନାହିଁ, ମଝିବାଲା ଖାଇନାହିଁ ବା ଦେଖିନାହିଁ, ତଳବାଲା ତ ଆଖି ମୁଦି ପାଟିରେ ଗଳାଇଦେବାରେ ଖାଉଛି, ସେ ବା ଦେଖିଲା କେତେବେଳେ, ଛୁଇଁଲା କେତେବେଳେ ? ସମସ୍ତେ ତ ଏହିପରି ସତକଥା କହୁଚନ୍ତି । ଆଉ ଭୟ କଅଣ ? ଚାକରମାନେ କେବଳ ପାଳିକରି ତଳ ଉପର ବଦଳାଉଥାନ୍ତି । ତା’ ନହେଲେ ଖାଇବା ଭାଗ ସମସ୍ତଙ୍କୁ ମିଳିବ ନାହିଁ ।

 

ବାବୁ ନିୟମରେ ବୋକା ବନିଲା । ଚାକରମାନେ ପାଳି-ଅନୁସାରେ ଜଳଖିଆ ଆଦାୟ କଲେ । ଆଚ୍ଛା ହେଲା, ଯିମିତି ଦିଅଁକୁ ସିମିତି ପୂଜା । ନହେଲେ କ’ଣ ସେ ପେଟଗାବୁରା ବାବୁଠାରୁ କଣିକାଏ ମିଳିଥାନ୍ତା ?

񤦬񤦬񤦬

 

ଆରେ, ଗାଧାକା ମେମ ସାହେବ ଲାଓ

 

ଜଣେ ବିଲାତୀ ସାହେବ ଏ ଦେଶରେ ଚାକିରି କରୁଥିଲେ । ଏଠାରେ କିଛି ଦିନ ରହିବା ପରେ ଟିକିଏ ଟିକିଏ ହିନ୍ଦୀ କହି ଶିଖିଲେ । ତାଙ୍କ ପାଖରେ ଜଣେ ହିନ୍ଦୁସ୍ଥାନୀ ଲୋକ ଅର୍ଦ୍ଦଳୀ ଥାଏ-। ସେ ମୋଟେ ଇଂରାଜି ଜାଣେନାହିଁ । ସାହେବ ଖଣ୍ଡିଆ ଖଣ୍ଡିଆ ହିନ୍ଦୀ କହି ଠାରିଠୁରି ତା’ ସଙ୍ଗେ କଥାବାର୍ତ୍ତା କରନ୍ତି ।

 

ଦିନେ ସାହେବଙ୍କର ଗୋଟିଏ ମାଈଗଧ ଦରକାର ହେଲା । ମାଈଗଧ ପାଇଁ ତ ଅର୍ଦ୍ଦଳିକୁ ବରାଦ ଦେବାକୁ ହେବ । ମୋର ଗୋଟେ ମାଈଗଧ ଦରକାର–ଏକଥାଟା ସାହେବ ହିନ୍ଦୀରେ କହିଜାଣିଲେ ନାହିଁ । ଯାହା କହିଲେ, ସେଥିରେ ଅର୍ଦ୍ଦଳି ବୁଝିଲା–ସାହେବଙ୍କର ଗଧ ଦରକାର । ସୁତରାଂ ସେ ଗୋଟେ ଗଧ ଆଣି ସାହେବଙ୍କ ପାଖେ ହାଜର କଲା । ସାହେବ ଦେଖିଲେ–ଗଧଟା ମାଈ ନୁହେଁ, ଅଣ୍ଡିରା । ତେଣୁ ଅର୍ଦ୍ଦଳିକି କହିଲେ–ଆରେ, ହାମରା ମାଫିକ ଗାଧା ନେହିଁ । ଏହାର ଅର୍ଥ ମୋ ପରି ଗଧ ନାହିଁ । ଏଥିରୁ ମାଈ ଗଧ ବୋଲି କିଏ ବୁଝିବ ? ଅର୍ଦ୍ଦଳି ସାହେବ କଥା ବୁଝିନପାରି ପୁଣି ପଚାରିଲା–ତେବେ କିପରି ଗଧ ? ଆରେ, ମେମ ସାହେବକା ସରିକ ଗାଧା ଲାଓ । ଏଥିରୁ ଏବେ ମାଈଗଧ ବୋଲି କିଏ ବୁଝିବ ? ଏହାର ଅର୍ଥ–ମେମ୍ ସାହେବଙ୍କ ପରି ଗଧ ଆଣ । ତଥାପି ଅର୍ଦ୍ଦଳି ବୁଝି ନ ପାରିବାରୁ ସାହେବ ଶେଷକୁ କହିଲେ–ଆରେ ଗାଧାକା ମେମ୍ ସାହେବ ଲାଓ । ଏଥିରୁ ଅବା ମାଈ ଗଧ କିପରି ବୁଝାଯିବ ? ସାହେବଙ୍କର ସିନା, ମେମସାହେବ, ଆଉ ଗଧର ଗୋଟେ ମେମସାହେବ କଅଣ ? ବିଚରା ଅର୍ଦ୍ଦଳି କିଛି ବାଟ ନ ପାଇ ଅନୁମାନ କରି ଗୋଟେ ମାଈ ଗଧ ଆଣି ଦେବାରେ ସାହେବ ବଡ଼ ଖୁସିହେଲେ-

 

ଅର୍ଦ୍ଦଳି ସେହିଦିନୁ ବୁଝିଲା–ଗାଧାକା ମେମ ସାହେବ କହିଲେ ‘ମାଈଗଧ ?

񤦬񤦬񤦬

 

କଖାରୁ ଚୋରି

 

ଜଣେ ଜମିଦାର ଥିଲେ । ତାଙ୍କର ଅଭାବ କିଛି ନ ଥିଲା । କିନ୍ତୁ ପ୍ରତିଦିନ କାହାରି ବାଡ଼ି ବଗିଚାରୁ ଫଳଟେ, ମୂଳଟେ ନ ଆସିଲେ, ତାଙ୍କୁ ସୁଖ ଲାଗେନାହଁ । କିଏ ବା କାହଁକି ରୋଜ ଫଳମୂଳ ଯାଚିକରି ଦେବ ? କିନ୍ତୁ ନ ହେଲେ ତ ନ ହୁଏ । ସେଥିପାଇଁ ବେଳେବେଳେ ଚୋରି କରିବାକୁ ମଧ୍ୟ ପଡ଼େ । ନିଜେ ତ ଚୋରି କରିପାରିବେ ନାହିଁ । ତେଣୁ ପାଖରେ ଯେ ଜଣେ ଦି’ଜଣ ଥାନ୍ତି, ତାଙ୍କୁ ବରଗି ଦିଅନ୍ତି । ଦିନେ କଅଣ ହେଇଚିନା, ଜଣେ ଖାତକ ନିଜର ଦେଣା ପାଉଣା ତୁଟାଇବାକୁ ଜମିଦାରଙ୍କ ପାଖକୁ ଯାଇଥିଲେ । ତାଙ୍କର କଥାବାର୍ତ୍ତା ସରୁ ସରୁ ରାତି ହେଲା । ସେ ସେଦିନ ଘରକୁ ଯାଇନପାରି ଜମିଦାରଙ୍କ କଚିରି ଘରେ ରହିଲେ । ସେଦିନ ଜମିଦାରେ କୁଆଡ଼ୁ ହେଲେ ଫଳମୂଳ କିଛି ପାଇନଥିଲେ, କି କାହାକୁ ବରଗି ଦେବାକୁ କେହି ପାଖରେ ନଥିଲେ । ତେଣୁ ବାଧ୍ୟହୋଇ ସେ ଖାତକଙ୍କୁ କହିଲେ–ତୁମେ ଗୋଟେ କଖାରୁ କେଉଁଠାରୁ ହେଲେ ଆଣନ୍ତ ? ସେ ଏହା ଶୁଣି ତଳକୁ ଉପରକୁ ଚାହିଁ କହିଲେ-ମୁଁ ଏ ରାତିରେ କଖାରୁଟେ କାହୁଁ ଆଣିବି ? ଜମିଦାର କହିଲେ–କେଉଁଠୁ ହେଲେ ଆଣିବାକୁ ହବ । ଖାତକ କହିଲା–ଦିନ ହୋଇଥିଲେ ଅବା କେଉଁଠୁ ଯୋଗାଡ଼ କରି ଆଣିଥାନ୍ତି; ରାତିରେ କୁଆଡ଼ୁ ପାଇବି ? ଜମିଦାରେ କହିଲେ–ଗାଁଟା ଯାକରେ କଖାରୁ କାହା ପିଢ଼ାରେ ନାହିଁ ? ସେ କହିଲା–ମୁଁ ପର ପିଢ଼ାରୁ କଖାରୁ କିପରି ଆଣିବି ? ପଛକୁ ଚୋରିରେ ଧରା ପଡ଼ିବି ସିନା ? ଜମିଦାର କହିଲେ–ତୁନୀ କରି ତ ଘେନିଆସିବ, ଧରା କିଆଁ ପଡ଼ିବ ? କିଛି ଭୟ ନାହିଁ, କାହାକୁ ଡରିବ ନାହିଁ । ଯଉଠଉଁ ଇଚ୍ଛା ସେଇଠଉଁ ଆଣ । ମୁଁ ଅଛି, ଭୟ ନାହିଁ । ଖାତକ ଦେଖିଲା ଯେ କଖାରୁ ନ ଆଣିଲେ ୟେ ମତେ ଛାଡ଼ିବ ନାହିଁ । କୁଠଉଁ ଆଣିବ ଭାବି ଭାବି ମନେପଡ଼ିଗଲା–ସେଇ କଚିରି ଘର ଗୁହାଳ ଚାଳରେ ଗୁଡ଼ାଏ କଖାରୁ ଫଳିଚି । ସେ ଭାବିଲା–ମାଲିକ ତ କହିଚି–ଯୁଠଉଁ ଇଚ୍ଛା ସିଠଉଁ ଆଣ, ଭୟ ନାହିଁ । ତେବେ କାହାକୁ କିଛି ନ କହି ସେଇ ଚାଳରୁ ଦିଟା ଆଣି ହାବୁଡ଼େଇ ଦେଲେ ହେଲା । ଏଇ କଥା ସ୍ଥିର କରି ସେଇ ଅନ୍ଧାର ରାତିରେ ଚୁପ୍‍ଚାପ୍ ଯାଇ ଗୁହାଳଚାଳରୁ ଦିଟା କଖାରୁ ଆଣି ଜମିଦାରଙ୍କ ପାଖେ ଥୋଇଦେଲା । ଜମିଦାରେ କଖାରୁ ଦେଖି ମହାଖୁସି । ସେଇ ରାତିରେ ଦେଣା ପାଉଣା ହିସାବ ଯାହା ବାକିଥିଲା, ସବୁ ସୁରୁଖୁରୁରେ ତୁଟିଗଲା । ଖାଇପିଇ ସମସ୍ତେ ଶୋଇଲେ । ରାତି ପାହିଲା, ସମସ୍ତେ ଉଠିଲେ । ଖମାରି ଆସି କହିଲା– ଆଜ୍ଞା, କାଲି ରାତିରେ ଆମ ଗୁହାଳ ଚାଳରୁ ଦିଟା କଖାରୁ କିଏ ଚୋରାଇନେଇଛି । ଜମିଦାର ଭାବିଲେ ତେବେ କାଲି କଖାରୁ କଅଣ ସେଇ କଖାରୁ କି ? ସନ୍ଦେହ ହବାରୁ ସେ ଖାତକକୁ ଡାକି ପଚାରିଲେ– କିଓ, ତୁମେ କଅଣ କାଲି ରାତିରେ ଆମ ଗୁହାଳ-ଚାଳରୁ କଖାରୁ ଆଣିଥିଲ କି ?

 

ସେ କହିଲା, ଆଜ୍ଞା, ଆଉ କେଉଁଠୁ ଆଣନ୍ତି ? ଆପଣ ତ କହିଲେ–ଯେଉଁଠୁ ଇଚ୍ଛା ସେଉଠୁଁ ଆଣିବାକୁ, ମୋର ଆଉ ଦୋଷ କଅଣ ?

 

ଜମିଦାରେ କହିଲେ-ବା, ଭଲ କାମ କଲ । ହଉ, ଏବେ ଯାଅ, ରାସ୍ତା ଧର; ବେଶ୍, କୀର୍ତ୍ତନିଆଙ୍କ ଆଡ଼ୁ ତେଲ ! ସାବାସ୍ !!

񤦬񤦬񤦬

 

ରାମୋ ଲକ୍ଷ୍ମଣମବ୍ରବୀତ୍

 

ଜଣେ ବାବାଜି ଥିଲେ । ସେ ପାଠଶାସ୍ତ୍ର କିଛି ଜାଣନ୍ତି ନାହିଁ । ଖାଲି ପଟାଟୋପ କରି ମଠ ଜମେଇ ଚଳୁଥାନ୍ତି ।

 

ଅକର୍ମା ପାଖକୁ ଅକର୍ମା ଯାଏ । କେତେ କାଳ ପରେ ସେହି ଅକର୍ମା ବାବାଜି ପାଖରେ ଆଉ ଏକ ଅକର୍ମା ଜୁଟିଲା । ବାବାଜି ତାକୁ ଶିଷ୍ୟ କଲେ । ସେ ମଧ୍ୟ ପେଟଦାଉରେ ସେୟା ଖୋଜୁଥିଲା । ବାବାଜି ଦିନେ ଶିଷ୍ୟକୁ କହିଲେ–ଦେଖ, ବାବା ! ତୁମେ ଆମର ଶିଷ୍ୟ ହେଲ, ପଢ଼ାଶୁଣା କିଛି ନ କଲେ ଗାଦିକି ନିନ୍ଦା ହେବ । ଶିଷ୍ୟ ପଢ଼ାଶୁଣା ପାଇଁ ରାଜିହେଲା । ପଢ଼ାଇବାକୁ ତ ଏକମାତ୍ର ଯୋଗ୍ୟଲୋକ ବାବାଜି ମହାରାଜ; ବୁଝିଲାବେଳକୁ ବାବାଜିଙ୍କ ସି ଅକ୍ଷର ବରୁଣେଇ ପର୍ବତ । ଭାଗ୍ୟକୁ ଗୋଟିଏ ପଦ ମନେଥିଲା । ସେ ପଦଟି ହେଉଛି–

 

“ରାମୋ ଲକ୍ଷ୍ମଣ ମବ୍ରବୀତ୍ ।”

 

ଗୁରୁ ମହାରାଜ ସେହିପଦଟି ସଞ୍ଜ ସକାଳେ ଶିଷ୍ୟକୁ ଘୋଷାଇଲେ । ବିଚକ୍ଷଣ ଶିଷ୍ୟ ମଧ୍ୟ ପନ୍ଦରଦିନକାଳ ରାତିଦିନ ଲାଗି ସେପଦ ମୁଖସ୍ଥ କଲା । ତା’ ପରେ ଆଉ ଅଧିକ ପଢ଼ିବାକୁ ଗୁରୁଙ୍କୁ କହିଲା । ଗୁରୁ ତ ମହାପଣ୍ଡିତ । ଏଇ ପଦକ ଛଡ଼ା ତାଙ୍କୁ ଆଉ କିଛି ଜଣାନାହିଁ । ତା’ ପରେ ସେ ଗୋଟେ ବୁଦ୍ଧି କାଢ଼ି କହିଲେ–ଆଗ ଏ ପଦଟିର ଅର୍ଥ ବୁଝ; ତା’ପରେ ଅଧିକ ପଢ଼ିବ । ଶିଷ୍ୟ ସେଥିରେ ରାଜିହେବାରୁ ଗୁରୁ ବୁଝାଇଲେ–ଆରେ, ରାମୋ କହିଲେ ରାମ । ଲକ୍ଷ୍ମଣ ତ ଲକ୍ଷ୍ମଣ । ମବ୍ରବୀ କହିଲେ ସୀତାଙ୍କୁ ବୁଝାଏ । ବୁଝିଲୁ ତ ? ଏବେ ତା’ର ଅର୍ଥ ନିଜେ ନିଜେ କହ । ଶିଷ୍ୟ କହିଲା ନାହିଁ, ମୁଁ କହିପାରିବି ନାହିଁ ।

 

ଗୁରୁ କହିଲେ–ତୁ ଏଡ଼େ ନିର୍ବୁଦ୍ଧିଆ ? ଦେଖୁଚୁ ପୂରା ତ ତଳେ ଗୋଟେ ଲାଙ୍ଗୁଡ଼ ଅଛି । ହନୁମନ୍ତର ଲାଙ୍ଗୁଡ଼ ଅଛି ବୋଲି ଜାଣିନାହୁଁ । ସେ ପୁଣି ରାମଙ୍କର ଭକ୍ତ । ରାମଙ୍କ ପାଖେ ପାଖେ ଥାଏ । ଆଉ ବୁଝିବାକୁ ବାକି କଅଣ ରହିଲା ? ଏବେ ବୁଝିଲୁ ତ ? ସେ ତର ଅର୍ଥ ହନୁମନ୍ତ ।

 

ଶିଷ୍ୟ ହାତଯୋଡ଼ି କହିଲା– ଆଜ୍ଞା, ଏ ତତ୍ତ୍ଵ କାହୁଁ ଜାଣିବି ? ନହେଲେ ଆପଣ ଗୁରୁଦେବ ! ପାଠପଢ଼ାରେ ଶିଷ୍ୟ ଖୁସି, ଗୁରୁ ମଧ୍ୟ ଖୁସି । ଏତିକିରେ ପାଠ ଶେଷ୍ !

񤦬񤦬񤦬

 

ତା ଧିନି ଧିନି ଧିନି

 

ଜଣେ ରଜା ଥିଲେ । ସେ ବଡ଼ ପରମାର୍ଥୀ । ତାଙ୍କର ଗୋଟିଏ ରାଧାକୃଷ୍ଣ ମନ୍ଦିର ଥାଏ-। ରଜା ଠାକୁରଙ୍କ ସେବା ପୂଜା ଲାଗି ବହୁତ ସମ୍ପତ୍ତି ଖଞ୍ଜିଥାନ୍ତି । ଠାକୁରଙ୍କ ଦେହରେ ସବୁବେଳେ ବହୁତ ମଣି ମାଣିକ୍ୟ ଅଳଙ୍କାର ଖଞ୍ଜା ହୋଇଥାଏ ।

 

ଥରେ ପଞ୍ଜାଏ ଠକ ପରମାର୍ଥୀ ଆସି ପହଞ୍ଚିଲେ । ପଚାରିବାରୁ କହିଲେ–ଆମ ମଠ ନଦିଆରେ । ରଜା ତ ପରମାର୍ଥୀ ଦେଖିଲେ ବାଇ । ସେ ପୁଣି ନଦିଆ ବାବାଜି । ସେହି ହେତୁରୁ ତାଙ୍କ ପାଇଁ ଭଲଖାଇବା ପିଇବା ଖଞ୍ଜା ହୋଇଗଲା । ବାବାଜିମାନେ ଖାଇପିଇ ମହାଆନନ୍ଦରେ ରହିଲେ । ଏବେଳା ସେବେଳା ରାଧାକୃଷ୍ଣ ମନ୍ଦିରରେ କୀର୍ତ୍ତନ କଲେ । ରଜା କୀର୍ତ୍ତନ ଶୁଣି ମଜ୍ଜିଯାଆନ୍ତି । ବାବାଜୀଙ୍କ କୀର୍ତ୍ତନ ଭକ୍ତି ବାବାଜିଙ୍କୁ ଜଣା । ଆଉ କିଏ କାହିଁକି ଜାଣିବ ? ସେ ଖାଲି ଉଣ୍ଡୁଥାନ୍ତି–ଠାକୁରଙ୍କ ଘରେ କୁଠେଇଁ କି ସମ୍ପତ୍ତି ଅଛି । ଦେଖିଲେ–ଠାକୁରଙ୍କ ଦେହରେ ସମ୍ପତ୍ତି ଅଛି-। ସେତକ କିମିତି ହାତରେ ପକାଇ ଛୁ କରିବେ, ରାତିଦିନ ତାଙ୍କର ଏଇ ଚିନ୍ତା ।

 

ଦିନେ ରାତିରେ ରଜା, ମନ୍ତ୍ରୀ, ଆଉ ଲୋକେ କୀର୍ତ୍ତନ ଶୁଣୁଥାନ୍ତି । ବାବାଜିମାନେ ଖୁବ୍ ତାନରେ କୀର୍ତ୍ତନ କଲେ । ଭକ୍ତମାନେ ସେଥିରେ ମଜ୍ଜିଗଲେ । ସେତିକିବେଳେ ବାବାଜିମାନେ କୀର୍ତ୍ତନ ସ୍ଵରରେ ଗାଇଲେ–

 

“ଦେଖଛ ଯେ ସବ ବାଳଗୋପାଳ,

କେହୁ ନା ଥାକବେ କାଲ ସକାଳ ।"

 

ରଜା ଏବଂ ଭକ୍ତମାନେ ଏହା ଶୁଣି ଭାବିଲେ–ସତ କଥା, ସତେ ଏ ସଂସାରରେ କିଏ ରହିବ କି ? କାଲିପରି ସମସ୍ତେ ଚାଲିଯିବେ । ରଜା ଏହିପରି ତତ୍ତ୍ଵକଥା ଭାବି ବଡ଼ ସନ୍ତୁଷ୍ଟ ହେଲେ-। ବାବାଜିମାନଙ୍କ ପ୍ରତି ତାଙ୍କର ଭକ୍ତି ବଢ଼ିଗଲା । ସେଦିନ ବାବାଜିମାନେ ପ୍ରସାଦ ପାଇ ଠାକୁର ମନ୍ଦିରରେ ଶୋଇଲେ । ଆଉ ସମସ୍ତେ ଘରକୁ ଗଲେ । ରାତି ନିର୍ଜନ ହେବାରେ ସେମାନେ ଠାକୁର ଆଉ ଅଳଙ୍କାର ସବୁତକ ନେଇ ଚମ୍ପଟ । ରାତି ପାହିବାରୁ ଦେଖିଲାବେଳକୁ ବାବାଜି ନାହାନ୍ତି, କି ଠାକୁରେ ନାହାନ୍ତି, କି ଅଳଙ୍କାର ନାହିଁ । ଏହା ଦେଖି ରଜାଙ୍କର ପ୍ରକୃତ ଜ୍ଞାନ ହେଲା । ଆଉ ଜ୍ଞାନହୋଇ କଅଣ ହେବ ? ଲେଡ଼ିଗୁଡ଼ କହୁଣୀକି ବହିଗଲାଣି । ଆଉ ଚାରା କଅଣ ?

 

ଖାଲି କଥା ରହିଲା–ତା ଧିନି ଧିନି ଧିନି ।

񤦬񤦬񤦬

 

ସାତ ଚକଟା ପୋଢ଼ୁଅ ଘଣ୍ଟା

 

ଜଣେ ଲୋକ ମାଛ ମାରିବାକୁ ଦିନେ ପୋଢ଼ୁଅ ଖଣ୍ଡେ ଧରି ଗୋଟେ ପାଣି ଚବକାରେ ପଶିଲା । ସେ ଚବକାରେ ପାଣି ବେଶି ନୁହେଁ, ଆଣ୍ଠୁଏ । ସେଥିରେ ଖାଲି ଗଡ଼ିଶା ଗୁଡ଼ିଏ ଥିଲେ । ଗଡ଼ିଶା ପାଣି ଉପରେ ପହରନ୍ତି ନାହିଁ, ପଙ୍କ ଭିତରେ ରହନ୍ତି । ପାଣି ଗୋଳିକରି ପୋଢ଼ୁଅ ପକାଇଲେ ସେ ଧରାପଡ଼ନ୍ତି । ସେଥିଯୋଗୁଁ ସେ ଲୋକ ଆଗ କୁଦି ଚକଟି ଚବକାଟା ଗୋଲି କଲା-। ତା’ପରେ ପୋଢ଼ୁଅ ପକାଇବାରେ କେତୋଟି ଗଡ଼ିଶା ପାଇଲା । ସେତକ ବାନ୍ଧିବୁନ୍ଧି ଖୁସିରେ ଘରକୁ ଆସି ସେସବୁ କାଟିକୁଟି ରନ୍ଧାବଢ଼ା କରିବାକୁ ଭାର୍ଯ୍ୟାକୁ ଦେଲା । ଗଡ଼ିଶା ମାଛଗୁଡ଼ାକ ଶାଉଳିଆ । ପାଉଁଶ ନ ଗୋଳାଇ ପନିକିରେ କାଟି ହୁଏନାହିଁ । ଧରୁ ଧରୁ ଖସିଯାନ୍ତି । ସେଇ ହେତୁରୁ ତା’ ଭାର୍ଯ୍ୟା ପାଉଁଶ ଗୋଳାଇ ଗୋଟି ଗୋଟି କରି ଗାଲିସି କାଟି ରଖିଲା ।

 

ଏଥିମଧ୍ୟରେ ଗୋଟେ ଚିଲ ଝାମ୍ପ ମାରି ସେ ଗାଲିସିକଟା ଗଡ଼ିଶାରୁ ଗୋଟେ ନେଇ ଉଡ଼ିଗଲା । ଚିଲ ଗଡ଼ିଶାକୁ ଥଣ୍ଟରେ ଧରି ଉଡ଼ୁଥାଏ । ଗଡ଼ିଶାଟା ଜୀବନ କଲବଲରେ ଛଟଛଟ ହେଉଥାଏ ।ଏହିପରି ଛଟଛଟ ହେବାରେ ଦୈବାତ ଗଡ଼ିଶାଟା ଥଣ୍ଟରୁ ଖସିଯାଇ ତଳେପଡ଼ିଲା । ସେ ପୁଣି ଯେଉଁଠି ପଡ଼ିଲା, ସେ ଜାଗାଟା ଗୋଟେ ପୋଖରୀ । ପୋଖରୀ ପାଇବାରୁ ଗଡ଼ିଶା ଆନନ୍ଦରେ ପହଁରିଲା । ତାପରେ ତା’ ସୁଖରେ ରହିଲା । କିଛିଦିନ ପରେ ଜଣେ ଲୋକ ସେହି ପୋଖରୀରେ ମାଛ ଧରିବାକୁ ବନ୍‍ସି ପକାଇଲା । ତାହା ଦେଖି ସେଇ ଗଡ଼ିଶା କହିଲା–

 

“ସାତ ଚକଟା ପୋଢ଼ୁଅ ଘଣ୍ଟା,

ବିଭୂତି ଭୂଷଣ ଗାଲିସି କଟା,

ଚିଲ ପ୍ରସାଦରୁ ତ୍ରିଭୁବନ ଦେଖିଲି,

ତା’ ଆଗେ ପୁଣି ବନିସି କଣ୍ଟା !”

 

ଇମିତି ପାଖେରାକୁ ପାରିବା ମୁଷ୍କିଲ ।

񤦬񤦬񤦬

 

ଶାଳିନେ ବନମାଳିନେ

 

ନମୋ ନଳିନ ନେତ୍ରାୟ ବେଣୁ ବାଦ୍ୟ ବିନୋଦିନେ,

ରାଧାଧର ସୁଧା ପାନ ଶାଳିନେ ବନମାଳିନେ ।

 

ଏହାର ଅର୍ଥ–ପଦ୍ମଲୋଚନ ବେଣୁବାଦ୍ୟରସିକ ରାଧାଙ୍କର ଅଧର-ସୁଧାପାନଲୋଲୁପ ବନମାଳୀଙ୍କୁ ପ୍ରଣାମ କରୁଅଛି ।

 

ଜଣେ ମୂର୍ଖ ପଣ୍ଡିତ ବୁଝାଇଲେ ଯେ କୃଷ୍ଣ ତ ସବୁବେଳେ ବଂଶୀଟିଏ ଧରିଥାନ୍ତି । କ୍ଷଣେ ହେଲେ ଛାଡ଼ନ୍ତି ନାହିଁ । ରାଧା ଥରେ କୌତୁକରେ ତାଙ୍କ ହାତରୁ ବଂଶୀଟି ଛଡ଼ାଇନେଲେ । କୃଷ୍ଣ ଯେତେ ମାଗିଲେ ସୁଦ୍ଧା ଦେଲେନାହିଁ । ପଛକୁ ବହୁତ ଅନୁନୟ ବିନୟ କରି କହିଲେ–

 

ନ ମୋ ନଳି ନେ । ଅର୍ଥାତ ହେ ରାଧା ମୋ ନଳି, କି, ବଂଶୀ ନ ନେ, କି ନେ, ନା । ତ୍ରାୟ, କି, ମୋତେ ରକ୍ଷାକର । ତୁ ତ ପୁଣି ବେଣୁବାଦ୍ୟ ବିନୋଦିନୀ । ଏଥିରେ ସୁଦ୍ଧା ରାଧା ବଂଶୀ ଫେରାଇ ନ ଦେଇ ନିଜର ଅଧର ସୁଧା ଅର୍ଥାତ ପାନଖଣ୍ଡେ ନିଜର ମୁହଁରେ ଲଗାଇ ଦେଇ ସେ ଖଣ୍ଡ କୃଷ୍ଣକୁ ଖୁସି କରିବାକୁ ବଢ଼ାଇଦେଇ କହିଲେ, ବନମାଳୀ ନେ । କୃଷ୍ଣ ତ ରାଗିଥିଲେ, ସେ ସେହି ରାଗରେ ସେ ପାନ ଖଣ୍ଡ ଛଡ଼ାଇନେଇ ରାଧାଙ୍କ ଉପରକୁ ଫିଙ୍ଗି ଦେଇ କହିଲେ–ଆଲୋ, ଶାଳି ! ତୁ ନେ ।

 

ମୂର୍ଖ ପଣ୍ଡିତ ଏହା ଅର୍ଥ ନ କରି ଆଉ କ’ଣ କରନ୍ତେ ?

񤦬񤦬񤦬

 

ମାଆ ଡାହାଣୀ, ପୁଅ ମଦୁଆ

 

ଗୋଟିଏ ଗାଁରେ ମାଆଟିଏ, ପୁଅଟିଏ ଥିଲେ । ମା’ ପୁଅକୁ ଭାରି ଭଲପାଏ । ପୁଅ ମଧ୍ୟ ମା କଥା ମାନି କରି ଚଳେ । ଦୁହେଁ ଖାଇପିଇ ସୁଖରେ ଚଳୁଥାନ୍ତି; ଖୁଡ଼୍ ଧୁଡ଼୍ କିଛି ନ ଥାଏ । ତାଙ୍କ ପଡ଼ିଶା ଘରେ ଗୋଟେ ରାଣ୍ଡ ଥିଲା । ତା’ର ପୁଅ ଝିଅ କିଛି ନ ଥିଲା; ତା’ର କାମଦାମ କିଛି ନ ଥାଏ । ପଖାଳ ପାଣି କରି ଗ୍ରାସଟିଏ ମାରିଦେଇ ୟା କଥା ତା’ ଆଗେ, ତା’ କଥା ୟା ଆଗେ କହି ଖାଲି ଘର ଭାଙ୍ଗେ । ଘର ଭାଙ୍ଗିବାରେ ସେ ଏକ ମାର୍କାମରା ।

 

ସେ ରାଣ୍ଡୀ ୟେ ମା’ ପୁଅ ଦିହେଁ ସୁଖରେ ଚଳିବାର ଦେଖି ସହିପାରିଲା ନାହିଁ । କିମିତି ମା’ ପୁଅ ଦିହିଙ୍କର ଅପଡ଼ କରିବ, ଏଥିପାଇଁ ରାତିଦିନ ତା’ର ଚିନ୍ତା ହେଲା ! ଦିନେ ଦୈବାତ ପଡ଼ିଶା ପୁଅ ସାଙ୍ଗରେ ତା’ର ଦେଖାହେଲା । ଦେଖାହେଲା କ୍ଷଣି ଆପଣାର ହୋଇ କେତେ ଦୁଃଖସୁଖ ପଚାରିଲା । ଶେଷକୁ କହିଲା– ଆରେ ପୁଅ ! ଭଲକଥା ମନେପଡ଼ିଲା । ତତେ କହିବି କହିବି ବୋଲି ହଉଥିଲି, ଦେଖି ତ ପାରେନାହିଁ, କହିପାରି ନାହିଁ । କଥା କଅଣ କି–ତୁ ପିଲା ନୋହୁଁ, ଭେଣ୍ଡା ହେଲୁଣି; କୁ ଛ’ଟା ନ’ଟା ଅଛି ଯେ, ତୋଠେଇଁ କାହିଁକି ରେଣ୍ଟି, କେଜାଣି ସେ ମା’, ତୁ ପୁଅ, ପରପୂରା ନୋହୁ, ମା’ର ପୁଣି ପୁଅଠେଇଁ ଆଖି ! ଏହା ଶୁଣାନଥିଲା; ସେକଥା ମନେପଡ଼ିଲେ ଦିହ ଶୀତେଇଉଠୁଚି । ପୁଅ ହୋଇ ଖଣ୍ଡେ, ସେ ପୁଣି କଳିହା ନୁହେଁ, ଦଣ୍ଡିଆ ନୁହେଁ । କୁ ମା’ ଇମିତି ପୁଅକୁ କଞ୍ଚାରେ ଚୋବାଇ ଦବାକୁ ଚାହିଁବ ?

 

ପୁଅ କହିଲା– ହୟେ ମାଉସୀ, ତୁମେ କଅଣ କହୁଚ ମୁଁ ବୁଝିପାରୁ ନାହିଁ । କଅଣ କଥା, ଫିଟେଇ କହୁନାହଁ ।

 

ରାଣ୍ଡୀ କହିଲା– ଆରେ ପୁଅ ! କଅଣ କହିବି ? ତୁ କଅଣ ତୋ ଅବସ୍ଥାରୁ ଜାଣୁନାହୁଁ ? ରୋଜ ତ ଏଇକଥା ହଉଚି ଜାଣୁନଥିବୁ କିଆଁ ? ତୋର ଏତେବେଳେ ଯୁବା ବୟସ, ଦିହ ପିଚିକି ପଡ଼ିଥାନ୍ତା, ଶୁଖି ଶୁଖି ଯାନ୍ତା କିଆଁ ? ମା’ଟା ତ ରୋଜ ରକ୍ତଗୁଡ଼ାକ ଶୋଷିଲା, ଦିହ କାହୁଁ ପାଇବୁ-? ତୁ ଟିକିଏ ସାବଧାନ ହଉନାହୁଁ ?

 

ପୁଅ କହିଲା– ମାଉସୀ ! ମୁଁ ତ ଏ କଥା କିଛି ବୁଝିପାରୁନାହିଁ ।

 

ରାଣ୍ଡୀ କହିଲା– ଆରେ ତୋ’ର ମା’, ଆଉ କେହି ନୁହେଁ । ତୁ ଶୋଇପଡ଼ିଲେ ତୋ ମୁହଁକୁ ମୁହଁ ଲଗାଇଦେଇ ରୋଜ ରକ୍ତ ଗୁଡ଼ାକ ଶୋଷି ନଉଚି । ଗୋଟେ ଗୋଟେ ଡାହାଣୀ ଇମିତି ଥାନ୍ତି । ତୁ ଏକଥା ଜାଣୁନାହୁଁ ?

 

ପୁଅ କହିଲା– କଅଣ ଗୁଡ଼ାଏ କହୁଚ ହେ ! ମୋ ମା’ଠଉଁ ବଳି ଆଉ କହାର ମା’ ଅଛି-? ସେ କାହିଁକି ଇମିତି ଗୁଡ଼େ କରିବ ?

 

ରାଣ୍ଡୀ କହିଲା– ହଉ, ମୋ କଥା ଏବେ ମିଛ ହେଲା; ଉଲୁଟାରେ, ତୁ ତ ନିଦରେ ଶୋଇପଡ଼ୁ, ତୁ କିଆଁ ଜାଣିବୁ ? ଆଚ୍ଛା, ତୁ ଦିନେ ଚେଇଁ କରି ଶୋଇବୁଟି, ମା’ ରକ୍ତ ଶୋଷୁଚି କିନା ଦେଖିବୁ ।

 

ସେ କହିଲା– ଆଚ୍ଛା, ଦିନେ ତୁମ କଥା ପରୀକ୍ଷା କରିବା ।

 

ସେ ରାଣ୍ଡୀପୁଅକୁ ଏହିପରି ମତାଇଦେଇ ତା’ ମା’କୁ ଦିନେ ଏକୁଟିଆ ଦେଖି କେତେ କଅଣ ଦୁଃଖସୁଖ କଥାବାର୍ତ୍ତା ହେଲା । ଶେଷକୁ କହିଲା– ଆଗୋ ! କହିବି କହିବି ବୋଲି କେତେଥର ହେଲାଣି; ଗୋଟେ କଥା ତୁମକୁ କହିପାରୁନାହିଁ ।

 

ସେ କହିଲା–କଥା କଅଣ, କହୁନାହଁ ?

 

ରାଣ୍ଡୀ କହିଲା– ଆଗୋ ! ତୁମ କଥା ମନେପଡ଼ିଲେ, ମୁଁ ଭାବେ–ନ ଥିଲା ତ ନ ଥିଲା; ଦେଇକରି ଈଶ୍ୱର ଇମିତି କାହିଁକି କରନ୍ତି, କେଜାଣି । ପୁଅ ହୋଇ ଖଣ୍ଡେ, ପିଲାଦିନୁ ବାପେ ମଲେ-। ପାଠଶାଠ ତ ପଢ଼ିଲା ନାହିଁ । ହଉ ନ ପଢ଼ିଲା ତ ନାହିଁ, ସମସ୍ତେ କଅଣ ପାଠ ପଢ଼ୁଚନ୍ତି ? ପାଠ ନ ହେଲା ଯେ ଇମିତି ଖରାପ ଅଭ୍ୟାସଟିଏ କାହିଁକି କରିଚି ?

 

ମା’ କହିଲା– ମୋ’ର ପୁଅ କଥା କହୁଚଟିକି ? କାହିଁ ତା’ର ତ ଖରାପ ଗୁଣ କିଛି ନାହିଁ-

 

ରାଣ୍ଡୀ କହିଲା– ହୟେ, ଖରାପ ଗୁଣ କିଛି ନାହିଁ ? ମଦ ତ ଖାଇଲା; ୟାଠଉଁ ବଳି ଖରାପ ଗୁଣ କଅଣ ହୁଅନ୍ତା ?

 

ମା’ କହିଲା–କ’ଣ ? ମୋ ପୁଅ ମଦ ଖାଏ ? ହୟେ, ଇମିତି କଞ୍ଚା ମିଛଗୁଡ଼େ କିମିତି କହୁଛ ?

 

ରାଣ୍ଡୀ କହିଲା– ହଉ, ଏବେ ମୋ କଥା ମିଛ ହେଲା । ଆଚ୍ଛା, ତୁମେ ଦିନେ ପୁଅ ଶୋଇଲା ଉତ୍ତାରୁ ତା’ ମୁହଁ ସୁଙ୍ଘିବଟି, ମଦଟା କଅଣ ଲୁଚିବ ? ଭଣକିନା ତ ପାଟିଟା ଗନ୍ଧେଇବ, ସେଇଥିରୁ ବୁଝିବ–ମୋ କଥା ସତ, କି ମିଛ ।

 

ମା’ ଏ କଥା ଶୁଣି ସେଦିନ ରାତିରେ ପୁଅ ଶୋଇଲା ଉତ୍ତାରୁ ତା’ ମୁହଁ ପାଖରେ ମୁହଁ ଲଗାଇଦେଇ ବାସନା ବାରି ବସିଲା । ଥରକୁଥର ମୁହଁ ଲଗାଉଥାଏ, ପୁଣି କାଢ଼ି ଆଣୁଥାଏ । ବାସନା ନା ଫାସନା, କିଛି ପାଇଲା ନାହିଁ ।

 

ସେଦିନ ପୁଣି ପୁଅ ପଡ଼ିଶାଘର ରାଣ୍ଡୀ କଥାରେ ମା’କୁ ପରୀକ୍ଷା କରିବ ବୋଲି ନ ଶୋଇ ଗାଲି ପାଡ଼ିଥାଏ । ମା’ ଏପରି ଥରକୁ ଥର ମୁହଁରେ ମୁହଁ ଲଗାଇବା ମଧ୍ୟ ସେଦିନ ଅନୁଭବ କଲା । ସେଇଥିରୁ ସେ ବୁଝିଲା ପଡ଼ିଶା-ମାଉସୀ ଯାହା କହିଥିଲା, ସତ ତ; ପ୍ରକୃତରେ ଏ ଡାହାଣୀ ନିତି ନିତି ମୋ ଦିହରୁ ରକ୍ତ ଶୋଷୁଚି । ଏପରି ବିଶ୍ଵାସ ହବାରେ ସେ ଶୋଇବ କଅଣ, ଧଡ଼କିନା ଉଠି ମା’ଉପରେ କଲା ହଗାଲଗା ମାଡ଼ । ମା’ ମାଡ଼ରେ କଲବଲ ହୋଇ ରାଗରେ ପୁଅକୁ ଅଭାଷା ଦୁର୍ଭାଷା କରି ଗୁଡ଼ାଏ ଗାଳିଦେଲା । ଗାଁ ଲୋକେ ଏ ଗୋଳମାଳ ଶୁଣି ଦୌଡ଼ିଆସି ଦେଖନ୍ତି ତ-ମା’ ଉପରେ ମାଡ଼ ହଉଚି । ଲୋକେ ପଚାରିଲେ–କିରେ, ମା’କୁ କାହିଁକି ମାରୁଛୁ ?

 

ପୁଅ କହିଲା--ଆହେ ! ମା’ କୁଠେଇଁ ପୁଅର ରକ୍ତ ଶୋଷେ ? ଏ ଡାହାଣି ରୋଜ ମୋ ରକ୍ତ ଶୋଷୁଚି । ଲୋକେ ଏହା ଶୁଣି ଯେ ଯେତେ ବୁଝାଇଲେ, ସେ ବୁଝିଲା ନାହିଁ । ସେ କହିଲା ମୁଁ ତ ନିଜ ଆଖିରେ ଦେଖିଲି, ଆଉ କାହା କଥା ଶୁଣିବି କଅଣ ?

 

ଏ ଘଟଣା କଅଣ ବୋଲି ମା’କୁ ପଚାରିବାରେ ମା’ କହିଲା–କଥା କିଛି ନୁହେଁ । ମୋ ପଡ଼ିଶା-ନାନୀ ମତେ କହିଲା ତୋ ପୁଅଟା ମଦଖାଏ । ମୁଁ ବିଶ୍ଵାସ ନ କରିବାରୁ ମତେ କହିଲା–ସେ ଶୋଇଲାବେଳେ ତା’ ମୁହଁ ସୁଙ୍ଘି ଦେଖୁନାହଁ ? ମୁଁ ସେଇକଥା କରୁଥିଲି ।

 

ପୁଅକୁ ପଚାରିବାରୁ ପୁଅ କହିଲା– ମତେ ସେଇ ପଡ଼ିଶା ନାନୀ କହିଲା– ତୋ ମା’ଟା ଡାହାଣୀ । ସେ ସବୁଦିନ ତୁ ଶୋଇଲାବେଳେ ତୋ ମୁହଁକୁ ମୁହଁ ଲଗାଇ ତୋ ରକ୍ତ ଯାକ ଶୋଷିନଉଚି । ମୁଁ ବିଶ୍ଵାସ ନ କରିବାରୁ ମୋତେ ପରୀକ୍ଷା କରିବାକୁ କହିଲା । ସେଇଥିପାଇଁ ମୁଁ ନ ଶୋଇ ପରୀକ୍ଷା କରୁଥିଲି । ମୁଁ କିଆଁ ଜାଣିବି–ମା’ ତା’ କଥାରେ ପଡ଼ି ମୋ ମଦଖିଆ ପରଖୁଚି ବୋଲି ?

 

ଭଦ୍ରଲୋକ କହିଲେ– ଏବେ ବୁଝିଲୁ ତ ? ତୁ ମଦୁଆ ନୋହୁ, କି ତୋ ମା’ ଡାହାଣୀ ନୁହେଁ । ସେ ଘରଭଙ୍ଗାଈ ରାଣ୍ଡୀ ଏ ପାଲା ଲଗାଇଦେଲା । ମା’ ପୁଅ ସବୁ କଥା ବୁଝିଲେ, ତୁନି ତାନି ହୋଇ ରହିଲେ ।

 

ଗାଁ ଲୋକେ ତହିଁ ଆରଦିନ ସେ ଘରଭଙ୍ଗାଈ ରାଣ୍ଡୀର ଏହିପରି ବହୁତ କାମ ଦେଖି ତାକୁ ଟାଙ୍କେ ଛେଚି ଗାଁରୁ ବାହର କରିଦେଲେ । ସେତିକିରେ ଗାଁ ଥଣ୍ଡା !

 

ୟାକୁ କହନ୍ତି–‘ଯେଷାକୁ ତେଷା’ ।

񤦬񤦬񤦬

 

କାଖ ଟେକି ଟେକି ନାଚରେ ବାବା

 

ଗୋଟିଏ ମଠରେ ଜଣେ ମହନ୍ତ ଥିଲେ । ଏଣୁତେଣୁ ଆଉ କେତେ ଗୁଡ଼ିଏ ବାବାଜି ମଧ୍ୟ ସେ ମଠରେ ଜୁଟିଥିଲେ । ସବୁଦିନ କୀର୍ତ୍ତନ ପରେ ସମସ୍ତଙ୍କର ଏକାଠେଇଁ ପଙ୍ଗତ ହୁଏ । ଏହିପରି କେତେଦିନ ଗଲା ।

 

ମହନ୍ତଙ୍କର ଗୋଟିଏ ବେକମାଳି ଏବଂ ଗୋଟିଏ କରମାଳି ଥିଲା । ମହନ୍ତ ଜପ ତପ ସାରି ସେ ମାଳି ଦୁଇଟି ଠାକୁରଙ୍କ ଗାଦି ଉପରେ ରଖିଦିଅନ୍ତି । ଦିନେ ଦେଖିଲାବେଳକୁ ମାଳି ଦିଓଟି ନାହିଁ । ଖୋଜା ଲୋଡ଼ା, ପଚରା ଉଚରା ବହୁତ ହେଲା । ମାତ୍ର ମାଳି ମିଳିଲା ନାହିଁ । ମହନ୍ତଙ୍କ ମନ ବଡ଼ ଖରାପ ହେଲା । ସେ ଦେଖିଲେ ମାଳି ଦୁଇଟା । ଏହିକ୍ଷଣି ଥିଲା; ଚାହୁଁ ଚାହୁଁ କୁଆଡ଼େ ହରଣଚାଲ ହୋଇଗଲା ? ଆଉ କିଏ ନେବ ? ନିଶ୍ଚେ ଏ ବାବାଜିଙ୍କ ଭିତରୁ କିଏ ନେଇଛି । କେହି କୁଆଡ଼େ ତ ଯାଇନାହାନ୍ତି । ପରୀକ୍ଷା କରିଦେଲେ ଧରାପଡ଼ିଯିବ, ଯିବେ କୁଆଡ଼େ ? ଏହା ବିଚାରି ଗୋଟେ କୀର୍ତ୍ତନ ଆରମ୍ଭ କରିଦେଲେ । କୀର୍ତ୍ତନରେ ସବୁ ବାବାଜି ଯୋଗଦେଲେ । କୀର୍ତ୍ତନ ଜୋରସୋରରେ ଚାଲିଲା । ମହନ୍ତ ଭକ୍ତିରେ ଭୋଳ ହୋଇ ନାଚିଲେ । ମହନ୍ତଙ୍କୁ ନାଚିବାର ଦେଖି ସବୁ ବାବାଜି ନାଚିଲେ । ନାଚରେ ସମସ୍ତଙ୍କୁ ଭୋଳ ହେବାର ଦେଖି ମହନ୍ତ କୀର୍ତ୍ତନ ସ୍ଵରରେ କହିଲେ–

 

“କାଖ ଟେକି ଟେକି ନାଚରେ ବାବା ।”

 

ମହନ୍ତଙ୍କ କଥାରେ ସମସ୍ତେ କାଖ ଟେକି ଟେକି ନାଚିଲେ । ମାତ୍ର ଚୋର ବାବାଜି ଆଉ କାଖ ଟେକେ ନାହିଁ । କିମିତି ବା କାଖ ଟେକିବ ? କାଖ ଟେକିଲେ ତ ମାଳି ଧରା ପଡ଼ିଯିବ । ନ ଟେକିବ ବା କିମିତି ? ନ ଟେକିଲେ ତ ସମସ୍ତଙ୍କର ସନ୍ଦେହ ହେବ । ସୁତରାଂ ସେ ଗୋଟେ କାଖ ଟେକି କହିଲା–

 

“ଯାହାକୁ ଯିମିତି ଆସେରେ ବାବା ।”

 

ସେ ଏତକ ଯିମିତି କହିଚି, ମହନ୍ତ ଦେଖନ୍ତି ତ–ସମସ୍ତେ ଦି’କାଖ ଟେକିଛନ୍ତି; ସେଇ ଏକା ଗୋଟେ କାଖ ଟେକିଛି । ଆଉ ଜାଣିବାକୁ ବାକି ରହିଲା ନାହିଁ । ସାଙ୍ଗେ ସାଙ୍ଗେ ତଲାସ ହେବାରେ କାଖ ସନ୍ଧିରୁ ମାଳି ମିଳିଗଲା । ଏତିକିରେ ସେ କୀର୍ତ୍ତନ ବନ୍ଦ କରି ତା’ ଉପରେ କୀର୍ତ୍ତନ ଆରମ୍ଭ କରିଦେଲେ । ବିଚରା ସେତିକିରେ କଲବଲ ହୋଇ ପ୍ରାଣ ଘେନି ଭାଗା ।

 

କର୍ମଫଳ ଯାଆନ୍ତା କୁଆଡ଼େ ?

񤦬񤦬񤦬

 

ଖୋଦା ଏତନା ବଖତ କ୍ୟା କରତେ ହେଁ ?

 

ଜଣେ ବାଦଶାହା ଥିଲେ । ବାଦଶାହାମାନେ ଅନେକ ସମୟରେ ଖିଆଲବାଜ । ଦିନେ ତାଙ୍କର କ’ଣ ଖିଆଲ ହେଲା କେଜାଣି, ଉଜୀରକୁ ଡାକି ପଚାରିଲେ–ଉଜୀର ! ଖୋଦା ଏତନା ବଖତ କ୍ୟା କରତେ ହେଁ ?

 

ଉଜୀର କହିଲେ– ମୁଁ ଏହା କିପରି କହିବି ? ଖୋଦା କିପରି, ସେ କେଉଁଠି ଅଛନ୍ତି, କଅଣ କରନ୍ତି, ମୋତେ ଜଣାନାହିଁ । ଲୋକେ କହନ୍ତି–ଖୋଦା ବୋଲି କେହି ଅଛନ୍ତି । କିନ୍ତୁ ତାଙ୍କୁ କେହି ଦେଖିନାହାନ୍ତି । ଦେଖିଥିଲେ ଦେଖିଥିବେ ଯୋଗୀ, ଫକୀର ! ତାଙ୍କୁ ପଚରାଗଲେ ସେ ଅବା କହିପାରିବେ ? ମୁଁ ହଜୁରଙ୍କ ଦାନାପାଣି ଖାଏ, ହୁକୁମ ତାମିଲ କରେ । ମିଛ କହିପାରିବି ନାହିଁ ।

 

ବାଦଶାହା ସେଥିରେ ସନ୍ତୁଷ୍ଟ ନ ହୋଇ କହିଲେ– ଏପରି ଫାଙ୍କିଦେଲେ ହେବନାହିଁ । ତୁମ୍ଭେ ଉଜୀର, ଏହା ଯେବେ ନ କହିପାରିବ, ତେବେ ଉଜୀର କାହିଁକି ହେବ ? ସାତଦିନ ମଧ୍ୟରେ ତୁମ୍ଭଙ୍କୁ ଅଲବତ୍ ଏହାର ଜବାବ ଦେବାକୁ ହେବ । ନହେଲେ ତୁମ୍ଭଙ୍କୁ ତୁମ୍ଭ ପରିବାରକୁ ଫାଶୀଦଣ୍ଡ ଦିଆଯିବ ।

 

ଉଜୀର ଆଉ କିଛି ନ କହି ଦୀର୍ଘନିଃଶ୍ଵାସ ପକାଇ ମନଦୁଃଖରେ ଘରକୁ ଫେରିଲେ । ମନରେ ସୁଖ ନ ଥାଏ । ବଡ଼ ଭାଳେଣିରେ ପଡ଼ିଲେ । ବଡ଼ ମୁସ୍କିଲ କଥା । ବାଦଶାହାଙ୍କ ପ୍ରଶ୍ନର ଉତ୍ତର କେହି ତ ଦେଇପାରିବେ ନାହିଁ, ଉଜୀର ଅବା କିପରି ଜାଣିବେ ? ନହେଲେ ତ ବଂଶବର୍ଗ ଫାଶୀ ପାଇବେ । ଏଇ ଚିନ୍ତାରେ ପଡ଼ି ଉଜୀର ଭୋକଶୋଷ ସବୁ ଭୁଲିଗଲେ । ନ ଖାଇ ନ ପିଇ ଦୁଃଖରେ ମୁହଁମାଡ଼ି ଶୋଇଲେ । ଏହା ଦେଖି ତାଙ୍କର ପୁଅ, ଝିଅ, ମା’, ସ୍ତ୍ରୀ ସମସ୍ତେ କାରଣ ପଚାରିଲେ । ଉଜୀର ସମସ୍ତଙ୍କୁ ସବୁ ଘଟନା ଜଣାଇଦେଲେ । ଏହା ଶୁଣି ଘରର ସମସ୍ତେ ମୁଣ୍ଡରେ ହାତଦେଲେ । କାହାର ମନରେ ସୁଖ ରହିଲା ନାହିଁ । ସମସ୍ତେ ଯେଝା ସୂତ୍ରେ ପାଖ ପଡ଼ିଶା, ଯୋଗୀ ଫକୀର ଯାହାକୁ ପାଇଲେ, ସମସ୍ତଙ୍କୁ ସେଇ କଥା ପଚାରିଲେ । କେହି କିଛି କହିପାରିଲେ ନାହିଁ । ଏକଥା ଚାରିଆଡ଼େ ଖେଳିଗଲା ।

 

ଗୋଟେ ଛେଳିଜଗା ପିଲା ଏ କଥା କିମିତି ଶୁଣିପାରିଲା । ସେ ଗୋଠରୁ ଫେରି ଉଜୀରଙ୍କ ପାଖେ ପହଞ୍ଚି କହିଲା– ହଜୁର ! ଆପଣ ଖା’ପିଆ କରନ୍ତୁ, କିଛି ଭୟ ନାହିଁ । ମୁଁ ବାଦଶାହାଙ୍କ କଥାର ଉତ୍ତର ଦେବି ।

 

ଉଜୀର ଦେଖିଲେ–କେଡ଼େ କେଡ଼େ ଲୋକ ଆଁ କରି ଦେଉଛନ୍ତି, ଏ ଛେଳି ଜଗା ପିଲାଟି କ’ଣ କହିବ ! ତା’ କଥାରେ ତାଙ୍କର ଟିକିଏ ହେଲେ ବିଶ୍ଵାସ ହେଲା ନାହିଁ । ସେ ଟୋକା ପୁଣି କହିଲା– ଆପଣ ମୋ କଥାରେ ବିଶ୍ଵାସ କରି ଖାଆନ୍ତୁ; ମୁଁ ନିଶ୍ଚୟ ଉତ୍ତର ଦେବି ।

 

ଉଜୀର ଭାବିଲେ–ଏହା କଥାରେ ତ ବିଶ୍ୱାସ ହେଉନାହିଁ । ତେବେ ଏତେ ଲୋକଙ୍କୁ ପଚରାଗଲା, କେହି ଜଣେ ତ ଏପରି ସାହସ ଦେଲାନାହିଁ । ଏ ଟୋକା ପାରୁ ନ ପାରୁ, ସାହାସ ତ କରିଚି । ୟା କଥାରେ ବିଶ୍ଵାସ କରି ଖାଇଲେ କ୍ଷତି କଅଣ ? ନହେଲେ ଓପାସରେ ପ୍ରାଣ ହରାଇବାକୁ ହେବ । ପୁଣି ପ୍ରକୃତ ଉତ୍ତର ଦେଇନପାରିଲେ ତ ମରିବାକୁ ହେବ । ତେବେ ୟା କଥା ମାନିନେଲେ କ୍ଷତି କଅଣ ? ଏହା ଭାବି ଖିଆପିଆ କଲେ । କିନ୍ତୁ ମନରେ ସୁଖ ନ ଥାଏ । ଦେଖୁ ଦେଖୁ ଛଅଦିନ ଚାଲିଗଲା । ତା’ ଆରଦିନ ଉତ୍ତର ନ ଦେଲେ ଆଉ ରକ୍ଷା ନାହିଁ । ଶେଷ ଦିନ ଉଜୀର ସେ ଛେଳିଆ ଟୋକାକୁ ଡାକି କହିଲେ–କିରେ, ଆଜି ତ ଶେଷ ଦିନ, କଅଣ କହିବୁ ପରା, କହ । ସେ କହିଲା–ମୁଁ ଆପଣଙ୍କୁ କାହିଁକି କହିବି ? ମୁଁ ଖୋଦ ବାଦଶାହାଙ୍କୁ କହିବି ।

 

ଉଜୀର କହିଲେ–ହଉ ତେବେ, ମୋ ସାଙ୍ଗେ ବାଦଶାହାଙ୍କ ପାଖକୁ ଚାଲ ।

 

ସେ କହିଲା–ମୁଁ ଯିବି ଯେ, କ’ଣ ଇମିତି ଯିବି ? ସେ ଆଉ କିଏ ନୁହନ୍ତି, ବାଦଶାହା, ମୁଁ ପୁଣି କହିବି ଖୋଦାଙ୍କ କଥା । ଏପରି ବେଶରେ କିମିତି ଯିବି ?

 

ଉଜୀର କହିଲେ–ତେବେ ତୋର କ’ଣ ଦରକାର, କହ ।

 

ସେ କହିଲା ବାଦଶାହାଙ୍କୁ ଆପଣ କହନ୍ତୁ–ସେ ମୋ ପାଇଁ ପିନ୍ଧିବାକୁ ପାଟ, ଯିବାକୁ ହାତୀ ପଠାନ୍ତୁ । ତେବେ ଯିବି ।

 

ଉଜୀର ଦେଖିଲେ–ୟେ ବଡ଼ ମୁସ୍କିଲ କଥା । ବାଦଶାହା ଏ ଛାର ଛେଳିଆଟୋକା ପାଇଁ ଏସବୁ ପଠାଇବେ, ନା, ୟେ ଯିବ । ଏକଥା ହେଲା ପରି ଦିଶୁ ନାହିଁ । ଆଚ୍ଛା, ଯାଏ; କଅଣ ହେଉଛି ଦେଖାଯାଉ । ସେ ବାଦଶାହାଙ୍କ ପାଖକୁ ଯାଇ ଜଣାଇଲେ–ହଜୁର, ରାଜ୍ୟ ଯାକ କେହି ହଜୁରଙ୍କ ପ୍ରଶ୍ନର ଉତ୍ତର ଦେଇପାରିଲେ ନାହିଁ । ଗୋଟିଏ ଛେଳିଆ ଟୋକା ଉତ୍ତର ଦେବାକୁ ଜବାବ ଦେଇଛି-। ସେ କହେ–ମୁଁ ଯେବେ ଖୋଦାଙ୍କ କଥା କହିବି, ତେବେ ଏପରି ବେଶରେ, ଏପରି ଅବସ୍ଥାରେ ଯିବି ନାହିଁ । ମୋ ପାଇଁ ପିନ୍ଧିବାକୁ ପାଟ, ଯିବାକୁ ହାତୀ ଆସିଲେ, ମୁଁ ଯାଇ ବାଦଶାହାଙ୍କ ଆଗରେ ଖୋଦାଙ୍କ କଥା କହିବି ।

 

ବାଦଶାହା ତ ଖିଆଲବାଜ ଲୋକ । ସେ ଏହା ଶୁଣି ସାଙ୍ଗ ସାଙ୍ଗେ ସବୁ ବରାଦ କରିଦେଲେ । ଛେଳିଆ ଟୋକା ପାଟ ପତନୀ ପିନ୍ଧି ହାତୀରେ ବସି ବାଦଶାହାଙ୍କ ପାଖରେ ପହଞ୍ଚିଲା । ବାଦଶାହା ସିଂହାସନରେ ବସି ତାକୁ ପଚାରିଲେ–“ଖୋଦା ଏତନା ବଖତ୍ କ୍ୟା କରତେ ହେଁ’’ ତୁ କହିପାରିବୁ ? ସେ କହିଲା–ହଜୁର ! ତା’ କହିପାରିବି ବୋଲି ତ ଆସିଚି; ବାଦଶାହା କହିଲେ–ତେବେ କହ ।

 

ସେ କହିଲା– ହଜୁର ! ୟେ କଥା ତୁମ ଆମ କଥା ନୁହେଁ, ଖୋଦ ଖୋଦାଙ୍କ କଥା । ମୁଁ ଯେତେବେଳେ ଖୋଦାଙ୍କ କଥା କହିବି, ତଳେ ଠିଆହୋଇ କହିବି, ହଜୁର ଉପରେ ବସି ଶୁଣିବେ–ଏକଥା ହଜୁରଙ୍କୁ ପସନ୍ଦ ଲାଗୁଚି ? ବାଦଶାହା କହିଲେ–ତେବେ ତୁ ଉପରକୁ ଆ, ମୁଁ ତଳକୁ ଯାଉଚି । ବାଦଶାହା ତଳକୁ ଆସିବାରେ ଛେଳିଆ ଟୋକା ସିଂହାସନରେ ବସି କହିଲା–ତେବେ ହାତଯୋଡ଼ି ଠିଆହୁଅନ୍ତୁ । ବାଦଶାହା ହାତ ଯୋଡ଼ି ଠିଆହେଲେ । ଛେଳିଆ ଟୋକାର କଥା ଶୁଣିବାକୁ ହଜାର ହଜାର ଲୋକ ଜମା ହୋଇଥାନ୍ତି । ସେ କହିଲା–ଏଥର ହଜୁର ଯାହା ପଚାରିବାର ପଚାରନ୍ତୁ ।

 

ବାଦଶାହା ପୁଣି କହିଲେ– “ଖୋଦା ଏତନା ବଖତ କ୍ୟା କରତେ ହେଁ ।”

 

ଛେଳିଆ ଟୋକା କହିଲା– “ଖୋଦା ଏତନା ବଖତ ସାନକୁ ବଡ଼, ବଡ଼କୁ ସାନ କରୁଛନ୍ତି-। ନହେଲେ ହଜୁର କାହିଁକି ହାତଯୋଡ଼ି ତଳେ ଠିଆ ହୋଇଥାନ୍ତେ, ମୋ ଭଳି ଛେଳିଜଗା ପିଲା ରତ୍ନ–ସିଂହାସନରେ ବସିଥାନ୍ତା ।“

 

ଏହା ଶୁଣି ସମସ୍ତେ ଏକ ସ୍ଵରରେ କହିଲେ– ଏ କଥା ସତ, ଏଥିରେ ଟିକିଏ ସୁଦ୍ଧା ସନ୍ଦେହ ନାହିଁ ।

 

ବାଦଶାହା ମଧ୍ୟ ଖୁସିହୋଇ କହିଲେ–ଉତ୍ତର ଠିକ୍ ଏଥିରେ ସନ୍ଦେହ ନାହିଁ ।

 

ବାଦଶାହା ପ୍ରସନ୍ନ ହୋଇଗଲେ । ଉଜୀର ବିପଦରୁ ଉଦ୍ଧାର ପାଇଲେ । ଛେଳିଆଟୋକା ବାଦଶାହାଙ୍କ ଅନୁଗ୍ରହରୁ ମହାସୁଖରେ ରହିଲା ।

񤦬񤦬񤦬

 

ଇସିମେ ଚିଡ଼ିଆ ହେ

 

ଦିନେ କଲିକତାରେ ଜଣେ ପଠାଣ ଯାଉ ଯାଉ ରାସ୍ତାରେ ତାକୁ ଝାଡ଼ା ତଲବ ଦେଲା । ଅତର୍ଛ ଝାଡ଼ା ସମ୍ଭାଳିହେଲା ନାହିଁ । ସେ ଏଣିକି ତେଣିକି ଚାହିଁ ସେଇ ରାସ୍ତା ଉପରେ ଝାଡ଼ା ବସିଗଲା । କାମ ସାରି ଉଠିଲାବେଳକୁ ଦେଖିଲା–ଜଣେ କନେଷ୍ଟବଳ ତା’ରି ଆଡ଼କୁ ଆସୁଚି । ପଠାଣ ପାଞ୍ଚ ଆଇନ ଭୟରେ ଆଉ କିଛି ଉପାୟ ନ ପାଇ ମୁଣ୍ଡରୁ ଟୋପିଟି କାଢ଼ି ସେ ମଇଳା ଉପରେ ଘୋଡ଼ାଇଦେଲା । ପଠାଣ ଯାଇନାହିଁ, ଠିଆହୋଇଛି; ଏତିକିବେଳେ କନେଷ୍ଟବଳ ପହଞ୍ଚି ଦେଖିଲା–ଟୋପିଟା ତଳେ ଥୁଆ ହୋଇଛି । ଟୋପି ମୁଣ୍ଡରେ ନ ପିନ୍ଧି ତଳେ ଥୁଆ ହେବାର ଦେଖି ସେ ପଚାରିଲା–ଏ କ୍ୟା ! ହେ । ପଠାଣ ସାଙ୍ଗେ ସାଙ୍ଗେ ଜବାବ ଦେଲା–ଇସିମେ ଚିଡ଼ିଆ ହେ ।

 

କନେଷ୍ଟବଳ ବଡ଼ ଚିଡ଼ିଆସଉକୀ ସେ ଟୋପି ତଳେ ଚିଡ଼ିଆ ଥିବାର ଶୁଣି ଧୀରେ ଧୀରେ ଟୋପି ପାଖକୁ ଗଲା । ଟୋପିଟା ଭୁଷକିନା ଉଠାଇଦେଲେ ଚିଡ଼ିଆ ଉଡ଼ିଯିବ ଭାବି ଆସ୍ତେ ଆସ୍ତେ ଟୋପିରେ ଗୋଟିଏ ପାଖ ଟେକି ତା’ ଭିତରେ ଧୀରେ ଧୀରେ ଡାହାଣ ହାତ ଭର୍ତ୍ତି କଲା । ସେ ଏହିପରି କରୁ କରୁ ପଠାଣ ଚମ୍ପଟ କଲା । କନେଷ୍ଟବଳର ତ ଚିଡ଼ିଆରେ ମନ ଲାଗିଛି, ସେଇ ହେତୁରୁ ପଠାଣ ଖସିଯିବା କଥା ସେ ଜାଣିପାରିଲା ନାହିଁ । ତା’ର ଆଙ୍ଗୁଠି ଯେତେବେଳେ ମଇଳାରେ ଲାଗିଲା, ସେତେବେଳେ ତାହା ନରମ ଲାଗିଲା । ସେ ଭାବିଲା–ପକ୍ଷୀଙ୍କର ପରଗୁଡ଼ାକ ତ ନରମା, ସେହିପରି ବୋଧହୁଏ ହାତରେ ଲାଗିଲା । ଏଥିରେ ଟୋପିତଳେ ଚିଡ଼ିଆ ଥିବା ବିଷୟରେ ତା’ର ଆଉ ସନ୍ଦେହ ରହିଲା ନାହିଁ । ତାପରେ ସେ ହାତକୁ ଆହୁରି ଭିତରକୁ ପୂରାଇ ଗାବୁକିନା ମାଡ଼ି ବସିବାରେ ହାତଯାକ ମଇଳା ବଲବଲ ହୋଇଗଲା । ଟୋପି ଉଠାଇ ଦେଖେ ତ ଚିଡ଼ିଆ ନା ଫିଡ଼ିଆ, ଗୋଟିଏ ମଇଳା ଗଦା । ଏଣେ ହାତ ମଇଳା ବଲବଲ । ବିଚରା ଯାଏ କୁଆଡ଼େ ? ରାଗରେ ପଠାଣକୁ ଚାହିଁଲାବେଳକୁ ପଠାଣ ଫଠାଣ କେହି ନାହାନ୍ତି । ଆଉ କଅଣ କରିବ ? କାହାକୁ କହିବ ? ଗୁଡ଼ାଏ ବିଜାଡ଼ ହୋଇ ପାଣିକଳକୁ ଦଉଡ଼ିଲା ।

 

ଏ ଚିଡ଼ିଆ ଧରା ସେ ଆଉ ଭୁଲିବ ନାହିଁ !

񤦬񤦬񤦬

 

ବସ୍ତ୍ରାଭାବେ ସୂତ୍ର ଦଦ୍ୟାତ୍

 

ଜଣେ ବ୍ରାହ୍ମଣଙ୍କୁ ପ୍ରଥମ ସାମ୍ବତ୍ସରିକ ପିତୃଶ୍ରାଦ୍ଧ କରିବାକୁ ହେଲା । ସେ କେବେ ଶ୍ରାଦ୍ଧ କରିନଥିଲେ । ଶ୍ରାଦ୍ଧ ବତେଇ ଦେବାକୁ ପୁରୋହିତଟିଏ ମଧ୍ୟ ପାଇଲେ ନାହିଁ । ତେଣୁ ପୋଥି ଧରି ଶ୍ରାଦ୍ଧ କରିବାକୁ ହେଲା । ଶ୍ରାଦ୍ଧ ମଧ୍ୟରେ ପିଣ୍ଡ ପଡ଼ିଲା ପରେ ପିଣ୍ଡ ଉପରେ ବସ୍ତ୍ର ଦାନ କରିବାର ବିଧି ଅଛି । ବସ୍ତ୍ର ଅଭାବରେ ସୂତ୍ର ମଧ୍ୟ ଦିଆଯାଇପାରେ । ଏହି କଥା ପ୍ରତ୍ୟେକ ଶ୍ରାଦ୍ଧ-ପୋଥିରେ ସଂସ୍କୃତରେ “ବସ୍ତ୍ରାଭାବେ ସୂତ୍ର ଦଦ୍ୟାତ” ବୋଲି ଲେଖାଥାଏ । କିନ୍ତୁ ଏହି ନୂତନ ଶ୍ରାଦ୍ଧକର୍ତ୍ତାଙ୍କ ଶ୍ରାଦ୍ଧ ଖେଦାରେ ସୂତ୍ର ଦଦ୍ୟାତ ନ ହୋଇ ମୁତ୍ରଂ ଦଦ୍ୟାତ ବୋଲି ଲେଖାଥିଲା । ଲେଖକ ଲେଖୁ ଲେଖୁ ‘ସ’ର ତଳ ଗାରଟି ଦୈବାତ ଛାଡ଼ି ଯାଇଥିଲେ । ଶ୍ରାଦ୍ଧକର୍ତ୍ତା ମୁତ୍ରଂ ଦଦ୍ୟାତ ପଢ଼ି ସନ୍ଦେହରେ ପଡ଼ିଲେ । ସନ୍ଦେହ ହେବାରୁ ବୋଉକୁ ଡାକି ପଚାରିଲେ ହଇଲୋ ବୋଉ ! ପୋଥିରେ କ’ଣ ଲେଖୁଛି–ପିଣ୍ଡୋପର ମୁତ୍ରଂ ଦଦ୍ୟାତ୍ । ତେବେ କଅଣ ପିଣ୍ଡ ଉପରେ ମୂତିବାକୁ ହେବ ? ବୋଉ ତ ମହାପଣ୍ଡିତ, ସେ ବା କଅଣ କହିବ ? ପୁଅ ତ ପଚାରୁଚି, ନ କହିବ କିମିତି ? ଶ୍ରାଦ୍ଧରେ ଠାଏ ପଡ଼େ–ନୀବୀ ବିଶ୍ର–ସନ୍ ଦୃଢ କୃତ୍ଵା । ତେତେବେଳେ ଶ୍ରାଦ୍ଧକର୍ତ୍ତା କୁଶଟେ ଖୋସଣୀରେ ଖୋସନ୍ତି-। ବୋଉ ଏହା ଦେଖିଥିଲା । ସେ ତା’ର ଉପରେ ନିର୍ଭର କରି କହିଲେ–ହଁ, ହଁ, ନନା ତ କଅଣ କଛା ଫିଟାନ୍ତି । ପୁଅ ଏତକ ଯହୁଁ ସୂଚନା ପାଇଲା, ତହୁଁ ଆଉ ସନ୍ଦେହ ନ କରି ପିଣ୍ଡ ଉପରେ ମୂତ୍ରଧାର ଦେଇ ବିଧିରକ୍ଷା କଲା ।

 

ଅଯୋଗ୍ୟ ପୁତ୍ର ଆଉ କଅଣ କରନ୍ତା ?

Image